Hirakud Dam: ହୀରାକୁଦ ଜଳଭଣ୍ଡାରରେ ଖୋଲିଲା ୧୪ ଗେଟ୍‍; ବନ୍ୟା ଆଶଙ୍କା ନାହିଁ
Advertisement
Article Detail0/zeeodisha/odisha1871281

Hirakud Dam: ହୀରାକୁଦ ଜଳଭଣ୍ଡାରରେ ଖୋଲିଲା ୧୪ ଗେଟ୍‍; ବନ୍ୟା ଆଶଙ୍କା ନାହିଁ

Hirakud Dam Gate Open Today: ଉପର ମୁଣ୍ଡରେ ପ୍ରବଳ ବର୍ଷାକୁ ଆଖିରେ ରଖି ଜଳଭଣ୍ଡାର ଅଧିକ ଗେଟ ଖୋଲିବାକୁ ନିଷ୍ପତ୍ତି ନେଇଥିଲେ। ଅଧିକ ଗେଟ୍‍ ଅଧିକ ଖୋଲାଯିବା ଦ୍ୱାରା ତଳ ମୁଣ୍ଡରେ ଜଳ ପ୍ରବାହ ବଢ଼ିବାର ଆଶଙ୍କା ରହିଛି। 

Hirakud Dam: ହୀରାକୁଦ ଜଳଭଣ୍ଡାରରେ ଖୋଲିଲା ୧୪ ଗେଟ୍‍; ବନ୍ୟା ଆଶଙ୍କା ନାହିଁ

14 Gate Open in Hirakud Dam Today: ହୀରାକୁଦ ଜଳଭଣ୍ଡାରରେ ଜଳପତ୍ତନରେ ଭାରସାମ୍ୟ ରଖିବା ଲାଗି ୧୪ ଗେଟ୍‍ ଖୋଲାଯାଇଛି। ଏହି ଗେଟ୍‍ ଦେଇ ବନ୍ୟାଜଳ ନିଷ୍କାଷିତ ହେଉଛି। ଉପର ମୁଣ୍ଡରେ ପ୍ରବଳ ବର୍ଷାକୁ ଆଖିରେ ରଖି ଜଳଭଣ୍ଡାର କର୍ତ୍ତୃପକ୍ଷ ଏହି ନିଷ୍ପତ୍ତି ନେଇଛନ୍ତି। ଗୁରୁବାର ସକାଳେ ଆଠଟି ଗେଟ୍‍ ଖୋଲାଯାଇଥିଲା। ହେଲେ ନଦୀବନ୍ଧ ଭିତରକୁ ଜଳ ପ୍ରବାହ ବଢୁଥିବାରୁ ଆହୁରି ଚାରୋଟି ଗେଟ୍‍ ଖୋଲାଯାଇଛି।  

ଜଳସମ୍ପଦ ପ୍ରମୁଖ ଯନ୍ତ୍ରୀ ଭକ୍ତରଞ୍ଜନ ମହାନ୍ତିଙ୍କ ସୂଚନା ଅନୁସାରେ ଉପର ମୁଣ୍ଡରେ ହାରାହାରି ୧୩୦ ମିଲିମିଟର ବର୍ଷା ହୋଇଥିବାର ରେକର୍ଡ କରାଯାଇଛି। ବର୍ଷା କାରଣରୁ ପ୍ରତି ସେକେଣ୍ଡ ପିଛା ୧.୩୨ ଲକ୍ଷ କ୍ୟୁସେକ୍‍ ଜଳ ପ୍ରବେଶ କରୁଛି। ଅପରପକ୍ଷେ ଗେଟ୍‍ ଖୋଲାଯିବା କାରଣରୁ ୨ ଲକ୍ଷ କ୍ୟୁସେକ ଜଳ ନିଷ୍କାସନ ହେଉଛି। ଗୁରୁବାର ରାତି ପର୍ଯ୍ୟନ୍ତ ଖଇରମାଳରେ ୫ ଲକ୍ଷ କ୍ୟୁସେକ୍‍ ଜଳ ପ୍ରବାହିତ ହେବ। ୨୪ ଘଣ୍ଟା ପରେ ମୁଣ୍ଡଳୀରେ ସେତିକି ଜଳ ପ୍ରବାହିତ ହେବ। ସକାଳ ୯:୦୦ ସମୟ ପର୍ଯ୍ୟନ୍ତ ମୁଣ୍ଡଳୀ ବ୍ୟାରେଜ ଠାରେ ୯୨ ହଜାର କ୍ୟୁସେକ୍‍ ଜଳ ପ୍ରବାହିତ ହେଉଛି। ଏବେ ଚାରୋଟି ଗେଟ୍‍ ଅଧିକ ଖୋଲାଯିବା ଦ୍ୱାରା ତଳ ମୁଣ୍ଡରେ ଜଳ ପ୍ରବାହ ବଢ଼ିବାର ଆଶଙ୍କା ରହିଛି। ହେଲେ ଏହାର ପ୍ରଭାବରେ ବନ୍ୟା ସୃଷ୍ଟି ହେବାର ଆଶଙ୍କା ନାହିଁ ବୋଲି କହିଛନ୍ତି ଜଳସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ।

