Odisha Heatstroke: ସୁନ୍ଦରଗଡ଼ ଜିଲ୍ଲାରେ ୧୬ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ସମ୍ବଲପୁରରେ ୮, ଝାରସୁଗୁଡାରେ ୮, ବଲାଙ୍ଗୀରରେ ୩ ଜଣଙ୍କର ଅଂଶୁଘାତରେ ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି ।
Trending Photos
Odisha Heatstroke Death: ଭୀଷଣ ଗ୍ରୀଷ୍ମପ୍ରବାହରେ ଆଉଟୁଆଉଟୁ ହେଉଛି ଜନଜୀବନ। ଏହା ସହିତ ରାଜ୍ୟରେ ବଢିବାରେ ଲାଗିଛି ଅସ୍ବାଭାବିକ ମୃତ୍ୟୁ ସଂଖ୍ୟା । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ୩୫ ଜଣଙ୍କର ମୃତ୍ୟୁ ହୋଇଛି । କେବଳ ସୁନ୍ଦରଗଡ଼ ଜିଲ୍ଲାରେ ୧୬ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ସମ୍ବଲପୁରରେ ୮, ଝାରସୁଗୁଡାରେ ୮, ବଲାଙ୍ଗୀରରେ ୩ ଜଣଙ୍କର ଅଂଶୁଘାତରେ ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି । ସମସ୍ତଙ୍କର ଅଂଶୁଘାତ ଜନିତ ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି, ହେଲେ ଏନେଇ କିଛି ସ୍ପଷ୍ଟ ହୋଇନି ।
ଏନେଇ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ନୀଳକଣ୍ଠ ମିଶ୍ର କହିଛନ୍ତି, "ଅସ୍ବାଭାବିକ ପ୍ରାଣ ହରାଇଥିବା ସମସ୍ତ ମୃତଦେହର ପୋଷ୍ଟମର୍ଟମ କରାଯିବ । ପୋଷ୍ଟମର୍ଟମ ପରେ ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହେବ । ଏଥିସହ ରାଜ୍ୟରେ ହିଟ୍ୱେଭ ଜାରି ରହିଥିବାରୁ ଲୋକଙ୍କୁ ସତର୍କ ରହିବାକୁ ସେ ପରାମର୍ଶ ଦେଇଛନ୍ତି । ଲୋକମାନେ SRC ଓ ସ୍ଵାସ୍ଥ୍ୟ ବିଭାଗ ଦ୍ଵାରା ଜାରି ହୋଇଥିବା ଅଂଶୁଘାତ ଗାଇଡଲାଇନକୁ ମାନିବା ପାଇଁ ନିବେଦନ କରିଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ।"
ବର୍ତ୍ତମାନ ରାଜ୍ୟରେ ପ୍ରବଳ ଗ୍ରୀଷ୍ମପ୍ରବାହ ରହିଥିବାବେଳେ ରାଜ୍ୟର ୧୯ଟି ସ୍ଥାନରେ ୪୦ ଡିଗ୍ରୀରୁ ଅଧିକ ତାପମାତ୍ରା ରେକର୍ଡ କରାଯାଇଛି । ୧୨ ସ୍ଥାନରେ ସର୍ବାଧିକ ଦିନର ତାପମାତ୍ରା ୪୪ ଡିଗ୍ରୀ ରେକର୍ଡ ହୋଇଛି। ବିଶେଷକରି ଝାରସୁଗୁଡା, ବଲାଙ୍ଗୀର, ବରଗଡ, ସମ୍ବଲପୁର, ସୋନପୁର, ମାଲକାନଗିରି, ସୁନ୍ଦରଗଡ, ନୂଆପଡା, କନ୍ଧମାଳ ଜିଲ୍ଲାରେ ହିଟ୍ ୱେବ ବୃଦ୍ଧି ପାଉଛି। ବର୍ତ୍ତମାନର ଉତ୍ତାପ ତରଙ୍ଗ ପରିସ୍ଥିତିକୁ ଦୃଷ୍ଟିରେ ରଖି ଦିନ ୧୧ଟାରୁ ୩ଟା ପର୍ଯ୍ୟନ୍ତ ବାହାରେ କାମ କରିବାକୁ ବାରଣ କରାଯାଇଛି । କେହି ଗାଇଡଲାଇନ ନମାନିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ନିର୍ଦ୍ଦେଶ ହୋଇଛି ।
ପ୍ରତ୍ୟେକ ଦିନ ଅଂଶୁଘାତ ଦ୍ଵାରା ପ୍ରଭାବିତ ବ୍ୟକ୍ତି ହସ୍ପିଟାଲକୁ ଆସୁଛନ୍ତି । ସେମାନଙ୍କୁ ଉତ୍ତମ ଚିକିତ୍ସା ସହ ଓଆରଏସ ଯୋଗାଇ ଦିଆଯାଉଛି। ତେବେ ଅଂଶୁଘାତର ଶିକାର ଲୋକଙ୍କୁ ହସ୍ପିଟାଲ ଆଣିବା ପୂର୍ବରୁ ତୁରନ୍ତ ପ୍ରାଥମିକ ଚିକିତ୍ସା ଯୋଗାଇ ଦେବାର ଆବଶ୍ୟକତା ରହିଛି । ପ୍ରଥମେ ବ୍ୟକ୍ତିଙ୍କ ଶରୀରକୁ ଓଦା କପଡ଼ାରେ ଗୁଡ଼ାଇ ତାଙ୍କୁ ସ୍ଥାନୀୟ ଚିକିତ୍ସାଳୟ ନେଇଯିବା ଆବଶ୍ୟକ ।
ଅଂଶୁଘାତ ପାଇଁ ସତର୍କ ରହିବାକୁ ସମସ୍ତ ହସ୍ପିଟାଲକୁ ନିର୍ଦ୍ଦେଶ ଦିଆଯାଇଛି। ଜିଲ୍ଲା ହସ୍ପିଟାଲ, CHC, PHCଗୁଡିକରେ ବେଡ୍ ବ୍ୟବସ୍ଥା ସହ ଆବଶ୍ୟକୀୟ ମେଡ଼ିସିନ ପ୍ରସ୍ତୁତ ରଖାଯାଇଛି । ହିଟ କ୍ରାମ୍ପସ, ହିଟ୍ ଷ୍ଟ୍ରୋକସର ଶିକାର ହୋଇଆସୁଥିବା ବ୍ୟକ୍ତିଙ୍କୁ ତୁରନ୍ତ ଚିକିତ୍ସା ଦିଆଯିବା ପାଇଁ ପ୍ରସ୍ତୁତ ରହିଛନ୍ତି ହସ୍ପିଟାଲ । ଅଂଶୁଘାତ ହେଲେ ଜିଭ ଶୁଖିଯିବା, ବାନ୍ତି ଲାଗିବା, ବ୍ଲଡ ପ୍ରେସର କମିବା, ଦେହ ହାତ ଘୋଳା ବିନ୍ଧା ହେବା, ଗମଗମ ଝାଳ ବୋହିବା ଭଳି ଲକ୍ଷଣ ଦେଖାଯାଇଥାଏ।ଏଭଳି ଲକ୍ଷଣ ଦେଖାଗଲେ ତୁରନ୍ତ ଡାକ୍ତରଖାନା ରେ ଯୋଗାଯୋଗ କରନ୍ତୁ।
(Written By-Tapasa Gyanadarshini)