Potato prices: ରାଜ୍ୟରେ ଆଳୁ ଦର ଖସୁନି। ଉତ୍ତରପ୍ରଦେଶରୁ ଆଳୁ ଆସୁଥିଲେ ବି ରାଜ୍ୟରେ ଆଳୁ ସଙ୍କଟ ଦୂର ହେଉନି। ପଶ୍ଚିମବଙ୍ଗରୁ ଆଳୁ ଯୋଗାଣ ସ୍ବାଭାବିକ କରିବା ପାଇଁ ଆଜି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଦ୍ବିତୀୟ ଥର ପାଇଁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହ କଥା ହୋଇଛନ୍ତି।
Trending Photos
ଭୁବନେଶ୍ବର: ରାଜ୍ୟରେ ଆଳୁ ଦର ବୃଦ୍ଧିକୁ ନିୟନ୍ତ୍ରଣକୁ ଆଣିବା ଲାଗି ନେଇ ରାଜ୍ୟ ସରକାର କାମ କରୁଛନ୍ତି। ପଡ଼ୋଶୀ ପଶ୍ଚିମବଙ୍ଗରୁ ସ୍ବାଭାବିକ ଭାବେ ଆଳୁ ନଆସିବା ଦ୍ବାରା ଓଡିଶାରେ ଲୋକେ ଅଭାବୀର ସମ୍ମୁଖୀନ ହୋଇଛନ୍ତି। ରାଜ୍ୟରେ ଆଳୁ ସଂକଟରୁ ଫାଇଦା ଉଠାଇ ବ୍ୟବସାୟୀମାନେ ମନ ଇଛା ବେପାର କରୁଥିବା ଦେଖାଦେଇଛି। ଆଳୁ ସଂକଟ ଦୂର କରିବା ପାଇଁ ରାଜ୍ୟ ସରକାର ଯେତେ ଯାହା ଉଦ୍ୟମ କଲେ ବି ସଫଳ ହେଉନାହାନ୍ତି। କୁହାଯାଉଛି ଯେ, କିଛି ସ୍ଥାନରେ ଆଳୁ କିଲୋ ୫୦ରୁ ୬୦ ଟଙ୍କାରେ ବିକ୍ରି କରାଯାଉଛି। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆଳୁ ଅଟକାଇ ଦେବାରୁ ଓଡ଼ିଶାରେ ଆଳୁ ସଙ୍କଟ ଦେଖାଦେଇଛି। ଆଳୁର ଦର ବଜାରରେ ଏତେ ବଢ଼ିଯାଇଛି ଯେ, ଦର ଶୁଣି ଲୋକଙ୍କୁ ଡର ଲାଗୁଛି। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓଡ଼ିଶାକୁ ଆଳୁ ନଛାଡିବାର କାରଣ ଦେଖିଲେ ଭିନ୍ନ ମୋଡ଼ ବଦଳୁଛି। ଯାହାକୁ ନେଇ ରାଜନୀତି ସରଗରମ ହୋଇଉଠିଛି। ପଶ୍ଚିମବଙ୍ଗରୁ ଠିକ ଭାବେ ଆଳୁ ନ ଆସିବାକୁ ନେଇ ଆଳୁ ଦର ବୃଦ୍ଧି ପାଇଛି। ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ମମତାଙ୍କର ସୁସମ୍ପର୍କ ଥିବା ବେଳେ ରାଜ୍ୟରେ ବିଜେପି ସରକାର ପରେ ମମତା ଏଭଳି ଆଳୁ ରାଜନୀତିରେ ଦାଉ ସାଧୁଛନ୍ତି ବୋଲି କୁହାଯାଉଛି।
