Odisha Cabinet Decision Today: ରାଜ୍ୟ କ୍ୟାବିନେଟ୍‍ର ନିଷ୍ପତ୍ତି: କଲେଜ ପାଇଁ ସ୍ବତନ୍ତ୍ର ଷ୍ଟାଫ୍‍ କ୍ୟାଡର ସହ ଭୁବନେଶ୍ୱରରେ ଖୋଲିବ ଆଉ ଏକ ଘରୋଇ ବିଶ୍ୱବିଦ୍ୟାଳୟ
Advertisement
Article Detail0/zeeodisha/odisha1923073

Odisha Cabinet Decision Today: ରାଜ୍ୟ କ୍ୟାବିନେଟ୍‍ର ନିଷ୍ପତ୍ତି: କଲେଜ ପାଇଁ ସ୍ବତନ୍ତ୍ର ଷ୍ଟାଫ୍‍ କ୍ୟାଡର ସହ ଭୁବନେଶ୍ୱରରେ ଖୋଲିବ ଆଉ ଏକ ଘରୋଇ ବିଶ୍ୱବିଦ୍ୟାଳୟ

Odisha Cabinet Meeting Decision: ଅକ୍ଟୋବର ୧୯ ତାରିଖ ଗୁରୁବାର ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ରାଜ୍ୟ ସରକାରଙ୍କ କ୍ୟାବିନେଟ୍‍ ବୈଠକ।  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ଏହି ବୈଠକରେ ନିଆଯାଇଛି ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି।

Odisha Cabinet Decision Today: ରାଜ୍ୟ କ୍ୟାବିନେଟ୍‍ର ନିଷ୍ପତ୍ତି: କଲେଜ ପାଇଁ ସ୍ବତନ୍ତ୍ର ଷ୍ଟାଫ୍‍ କ୍ୟାଡର ସହ ଭୁବନେଶ୍ୱରରେ ଖୋଲିବ ଆଉ ଏକ ଘରୋଇ ବିଶ୍ୱବିଦ୍ୟାଳୟ

Odisha Cabinet Meeting Today: ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ରାଜ୍ୟ ସରକାରଙ୍କ କ୍ୟାବିନେଟ୍‍ ଗୁରୁବାର ସନ୍ଧ୍ୟାରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ମୋହର ଲଗାଇଛନ୍ତି। ଏଥିରେ ସିକ୍କିମ ନାମ ଧାରୀ ଜମିକୁ ଭୋଗ କରୁଥିବା ରୟତଙ୍କୁ ମାଗଣା ପ୍ରିମିୟମ୍‍ ରାଶିରା ଜମି ପ୍ରଦାନ ସାଙ୍ଗକୁ ରାଜ୍ୟରେ ଆଉ ଏକ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠାକୁ ଅନୁମୋଦନ କରାଯାଇଛି। ଏହା ସହ ୨୦୨୦ ବର୍ଷରେ ହୋଇଥିବା ଐତିହ୍ୟ କ୍ୟାବିନେଟ୍‍ର ଦୁଇ ପ୍ରସ୍ତାବକୁ ମଧ୍ୟ ରାଜ୍ୟ ସରକାର କାର୍ଯ୍ୟକାରୀ କରିବା ଲାଗି ପୁଣିଥରେ କ୍ୟାବିନେଟ୍‍ ଅନୁମୋଦନ କରାଇଛନ୍ତି। ଏ ବିଷୟରେ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଆସନ୍ତୁ ନଜର ପକାଇବା ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗୁଡ଼ିକ ଉପରେ...  

