BJD MLA: କୁଆଡ଼େ ଯିବେ ଏହି ଯୁବନେତା, କାହାକୁ କରିବେ ସାରଥୀ
Advertisement
Article Detail0/zeeodisha/odisha2482969

BJD MLA: କୁଆଡ଼େ ଯିବେ ଏହି ଯୁବନେତା, କାହାକୁ କରିବେ ସାରଥୀ

ଭୁବନେଶ୍ୱର: ବାପା ଥିଲେ ମହାରଥୀ। ପୁଅମାନେ ବାପାଙ୍କ ରାଜନୀତିକ ରାସ୍ତାକୁ ଆପଣାଇ ଶରଣ ପଶିଥିଲେ କଟୁଆଳଙ୍କର। ଏବେ ନା କଟୁଆଳ ଅଛନ୍ତି ନା ବାପା।  ନା କ୍ଷମତା ଅଛି ନା ସମ୍ମାନ।  ଏଣୁ କେଉଁ କୂଳର ହେବେ, କୁଆଡ଼କୁ ଯିବେ ସେ  ଚିନ୍ତାରେ। ବିଜେଡିରେ ଏକଦା କ୍ଷମତାଶାଳୀ ଥିବା ମନ୍ତ୍ରୀ ବାପାଙ୍କ ପୁଅମାନଙ୍କ ଅବସ୍ଥା ଠିକ୍‍ ଏମିତି ହୋଇଛି

BJD MLA: କୁଆଡ଼େ ଯିବେ ଏହି ଯୁବନେତା, କାହାକୁ କରିବେ ସାରଥୀ

BJD MLA: ଭୁବନେଶ୍ୱର: ବାପା ଥିଲେ ମହାରଥୀ। ପୁଅମାନେ ବାପାଙ୍କ ରାଜନୀତିକ ରାସ୍ତାକୁ ଆପଣାଇ ଶରଣ ପଶିଥିଲେ କଟୁଆଳଙ୍କର। ଏବେ ନା କଟୁଆଳ ଅଛନ୍ତି ନା ବାପା।  ନା କ୍ଷମତା ଅଛି ନା ସମ୍ମାନ।  ଏଣୁ କେଉଁ କୂଳର ହେବେ, କୁଆଡ଼କୁ ଯିବେ ସେ  ଚିନ୍ତାରେ। ବିଜେଡିରେ ଏକଦା କ୍ଷମତାଶାଳୀ ଥିବା ମନ୍ତ୍ରୀ ବାପାଙ୍କ ପୁଅମାନଙ୍କ ଅବସ୍ଥା ଠିକ୍‍ ଏମିତି ହୋଇଛି। ଏଣୁ ଏକାଠି ବସି ଦାୟାଦ ବଞ୍ଚାଇବାକୁ ପ୍ରୟାସ କରୁଥିବା ଜଣାପଡ଼ିଛି। ଏହିକ୍ରମରେ ଏକ ଫଟୋ ସୋଶାଲ୍‍ ମିଡିଆରେ ଭାଇରାଲ ହେଉଛି, ଯାହା ସୂଚନା ଦେଉଛି ଯେ ଏହି ବାପା ଛେଉଣ୍ଡ ନେତାମାନେ ନିଜ ଓଜନ ବଢ଼ାଇବାକୁ ଏକାଠି ହୋଇଛନ୍ତି।

ଏହି ଫଟୋରେ ୭ଜଣ ପୂର୍ବତନ ବିଧାୟକଙ୍କୁ ଗୋଟିଏ ଟେବଲରେ ବସିଥିବା ଲକ୍ଷ୍ୟ କରାଯାଇଛି।  ଭୁବନେଶ୍ୱରର କୌଣସି ଏକ ହୋଟେଲରେ ଏମାନେ ଏକାଠି ବସି ଗପସପ ହେଉଛନ୍ତି। ଏଥିରେ ରହିଛନ୍ତି, ଆନନ୍ଦ ଆଚାର୍ଯ୍ୟଙ୍କ ପୁଅ ଦେବେଶ ଆଚାର୍ଯ୍ୟ, କଳ୍ପତରୁ ଦାସଙ୍କ ପୁଅ ପ୍ରଣବ ବଳବନ୍ତ ରାୟ, ବିଜୟଶ୍ରୀ ରାଉତରାୟଙ୍କ ପୁଅ ବିଷ୍ଣୁବ୍ରତ ରାଉତରାୟ, ଡା ଦାମୋଦର ରାଉତଙ୍କ ପୁଅ ସମ୍ବିତ ରାଉତରାୟ, କାଳନ୍ଦୀ ବେହେରାଙ୍କ ପୁଅ ଚନ୍ଦ୍ରସାରଥୀ, ପ୍ରଦୀପ ମହାରଥୀଙ୍କ ପୁଅ ରୁଦ୍ର ମହାରଥୀ ଏବଂ ନଳିନୀ ମହାନ୍ତିଙ୍କ ପୁଅ ଅଂଶୁମାନ ମହାନ୍ତି। ଏ ସମସ୍ତେ ଏକଦା ବିