Onion And Garlic Price Hike in Odisha: ପରିବା ବଜାରରେ ନିଆଁ। ଗତକିଛି ଦିନତଳେ ଆଳୁ ଦର ଆକାଶ ଛୁଆଁ ଥିବା ବେଳେ ଏବେ ଖାଉଟିଙ୍କୁ କନ୍ଦାଉଛି ରସୁଣ ଓ ପିଆଜ। ଏବେ ପିଆଜ, ରସୁଣ ଓ ଅଦା କିଣିବାକୁ ଭୟ କଲେଣୀ ଲୋକେ। ବିଶେଷକରି, ଗରିବ ଓ ମଧ୍ୟବିତ ଲୋକଙ୍କ ହାଣ୍ତିଶାଳରୁ ଗାଏବ ହେଲାଣୀ ପିଆଜ, ରସୁଣ ଓ ଅଦା।
ତାଜା ସୂଚନା ଅନୁସାରେ, ବ୍ରହ୍ମପୁର, କଟକ ଓ ଭୁବନେଶ୍ବର ସମେତ ରାଜ୍ୟର ପ୍ରମୁଖ ସହର ଗୁଡିକରେ ରସୁଣ ଓ ପିଆଜ ଦର ଆକାଶ ଛୁଆଁ ହେଲାଣୀ। ବ୍ରହ୍ମପୁରରେ ପିଆଜ କେଜି ୫୫ ବିକ୍ରି ହେଉଥିବା ବେଳେ ରସୁଣ କେଜି ୪୦୦ ଟଙ୍କା ରହିଛି। ସେହିପରି, ଭୁବନେଶ୍ବରରେ ପିଆଜ ମୂଲ୍ୟ କିଲୋ ପିଛା ୬୦ କୁ ବୃଦ୍ଧି ପାଇଛି। ଏବଂ ରସୁଣ କିଲୋ ୩୦୦ ରୁ ୩୫୦ ଟଙ୍କା ବିକ୍ରି ହେଉଛି। ଗତକିଛି ଦିନ ତଳେ ଆଳୁ ଦର ଲୋକଙ୍କୁ ଚିନ୍ତାରେ ପକାଇଥିବା ବେଳେ ଏବେ ପିଆଜ , ଅଦା ଓ ରସୁଣ ଲୋକଙ୍କୁ ପୁଣି ଥରେ ସମସ୍ୟାରେ ପକାଇଛି। ବର୍ଷା ଯୋଗୁଁ ନାସିକ୍ ରୁ ପିଆଜ ଯୋଗାଣ ବିଳମ୍ବ ହେଉଛି। ଯାହା ଫଳର ଦର ବୃଦ୍ଧି ପାଉଛି ବୋଲି ଆଶଙ୍କା କରାଯାଉଛି।
ଓଡିଆ ଖାଦ୍ୟରେ ନିତି ଦିନିଆ ମସଲା ଭାବେ ବ୍ୟବହୃତ ହେଉଥିବା ଅଦା, ରସୁଣ ଓ ପିଆଜର ଦର ବୃଦ୍ଧିର ପ୍ରଭାବ ଏବେ ହାଣ୍ତିଶାଳ ଠାରୁ ଆରମ୍ଭ କରି ହୋଟେଲ୍ ପର୍ଯ୍ୟନ୍ତ ସବୁଠି ଦେଖିବାକୁ ମିଳୁଛି। ବଜାରରେ ଯଥେଷ୍ଟ ପରିମାଣରେ ମହଜୁଦ୍ ଥିଲେ ମଧ୍ୟ ଉଚ୍ଚା ଦର ଖାଉଟିଙ୍କ ମନ ଖଟା କରି ଦେଉଛି। ଦର ବୃଦ୍ଧି ଯୋଗୁଁ କେବଳ ଖାଉଟି ନୁହେଁ, ଖୁଚୁରା ବ୍ୟବସାୟୀମାନେ କ୍ଷତି ସହୁଛନ୍ତି। ତେବେ, ଦେଖିବାକୁ ବାକି ରହିଲା ସରକାର ଦର ନିୟନ୍ତ୍ରଣ କେବେ କରୁଛନ୍ତି।