ବଙ୍ଗୋପ ସାଗରର ଉତ୍ତର ପଶ୍ଚିମ ଏବଂ ଉତ୍ତର କେନ୍ଦ୍ରୀୟ ଅଞ୍ଚଳରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ଏବେ ଉତ୍ତର ଓଡ଼ିଶା ଏବଂ ପଶ୍ଚିବଙ୍ଗ ଉପକୂଳ ବଙ୍ଗୋପସାଗରରେ ସ୍ପଷ୍ଟ ଦୃଶ୍ୟମାନ ରହିଛି। ଯାହା ସମୁଦ୍ର ପତ୍ତନ ଠାରୁ ୭.୬ କିଲୋମିଟର ଉର୍ଦ୍ଧ୍ବରେ ରହିଛି। ଏହାର ପ୍ରଭାବରେ ସାରା ଓଡ଼ିଶାରେ ପ୍ରବଳ ବର୍ଷା ଲାଗି ରହିଛି। ବଲାଙ୍ଗୀର ଜିଲ୍ଲାରେ ୨୧୫ ମିଲିମିଟର ବର୍ଷା ହୋଇଥିବାର ରେକର୍ଡ କରାଯାଇଛି। ଳଘୁଚାପର ପ୍ରଭାବ ଆାହୁରି ୨ ଦିନ ପର୍ଯ୍ୟନ୍ତ ରହିବ। ୧୬ ତାରିଖ ଯାଏଁ ରାଜ୍ୟର ବିଭିନ୍ନ ଅଞ୍ଚଳରେ ବର୍ଷା ହେବାର ସମ୍ଭାବନା ରହିଥିବା ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି।

Also Read: Hirakud Dam: ଉପର ମୁଣ୍ଡରେ ବର୍ଷା ସମ୍ଭାବନା; ହୀରାକୁଦ ଜଳଭଣ୍ଡାରରେ ଖୋଲିଲା ୨ ଗେଟ

ଲଗାଣ ବର୍ଷାରେ ଉବୁଟୁବୁ ହେଲା ବଲାଙ୍ଗିର ସହର। ରାସ୍ତା ଘାଟ ସବୁ ଆଡେ ପାଣି। ପ୍ରବଳ ବର୍ଷା ହେତୁ ବଲାଙ୍ଗିର ସହରର ବିଭିନ୍ନ ସ୍ଥାନରେ ରହିଥିବା ଘରେ ପାଣି ପଶି ଯାଇଥିବା ବେଳେ ଯୁଆଡେ ଦେଖିଲେ ଚାରିଆଡେ କେବଳ ପାଣି ଦେଖିବାକୁ ମିଳୁଛି। ବଲାଙ୍ଗୀର ପୌରାଞ୍ଚଳରେ ମଧ୍ୟ ବର୍ଷା ପାଣି ପଶି ସବୁ ଆଡେ ଲହଡ଼ି ମାରୁଛି। ଅନ୍ୟପକ୍ଷରେ ବହୁତ ପରିବାର ପାଣି ପଶିବା ହେତୁ ଜଳବନ୍ଦୀରେ ରହିଥିବା ଦେଖିବାକୁ ମିଳିଥିବା ବେଳେ ଖବର ପାଇ ବଲାଙ୍ଗିର ପୌର ପରିଷଦ ଅଧ୍ୟକ୍ଷା ଏବଂ ଜରୁରୀକାଳୀନ କର୍ମଚାରୀ ଜଳବନ୍ଦୀ ହୋଇଥିବା ଅଞ୍ଚଳରେ ପହଞ୍ଚି ଲୋକଙ୍କୁ ସୁରକ୍ଷିତ ସ୍ଥାନରେ ପହଞ୍ଚାଇବା ସହ ସମସ୍ୟାର ଅତି ଶୀଘ୍ର ସମାଧାନ ଯେମିତି ହେବ ସେଥିପ୍ରତି ଦୃଷ୍ଟି ଦେବାରେ ଲାଗି ପଡିଥିବା ଜଣାପଡିଛି। 

ଗତ ୨୦୧୯ ସେପ୍ଟେମ୍ବର ୧୩ ତାରିଖରେ ବଲାଙ୍ଗୀର ସହରରେ ହୋଇଥିଲା କୃତ୍ରିମ ବନ୍ୟା l ବଲାଙ୍ଗିରରେ ରାତିରେ ବର୍ଷା ହେଲେ ଶୋଇପାରନ୍ତି ନାହିଁ ଲଷ୍ମୀ ଜୋର ଅଞ୍ଚଳ ବାସିନ୍ଦା l ହାତୀଶାଳ ପଡା, ଠିକାଦାର ପଡା, ବରପାଲି ପଡା, ଚିମନିଭାଟି ପଡା, ଅମ୍ବାପଡା, ସତ୍ୟନାରାୟଣ ପଡା ଏମିତି ଅନେକ ପଡା ବାସିନ୍ଦା ପାଣି ଘେରରେ ଅଛନ୍ତିl ରାତିରେ ବର୍ଷା ହେଲେ ପଡା ବାସୀଙ୍କ ନିଦ ହଜିଯାଇଥାଏl ଗୁରୁବାର ପୁଣି ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ବଲାଙ୍ଗୀର ଜିଲ୍ଲାର ସମସ୍ତ ସରକାରୀ ଏବଂ ବେସରକାରୀ ଶିକ୍ଷାନୁଷ୍ଠାନକୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ ଚଞ୍ଚଳ ରାଣା।