KALIA Scheme Assistance: ନୂଆଁଖାଇ ଅବସରରେ ୪୪ ଲକ୍ଷ ୫୬ ହଜାର ଚାଷୀ ପରିବାରକୁ ମିଳିଲା କାଳିଆ ସହାୟତା
Advertisement
Article Detail0/zeeodisha/odisha1880602

KALIA Scheme Assistance: ନୂଆଁଖାଇ ଅବସରରେ ୪୪ ଲକ୍ଷ ୫୬ ହଜାର ଚାଷୀ ପରିବାରକୁ ମିଳିଲା କାଳିଆ ସହାୟତା

KALIA Yojana Odisha: ନୂଆଖାଇ ଅବସରରେ ଚାଷୀ ପାଇଲେ କାଳିଆ ଏବଂ ରବି ଫସଲ ସହାୟତା। ୪୪ ଲକ୍ଷ ୫୬ ହଜାର ଚାଷୀଙ୍କୁ ୯୦୦ କୋଟି ଟଙ୍କାର ସହାୟତା ରାଶି। କାଳିଆ ଯୋଜନାର ହିତାଧିକାରୀଙ୍କ ମଧ୍ୟରେ ଅଛନ୍ତି ୪୪ ଲକ୍ଷ ୫୬ ହଜାର ଚାଷୀ ପରିବାର।

 

KALIA Scheme Assistance: ନୂଆଁଖାଇ ଅବସରରେ ୪୪ ଲକ୍ଷ ୫୬ ହଜାର ଚାଷୀ ପରିବାରକୁ ମିଳିଲା କାଳିଆ ସହାୟତା

KALIA Scheme Odisha: ସେପ୍ଟମ୍ବର ୨୦ ତାରିଖ ପବିତ୍ର ନୂଆଁଖାଇ ପର୍ବ ଅବସରରେ ରାଜ୍ୟର ୪୪ ଲକ୍ଷ ୫୬ ହଜାର ଚାଷୀ ପରିବାରକୁ ମିଳିଛି କାଳିଆ ସହାୟତା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡ଼ିଓ କନଫରେନ୍ସିଂ ମାଧ୍ୟମମରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ କାଳିଆ ସହାୟତା ରାଶି ପ୍ରଦାନ କରିଛନ୍ତି। ରବି ଫସଲ ପାଇଁ ଏହି ସହାୟତା ପ୍ରଦାନ କରାଯାଇଛି। ପ୍ରତ୍ୟେକ ଚାଷୀ ପରିବାରଙ୍କ ବ୍ୟାଙ୍କ୍ ଖାତାକୁ ୨୦୦୦ ଟଙ୍କା ପ୍ରଦାନ କରାଯାଇଛି। କାଳିଆ ସହାୟତା ରାଶି ପାଇଥିବା ହିତାଧିକାରୀଙ୍କ ମଧ୍ୟରେ ୪୩ ଲକ୍ଷ ୮୮ ହଜାର କ୍ଷୁଦ୍ର ଏବଂ ନାମ ମାତ୍ର ଚାଷୀ ରହିଥିବା ବେଳେ ୬୮ ହଜାର ୭୫୦ ଜଣ ଭୂମିହୀନ ଚାଷୀ ପରିବାର ଅଛନ୍ତି।

ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମସ୍ତଙ୍କୁ ନୂଆଁଖାଇ ଶୁଭେଚ୍ଛା ଜଣାଇଥିଲେ। ଏନେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଚାଷୀ ହେଉଛନ୍ତି ଆମର ଗୌରବ। ମୋ ରାଜ୍ୟର ଚାଷୀ ପରିବାର ସମ୍ମାନର ସହ, ସ୍ୱାଭିମାନର ସହ ଜୀବନଯାପନ ଅତିବାହିତ କରନ୍ତୁ। ବିକାଶର ସୁଫଳରେ ଚାଷୀ ସାମିଲ ହେଉ। ଆଜି ପର୍ଯ୍ୟନ୍ତ କାଳିଆ ଯୋଜନାରେ ରାଜ୍ୟର ଚାଷୀଙ୍କୁ ୧୨ ହଜାର ୫୦୦ କୋଟି ଟଙ୍କାର ସହାୟତା ରାଶି ପ୍ରଦାନ କରାଯାଇଛି।

ମୁଖ୍ୟମନ୍ତ୍ରୀ ଆହୁରି କହିଥିଲେ ଯେ ଚାଷୀ ପରିବାରର ପିଲା ଡାକ୍ତର, ଇଞ୍ଜିନିୟର ହୋଇ ଭଲ ଭଲ ଜୀବିକାରେ ଯୋଗ ଦିଅନ୍ତୁ। ଏହାଦ୍ବାରା ସେମାନେ ନିଜ ପରିବାର ସହ ରାଜ୍ୟ ପାଇଁ ସୁନାମ ଆଣିପାରିବେ। ସୂଚନା ଯୋଗ୍ୟ ରାଜ୍ୟରେ କାଳିଆ ସହାୟତା ପାଉଥିବା ଚାଷୀ ପରିବାରର ପିଲାଙ୍କୁ ରାଜ୍ୟ ସରକାର କାଳିଆ ଛାତ୍ରବୃତ୍ତି ପ୍ରଦାନ କରୁଛନ୍ତି। ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଚାଷୀଙ୍କ ସୁବିଧା ପାଇଁ ରାଜ୍ୟ ସରକାର ଫସଲ ବୀମାର ପ୍ରିମିୟମ ଦେଉଛନ୍ତି। ଚଳିତ ବର୍ଷ ୨୨ ଲକ୍ଷରୁ ଅଧିକ ଚାଷୀ ବୀମା ପାଇଁ ପଞ୍ଜୀକରଣ କରି ସାରିଥିବା ମୁଖ୍ୟମନ୍ତ୍ରୀ ଜଣାଇଛନ୍ତି।