୧.ନୂତନ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା:  ଶ୍ରୀ ଭିଲେପାର୍ଲେ କଲାନି ମଣ୍ଡଳ ( ଏସଭିକେଏମ୍‍) ଦ୍ୱାରା  ଭୁବନେଶ୍ୱରରେ ଏକ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ଲାଗି ଉଚ୍ଚଶିକ୍ଷା ବିଭାଗର ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି ରାଜ୍ୟ କ୍ୟାବିନେଟ୍‍। ପ୍ରତିଷ୍ଠା ହେବାକୁ ଥିବା ଏହି ନୂତନ ବିଶ୍ୱବିଦ୍ୟାଳୟର ନାଁ ରହିବ ଏନ୍‍ଏମ୍‍ଆଇଏମ୍‍ଏସ୍‍ ବିଶ୍ୱବିଦ୍ୟାଳୟ। ଏଥିଲାଗି ରାଜ୍ୟ ସରକାର ୪୦ ଏକର ଜାଗା ଦେବେ। ଜଟଣୀର ଗଡ଼ କାଶୀପୁର ଠାରେ ଏହି ବିଶ୍ୱବିଦ୍ୟାଳୟ ସ୍ଥାପନ କରାଯିବ। ଏହାର ପ୍ରତି ବଦଳରେ ବିଶ୍ୱବିଶଦ୍ୟାଳୟ ପକ୍ଷରୁ ୩୦- ପ୍ରତିଶତ ଆସନ ଓଡ଼ିଶାର ଛାତ୍ରଛାତ୍ରୀଙ୍କ ପାଇଁ ସଂରକ୍ଷିତ ରହିବ।  
 
୨. ମୁଣ୍ଡାରୀ ଭାଷାକୁ ସାମ୍ବିଧାନିକ ମର୍ଯ୍ୟାଦା: 
ମୁଣ୍ଡାରି ଭାଷାକୁ ସମ୍ବିଧାନର ଅଷ୍ଟମ ପରିଚ୍ଛେଦରେ ସାମିଲ୍‍ କରିବାକୁ  ରାଜ୍ୟ ସରକାରଙ୍କ ପକ୍ଷରୁ କେନ୍ଦ୍ରକୁ ପ୍ରସ୍ତାବ ଦିଆଯିବ। ଏହି ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ୍‍ ଅନୁମୋଦନ କରିଛନ୍ତି। ଏହି ସାମ୍ବିଧାନିକ ମର୍ଯ୍ୟାଦା ଦ୍ୱାରା ମୁଣ୍ଡାରୀ କହୁଥିବା ଲୋକେ ଅନ୍ୟ ଭାଷାକୁ ସ୍ଥାନାନ୍ତର ହେବେ ନାହିଁ। ଏ ଭାଷା ବାବଦରେ ଏକ ଗବେଷଣା କାର୍ଯ୍ୟକ୍ରମ ପାଇଁ ଅନୁରୋଧ କରିବା ସହ ଏଥିରେ ୬ ଲକ୍ଷ ଲୋକ ଉପକୃତ ହେବେ ବୋଲି କ୍ୟାବିନେଟ୍‍ ପ୍ରସ୍ତାବରେ କୁହାଯାଇଛି।
 
୩. ଇନ୍ଦ୍ରାବତୀରୁ ଜଳସେଚନ: ଇନ୍ଦ୍ରାବତୀ ନଦୀ ଜଳକୁ ନେଇ ନବରଙ୍ଗପୁରରେ ସେଚ ଜମି ପରିମାଣ ବୃଦ୍ଧି ପାଇଁ ପ୍ରସ୍ତାବକୁ କ୍ୟାବିନେଟ୍‍ ଅନୁମୋଦନ କରିଛନ୍ତି। ଏହି ପ୍ରସ୍ତାବ ଦ୍ୱାରା ନବରଙ୍ଗପୁର ଜିଲ୍ଲାର ୯ ହଜାର ୭୨ ହେକ୍ଟର ଚାଷଜମି ସେଚିତ ହୋଇପାରିବ ବୋଲି ଆଶା କରାଯାଇଛି। ଏଥିଲାଗି ୩୬୯ କୋଟି ୬୫ ଲକ୍ଷ ଟଙ୍କା ଖର୍ଚ୍ଚକୁ ସରକାର ଅନୁମୋଦନ କରିଛନ୍ତି।

୪. ନୂଆ ଜଳସେଚନ: ଅନୁଗୁଳ-ଢେଙ୍କାନାଳ ଜିଲ୍ଲାର ୧୯ ହଜାର ୨୪୨ ହେକ୍ଟର ଚାଷ ଜମିକୁ ଜଳ ସେଚନ ସୁବିଧା ଯୋଗାଇବା ପାଇଁ କ୍ୟାବିନେଟ୍‍ ପ୍ରସ୍ତାବ ଅନୁମୋଦନ କରିଛନ୍ତି। ଏଥିରେ ୫୪୩ କୋଟି ୨୦ ଲକ୍ଷ ଟଙ୍କା ବ୍ୟୟ କରାଯିବ। ଏହା ସହ ୧୫ ବର୍ଷର ପରିଚାଳନା ପାଇଁ ୪୩ କୋଟି ୬୦ ଲକ୍ଷ ଟଙ୍କା ଖର୍ଚ୍ଚ କରିବାକୁ କ୍ୟାବିନେଟ୍‍ ଅନୁମୋଦନ କରିଛନ୍ତି।
 