ଅନ୍ୟପଟେ ଏହି ରାଜନୀତିକୁ ଅଧିକ ସରଗରମ କରିଛି କଂଗ୍ରେସ ଓ ବିଜେଡି। କଂଗ୍ରେସ ନେତା ବିଜୟ ପଟ୍ଟନାୟକ କହିଛନ୍ତି କି, ୨୦୧୬ ମସିହାରେ ବିଜେଡି ସରକାର ଆଳୁ ମିଶନ ତିଆରି କରିଥିଲେ। ରାଜ୍ୟ ରାଜକୋଷରୁ କୋଟି କୋଟି ଟଙ୍କା ବିଲ୍ କଲେ। ହେଲେ ତାହା ସଫଳ ହେଲା ନାହିଁ। ଫଳରେ ଆଜି ରାଜ୍ୟର ଖାଉଟି ହନ୍ତସନ୍ତ ହେଉଛନ୍ତି। ପରିଚାଳନା ଗତ ତ୍ରୁଟି ଯୋଗୁଁ ଆଳୁ ମିଶନ ଫେଲ ହୋଇଛି ସରକାରୀ ଶୀତଳ ଭଣ୍ଡାରକୁ ବିଜେଡି ସରକାର ବନ୍ଦ କରିଦେଲେ। ଘରୋଇ ଶୀତଳ ଭଣ୍ଡାର ମାଲିକ ଓ ଚାଷୀଙ୍କ ଭିତରେ ସମନ୍ୱୟ ରହିଲା ନାହିଁ। ଏହା ଉପରେ ତଦନ୍ତ ହେବା ଦରକାର। ଏହାସହ ଆଳୁର ଚାହିଦା ପୁରଣ କରିବା ଓ ଦାମ କମ୍ କରିବାକୁ ଏବେକାର ରାଜ୍ୟ ସରକାର ଯେଉଁ ପଦକ୍ଷେପ ନେବା ଉଚିତ।
ଅନ୍ୟପଟେ ବିଝାରପୁର ବିଧାୟିକା ପ୍ରମିଳା ମଲ୍ଲିକ କହିଛନ୍ତି, ରାଜ୍ୟରେ ପ୍ରାୟ ୨ ସପ୍ତାହ ହେଲା ଆଳୁକୁ ନେଇ ଚର୍ଚ୍ଚା ଜୋରଧରିଛି। ପଶ୍ଚିମବଙ୍ଗରୁ ସ୍ବାଭାବିକ ଭାବେ ଆଳୁ ଆମଦାନୀ ହୋଇପାରୁ ନଥିବାର ଗ୍ରାହକଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି। ରାଜ୍ୟରେ ଆଳୁ ଦର ସବୁଠି ସମାନ ନାହିଁ। ଆଲୁ କିଲୋ କେଉଁଠି ୩୫ ଟଙ୍କାରେ କେହିକେହି ୫୦ ଟଙ୍କାରେ ମଧ୍ୟ କିଣୁଥିବା ଦୃଷ୍ଟିଗୋଚର ହେଉଛି। ବ୍ୟବସାୟୀମାନଙ୍କୁ ସରକାର ଆଳୁ କିଲୋ ୩୫ ଟଙ୍କାରେ ବିକିବା ପାଇଁ ନିର୍ଦ୍ଦେଶ ଦେଇଥିବା ବେଳେ ଏହାକୁ ସମସ୍ତେ ପାଳନ କରୁନାହାନ୍ତି। ଆଳୁ ସମସ୍ୟା ଆହୁରି ୧୫ ଦିନ ରହିବ। ତେଣୁ ଏସ୍ମା ଲାଗୁ କରି ଆଳୁ ବଜାରକୁ ନିୟନ୍ତ୍ରଣ କରିବା ଜରୁରୀ। ଶ୍ରୀମତୀ ମଲ୍ଲିକ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି। ଖାଉଟିଙ୍କ ପାଇଁ ରାଜ୍ୟ ସରକାର କୌଣସି ପଦକ୍ଷେପ ନେଉ ନାହାନ୍ତି। ଲୋକଙ୍କ ଅସୁବିଧା ପ୍ରତି ସରକାର ଆଖି ବୁଜି ଦେଇଛନ୍ତି। ଆମେ ଲୋକଙ୍କ ସମସ୍ୟାର ସମାଧାନ ପାଇଁ ଦାବି କରୁଛୁ। ସରକାର ଦାୟିତ୍ବହୀନ ମନ୍ତବ୍ୟ ଦେଇ ଚାଲିଛନ୍ତି। ଅସାଧୁ ବ୍ୟବସାୟୀଙ୍କ ସହିତ ମେଣ୍ଟ କରିଛନ୍ତି।
