Lower Suktel Project: ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ
Advertisement
Article Detail0/zeeodisha/odisha2042090

Lower Suktel Project: ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ

Lower Suktel Project Inauguration: ବୁଧବାର ବଲାଙ୍ଗୀର ଜିଲ୍ଲା ଗସ୍ତରେ ଆସି ଲୋୟର ସୁକତେଳ ଜଳସେଚନ ପ୍ରକଳ୍ପ ଲୋକାର୍ପିତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

Lower Suktel Project: ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ

Lower Suktel Irrigation Project Inauguration: ଜାନୁଆରୀ ୩ ତାରିଖ ବୁଧବାର ଲୋକାର୍ପିତ ହୋଇଛି ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପ। ବୁଧବାର ବଲାଙ୍ଗୀର ଜିଲ୍ଲା ଗସ୍ତରେ ଆସି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋୟର ସୁକତେଳ ଜଳସେଚନ ପ୍ରକଳ୍ପ ଲୋକାର୍ପିତ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ନୂଆ ବର୍ଷରେ ମୋର ପ୍ରଥମ ଗସ୍ତ ବଲାଙ୍ଗୀର ଜିଲ୍ଲାରୁ ଆରମ୍ଭ କରି ମୁଁ ବହୁତ ଖୁସି। ଆପଣ ମାନେ ଖୁସି ତ? ଲୋକଙ୍କ ଉତ୍ସାସିତ ଧ୍ବନି, କରତାଳି ହୁଳହୁଳି ମଧ୍ୟରେ ମୁଖ୍ୟମନ୍ତ୍ରୀ ବୁଧବାର ବଲାଙ୍ଗୀର ଜିଲ୍ଲାରେ ଲୋୟର ସୁକତେଳ ଜଳସେଚନ ପ୍ରକଳ୍ପ ଲୋକାର୍ପିତ କରିଛନ୍ତି। 

ଲୋୟର ସୁକତେଲ ପ୍ରକଳ୍ପ ଦ୍ବାରା ବଲାଙ୍ଗୀର ଜିଲ୍ଲାର ଚାଷୀ ଭାଇଙ୍କ ଜଳ କଷ୍ଟ ଦୂର ହୋଇଛି। ସୁକତେଲ ପ୍ରକଳ୍ପ ଜଳସେଚନ ତଥା କୃଷି କ୍ଷେତ୍ରରେ ରୂପାନ୍ତର ଆଣିବ। ଚାଷୀର ବିକାଶରେ ରାଜ୍ୟର ବିକାଶ। ବଲାଙ୍ଗୀର ଜିଲ୍ଲାର ବିକାଶରେ ଏକ ନୂଆ ଯୁଗ ଆଣିବ ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପ। ଏହି ପ୍ରକଳ୍ପ ହେଉଛି ରାଜ୍ୟର ନବମ ସର୍ବବୃହତ୍ତ ବନ୍ଧ। ଯାହାର ଉଚ୍ଚତା ହେଉଛି ୩୧ ମିଟର। ଏହା ଦ୍ବାରା ବଲାଙ୍ଗୀର ତଥା ସୋନପୁର ଜିଲ୍ଲାର ୨୦୩ ଗ୍ରାମର ୧ ଲକ୍ଷ ଏକର ଜମିକୁ ପାଣି ମିଳିବ। ପ୍ରାୟ ୮୦ ହଜାରରୁ ଅଧିକ ଚାଷୀ ଉପକୃତ ହେବେ। ସେହିପରି ୭୦ ହଜାରରୁ ଅଧିକ ଲୋକଙ୍କୁ ପିଇବା ପାଣିର ସୁବିଧା ମିଳିବ।  

ଗତ ୨୦୧୯ ବର୍ଷରୁ ୫ଟି ଉପକ୍ରମରେ ପ୍ରକଳ୍ପ ତ୍ବରାନ୍ବିତ କରାଯାଇ କାମ ସମ୍ପୂର୍ଣ୍ଣ କରାଯାଇଛି। ଆଧୁନିକ ଜ୍ଞାନକୌଶଳ ବ୍ୟବହାର କରି ଚାପ ଯୁକ୍ତ ଭୂତଳ ପାଇପ୍ ଲାଇନ୍ (Pressurised Underground Pipeline) ମାଧ୍ୟମରେ ଜଳସେଚନ ବ୍ୟବସ୍ଥା କରାଯାଉଛି। ଯାହା ଦ୍ବାରା ଜଳସେଚନ ପାଇଁ କୌଣସି ବିସ୍ଥାପନ ଜନିତ ସମସ୍ୟା ଉପୁଜିବ ନାହିଁ।

