Odisha Nursing Officer Joining 2023: ସ୍ବାସ୍ଥ୍ୟ ସେବାରେ ଯୋଗ ଦେଲେ ୩୭୩୨ ନର୍ସିଂ ଅଫିସର
Advertisement
Article Detail0/zeeodisha/odisha1984768

Odisha Nursing Officer Joining 2023: ସ୍ବାସ୍ଥ୍ୟ ସେବାରେ ଯୋଗ ଦେଲେ ୩୭୩୨ ନର୍ସିଂ ଅଫିସର

Odisha Nursing Officer Recruitment 2023: ବୁଧବାର ରାଜ୍ୟର ବିଭିନ୍ନ ମେଡିକାଲ କଲେଜ ଏବଂ ଡାକ୍ତରଖାନାରେ ଯୋଗ ଦେଇଛନ୍ତି ୩୭୩୨ ନର୍ସିଂ ଅଫିସର।  

ଫଟୋ ସୌଜନ୍ୟ:@CMO_Odisha

3732 Nursing Officers joined the Health Service: ନଭେମ୍ବର ୨୯ ତାରିଖ ବୁଧବାର ରାଜ୍ୟର ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ବିଭିନ୍ନ ମେଡିକାଲ କଲେଜ ଏବଂ ଡାକ୍ତରଖାନାରେ ଯୋଗ ଦେଇଛନ୍ତି ୩୭୩୨ ନର୍ସିଂ ଅଫିସର। ସେଥିପାଇଁ ସ୍ଥାନୀୟ କଳିଙ୍ଗ ଷ୍ଟାଡିଅମ ଠାରେ ଏକ ନିଯୁକ୍ତି ପର୍ବର ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୂତନ ଭାବେ ଯୋଗ ଦେଇଥିବା ନର୍ସିଂ ଅଫିସରଙ୍କୁ ପଣ୍ଡିତ ଗୋପବନ୍ଧୁ ଦାସ, ଫ୍ଲୋରେନ୍‌ସ ନାଇଟେଙ୍ଗଲ ଏବଂ ମଦର ଟେରେସାଙ୍କ ପରି ସେବାର ପ୍ରତିମୂର୍ତ୍ତୀଙ୍କ ଆଦର୍ଶକୁ ଅନୁସରଣ କରିବା ପାଇଁ ପରାମର୍ଶ ଦେଇଛନ୍ତି। ନିଃସ୍ବାର୍ଥପର ଭାବେ ନିଷ୍ଠାର ସହ ସେବାର ଏହି ମୂର୍ତ୍ତିମନ୍ତ ପ୍ରତୀକ ଙ୍କ ଆଦର୍ଶରେ କାମ କଲେ, ନିଜ ପାଇଁ ସେମାନେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିବେ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ରୋଗୀ ସେବା ପରି ଏକ ମହାନ ସେବାରେ ଯୋଗ ଦେଇଥିବାରୁ ନୂଆ ଅଧିକାରୀ ଏବଂ ସେମାନଙ୍କ ପରିବାରକୁ ଶୁଭେଚ୍ଛା ଜଣାଇଥିଲେ ମୁଖ୍ୟମନ୍ତ୍ରୀ। ଏହି ଅବସରରେ ସେ କହିଥିଲେ ଯେ ଆମ ସ୍ବାସ୍ଥ୍ୟ ସେବାର ମୂଳମନ୍ତ୍ର ହେଉଛି ପ୍ରତି ଜୀବନ ମୂଲ୍ୟବାନ। ଏହି ଆଦର୍ଶ ନେଇ ଆମେ କାମ କରୁଛୁ। ଏ ଦିଗରେ ନର୍ସିଂ ଅଫିସର ଏକ ଗୁରୁ ଦାୟିତ୍ବ ନିର୍ବାହ କରିପାରିବେ। ପ୍ରତି ଲୋକ ଯେପରି ଉତ୍ତମ ସେବା ପାଇପାରିବେ ସେ ଦାୟିତ୍ବ ଆପଣଙ୍କ ହାତରେ ରହିଛି। ଆପଣ ହିଁ ରୋଗୀଙ୍କ ଭିତରେ ଭରସା ସୃଷ୍ଟି କରିପାରିବେ। ଆପଣଙ୍କ ନିଷ୍ଠା ଏବଂ ସେବା ହିଁ ରୋଗୀଙ୍କ ବିଶ୍ବାସ ବୃଦ୍ଧି କରିପାରିବ। କୋରୋନା ସମୟରେ ଡାକ୍ତରଙ୍କ ସହିତ ନର୍ସିଂ ଅଫିସର ମଧ୍ୟ ବହୁତ ଭଲ କାମ କରିଥିଲେ। କୋଭିଡ ପରିଚାଳନାର ସଫଳତାରେ ନର୍ସିଂ ଅଫିସର ବହୁତ ବଡ଼ ଭୂମିକା ରହିଥିଲା ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ରାଜ୍ୟ ସରକାରଙ୍କ ୫ଟି ଉପକ୍ରମ ଉପରେ ପ୍ରତିକ୍ରିୟା ରଖି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏହି ନୀତି ଦ୍ବାରା ଆମର ସ୍ବାସ୍ଥ୍ୟସେବା ବ୍ୟବସ୍ଥା ଫଳପ୍ରଦ ହୋଇପାରିଛି। ସରକାରୀ ଡାକ୍ତରଖାନାରେ ସ୍ବାସ୍ଥ୍ୟସେବାରେ ରୂପାନ୍ତର ଏବେ ସମସ୍ତେ ଅନୁଭବ କରିପାରୁଛନ୍ତି। ଧନୀ ହେଉ କିମ୍ବା ଗରିବ ଆଜି ସମସ୍ତେ ସରକାରୀ ହସ୍‌ପିଟାଲରେ ମାଗଣାରେ ଉତ୍ତମ ଚିକିତ୍ସା ସୁବିଧା ପାଉଛନ୍ତି। ସ୍ବାସ୍ଥ୍ୟସେବା କ୍ଷେତ୍ରରେ ‘ମୋ ସରକାର’ ବ୍ୟବସ୍ଥାରେ ବହୁତ ଭଲ ମତାମତ ଆସୁଛି। ଏହା ବହୁତ ଉତ୍ସାହପ୍ରଦ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

