Odisha Irrigation Project: ଜଳସେଚନ କ୍ଷେତ୍ରରେ ସୁବର୍ଣ୍ଣ ଅଧ୍ୟାୟ; ଗୋଟିଏ ଦିନରେ ୩୦୩୭ କୋଟି ଟଙ୍କାରେ ୫୨ ପ୍ରକଳ୍ପର ହେଲା ଶୁଭାରମ୍ଭ
Advertisement
Article Detail0/zeeodisha/odisha2138260

Odisha Irrigation Project: ଜଳସେଚନ କ୍ଷେତ୍ରରେ ସୁବର୍ଣ୍ଣ ଅଧ୍ୟାୟ; ଗୋଟିଏ ଦିନରେ ୩୦୩୭ କୋଟି ଟଙ୍କାରେ ୫୨ ପ୍ରକଳ୍ପର ହେଲା ଶୁଭାରମ୍ଭ

Foundation Laid for New Irrigation Project in Odisha: ଶନିବାର ରାଜ୍ୟର ୪ ଜିଲ୍ଲାରେ ୧୩୧ କୋଟି ଟଙ୍କା ବ୍ୟୟରେ ୬ ଜଳସେଚନ ପ୍ରକଳ୍ପର ଉଦ୍‌ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ। ଏହା ସହିତ ୧୫ ଜିଲ୍ଲାରେ ୨୯୦୬ କୋଟି ଟଙ୍କାରେ ୪୬ ପ୍ରକଳ୍ପର ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି।

 

 Odisha Irrigation Project: ଜଳସେଚନ କ୍ଷେତ୍ରରେ ସୁବର୍ଣ୍ଣ ଅଧ୍ୟାୟ; ଗୋଟିଏ ଦିନରେ ୩୦୩୭ କୋଟି ଟଙ୍କାରେ ୫୨ ପ୍ରକଳ୍ପର ହେଲା ଶୁଭାରମ୍ଭ

New Irrigation Project Inauration in Odisha: ମାର୍ଚ୍ଚ ୨ ତାରିଖ ଶନିବାର ରାଜ୍ୟର ଜଳସେଚନ କ୍ଷେତ୍ରରେ ଏକ ସୁବର୍ଣ୍ଣ ଅଧ୍ୟାୟ ସୃଷ୍ଟି ହୋଇଛି। ଶନିବାର ୩୦୩୭ କୋଟି ଟଙ୍କାରେ ୫୨ ପ୍ରକଳ୍ପର ଉଦ୍‌ଘାଟନ କରିବା ସହ ଭିତ୍ତିପ୍ରସ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଯେଉଁଥିରେ ୪ ଜିଲ୍ଲାରେ ୧୩୧ କୋଟି ଟଙ୍କା ବ୍ୟୟରେ ୬ ପ୍ରକଳ୍ପର ଉଦ୍‌ଘାଟନ ହୋଇଛି। ସେହିପରି ୧୫ ଜିଲ୍ଲାରେ ୨୯୦୬ କୋଟି ଟଙ୍କାରେ ୪୬ ପ୍ରକଳ୍ପର ଭିତ୍ତି ପ୍ରସ୍ତର ସ୍ଥାପନ କରାଯାଇଛି। ଏହ ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଚାଷୀର କଲ୍ୟାଣ ଓ କୃଷିର ବିକାଶ ମୋ ପାଇଁ ସବୁବେଳେ ପ୍ରାଥମିକତା ହୋଇ ରହି ଆସିଛି। ମୁଁ ପ୍ରତିଦିନ ଭୁବନେଶ୍ୱରରେ ବିଭିନ୍ନ ଅଞ୍ଚଳର ଚାଷୀ ଭାଇ ଭଉଣୀଙ୍କୁ ଭେଟୁଛି। ଚାଷୀଙ୍କ ପାଇଁ ଆମର ବିଭିନ୍ନ କଲ୍ୟାଣ କାର୍ଯ୍ୟକ୍ରମ ଖୁବ୍‌ ଭଲ କାମ କରୁଛି।

