Odisha News: ପ୍ରଜାଶୂନ୍ୟ ଗାଁ ପଦ୍ମତୋଳା, ପଢନ୍ତୁ ଏହାର କିମ୍ବଦନ୍ତୀ
Advertisement
Article Detail0/zeeodisha/odisha1853704

Odisha News: ପ୍ରଜାଶୂନ୍ୟ ଗାଁ ପଦ୍ମତୋଳା, ପଢନ୍ତୁ ଏହାର କିମ୍ବଦନ୍ତୀ

Padmatola village:  ପଦ୍ମତୋଳା ଏକ ରାଜସ୍ୱ ଗାଁ ହୋଇରହିଛି । ଗାଁର ଗଉଁତିଆଙ୍କ ନାମରେ ୨୭ ଏକର ଜମି ରହିଛି । ଏହି ଜମିରୁ ଏମାନେ ଚାଷ ବାସ ସହିତ ଛେଳି ପାଳନ କରି ପରିବାର ପ୍ରତିପୋଷଣ କରନ୍ତି । ଏବେ ସୁଦ୍ଧା ଚାଳ ଛପର ଝାଟି ମାଟି ଘରେ ଏମାନେ ବସବାସ କରୁଥିବା ଦେଖାଦେଇଛି । ଛେଳି ଚାଷ ଏମାନଙ୍କ ଆର୍ଥିକ ବୋଝ ମେଣ୍ଟାଉ ଥିବାବେଳେ ଧାନ ଚାଷ ଏମାନଙ୍କ ଜୀବିକାର ଆଧାର ପାଲଟିଛି । 

Odisha News: ପ୍ରଜାଶୂନ୍ୟ ଗାଁ ପଦ୍ମତୋଳା, ପଢନ୍ତୁ ଏହାର କିମ୍ବଦନ୍ତୀ

Padmatola village: ଗାଁ ଅଛି ନାଁ ବି ଅଛି । ଏଠାରେ ଯିଏ ରାଜା ସିଏ ପ୍ରଜା । ଏମିତି ଏକ ପ୍ରଜାଶୂନ୍ୟ ରାଜସ୍ୱ ଗାଁ ହେଉଛି ପଦ୍ମତୋଳା । କାଚିଂ ରାଜଜେମା ପଦ୍ମାବତୀଙ୍କ ଐତିହ୍ୟ ସହିତ ଜଡିତ ଏହି ଗାଁରେ ୪ ପୁରୁଷ ଧରି ଏକମାତ୍ର ଆଦିବାସୀ ସମ୍ପ୍ରଦାୟ ପରିବାର ବସବାସ କରିଆସୁଛନ୍ତି । ସାତକୋଶିଆ ବ୍ୟାଘ୍ର ସଂରକ୍ଷଣ ଅଭୟାରଣ୍ୟ ମଧ୍ୟ ଭାଗରେ ଅବସ୍ଥିତ ପ୍ରଜା ବିହିନୀ ଗାଁ ପଦ୍ମତୋଳା ଆଜି ଅଲୋଡା ହୋଇପଡିଛି । ସେପଟେ ପଦ୍ମାବତୀଙ୍କ ନାମରେ ରହିଥିବା ପଦ୍ମ ପୁଷ୍କରଣୀ ତାର ପରିଚୟ ଖୋଜୁଛି । ଏପରି ଏକ ଐତିହାସିକ ସ୍ଥାନର ବିକାଶ ସରକାରଙ୍କ ଦୃଷ୍ଟି ଆଢୁଆଳରେ ରହିଯିବା ସମସ୍ତଙ୍କୁ ବ୍ୟଥିତ କରିଛି ।

