Ghodahada Dam Reservoir: ଶୁଖିଗଲା ଘୋଡ଼ାହାଡ଼ ଡ୍ୟାମ; ପାଲଟିଗଲା କ୍ରିକେଟ ଷ୍ଟାଡିୟମ୍
Advertisement
Article Detail0/zeeodisha/odisha1983327

Ghodahada Dam Reservoir: ଶୁଖିଗଲା ଘୋଡ଼ାହାଡ଼ ଡ୍ୟାମ; ପାଲଟିଗଲା କ୍ରିକେଟ ଷ୍ଟାଡିୟମ୍

Ghodahada Dam Odisha: ଗ୍ରୀଷ୍ମଋତୁ ଆସିବା ପୂର୍ବରୁ ଶ୍ରୀହୀନ ହୋଇପଡ଼଼ିଛି ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ଘୋଡ଼ାହାଡ଼ ଡ୍ୟାମ। ଏହି ଜଳଭଣ୍ଡାରର ପ୍ରାୟ ୯୯ ଭାଗ ଜଳ ଶୁଖିଯାଇଛି।

 Ghodahada Dam Reservoir: ଶୁଖିଗଲା ଘୋଡ଼ାହାଡ଼ ଡ୍ୟାମ; ପାଲଟିଗଲା କ୍ରିକେଟ ଷ୍ଟାଡିୟମ୍

Ghodahada Dam Ganjam: ଏବେ ଶ୍ରୀହିନ ହୋଇପଡ଼ିଛି ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ଘୋଡ଼ାହାଡ଼ ଡ୍ୟାମ। ଏହି ଜଳଭଣ୍ଡାରର ପ୍ରାୟ ୯୯ ଭାଗ ଜଳ ଶୁଖିଯାଇଛି। ସ୍ଥିତି ଏପରି ହୋଇଛି ଯେ ଡ୍ୟାମ ଭିତରେ ଏବେ ପିଲାଏ କ୍ରିକେଟ ଖେଳୁଛନ୍ତି। ଖେମୁଣ୍ଡି ରାଜ୍ୟର ପୁରାତନ ରାଜଧାନୀ ବିଜୟନଗର ଗଡ଼ ଘୋଡ଼ାହାଡ଼ ଡ୍ୟାମ ଗର୍ଭରେ ଲୀନ ହୋଇଯାଇଛି। ଏହି ବିଜୟନଗର ଗଡ଼ରେ ରାଜା ସନ୍ଥ ଶ୍ରୀ ଅରକ୍ଷିତ ବାବାଙ୍କ ପିଲାଦିନ କଟିଥିଲା। ଏହି ଗଡ଼ର ଶେଷ ମୂକସାକ୍ଷୀ ଭାବେ ରହିଥିବା ଜଗନ୍ନାଥ ମନ୍ଦିର ପ୍ରାୟ ୫୦ ବର୍ଷ ପରେ ଉଦ୍ଧାର ହୋଇଛି। ଯେଉଁ ମନ୍ଦିରର ଭଗ୍ନାବସ୍ଥା ଦେଖିବା ପାଇଁ ପର୍ଯ୍ୟଟକ ଲଞ୍ଚ କିମ୍ଵା ଡଙ୍ଗାରେ ଯାଉଥିଲେ ଏବେ ସେଠାକୁ ଖାଲି ପାଦରେ ଯାଇ ଦର୍ଶନ କରୁଛନ୍ତି। ଖେମୁଣ୍ଡି ରାଜା ଗଜପତି ଶ୍ରୀ ପୁରୁଷୋତ୍ତମ ଅନଙ୍ଗ ଭୀମଦେବଙ୍କ ଶାସନ କାଳରେ ବିଜୟନଗର ଗଡ଼ ଉପରେ ଆକ୍ରମଣ କରିଥିଲା ବ୍ରିଟିଶ ଇଷ୍ଟଇଣ୍ଡିଆ କମ୍ପାନୀ ସେନା। ଏହି ଯୁଦ୍ଧ ଦୀର୍ଘ ବର୍ଷ ଧରି ଚାଲିଥିଲା। ଶେଷରେ ଖେମୁଣ୍ଡି ପାଇକ ସୈନ୍ୟଙ୍କୁ ଭୟ କରିଥିଲେ ଫିରିଙ୍ଗି ସେନା।

ବିଜୟ ନଗର ଗଡ଼କୁ ଶତ୍ରୁ ଆକ୍ରମଣରୁ ରକ୍ଷା କରିବା ପାଇଁ ଖେମୁଣ୍ଡି ରାଜା ସମ୍ବଲପୁର ମହାନଦୀରୁ କୁମ୍ଭୀର ଆଣି ଜଳଖାଇରେ ଛାଡିଥିଲେ। କାଳକ୍ରମେ କୁମ୍ଭୀରଙ୍କ ବଂଶ ବୃଦ୍ଧି ହୋଇ ପ୍ରାୟ ସେମାନଙ୍କ ଶହରେ ପହଞ୍ଚିଥିଲା। ଏହି ଘୋଡ଼ାହାଡ଼ ଜଳଭଣ୍ଡାର କୁମ୍ଭୀରଙ୍କ ଆଶ୍ରୟସ୍ଥଳୀ ଥିଲା। ଏବେ ଡ୍ୟାମ ପାଣି ଶୁଖିଯିବା ପରେ କିଛି କୁମ୍ଭୀର ଗାଁ ମୁଁହା ହୋଇଛନ୍ତି। ସେମାନଙ୍କ ଖାଦ୍ୟପେୟ ଏବଂ ରହଣି ନେଇ ଏବେ ଚିନ୍ତାରେ ଗ୍ରାମବାସୀ। ଏହି କୁମ୍ଭୀର ସଂଖ୍ୟା ମଧ୍ୟ ବହୁ ମାତ୍ରାରେ ହ୍ରାସ ହୋଇଥାଇପାରେ। ଯାହା ଗଣନା କଲେ ସ୍ପଷ୍ଟ ହୋଇଯିବ।