ମୁଖ୍ୟମନ୍ତ୍ରୀ ଆହୁରି କହିଥିଲେ ଯେ ବିଗତ କିଛି ଦିନ ଧରି ରାଜ୍ୟର ବିଭିନ୍ନ ଅଞ୍ଚଳରେ ଛୋଟ ବଡ ଅନେକ ଜଳସେଚନ ପ୍ରକଳ୍ପ ଉଦ୍‌ଘାଟିତ ହୋଇଆସୁଛି। ଏହା ସହିତ ନୂଆ ପ୍ରକଳ୍ପ ପାଇଁ ଭିତ୍ତି ପ୍ରସ୍ତର ମଧ୍ୟ ରଖାଯାଉଛି। ଏହି ସବୁ ପ୍ରକଳ୍ପରେ ୫ଟି ଉପକ୍ରମ ଅଧିନରେ ଜ୍ଞାନକୌଶଳ ପ୍ରୟୋଗ କରାଯାଇ ପ୍ରକଳ୍ପକୁ ତ୍ୱରାନ୍ୱିତ କରାଯାଉଛି। ଭୂତଳ ପାଇପ ଲାଇନ ମାଧ୍ୟମରେ ଜଳସେଚନ କାରଣରୁ ବିସ୍ଥାପନ ସମସ୍ୟା ଦୂର ହୋଇଛି। 

ଶନିବାର ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ମଧ୍ୟରେ ନୟାଗଡ ଜିଲ୍ଲାର କୁସୁମି ବ୍ୟାରେଜ ଉଦ୍‌ଘାଟିତ ହୋଇଛି। ୭୦.୮୮ କୋଟି ଟଙ୍କା ବ୍ୟୟରେ ନିର୍ମିତ କୁସୁମୀ ବ୍ୟାରେଜ ଠାରୁ ଜଳ ଯୋଗାଣ ଲାଗି ୧୪୮.୧୭ କୋଟି ଟଙ୍କା ବ୍ୟୟରେ ଭୂତଳ ପାଇପ ଲାଇନ ବଣ୍ଟନ ବ୍ୟବସ୍ଥାର ଭିତ୍ତି ପ୍ରସ୍ତର ସ୍ଥାପନ କରାଯାଇଛି। ଏହା ଦ୍ୱାରା ୯୨୫୪ ଏକର ଜମିକୁ ଜଳସେଚନ ଯୋଗାଇ ଦିଆଯାଇ ପାରିବ। ସେହିପରି ୩ ବ୍ଲକର ୪୯ ଗ୍ରାମର ୧.୫ଲକ୍ଷ ଲୋକ ଉପକୃତ ହେବେ। ଏହା ସହିତ ୫ କ୍ଷୁଦ୍ର ଜଳସେଚନ ପ୍ରକଳ୍ପର ଜଳକୁ ଭୂତଳ ପାଇପଲାଇନ ଦ୍ୱାରା ବଣ୍ଟନ ବ୍ୟବସ୍ଥାର ଲୋକାର୍ପଣ ମଧ୍ୟ କରାଯାଇଛି।