କେଉଁଠି ଅବସ୍ଥିତ ପଦ୍ମତୋଳା

ପଦ୍ମତୋଳା ଗାଁ କୁଶଙ୍ଗ ପଂଚାୟତ ସଦର ମହକୁମାରୁ ୧୯ କିଲୋମିଟର ଦୂରରେ ଅବସ୍ଥିତ । ଯାହାକି ସାତକୋଶିଆ ବ୍ୟାଘ୍ରପ୍ରକଳ୍ପ କୋରଏରିଆରେ ରହିଛି । ପଦ୍ମତୋଳାରେ ବର୍ତ୍ତମାନ ସ୍ୱର୍ଗତ ରାହାସ ପ୍ରଧାନଙ୍କ ତିନି ପୁଅ ଉତମ, ସୁରେନ୍ଦ୍ର ଓ ଶ୍ରୀଧରଙ୍କ ପରିବାର ବସବାସ କରନ୍ତି । ଏମାନଙ୍କ ବ୍ୟତୀତ ଗାଁରେ ଅନ୍ୟ କେହି ପ୍ରଜା ନାହିଁନ୍ତି । ବାପା, ଜେଜେବାପା,ତାଙ୍କ ବାପା ଅମଳରୁ ୪ ପୁରୁଷ ଧରି ଗୋଟିଏ ପରିବାର ଏଠାରେ ବସବାସ କରୁଛନ୍ତି । ପ୍ରଜାଶୂନ୍ୟ ଗାଁରେ ଏମାନେ ଏକାନ୍ତରେ ଅଭୟାରଣ୍ୟ ମଧ୍ୟରେ କାହିଁ କେଉଁ କାଳରୁ ବସତି ସ୍ଥାପନ କରିଆସୁଛନ୍ତି । ଅଭୟାରଣ୍ୟ କଟକଣା ସତ୍ୱେ ଏଠାରୁ ସେମାନଙ୍କୁ ବିସ୍ଥାପିତ ପାଇଁ ବହୁବାର ଚେଷ୍ଟା ସତ୍ୱେ ଏମାନେ ଆଉ କୌଣସି ସ୍ଥାନକୁ ଯିବାକୁ ମନବଳାଇନାହିାଁନ୍ତି ।