୫. ନବରଙ୍ଗପୁରରେ ଜଳସେଚନ: ଜଳସେଚନ ବିଭାଗର ଅନ୍ୟ ଏକ ପ୍ରସ୍ତାବ କ୍ରମେ ନବରଙ୍ଗପୁର ଜିଲ୍ଲାରେ ଆଉ ଏକ ଜଳସେଚନ ପ୍ରକଳ୍ପକୁ ଅନୁମୋଦନ କରାଯାଇଛି। ଏଥିରେ ୩୯୧ କୋଟି ୪୨ ଲକ୍ଷ ୪୩ ହଜାର ୪୬୦ ଟଙ୍କା ଖର୍ଚ୍ଚ ପାଇଁ ଅଟକଳ କରାଯାଇଛି। ଏହାଦ୍ବାରା ୯ ହଜାର ୯୦୦ ହେକ୍ଟର ଚାଷଜମି ଜଳସେଚିତ ହୋଇପାରିବ। 

୬. ମୟୁରଭଞ୍ଜ-କେଉଁଝର ଜିଲ୍ଲାରେ ଜଳସେଚନ: ମୟୁରଭଞ୍ଜ-କେନ୍ଦୁଝର ଜିଲ୍ଲାରେ ୧୫ ହଜାର ୯୦ ହେକ୍ଟର ଚାଷ ଜମିକୁ ଜଳ ସେଚନ ସୁବିଧା ଯୋଗାଇବା ଲାଗି ଜଳ ସମ୍ପଦ ବିଭାଗର ଏକ ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ୍‍ ଅନୁମୋଦନ କରିଛି। ଏଥିରେ ୪୨୩ କୋଟି ୭୯ ଲକ୍ଷ ୭ ହଜାର ୩୦୯ ଟଙ୍କା ଖର୍ଚ୍ଚ କରାଯିବ। କଡ଼ ଖାଇ ଜଳ ଭଣ୍ଡାରର ଜଳକୁ ଏଥିଲାଗି ବ୍ୟବହାର କରାଯିବ। 

୭. ସଂଗ୍ରାହକ କ୍ୟାଡର: ୨୦୨୦ ମସିହାରେ ବସିଥିବା ରାଜ୍ୟ ଐତିହ୍ୟ କ୍ୟାବିନେଟ୍‍ର ଏକ ନିଷ୍ପତ୍ତିକୁ କାର୍ଯ୍ୟକାରୀ କରିବା ଲାଗି ରାଜ୍ୟ ସରକାରଙ୍କ କ୍ୟାବିନେଟ୍‍ ଆଜି ଅନୁମୋଦନ କରିଛି। ଏହି ଅନୁମୋଦନ ଦ୍ୱାରା ରାଜ୍ୟରେ ଏକ ସ୍ୱତନ୍ତ୍ର ସଂଗ୍ରହାଳୟ ନିର୍ଦ୍ଦେଶାଳୟ ପ୍ରତିଷ୍ଠା ହେବ। ବିଭିନ୍ନ ସମୟରେ ଓଡ଼ିଶାରୁ ଆବିଷ୍କୃତ ଐତିହାସିକ, ସାଂସ୍କୃତିକ, କଳା, କିର୍ତ୍ତିରାଜୀର ସଂରକ୍ଷଣ ଦିଗରେ ଏହି ନିର୍ଦ୍ଦେଶାଳୟ କାର୍ଯ୍ୟ କରିବ। ଏଥିଲାଗି ଆବଶ୍ୟକୀୟ ଅମଲା ଏବଂ ବୈଷୟିକ ପଦବୀ ସୃଷ୍ଟି କରିବାକୁ ଆଜି କ୍ୟାବିନେଟ୍‍ ଅନୁମୋଦନ କରିଛନ୍ତି। ଏହା ସହ ସ୍ୱତନ୍ତ୍ର ସଂଗ୍ରହାଳୟ ସେବା ବର୍ଗ ସୃଷ୍ଟି କରାଯାଇଛି। ଏଥିରେ ଆବଶ୍ୟକୀୟ ସହକାରୀ ସଂଗ୍ରାହକ, ସଂଗ୍ରାହକ, ଉପ ନିର୍ଦ୍ଦେଶକ, ସହ ନିର୍ଦ୍ଦେଶକ, ଯୁଗ୍ମ ନିର୍ଦ୍ଦେଶକ, ଅଧିକ୍ଷକ ଆଦି ପଦବୀ ଲାଗି ମଞ୍ଜୁରୀ ଦିଆାଯାଇଛି।
 
