Night Bazaar: ପ୍ରବାସୀ ଭାରତୀୟ ଦିବସ ଅବସରରେ ଭୁବନେଶ୍ୱରରେ ବୟନିକା ଆରମ୍ଭ କରିଛି ରାତ୍ରୀ ବଜାର। ଏହା ରାତି ୧୧ଟାରୁ ସକାଳ ୭ଟା ଯାଏ ଖୋଲା ରହିବ। ଏହି ସମୟରେ ବୟନିକାର ମୁଖ୍ୟ ଅନନ୍ୟ କେନ୍ଦ୍ରକୁ କୌଣସି ହସ୍ତବୁଣା ସାମଗ୍ରୀ କିଣିଲେ ସେଥିରେ ଅଧିକ ୫ ପ୍ରତିଶତର ଡିସ୍କାଉଣ୍ଟ ଘୋଷଣା କରାଯାଇଛି। ଅର୍ଥାତ୍ ଗ୍ରାକ ସାଧାରଣ ଡିସ୍କାଉଣ୍ଟ ୧୦ ପ୍ରତିଶତ ପରେ ୨୦ ପ୍ରତିଶତ ଏବଂ ଅଧିକ ୫ ପ୍ରତିଶତ ଲେଖାଏଁ ଦୁଇଥର ରିହାତି ଲାଭ କରିବେ।
ଓଡ଼ିଶାରହସ୍ତତନ୍ତ ଐତିହ୍ୟକୁ ବିଶ୍ଵ ଦରବାରରେ ପହଞ୍ଚାଇବା ପାଇଁ ଏହି ରାତ୍ରି ବଜାର ଉଦଘାଟିତ ହୋଇଥିବା କୁହାଯାଇଛି। ଏହା ଜାନୁଆରୀ ୮ ରୁ ୧୨ ପର୍ଯ୍ୟନ୍ତ ଚାଲିବ। ଏଥିରେ ପର୍ଯ୍ୟଟକ ଓ ଆଗନ୍ତୁକ ମାନଙ୍କୁ ରାତ୍ରି ସମୟରେ ମଧ୍ୟ ଓଡ଼ିଶା ହସ୍ତତନ୍ତ ସୃଷ୍ଟିର ଅନ୍ୱେଷଣ କରିବାକୁ ଏକ ଅନନ୍ୟ ସୁଯୋଗ ପ୍ରଦାନ କରିବ। ବିଭାଗୀୟ ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରଦୀପ ବଳ ସାମନ୍ତଙ୍କ ଦ୍ଵାରା ଜାନୁଆରୀ ୮ ତାରିଖ ରାତ୍ରି ୧୦.୩୦ ସମୟରେ ଉଦଘାଟିତ ହୋଇଛି। ଏହି ଅବସରରେ ବୟନିକା ପକ୍ଷରୁ ପ୍ରଦତ୍ତ ସୂଚନାରେ କୁହାଯାଇଛି, ଜାନୁଆରୀ ୮ ରୁ ୧୨ ପର୍ଯ୍ୟନ୍ତ ଭୁବନେଶ୍ଵରର ସମସ୍ତ ଶାଖାରେ ୨୦% + ୧୦% + ୫% ରିହାତି ଅନ୍ତର୍ଭୁକ୍ତ। ଏହି ଉତ୍ସାହକୁ ଦ୍ଵିଗୁଣିତ କରିବା ପାଇଁ ଅତିରିକ୍ତ ୫% ରିହାତି ବୟନିକା ଅନନ୍ୟ ଶାଖା, ଭୁବନେଶ୍ଵର ଠାରେ ଜାନୁଆରୀ ୮ ରୁ ୧୨ ଯାଏଁ ପ୍ରତିଦିନ ରାତି ୧୧ଟା ରୁ ପରଦିନ ସକାଳ ୭ଟା ଯାଏଁ ପ୍ରଦାନ କରାଯାଉଛି। କିଣାକିଣି ସମୟର ଅନୁଭବକୁ ଆହୁରି ବୃଦ୍ଧି କରିବା ପାଇଁ, ଖାରବେଳ ନଗରର ରାତ୍ରି ବଜାରରେ ବାଦ୍ୟଯନ୍ତ୍ର ଶାସ୍ତ୍ରୀୟ ସଂଗୀତ ପ୍ରଦର୍ଶନ ଏବଂ ଖାଦ୍ୟ କାଉଣ୍ଟର ମଧ୍ଯ ବ୍ୟବସ୍ଥା ହେବ, ଯାହା ପରିଦର୍ଶକମାନଙ୍କ ପାଇଁ ଏକ ଅନନ୍ଯ ଏବଂ ଜୀବନ୍ତ ପରିବେଶ ସୃଷ୍ଟି କରିବ ବୋଲି କୁହାଯାଇଛି।
ଓଡ଼ିଶାର ହସ୍ତତନ୍ତ କଳାକୃତିଗୁଡ଼ିକର ବିବିଧ ସଂଗ୍ରହ ସହିତ ବୟନିକା ନିଜର ପ୍ରତିଭାବାନ ବୁଣାକାରମାନଙ୍କ କଳାତ୍ମକତା ଉପସ୍ଥାପନ କରି ଗର୍ବ ଅନୁଭବ କରିଥାଏ। ଏହି ଚମତ୍କାର ଚିତ୍ରଗୁଡ଼ିକ ଶହ ଶହ ବର୍ଷର ପରମ୍ପରା, ସଂସ୍କୃତି ଏବଂ କାରିଗରୀକୁ ପ୍ରତିଫଳିତ କରିଥାଏ। ଏହି ପଦକ୍ଷେପକୁ ସମର୍ଥନ କରି ପର୍ଯ୍ଯଟକମାନେ ଓଡ଼ିଶାର ବୁଣାକାର ସମ୍ପ୍ରଦାୟର ଜୀବିକା ଏବଂ ବିକାଶରେ ଯୋଗଦାନ କରିପାରିବେ ଏବଂ ଏହି ହସ୍ତତନ୍ତ ଐତିହ୍ଯକୁ ଆନ୍ତର୍ଜାତୀୟସ୍ତରକୁ ନେବାରେ ସାହାଯ୍ଯ କରିପାରିବେ। ହସ୍ତତନ୍ତକୁ ପ୍ରୋତ୍ସାହନ ଦେବା ଏବଂ ବିଶ୍ଵ ଦରବାରରେ ସେଗୁଡ଼ିକର ଖ୍ୟାତି ସୁନିଶ୍ଚିତ କରିବା ଲାଗି ବୟନିକାର ଏହି ପଦକ୍ଷେପ ସରକାରଙ୍କ ପ୍ରତିବଦ୍ଧତାର ଏକ ପ୍ରମାଣ ବୋଲି ଏକ ବିଜ୍ଞପ୍ତିରେ କୁହାଯାଇଛି।