ହାଡୁଆ ଡ୍ୟାମ ଏବଂ ଏହାର ଭୂତଳ ପାଇପ ଲାଇନ ବଣ୍ଟନ ବ୍ୟବସ୍ଥାର ମଧ୍ୟ ଭିତ୍ତି ପ୍ରସ୍ତର ସ୍ଥାପନ କରାଯାଇଛି। ଏହା ଦ୍ବାରା କଟକ ଜିଲ୍ଲାର ୮୬ ଗ୍ରାମର ୮୯୯୭ ଏକର ଚାଷ ଜମିକୁ ଜଳସେଚନ ଯୋଗାଇବା ସହିତ ୨୯୩ ଗ୍ରାମକୁ ପାନୀୟ ଜଳ ଯୋଗାଣ ଏବଂ ୧ ମେଗାୱାଟର ବିଦ୍ୟୁତ ଉତ୍ପାଦନର ଲକ୍ଷ୍ୟ ରଖାଯାଇଅଛି। ହାଡୁଆ ଡ୍ୟାମ ଏବଂ ଏହାର ଭୂତଳ ପାଇପ ଲାଇନ ବଣ୍ଟନ ବ୍ୟବସ୍ଥାର ବ୍ୟୟ ଅଟକଳ ଯଥାକ୍ରମେ ୨୬୫.୨୪ କୋଟି ଏବଂ ୧୯୫.୮୯ କୋଟି ଟଙ୍କା ରହିଛି। କଟକ ଡିମିରିଆ-ରାଉତପଡା ଅନ୍ତଃନଦୀ ଜଳାଶୟ ପ୍ରକଳ୍ପ, ବୈଦେଶ୍ୱର-ଗୋପିନାଥପୁର ଅନ୍ତଃନଦୀ ଜଳାଶୟ ପ୍ରକଳ୍ପ, ନବରଙ୍ଗପୁର ଫଟକି ଅନ୍ତଃନଦୀ ଜଳାଶୟ ପ୍ରକଳ୍ପ ଏପରି ୩ ଅନ୍ତଃନଦୀ ଜଳାଶୟ ପ୍ରକଳ୍ପ ସହିତ ୩୯ କ୍ଷୁଦ୍ର ଜଳସେଚନ ପ୍ରକଳ୍ପର ଭୂତଳ ପାଇପଲାଇନ ଏବଂ ଅନ୍ୟାନ୍ୟ ପ୍ରକଳ୍ପର ଭିତ୍ତି ପ୍ରସ୍ତର ସ୍ଥାପନ କରାଯାଇଛି।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଚାଷୀଙ୍କ ପାଇଁ ବିନା ସୁଧରେ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ, ମାଗଣାରେ ଫସଲବୀମା ସୁବିଧା, ଚାଷୀପିଲାଙ୍କ ପାଇଁ କାଳିଆ ଛାତ୍ରବୃତ୍ତି ଓ ଅନେକ ଯୋଜନା କାର୍ଯ୍ୟକାରୀ କରାଯାଉଛି। ଆମ ଓଡିଶା ନବୀନ ଓଡିଶା, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଓ ଲକ୍ଷ୍ମୀ ପରି ଯୋଜନା ସହିତ ଚାଷୀ ପରିବାର ଯୋଡି ହୋଇ ରହିଛନ୍ତି ବୋଲି ସେ କହିଥିଲେ। ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଚାଷୀ ଆମ ଅର୍ଥନୀତିର ସାରଥି। ସେମାନଙ୍କୁ ସାଥିରେ ଧରି ମୁଁ ସବୁବେଳେ ରହିଛି । ସେମାନଙ୍କ ପାଇଁ କାମ କରୁଛି ଓ କରୁଥିବି।

କାର୍ଯ୍ୟକ୍ରମରେ  ବଲାଙ୍ଗିର ପାଟଣାଗଡରେ ଉପସ୍ଥିତ ଜଳ ସମ୍ପଦ ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ କହିଲେ ଯେ ମୁଖ୍ୟମନ୍ତ୍ରୀ ସଂକଳ୍ପବଦ୍ଧ ଭାବେ ଓଡିଶାର ବିକାଶକୁ ଆଗେଇ ନେଉଛନ୍ତି। ପ୍ରତ୍ୟେକ ଚାଷୀଙ୍କ ଜମିକୁ ଯେପରି ପର୍ଯ୍ୟାପ୍ତ ପରିମାଣର ପାଣି ପହଞ୍ଚିବ ସେ ଦିଗରେ ନିରବଚ୍ଛିନ୍ନ ଭାବରେ କାର୍ଯ୍ୟ କରିବା ପାଇଁ ମୁଖ୍ୟମନ୍ତ୍ରୀ ଜଳ ସମ୍ପଦ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି ବୋଲି କହି ଆଜି ରାଜ୍ୟର ଚାଷୀ ଭାଇଭଉଣୀଙ୍କ ବିକାଶ ପଥରେ ଆଉ ଏକ ନୂଆ ଫର୍ଦ୍ଦ ଯୋଡି ହେଲା ବୋଲି ସେ କହିଥିଲେ।