ଦିଗପହଣ୍ଡି ଏବଂ ସାନଖେମୁଣ୍ଡି ଅଞ୍ଚଳର ଚାଷୀଙ୍କ ଏକମାତ୍ର ସାହା ଭରସା ଘୋଡ଼ାହାଡ଼ ଡ୍ୟାମ ଏବେ ଶୁଖିଯାଇଛି। ଆଉ କେନାଲ ଯୋଗେ ଚାଷ ଜମିକୁ ପାଣି ଆସିପାରୁନାହିଁ। ଚାଷୀ ମରୁଡ଼ି ଘୋଷଣା ଅପେକ୍ଷାରେ ରହିଛି। ଜଳ ଭଣ୍ଡାରର ଜଳ ଧାରଣା କ୍ଷମତା ୩୦୫୨  ହେକ୍ଟର ମିଟର ହୋଇଥିବା ବେଳେ ଏବେ ମାତ୍ର ୩୩ ହେକ୍ଟର ମଧ୍ୟରେ ଜଳ ରହିଥିବାର ଜଣାପଡିଛି। ଯାହାକି ମାତ୍ର ଏକ ପ୍ରତିଶତ। ଏହି ଡ୍ୟାମ ନିର୍ମାଣ କାର୍ଯ୍ୟ ୧୯୭୦ ମସିହାରେ ଆରମ୍ଭ ହୋଇଥିଲା। ସର୍ବପ୍ରଥମେ ୧୯୭୬ ମସିହାରେ କେନାଲ ଯୋଗେ ଜଳସେଚନ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ସେବେଠାରୁ କେବେ ମଧ୍ୟ ଡ୍ୟାମ ଶୁଖି ନଥିଲା। ଯେଉଁଠାରେ ଅକାତ ଅକାତ ପାଣି ରହୁଥିଲା ସେହି ଡ୍ୟାମ ଭିତରେ ଏବେ ପିଲାଏ କ୍ରିକେଟ ଖେଳୁଛନ୍ତି। ଏଥିପାଇଁ ଦାୟୀ କିଏ ସେନେଇ ପ୍ରଶ୍ନ ଉଠିଛି।

ଘୋଡ଼ାହାଡ଼ ଜଳଭଣ୍ଡାରରେ ମାଛ ମାରି ପ୍ରାୟ ୧୦୦ ଧିବର ପରିବାର ନିଜ ପରିବାର ପ୍ରତିପୋଷଣ କରୁଥିଲେ। ଡ୍ୟାମ ପାଣି ଶୁଖିଯିବା ପରେ ସେମାନେ ଏବେ ନିଜର ଜୀବିକା ହରାଇବା ଭଳି ଅବସ୍ଥା ସୃଷ୍ଟି ହୋଇଛି।ଗ୍ରୀଷ୍ମ ଋତୁ ନଆସୁଣୁ ଡ୍ୟାମ ଶୁଖିଗଲାଣି। ଯାହାକୁ ନେଇ ଚିନ୍ତିତ ହୋଇପଡ଼ିଛନ୍ତି ଘୋଡ଼ାହାଡ଼ ଅଞ୍ଚଳବାସୀ। ସେପଟେ ବ୍ରହ୍ମପୁର ଉପଖଣ୍ଡ ଅଧିନରେ ପ୍ରାୟ ୪୬ ଲକ୍ଷ ଟଙ୍କା ବ୍ୟୟରେ ଏକ ଇକୋ ଟୁରିଷ୍ଟ ସ୍ପଟ ନିର୍ମିତ ହୋଇଛି। ଏଠାକୁ ଆସୁଥିବା ପର୍ଯ୍ୟଟକ ଘୋଡ଼ାହାଡ଼ ଜଳଭଣ୍ଡାରରେ ଭ୍ରମଣ କରି କୁମ୍ଭୀର, ମାଛ, ପକ୍ଷୀ ଦେଖିବା ନିମନ୍ତେ ବୋଟିଂ ବ୍ୟବସ୍ଥା କରାଯାଇଛି। ଯାହା ମଧ୍ୟରେ କାଫେ ଏବଂ ହୋଟେଲ ମଧ୍ୟ ନିର୍ମାଣ ହୋଇଛି। ପ୍ରାୟ ୨ ମିଶନ ଶକ୍ତି ଗୋଷ୍ଠୀର ୨୪ ଜଣ ମହିଳା କାର୍ଯ୍ୟକ୍ଷମ ହେଉଥିଲେ। ଏହା ସହିତ କିଛି ଲୋକ ବୋଟିଂ କାର୍ଯ୍ୟରେ ନିୟୋଜିତ ହୋଇ ନିଜର ଗୁଜୁରାଣ ମେଣ୍ଟାଉଥିଲେ। ଏବେ ସେମାନେ ଜୀବିକା ହରାଇଛନ୍ତି।  ଡ୍ୟାମ ମଧ୍ୟରେ ପାଣି ନଥିବା କାରଣରୁ କେହି ଆଉ ଏଠାକୁ ଆସୁନାହାଁନ୍ତି।