କୃଷି ପାଇଁ ରାଜ୍ୟ ସରକାର ଅନେକ ଯୋଜନା କାର୍ଯ୍ୟକାରୀ କରିଛନ୍ତି। ଚାଷୀକୂଳ ଏହାର ସୁଯୋଗ ନେଇ ରାଜ୍ୟକୁ କୃଷି କ୍ଷେତ୍ରରେ ଏକ ସମୃଦ୍ଧ ରାଜ୍ୟ ଭାବେ ଗଢ଼ି ତୋଳିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ। କାଳିଆ ଯୋଜନାରେ ପ୍ରଦାନ କରାଯାଉଥିବା ସହାୟତା ମାଧ୍ୟମରେ କ୍ଷୁଦ୍ର ନାମ ମାତ୍ର ଚାଷୀଙ୍କୁ କୃଷି ପାଇଁ ବିହନ, ସାର, ରୋଗ ପୋକ ପାଇଁ ଔଷଧ ଏବଂ କୃଷି ଉପକରଣ କିଣିବା ପାଇଁ ସିଧାସଳଖ ସହାୟତା ରାଶି ପ୍ରଦାନ କରାଯାଉଛି। ଏହା ସହିତ ଭୂମିହୀନ ଚାଷୀଙ୍କୁ ବିଭିନ୍ନ ଜୀବିକା ପାଇଁ ଛେଳି, କୁକୁଡ଼ା, ବତକ ପାଳନ, ମହୁ ଚାଷ, ଛତୁ ଚାଷ ପାଇଁ ସହାୟତା ପ୍ରଦାନ କରାଯାଉଛି।

ଏହି ଅବସରରେ ରାଜ୍ୟ କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ଵାଇଁ କହିଥିଲେ ଯେ ମୁଖ୍ୟମନ୍ତ୍ରୀଙ୍କ ଦୂର ଦୃଷ୍ଟି ଯୋଗୁ ରାଜ୍ୟରେ ଅନେକ କୃଷି କଲ୍ୟାଣ ଯୋଜନା କାର୍ଯ୍ୟକାରୀ ହେଉଛି। ଯାହା ମଧ୍ୟରୁ କାଳିଆ ଯୋଜନା ହେଉଛି ଅନ୍ୟତମ। ଏପରି ଯୋଜନା କାରଣରୁ ଚାଷୀ ଆଉ ବେସରକାରୀ ଅର୍ଥ ଲଗାଣକାରୀ ସଂସ୍ଥା କିମ୍ବା ଗାଁ ସାହୁକାର ଉପରେ ନିର୍ଭର କରୁନାହାଁନ୍ତି। ନିଜ ଉପରେ ଚାଷୀଙ୍କ ଆସ୍ଥା ବଢ଼ିଛି। ବିଗତ ୪ ବର୍ଷରେ ରାଜ୍ୟରେ କ୍ରମାଗତ ଭାବେ ରେକର୍ଡ ଉତ୍ପାଦନ ହୋଇଛି। ରାଜ୍ୟ ସରକାରଙ୍କ ଯୋଜନାରେ ଅତି କମରେ ୩୦-୩୫ ପ୍ରତିଶତ ଅର୍ଥ ମହିଳାଙ୍କ ପାଇଁ ଖର୍ଚ୍ଚ ହେଉଛି।

ନୂଆଁଖାଇ ଅବସରରେ ଆୟୋଜିତ ହୋଇଥିବା ଏହି କାର୍ଯ୍ୟକ୍ରମକୁ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି.କେ ପାଣ୍ଡିଆନ ପରିଚାଳନା କରିଥିଲେ। ଉନ୍ନୟନ କମିଶନର ଅନୁ ଗର୍ଗ, ସମବାୟ ସଚିବ ଅରବିନ୍ଦ ଅଗ୍ରୱାଲ ଏବଂ ଅନ୍ୟ ବରିଷ୍ଠ ଅଧିକାରୀ ଉପସ୍ଥିତ ରହିଥିଲେ। ବିଭିନ୍ନ ଜିଲ୍ଲାରେ ଅଧିକାରୀ ଏବଂ ହିତାଧିକାରୀ ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ଯୋଡ଼ି ହୋଇଥିଲେ। ଏହି କାର୍ଯ୍ୟକ୍ରମରେ କୃଷି ବିଭାଗ ପ୍ରମୁଖ ସଚିବ ଅରବିନ୍ଦ ପାଢ଼ୀ ସ୍ଵାଗତ ଭାଷଣ ଦେଇଥିଲେ କୃଷି ନିର୍ଦ୍ଦେଶକ ଧନ୍ୟବାଦ ଅର୍ପଣ କରଥିଲେ।