ଅଲୋଡା ପଦ୍ମତୋଳା ପୁଷ୍କରଣୀ

ସେପଟେ କାଂଚି ରାଜଜେମାଙ୍କ ସ୍ନାନ ପାଇଁ ଖୋଳାଯାଇଥିବା ଐତିହ୍ୟପୂର୍ଣ୍ଣ ପୁଷ୍କରଣୀଟି ନିଜ ପରିଚୟ ହରାଇବାକୁ ବସିଛି । ପୁଷ୍କରଣୀଟି ପଙ୍କରେ ପୋତି ହୋଇ ପଡିଥିବାବେଳେ ପଦ୍ମାବତୀଙ୍କ ପଦ୍ମ ସରୋବର ନିଜର ସୌନ୍ଦର୍ଯ୍ୟ ହରାଇଛି । ପୁଷ୍କରଣୀ ମଧ୍ୟରେ ଏକ ସୁଡଙ୍ଗ ରହିଛି । ପୋତି ହୋଇପଡିଥିବା ଅବସ୍ଥାରେ ଏକ ମନ୍ଦିର ରହିଥିବା କଥା ମଧ୍ୟ କୁହାଯାଉଛି । ସୁଡଙ୍ଗ ମଧ୍ୟ ଭାଗ ଦେଇ ମହାନଦୀ କୂଳରେ ଥିବା ବିନକେଇ ପୀଠରେ ବାହାରିବା ନିମନ୍ତେ ଏହା ନିର୍ମାଣ କରାଯାଇଥିଲା । କୁଶଙ୍ଗ –ଶିତଳପାଣି ଜଗନ୍ନାଥ ସଡକର ବିନିକେଇ ନିକଟସ୍ଥ ନଦୀ ମଝିରେ ଗୋଟିଏ ପଥର ଥିଲା । ସେହି ପଥରଟି ନଦୀଖଣ୍ଡିଠାରୁ ଅଧିକ ଉଚ୍ଚତାରେ ରହିଥିଲା । ଯାହାର ନାମ ଥିଲା ‘ଡାକପଥର । ଡାକପଥରରେ ଚୁମ୍ବକୀୟ ଶକ୍ତି ଥିବାରୁ ମହାନଦୀରେ ନୌବାଣିଜ୍ୟ ସମୟରେ ଅନେକ ଡଙ୍ଗା ଏହି ପଥରରେ ମାଡ଼ ହୋଇ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଶୁଣିବାକୁ ମିଳେ । ବଜ୍ରାଘାତରେ ଡାକପଥରଟି ବର୍ତ୍ତମାନ ଖଣ୍ଡବିଖଣ୍ଡିତ ହୋଇପଡିଛି । ଏହି ପଥରକୁ ଠାବ କରି ରାଜକର୍ମଚାରୀମାନେ ସେତେବେଳେ ଜଗନ୍ନାଥ ସଡକରେ ଆସି ପଦ୍ମାବତୀଙ୍କୁ ସଙ୍ଗରେ ଧରି ଅଭୟାରଣ୍ୟ ମଧ୍ୟରେ ପ୍ରବେଶ କରିଥିଲେ । ରାଣୀ ପଦ୍ମାବତୀକୁ ନେଇ ପଦ୍ମତୋଳାରେ ଗୁପ୍ତଭାବେ ଲୁଚାଇ ରଖିଥିବା କୁହାଯାଏ । ଡାକପଥରଠାରୁ ପଦ୍ମତୋଳା ପୁଷ୍କରଣୀ ପର୍ଯ୍ୟନ୍ତ ଏକ ସୁଡଙ୍ଗ ନିର୍ମାଣ କରାଯାଇଥିଲା । ଉକ୍ତ ସୁଡଙ୍ଗ ରାସ୍ତାରେ ସେତେବେଳେ ମନ୍ତ୍ରୀମାନେ ଆସି ରାଜଜେମା ପଦ୍ମାବତୀଙ୍କୁ ନେଇ ପୁରୀ ଯାଇଥିବା ମଧ୍ୟ କୁହାଯାଏ । ସୁଡଙ୍ଗ ରାସ୍ତାଟି ପୋତି ହୋଇ ପୁଷ୍କରଣୀ ସହିତ ବର୍ତ୍ତମାନ ମିଶିଯାଇଛି । ସୁଡଙ୍ଗଟି ପୁଷ୍କରଣୀ ମଧ୍ୟ ଭାଗରେ ରହିଥିବାବେଳେ ଏଠାରେ ଅଘଟଣକୁ ଦୃଷ୍ଟିରେ ରଖି କେହି ପୁଷ୍କରଣୀ ମଧ୍ୟଭାଗକୁ ଯିବାକୁ ଏବେ ସୁଦ୍ଧା ଭୟ କରୁଥିବା ଜଣାଯାଏ ।

ପଦ୍ମତୋଳାର କିମ୍ବଦନ୍ତୀ

ପଦ୍ମଫୁଲରେ ପରିପୂର୍ଣ୍ଣ ପୁଷ୍କରଣୀ ପଦ୍ମତୋଳା ନାମରେ ନାମିତ ରହିଛି । ପଦ୍ମାବତୀଙ୍କ ଅଭୟାରଣ୍ୟ ମଧ୍ୟରେ ବାସ କରିବା ସମୟରେ ସେଠାରେ ପିତାବଳୀ, ବାନ୍ଦରୀ, ବଇଁଝାରୀ, ବାମଦେଇ, ପଛଭୂଇଁଆଣୀ ଭଳି ଦେବୀଙ୍କ ପୂଜାର୍ଚ୍ଚନା କରୁଥିଲେ । ଦେବୀମାନଙ୍କ ପୂଜାର୍ଚ୍ଚନା ପାଇଁ ଜଣେ ଆଦିବାସୀ ସମ୍ପ୍ରଦାୟର ପୂଜକ ନିୟୋଜିତ ହୋଇଥିଲେ । ଦେବୀଙ୍କ ପୂଜାର୍ଚ୍ଚନା କରିବା ସହିତ କାଳକ୍ରମେ ସେଠାରେ ପୂଜକ ପରିବାର ବସବାସ କରୁଥିବା ଜଣାଯାଏ । ସ୍ୱର୍ଗତ ବାଳକୃଷ୍ଣ ପ୍ରଧାନ ତାଙ୍କ ପୁଅ ଦେବରାଜ ପ୍ରଧାନ ତାଙ୍କ ପୁଅ ରାହସ ପ୍ରଧାନଙ୍କ ସ୍ୱାର୍ଗାଆହୋରଣ ପରେ ବର୍ତ୍ତମାନ ରାହସଙ୍କ ତିନି ପୁଅ ଉତମ ପ୍ରଧାନ, ସୁରେନ୍ଦ୍ର ଓ ଶ୍ରୀଧର ସେଠାରେ ବସବାସ କରୁଛନ୍ତି । ଏମାନଙ୍କ ତିନି ଭାଇ ବ୍ୟତୀତ ସେଠାରେ କୌଣସି ପ୍ରଜା ପରିବାର ପୂର୍ବରୁ କିମ୍ବା ଏବେ ବସବାସ କରୁନଥିବା ଜଣାପଡିଛି ।