ଜନସାଧାରଣଙ୍କୁ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଲେ ଯେ କୃଷକ ରାଜ୍ୟ ଅର୍ଥନୀତିର ସାରଥି। ଚାଷୀ ଭାଇଙ୍କୁ ସାଥିରେ ଧରି ଆମେ ଆଗକୁ ବଢୁଛୁ। ମୁଁ ସବୁବେଳେ ଚାଷୀ ଭାଇଙ୍କ ସାଥିରେ ରହିଛି। ସେମାନଙ୍କ ପାଇଁ କାଳିଆ, ୧ ଲକ୍ଷ ଟଙ୍କାର ବିନା ସୁଧରେ ଋଣ, ମାଗଣା ଫସଲ ବୀମା, ଚାଷୀ ଘର ପିଲାଙ୍କ ପାଇଁ ଛାତ୍ରବୃତ୍ତି ଏବଂ ଆହୁରି ଅନେକ ଯୋଜନା ଜାରି ରହିଛି।

ବିସ୍ଥାପିତ ଗ୍ରାମର ଲୋକଙ୍କ ତ୍ୟାଗକୁ ମନେ ପକାଇ ମୁଖ୍ୟମନ୍ତ୍ରୀ କହିଲେ ଯେ ଏହି ପ୍ରକଳ୍ପ ପାଇଁ ୨୯ ଗ୍ରାମର ଲୋକେ ବହୁତ ବଡ଼ ତ୍ୟାଗ କରିଛନ୍ତି। ସେମାନଙ୍କ ତ୍ୟାଗକୁ ମୁଁ ସମ୍ମାନ ଜଣାଉଛି। ବଲାଙ୍ଗୀର ବିକାଶ ପାଇଁ ସେମାନଙ୍କ ତ୍ୟାଗ ସବୁଦିନ ମନେ ରହିବ। ଆଜି ବଲାଙ୍ଗୀର ଜିଲ୍ଲାର ବିକାଶ ପାଇଁ ଅନେକ କାମ ଆରମ୍ଭ ହୋଇଛି। ସ୍ବାସ୍ଥ୍ୟ, ପର୍ଯ୍ୟଟନ, ଯୋଗାଯୋଗ, କ୍ରୀଡ଼ା ଭିତ୍ତିଭୂମିର ଉନ୍ନତି ସହ ଐତିହ୍ୟର ବିକାଶ ତଥା ସୁରକ୍ଷା ପାଇଁ ଅନେକ ପ୍ରକଳ୍ପ ଆରମ୍ଭ ହୋଇଛି।  

ମୁଖ୍ୟମନ୍ତ୍ରୀ ବଲାଙ୍ଗୀର ଜିଲ୍ଲା ପାଇଁ ୨୫୨୫ କୋଟି ଟଙ୍କାର ପ୍ରକଳ୍ପର ଶୁଭାରମ୍ଭ କରିଥିଲେ। ୨୨୨୦ କୋଟି ଟଙ୍କା ବ୍ୟୟରେ ୧୧୨ ଭିତ୍ତିଭୂମି ପ୍ରକଳ୍ପ ପାଇଁ ଭିତ୍ତିପ୍ରସ୍ତର ରଖାଯାଇଥିବା ବେଳେ, ୩୦୫ କୋଟି ଟଙ୍କା ବ୍ୟୟରେ ୬୯ ଭିତ୍ତିଭୂମି ପ୍ରକଳ୍ପର ଉଦ୍‌ଘାଟନ କରାଯାଇଥିଲା। ମୁଖ୍ୟମନ୍ତ୍ରୀ ପୁଣି କହିଲେ ଯେ ୫ଟି ଭିକେ ପାଣ୍ଡିଆନ ଅଧ୍ୟକ୍ଷ ମୋ ନିର୍ଦ୍ଦେଶରେ ଅଗଷ୍ଟ ମାସରେ ବଲାଙ୍ଗୀର ଗସ୍ତରେ ଆସି ଆପଣଙ୍କୁ ଭେଟିଥିଲେ। ଆପଣଙ୍କ ସହିତ ବିକାଶ କାମ ବିଷୟରେ ଆଲୋଚନା କରିଥିଲେ। ଆପଣଙ୍କ ମତକୁ ସମ୍ମାନ ଜଣାଇ ଆମେ କାମ କରୁଛୁ। ବଲାଙ୍ଗୀର ବିକାଶ ଉପରେ ମତ ରଖି ମୁଖ୍ୟମନ୍ତ୍ରୀ କହିଲେ ଯେ ଏବେ ଜିଲ୍ଲାରେ ଶିକ୍ଷା, ସ୍ବାସ୍ଥ୍ୟ ତଥା ଭିତ୍ତିଭୂମି କ୍ଷେତ୍ରରେ ଜୋରଦାର ଉନ୍ନତି ହୋଇଛି।  ହରିଶଙ୍କର ପୀଠ ସହିତ ଜିଲ୍ଲାର ମଠ ମନ୍ଦିରର ରୂପାନ୍ତର କାମ ଚାଲିଛି। ଏବେ କୃଷି କ୍ଷେତ୍ରରେ ଉନ୍ନତି ସହିତ ଜିଲ୍ଲାରେ ରୂପାନ୍ତରର ଏକ ନୂଆ ଯୁଗ ଆସିବ। ମୋର ବିଶ୍ବାସ ଆପଣଙ୍କ ସହଯୋଗରେ ବଲାଙ୍ଗୀର ରାଜ୍ୟର ବିକାଶରେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବ। 

