Odisha: ଉପକୂଳ ରାଜପଥକୁ ମିଳିଲା ସବୁଜ ମଞ୍ଜୁରୀ; ପୁନର୍ବାର କାର୍ଯ୍ୟକାରୀ ହୋଇପାରେ ପ୍ରକଳ୍ପ!
Advertisement

Odisha: ଉପକୂଳ ରାଜପଥକୁ ମିଳିଲା ସବୁଜ ମଞ୍ଜୁରୀ; ପୁନର୍ବାର କାର୍ଯ୍ୟକାରୀ ହୋଇପାରେ ପ୍ରକଳ୍ପ!

Coastal Highway Project Odisha: ରାଜ୍ୟରେ କାର୍ଯ୍ୟକାରୀ ହେବାକୁ ଯାଉଥିବା ଉପକୂଳ ରାଜପଥ ପ୍ରକଳ୍ପକୁ ମିଳିଯାଇଛି ସବୁଜ ମଞ୍ଜୁରୀ।

 Odisha: ଉପକୂଳ ରାଜପଥକୁ ମିଳିଲା ସବୁଜ ମଞ୍ଜୁରୀ; ପୁନର୍ବାର କାର୍ଯ୍ୟକାରୀ ହୋଇପାରେ ପ୍ରକଳ୍ପ!

Coastal Highway Project: ଜାତୀୟ ରାଜପଥ ପ୍ରାଧିକରଣ ଉପକୂଳ ରାଜପଥର ତିନୋଟି ବିଭାଗ ପାଇଁ ଟେଣ୍ଡର ବାତିଲ କରିବାର ଦିନକ ପରେ ଏହି ପ୍ରକଳ୍ପକୁ ସବୁଜ ମଞ୍ଜୁରୀ ମିଳିଯାଇଛି। କୈଣସି ଏକ ସମସ୍ୟା  କାରଣରୁ ଏହି ରାଜପଥ ପ୍ରକଳ୍ପ ପାଇଁ ଜାରି ହୋଇଥିବା ଟେଣ୍ଡର ବାତିଲ ହୋଇଥିଲା। ହେଲେ ବର୍ତ୍ତମାନ ସବୁଜ ମଞ୍ଜୁରୀ ମିଳିଯିବା ପରେ ଏହି ପ୍ରକଳ୍ପ ପୁନର୍ବାର କାର୍ଯ୍ୟକାରୀ ହେବା ଲାଗି ରାସ୍ତା ପରିଷ୍କାର ହୋଇଛି। 

ପ୍ରାୟ ୩୪୬ କିଲୋମିଟର ଉପକୂଳ ରାଜପଥ ପ୍ରକଳ୍ପକୁ ଦୁଇ ଭାଗରେ ବିଭକ୍ତ କରାଯାଇଛି। ପ୍ରଥମ ବିଭାଗ ହେଉଛି ୧୭୬ କିମି ଲମ୍ବା ରାମେଶ୍ୱର-ରତନପୁର ଏବଂ ସେହିପରି ଦ୍ୱିତୀୟ ବିଭାଗ ହେଉଛି ୧୭୦ କିମି ଲମ୍ବା ରତନପୁର-ଦିଘା। ଯାହା ପର୍ଯ୍ୟାୟ କ୍ରମେ ନିର୍ମାଣ କରିବାକୁ ପ୍ରସ୍ତାବ ଦିଆଯାଇଥିଲା। ହେଲେ ତୃତୀୟ ଥର ପାଇଁ ଏହି ପ୍ରକଳ୍ପର ରୂପରେଖ ପରିବର୍ତ୍ତନ ହେବା ପରେ ତିନୋଟି ବିଭାଗରେ ରାମେଶ୍ୱର-ରତନପୁର ମଧ୍ୟରେ ୪ ଲେନ ବିଶିଷ୍ଟ ଉପକୂଳ ରାସ୍ତା ନିର୍ମାଣ ପାଇଁ ଜାତୀୟ ରାଜପଥ ପ୍ରାଧିକରଣ ପକ୍ଷରୁ ଜାରି ହୋଇଥିବା ଟେଣ୍ଡର ବାତିଲ ହୋଇଥିଲା। କାରଣ ଉପକୂଳ ରାଜପଥ ପାଇଁ ଟେଣ୍ଡର ଗ୍ରହଣ କରିବା ପ୍ରକ୍ରିୟା ଅଗଷ୍ଟ ୧୦ ତାରିଖରେ ଶେଷ ହୋଇଥିଲା।

ଏହି ପ୍ରକଳ୍ପର ସଂଶୋଧିତ ରୂପରେଖ ହେତୁ କାକଟପୁର ଠାରୁ ଏରସମା ପର୍ଯ୍ୟନ୍ତ କାର୍ଯ୍ୟକାରୀ ହେବାକୁ ରହିଥିବା ତୃତୀୟ ବିଭାଗ ସ୍ଥାନୀୟ ଲୋକଙ୍କ ତୀବ୍ର ବିରୋଧର ସାମ୍ନା କରିଥିଲା। ଉପକୂଳ ରାଜପଥ ରୂପରେଖ ପୁନର୍ବାର ସଂଶୋଧିତ କରାଯାଇଛି। ଏହାକୁ ପରିବେଶ ମଞ୍ଜୁରୀ ପାଇଁ ସୁପାରିଶ କରାଯାଇଛି। ସବୁଜ ମଞ୍ଜୁରୀ ପାଇବା ପରେ ପ୍ରକଳ୍ପ ସହ ଜଡ଼ିତ ବିସ୍ତୃତ ରିପୋର୍ଟ ପ୍ରସ୍ତୁତ ହେବ।