ଅନ୍ୟପଟେ ରାଜ୍ୟରେ ଆଳୁ ଦର ଖସୁନି। ଉତ୍ତରପ୍ରଦେଶରୁ ଆଳୁ ଆସୁଥିଲେ ବି ରାଜ୍ୟରେ ଆଳୁ ସଙ୍କଟ ଦୂର ହେଉନି। ପଶ୍ଚିମବଙ୍ଗରୁ ଆଳୁ ଯୋଗାଣ ସ୍ବାଭାବିକ କରିବା ପାଇଁ ଆଜି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଦ୍ବିତୀୟ ଥର ପାଇଁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହ କଥା ହୋଇଛନ୍ତି। ଆଳୁ ଯୋଗାଣ ସମସ୍ୟା ଦୂର କରିବାକୁ ସେ ମମତାଙ୍କୁ ଅନୁରୋଧ କରିଛନ୍ତି। ଶ୍ରୀ ମାଝୀ କହିଥିଲେ, ଦିଲ୍ଲୀରେ ଆପଣଙ୍କ ସହ ଆଲୋଚନା ହେବା ପରେ ଓଡ଼ିଶାକୁ ଆଳୁ ଯୋଗାଣ ସ୍ବାଭାବିକ ହୋଇଥିଲା। ମାତ୍ର କିଛି ଦିନ ପରେ ପୁଣି ଆଳୁ ଯୋଗାଣରେ ସମସ୍ୟା ସୃଷ୍ଟି ହୋଇଛି। ତେଣୁ ଏଥି ପ୍ରତି ଧ୍ୟାନ ଦେଇ ସମସ୍ୟା ଦୂର କରିବାକୁ ପଦକ୍ଷେପ ନେବା ପାଇଁ ସେ ଅନୁରୋଧ କରିଥିଲେ। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଏ ଦିଗରେ ଉପଯୁକ୍ତ ପଦକ୍ଷେପ ନେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ।
ଆଳୁ ଯୋଗାଣ ନେଇ ପଶ୍ଚିମବଙ୍ଗର ଆଭିମୁଖ୍ୟ ସମ୍ପର୍କରେ କିଛି ସ୍ପଷ୍ଟ ଜଣାପଡ଼ୁନି। ଏବେ ବି ଓଡ଼ିଶାକୁ ଆସୁଥିବା ଆଳୁକୁ ସୀମାରୁ ଫେରାଇ ନିଆଯାଉଛି। ଓଡ଼ିଶାର ମୁଖ୍ୟମନ୍ତ୍ରୀ ସିଧାସଳଖ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେଲା ପରେ ସ୍ଥିତିରେ କେତେଦୂର ସୁଧାର ଆସୁଛି, ତାହା ଦିନେ ଦୁଇ ଦିନ ଭିତରେ ଜଣାପଡ଼ିବ। ତେବେ ଆଜି ରାଜ୍ୟରେ ଆଳୁ ଦର ସବୁଠି ଉଚ୍ଚା ରହିଛି। ସମ୍ବଲପୁରଠାରୁ ବାଲେଶ୍ବର, ବ୍ରହ୍ମପୁରଠାରୁ ବଲାଙ୍ଗୀର ସବୁଠି ଆଳୁ ଦର ୪୦ରୁ ୪୫ ଟଙ୍କା ଭିତରେ। ଏପରିକି ବହୁ ଗ୍ରାମାଞ୍ଚଳରେ ଏହି ଦର ୫୦ ଛୁଇଁଗଲାଣି। ଖୋଦ୍ ଭୁବନେଶ୍ବର ଓ ଯୋଗାଣ ମନ୍ତ୍ରୀଙ୍କ ଜିଲ୍ଲା ଢେଙ୍କାନାଳରେ ବି ଆଳୁ ଦର ୪୦ ଉପରେ ରହୁଛି। ତାହା ଠାରୁ କମ୍ ଦରରେ ବିକିବା ସମ୍ଭବ ନୁହେଁ ବୋଲି ଦୋକାନୀମାନେ ରୋକ୍ଠୋକ୍ ଜଣାଇ ଦେଉଛନ୍ତି।