ଏହି ଅବସରରେ ଜଳସମ୍ପଦ ବିଭାଗ ମନ୍ତ୍ରୀ ଟୁକୁନି ସାହୁ କହିଲେ ଯେ ବଲାଙ୍ଗୀର ଜିଲ୍ଲାର ଜନସାଧାରଣଙ୍କ ବହୁ ଦିନର ସ୍ବପ୍ନକୁ ମୁଖ୍ୟମନ୍ତ୍ରୀ ଆଜି ପୂରଣ କରିଛନ୍ତି। ଲୋୟର ସୁକତେଲ ଆଜି ବଲାଙ୍ଗୀର ଜିଲ୍ଲା ବାସୀଙ୍କ ପାଇଁ ସୁଖର ସୁକତେଲରେ ପରିଣତ ହୋଇଛି। ଏହି ପ୍ରକଳ୍ପ କାର୍ଯ୍ୟକାରୀ କରିବା କ୍ଷେତ୍ରରେ ୫ଟି ଅଧ୍ୟକ୍ଷଙ୍କ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ସହିତ ୫ଟି ତଥା ନବୀନ ଓଡିଶା ଅଧ୍ୟକ୍ଷ ଭି.କେ ପାଣ୍ଡିଆନ ଉପସ୍ଥିତ ରହିଥିଲେ।

ଏହି ଅବସରରେ ଅନ୍ୟ ମାନଙ୍କ ମଧ୍ୟରେ ସ୍ବାସ୍ଥ୍ୟ ତଥା ପରିବାର କଲ୍ୟାଣ ମନ୍ତ୍ରୀ ନିରଞ୍ଜନ ପୂଜାରୀ, ବଲାଙ୍ଗୀର ସାଂସଦ ସଙ୍ଗୀତା କୁମାରୀ ସିଂହଦେଓ, ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି, ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର, ପାଟଣାଗଡ ବିଧାୟକ ତଥା ବଲାଙ୍ଗୀର ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ସରୋଜ ମେହେର, ଲୋଇସିଂଙ୍ଗା ବିଧାୟକ ଡକ୍ଟର ମୁକେଶ ମହାଲିଙ୍ଗ, ରାଜ୍ୟ ଗୃହ ନିର୍ମାଣ ବୋର୍ଡ ଅଧ୍ୟକ୍ଷ କଲିକେଶ ନାରାୟଣ ସିଂହଦେଓ, ବଲାଙ୍ଗୀର ଜିଲ୍ଲା ପରିଷଦ ସଭାପତି ଦେବକୀ ସାହୁ ପ୍ରମୁଖ ନିଜର ଅଭିଭାଷଣ ରଖିଥିଲେ। ଉନ୍ନୟନ କମିଶନର ଶ୍ରୀମତୀ ଅନୁ ଗର୍ଗ ସ୍ବାଗତ ଭାଷଣ ଦେଇଥିବା ବେଳେ ବଲାଙ୍ଗୀର ଜିଲ୍ଲାପାଳ ଧନ୍ୟବାଦ ଅର୍ପଣ କରିଥିଲେ।