ଓଡିଶା ସର୍କଲ ମୁଖ୍ୟ ଜେନେରାଲ୍ ମ୍ୟାନେଜର ବୀରେନ୍ଦ୍ର ସିଂହ ସ୍ୱୀକାର କରିଛନ୍ତି ଯେ ପରିବେଶ ମଞ୍ଜୁରୀ ଲାଗି ଉପକୂଳ ରାଜପଥର ବିଭାଗ ଲାଗି ସଂଶୋଧିତ ରୂପରେଖ ସୁପାରିଶ କରାଯାଇଛି। ଯାହା ନିଶ୍ଚିତ ଭାବରେ ଉପକୂଳ ରାଜପଥ ପ୍ରକଳ୍ପକୁ ପୁନର୍ଜୀବିତ କରିବ। ପରିବେଶ ସମେତ ଅନ୍ୟାନ୍ୟ ଆଇନଗତ ମଞ୍ଜୁରୀ ମିଳିବା ପରେ  ଜାତୀୟ ରାଜପଥ ପ୍ରାଧିକରଣ ଅଗ୍ରଗତି କରିବ ବୋଲି ଜେନେରାଲ୍ ମ୍ୟାନେଜର ଇଂରାଜୀ ସମ୍ବାଦପତ୍ର "ଦି ନ୍ୟୁ ଇଣ୍ଡିଆନ୍ ଏକ୍ସପ୍ରେସ" ଉଦ୍ଦେଶ୍ୟରେ କହିଛନ୍ତି। 

ଗତ ୨୦୧୫ ବର୍ଷରେ କେନ୍ଦ୍ର ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରୀ ନୀତିନ ଗଡକରୀଙ୍କ ଦ୍ୱାରା ଘୋଷଣା କରାଯାଇଥିବା ଏହି ପ୍ରସ୍ତାବିତ ରାଜପଥ ରାଜ୍ୟର ୭ ଉପକୂଳବର୍ତ୍ତୀ ଜିଲ୍ଲା ଦେଇ ଅତିକ୍ରମ କରିବ। ଯାହା ୧୬ ନମ୍ବର ଜାତୀୟ ରାଜପଥରେ ଯାତାୟାତକୁ ସହଜ କରିବା ସହ ପର୍ଯ୍ୟଟନକୁ ଅଧିକ ଆବଶ୍ୟକୀୟ ଉତ୍ସ ଯୋଗାଇବ। କେବଳ ସେତିକି ନୁହେଁ ଉପକୂଳ ରାଜପଥ ପ୍ରକଳ୍ପ ଦ୍ୱାରା ବନ୍ଦର ସହ ଯୋଗାଯୋଗ ସୁଗମ ହେବ।

ପ୍ରାୟ ୮୦୦୦ କୋଟି ଟଙ୍କା ବ୍ୟୟରେ ଓଡ଼ିଶାର ଗୋପାଳପୁର ଠାରୁ ପଶ୍ଚମବଙ୍ଗର ଦୀଘା ପର୍ଯ୍ୟନ୍ତ ଉପକୂଳ ରାଜପଥ ନିର୍ମାଣ କରିବାକୁ ପ୍ରସ୍ତାବ ଦିଆଯାଇଥିଲା। ଏହି ପ୍ରକଳ୍ପ ଅଧିନରେ ନିର୍ମିତ ହେଉଥିବା ପରିବେଶ ଦୃଷ୍ଟିକୋଣରୁ ସମ୍ବେଦନଶୀଳ ଅଞ୍ଚଳ ଚିଲିକା ହ୍ରଦ, ବାଲୁଖଣ୍ଡ ବନ୍ୟପ୍ରାଣୀ ଅଭୟାରଣ୍ୟ, ଭିତରକନିକା ଜାତୀୟ ଉଦ୍ୟାନ ସମେତ କେତେକ ଗୁରୁତ୍ୱପୂର୍ଣ୍ଣ ଅଲିଭ୍ ରିଡଲେ କଇଁଛ ବସା ସ୍ଥାନ ଦେଇ ଅତିକ୍ରମ କରିବ। ହେଲେ ଏହାର ଦୈର୍ଘ୍ୟ ୪୫୧ କିଲୋମିଟର ବଦଳରେ ୩୪୬ କିଲୋମିଟର କରାଯାଇଥିଲା। କାରଣ ପରିବେଶ ସୁରକ୍ଷା ଦୃଷ୍ଟିକୋଣରୁ ଅନେକ ସମ୍ବେଦନଶୀଳ ଅଞ୍ଚଳକୁ ପ୍ରକଳ୍ପ ବାଦ ଦିଆଯାଇଥିଲା।

ଗତ ବର୍ଷ ୨୯ ଜୁଲାଇରେ, ରମେଶ୍ୱର ଠାରୁ ପୁରୀ ପର୍ଯ୍ୟନ୍ତ ୪୭ କିମି ଲମ୍ବା ବିଭାଗ ପାଇଁ ୧୪୩୬.୩୯ କୋଟି, ପୁରୀ ଠାରୁ କାକଟପୁର ପର୍ଯ୍ୟନ୍ତ ୪୪.୪ କିମି ଲମ୍ବା ବିଭାଗ ପାଇଁ ୧୨୯୭.୬ କୋଟି ଏବଂ ୪୨.୬ କିମି ଲମ୍ବା ଏରସମା-ରତନପୁର ବିଭାଗ ପାଇଁ ୧୩୪୧.୯ କୋଟି ଟଙ୍କାର ପାଣ୍ଠି ଜାରି ହୋଇଥିଲା। ମାତ୍ର ଟେଣ୍ଡର ବାତିଲ ହୋଇଯିବା ପରେ ଏହି ପ୍ରକଳ୍ପ ଅନିଶ୍ଚିତତା ଭିତରକୁ ଚାଲି ଯାଇଥିଲା।