୮. ପ୍ରତ୍ନତାତ୍ତ୍ୱିକ ନିର୍ଦ୍ଦେଶାଳୟ: ଦ୍ବିତୀୟ ଐତିହ୍ୟ କ୍ୟାବିନେଟ୍‍ ନିଷ୍ପତ୍ତି ଅନୁସାରେ ରାଜ୍ୟରେ ଏକ ସ୍ବତନ୍ତ୍ର ପ୍ରତ୍ନତତ୍ତ୍ୱ ନିର୍ଦ୍ଦେଶାଳୟ ସୃଷ୍ଟି ପାଇଁ କ୍ୟାବିନେଟ୍‍ ନିଷ୍ପତ୍ତି ନେବା ସହ ଆବଶ୍ୟକୀୟ ଅମଲା ଓ ପଦବୀ ସୃଷ୍ଟି ଲାଗି ଅନୁମୋଦନ କରିଛନ୍ତି। ଏହାଦ୍ୱାରା ରାଜ୍ୟରେ ପ୍ରତ୍ନତାତ୍ତ୍ୱିକ ସଂଗ୍ରାହକ ସେବା କ୍ୟାଡର ସୃଷ୍ଟି ଲାଗି ମଧ୍ୟ ଅନୁମୋଦନ କରାଯାଇଛି। ଏହିକ୍ରମରେ ଆବଶ୍ୟକୀୟ ପଦବୀ ପୂରଣ କରାଯିବ। 

୯. ସାର ପାଇଁ ୧୫୦ କୋଟି: ସମନ୍ୱିତ ସାର ପରିଚାଳନାକୁ ଗୁରୁତ୍ୱ ଦେଇ ରାଜ୍ୟ ସରକାର ୨୦୨୪-୨୫ ଆର୍ଥିକ ବର୍ଷରୁ ଅଧିକ ସାର କିଣି ଗଚ୍ଛିତ କରିବେ। ଏହିକ୍ରମରେ ଓଡ଼଼ିଶା ରାଜ୍ୟ ବିପଣନ ସମବାୟ ସଂଘ ଓଡ଼ିଶା କୃଷି ନିଗମକୁ ଅଧିକ କର୍ପସ୍‍ ପାଣ୍ଠି ସୃଷ୍ଟି ଲାଗି ସହାୟତା ଦେବେ। ଏହି ରାଶି ୯୦ କୋଟି ଟଙ୍କାରୁ ୧୫୦ କୋଟି ଟଙ୍କାକୁ ବୃଦ୍ଧି କରିବା ଲାଗି ସରକାର ପଦକ୍ଷେପ ନେଇଛନ୍ତି। ଏହିକ୍ରମରେ ୫ ବର୍ଷରେ ୭୦୦ କୋଟି ଟଙ୍କା ବ୍ୟୟ ବୃଦ୍ଧିକୁ କ୍ୟାବିନେଟ୍‍ ଅନୁମୋଦନ କରିଛନ୍ତି। 