କାର୍ଯ୍ୟକ୍ରମରେ ଉପସ୍ଥିତ ରାଜ୍ୟ ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରୀ ଶ୍ରୀ ନିରଞ୍ଜନ ପୁଜାରୀ କହିଥିଲେ ଯେ ରାଜ୍ୟବାସୀଙ୍କୁ ପର୍ଯ୍ୟାପ୍ତ ଏବଂ ଉନ୍ନତମାନର ସ୍ବାସ୍ଥ୍ୟସେବା ଯୋଗାଇ ଦେବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ବରେ ଆମେ ସବୁବେଳେ ପ୍ରୟାସ କରିଆସିଛୁ। ନୂତନ ମେଡିକାଲ କଲେଜ ପ୍ରତିଷ୍ଠା, ସ୍ବାସ୍ଥ୍ୟ ଭିତ୍ତିଭୂମିକୁ ସୁଦୃଢ କରିବା ଏବଂ ନୂତନ ନିଯୁକ୍ତି ଜରିଆରେ ସମସ୍ତଙ୍କୁ ଉତ୍ତମ ସ୍ବାସ୍ଥ୍ୟସେବା ପ୍ରଦାନକୁ ସୁନିଶ୍ଚିତ କରାଯାଇଛି ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ କହିଥିଲେ।

ଏହି କାର୍ଯ୍ୟକ୍ରମରେ ୫ଟି ଅଧ୍ୟକ୍ଷ ତଥା ନବୀନ ଓଡିଶା ଅଧ୍ୟକ୍ଷ ଭି.କେ. ପାଣ୍ଡିଆନ ନବନିଯୁକ୍ତ ନର୍ସିଂ ଅଫିସରଙ୍କ ସହ ମତ ବିନିମୟ କରିଥିଲେ। ଏନେଇ ୫ଟି ଅଧ୍ୟକ୍ଷ କହିଥିଲେ ଯେ ଆପଣ ଆଜି ନୂଆ ଚାକିରିରେ ଯୋଗ ଦେଇ ଯେପରି ଖୁସି ଅଛନ୍ତି, ଆପଣଙ୍କ ପାଖକୁ ଯେଉଁ ଲୋକ ଚିକିତ୍ସା ପାଇଁ ଆସିବେ, ତାଙ୍କୁ ମଧ୍ୟ ଆପଣ ଏପରି ଖୁସି ଦେବାକୁ ଉଦ୍ୟମ କରନ୍ତୁ। ସେମାନଙ୍କୁ ଭଲ ସେବା ଦିଅନ୍ତୁ। ସେ ଆହୁରି ମଧ୍ୟ କହିଥିଲେ ଯେ ଲୋକେ ପୁଣ୍ଯ ଅର୍ଜନ  ପାଇଁ  ମନ୍ଦିର ଯାଇଥାନ୍ତି। ହେଲେ ଆପଣ ଏପରି ଚାକିରି ପାଇଛନ୍ତି ଯେଉଁଥିରେ ରୋଗୀ ସେବା ଜରିଆରେ ଆପଣ ଭାଗବାନଙ୍କ ଆଶୀର୍ବାଦ ପାଇବା ସହ ପୁଣ୍ୟ ଅର୍ଜନ କରିବେ। ସ୍ବଚ୍ଛତାର ସହ ସମସ୍ତଙ୍କୁ ସେବା ପ୍ରଦାନ କରିବା ପାଇଁ ଆହ୍ବାନ ଦେଇଥିଲେ ୫ଟି ଅଧ୍ୟକ୍ଷ।

ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା କହିଥିଲେ ଯେ ୩୭୩୨ ଜଣ ନର୍ସିଂ ଅଫିସରଙ୍କ ନୂଆ ନିଯୁକ୍ତି ଆମର ସ୍ବାସ୍ଥ୍ୟସେବା କ୍ଷେତ୍ରକୁ ଅଧିକ ସୁଦୃଢ କରିବା ସହିତ ଆମର ଲକ୍ଷ୍ୟ ପୂରଣରେ ସହାୟକ ହେବ। ସମସ୍ତଙ୍କୁ ନିଷ୍ଠାର ସହ କାମ କରିବାକୁ ସେ ପରାମର୍ଶ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ସଚିବ ଶାଳିନୀ ପଣ୍ଡିତ ସ୍ବାଗତ ଭାଷଣ ଦେଇଥିଲେ। ନର୍ସିଂ ନିର୍ଦ୍ଦେଶକ ଡଃ ରାମଚନ୍ଦ୍ର ରାଉତ ଧନ୍ୟବାଦ ଅର୍ପଣ କରିଥିଲେ।