କାର୍ଯ୍ୟକ୍ରମକୁ ୫ଟି ତଥା ନବୀନ ଓଡିଶା ଅଧ୍ୟକ୍ଷ ଭିକେ ପାଣ୍ଡିଆନ ସଂଯୋଜନା କରିଥିଲେ। ଏନେଇ ସେ କହିଥିଲେ ଯେ ମୁଖ୍ୟମନ୍ତ୍ରୀ କଥାରେ ନୁହେଁ, କାମରେ ବିଶ୍ୱାସ କରନ୍ତି। ସେ ଯାହା କଥା ଦେଇଛନ୍ତି, ତାହା ନିଶ୍ଚୟ ପୂରଣ କରିବେ। ତାଙ୍କ ଜିଲ୍ଲା ଗସ୍ତ ସମୟରେ ଜଳସେଚନ ଉପରେ ଯେଉଁ ସବୁ ସମସ୍ୟା ବାବଦରେ ଅଭିଯୋଗ ଆସିଥିଲା, ସେଥିମଧ୍ୟରୁ ପ୍ରାୟ ୮୦ ପ୍ରତିଶତ ସମାଧାନ ହୋଇ ସାରିଛି। ଶନିବାର ଭିତ୍ତି ପ୍ରସ୍ତର ଦିଆଯାଇଥିବା ପ୍ରକଳ୍ପ ପାଇଁ ସମସ୍ତଙ୍କ ସହଯୋଗ ମିଳିଲେ କାମ ଖୁବ୍ ଶୀଘ୍ର ଶେଷ ହେବ। ନୟାଗଡ ଜିଲ୍ଲାବାସୀଙ୍କୁ ଉଦ୍‌ବୋଧନ ଦେଇ କହିଥିଲେ ଯେ ପୁରୀ ଶ୍ରୀମନ୍ଦିର ଠାରୁ ଆରମ୍ଭ କରି ସମଲେଇ ମନ୍ଦିର ପର୍ଯ୍ୟନ୍ତ ରୂପାନ୍ତରଣ କାର୍ଯ୍ୟ କରାଯାଇଛି। ଖୁବ୍‌ ଶୀଘ୍ର କଣ୍ଟିଲୋ ନୀଳମାଧବ ପୀଠର ରୂପାନ୍ତରଣ କାମ ଶେଷ ହୋଇ ଲୋକାର୍ପିତ ହେବ।

କାର୍ଯ୍ୟକ୍ରମରେ ରାୟଗଡା ଠାରେ ଉପସ୍ଥିତ ଅନୁସୂଚିତ ଜନଜାତି ଏବଂ ଜାତି ଉନ୍ନୟନ ମନ୍ତ୍ରୀ ଜଗନ୍ନାଥ ସାରକା, ବଡମ୍ବା ଠାରେ ବିଧାୟକ ଦେବୀ ପ୍ରସାଦ ମିଶ୍ର, ନୟାଗଡ ଠାରେ ବିଧାୟକ ଡ. ଅରୁଣ କୁମାର ସାହୁ, କୁଚିଣ୍ଡା ଠାରେ ବିଧାୟକ କିଶୋର ଚନ୍ଦ୍ର ନାୟକ, ପାଟଣାଗଡ ଠାରେ ବିଧାୟକ ସରୋଜ କୁମାର ମେହେର, ନବରଙ୍ଗପୁର ଝରିଗାଁ ଠାରେ ସାଂସଦ ରମେଶ ଚନ୍ଦ୍ର ମାଝୀ ପ୍ରମୁଖ ଯୋଗ ଦେଇଥିଲେ। ଏବେ ଜଳସେଚନ ବିଭାଗ ଚାଷୀ କୂଳର ଜୀବନ ରେଖା ପାଲଟିଛି। ଚାଷୀର ଆୟ ବୃଦ୍ଧି ବିଷୟରେ ଚିନ୍ତା କରି ମୁଖ୍ୟମନ୍ତ୍ରୀ ଚାଷୀ କୂଳର ସାହାଭରଷା ପାଲଟିଛନ୍ତି। ପୂର୍ବରୁ ଗୋଟିଏ ପ୍ରକାର ଚାଷ ଉପରେ ନିର୍ଭର କରୁଥିବା ଚାଷୀ ଏବେ ଜଳସେଚନର ସୁବିଧା ଦ୍ୱାରା ବିଭିନ୍ନ ପ୍ରକାର ଚାଷ କରି ଅଧିକ ଲାଭବାନ ହେଉଛନ୍ତି। ଚାଷ କ୍ଷେତ୍ରରେ ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ଜଳସେଚନକୁ ପ୍ରାଥମିକତା ଦେଉଛନ୍ତି। କାର୍ଯ୍ୟକ୍ରମରେ ଉନ୍ନୟନ କମିଶନର ତଥା ଜଳ ସମ୍ପଦ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ସ୍ୱାଗତ ଭାଷଣ ଦେଇଥିବା ବେଳେ ବିଭାଗୀୟ ସର୍ବୋଚ୍ଚ ଯନ୍ତ୍ରୀ ଧନ୍ୟବାଦ ଅର୍ପଣ କରିଥିଲେ।