ରାଜସ୍ୱ ଗାଁ ପଦ୍ମତୋଳା

ପଦ୍ମତୋଳା ଏକ ରାଜସ୍ୱ ଗାଁ ହୋଇରହିଛି । ଗାଁର ଗଉଁତିଆଙ୍କ ନାମରେ ୨୭ ଏକର ଜମି ରହିଛି । ଏହି ଜମିରୁ ଏମାନେ ଚାଷ ବାସ ସହିତ ଛେଳି ପାଳନ କରି ପରିବାର ପ୍ରତିପୋଷଣ କରନ୍ତି । ଏବେ ସୁଦ୍ଧା ଚାଳ ଛପର ଝାଟି ମାଟି ଘରେ ଏମାନେ ବସବାସ କରୁଥିବା ଦେଖାଦେଇଛି । ଛେଳି ଚାଷ ଏମାନଙ୍କ ଆର୍ଥିକ ବୋଝ ମେଣ୍ଟାଉ ଥିବାବେଳେ ଧାନ ଚାଷ ଏମାନଙ୍କ ଜୀବିକାର ଆଧାର ପାଲଟିଛି । ସରକାରୀ ସୁବିଧା ସୁଯୋଗରୁ ବଂଚିତ ହୋଇରହିଛ୍‌ନ୍ତି ପ୍ରଜାଶୂନ୍ୟ ଗାଁର ଉତ୍ତରଅଧିକାରୀ । ଏମାନଙ୍କ ପାଇଁ ଅଭୟାରଣ୍ୟ କଟକଣା କଂଟା ସାଜିଛି । ସେମାନଙ୍କ ଧାନଚାଷ ଜମିରେ ଲୁହାତାର ବାଡ ଦେଇ ଘାସ ପଡିଆ ଅଭୟାରଣ୍ୟ ବିଭାଗ ନିର୍ମାଣ କରିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ଅନ୍ୟପଟେ, ଅଭୟାରଣ୍ୟ ବିକାଶ ନାଁରେ ସେଠାରେ ଏକ ଫରେଷ୍ଟ ବିଟ୍ ହାଉସ ଓ ଓାଚଟାର ସହିତ ଦୁଇଟି ଓାଲେଶ ଟାଓାର ନିର୍ମାଣ କରାଯାଇଛି । ପ୍ରତିବର୍ଷ ପୁଷ୍କରଣୀ ଉନ୍ନତିକରଣ ନାଁରେ ଅଭୟାରଣ୍ୟ ବିଭାଗ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରୁଥିବାବେଳେ ଖରାଦିନେ ପାଣି ନଥିବା ଦେଖିବାକୁ ମିଳିଛି । ଅଭୟାରଣ୍ୟ ମଧ୍ୟରେ ରହିଥିବା ଏଭଳି ଏକ ଐତିହ୍ୟ ସୌନ୍ଦଯ୍ୟପୂର୍ଣ୍ଣ ସ୍ଥାନର ପର୍ଯ୍ୟଟନ ବିକାଶ ଘଟିଲେ ରାଣୀ ପଦ୍ମବାତୀ ଗୁପ୍ତ ଆଶ୍ରୟସ୍ଥଳ ଏକ ନୂତନ ପରିଚୟ ସୃଷ୍ଟି କରିପାରନ୍ତା ।