୧୦. ମୁଖ୍ୟମନ୍ତ୍ରୀ ମକା ଯୋଜନା: ସଘନ କୃଷି କାର୍ଯ୍ୟକ୍ରମ ସହିତ ବିଲୁପ୍ତ ପ୍ରାୟ ଫସଲର ବିକାଶ ପାଇଁ କରାଯାଇଥିବା ଯୋଜନାରେ ମୁଖ୍ୟମନ୍ତ୍ରୀ ମକା ମିଶନ ଅନ୍ତର୍ଭୁକ୍ତ କରାଯାଇଛି। ଏହାଦ୍ୱାରା ଗ୍ରାମାଞ୍ଚଳରେ ରୋଜଗାର ବୃଦ୍ଧି ସହ କୃଷକଙ୍କ ଆୟ ବୃଦ୍ଧି ହେବ ବୋଲି ସରକାର ଆଶା କରିଛନ୍ତି। 

୧୧. ବ୍ଲକ୍‍ ଠାରେ ବସ୍‍ଷ୍ଟାଣ୍ଡ: ଯୋଗାଯୋଗ ବ୍ୟବସ୍ଥାକୁ ସୁଦୃଢ଼ କରିବା ଲାଗି ରାଜ୍ୟ ସରକାର ପ୍ରତି ବ୍ଲକ୍ ଠାରେ ବସ୍‍ଷ୍ଟାଣ୍ଡ ନିର୍ମାଣକୁ ଗୁରୁତ୍ୱ ଦେଇଛନ୍ତି। ଏହିକ୍ରମରେ ୫୫ ସ୍ଥାନରେ ବସ୍‍ଷ୍ଟାଣ୍ଡ ନିର୍ମାଣ ଲାଗି ରାଜ୍ୟ କ୍ୟାବିନେଟ୍‍ ଅନୁମୋଦନ କରିଛନ୍ତି। ୪ ବର୍ଷରେ ଏହି ପ୍ରକଳ୍ପ ଶେଷ କରାଯିବ। ଏଥିରେ ୩୭୩ କୋଟି ୧୩ ଲକ୍ଷ ଟଙ୍କା ଖର୍ଚ୍ଚ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି।

୧୨. ଶ୍ରମିକଙ୍କୁ ମାଗଣା ଜମି: ରବାଟିଆରେ ଶ୍ରମିକଙ୍କୁ ୧୯୬୧ ମସିହାରେ ପ୍ରଦାନ କରାଯାଇଥିବା ଜମି ବାବଦ ପ୍ରମିୟମ ମାଗଣା କରିଛନ୍ତି ରାଜ୍ୟ ସରକାର। ସମସ୍ତ ଯୋଗ୍ୟ ଶ୍ରମିକଙ୍କ ନାଁରେ ୧୭୪୨ ବର୍ଗ ଫୁଟ ଜମି ଦେବାକୁ ବ୍ୟବସ୍ଥା କରାଯାଇଛି। 

୧୩. ରୟତଙ୍କୁ ଜମି: ସିକ୍କିମ ନାମରେ ଜମିକୁ ଉପଭାଗ କରୁଥିବା ରୟତଙ୍କୁ ମିଳିବ ଜମି ପଟ୍ଟା। ଏଥିଲାଗି ଏକରକୁ ୧୪ ହଜାର ୨୦୦ ଟଙ୍କା କ୍ଷତିପୂରଣ ମୂଲ୍ୟ ଦେବକୁ ହେବ। ସରକାର ଏହି ପରିମାଣକୁ ସମୟ ଅନୁସାରେ ବଦଳାଇ ପାରିବେ। 

୧୪. ମହାବିଦ୍ୟାଳୟଙ୍କୁ ଷ୍ଟାଫ୍‍: ସରକାରୀ ମହାବିଦ୍ୟାଳୟରେ ଅମଲା ସେବା ନିୟମାବଳୀ-୨୦୨୩ କୁ କ୍ୟାବିନେଟ୍‍ ଅନୁମୋଦନ କରିଛନ୍ତି। ଏହାଦ୍ବାରା ଖାଲିପଡ଼ିଥିବା କନିଷ୍ଠ ସହାୟକ ପଦୀପୂରଣ, ସେମାନଙ୍କ ପଦ୍ନୋନ୍ନତି ପ୍ରଭୃତି ପ୍ରକ୍ରିୟା କାର୍ଯ୍ୟକାରୀ ହେବ। ଏହି ନିଯୁକ୍ତି ଷ୍ଟାଫ୍‍ ସିଲେକ୍ସନ ବୋର୍ଡ ଦ୍ବାରା ପରିଚାଳନା କରାଯିବ।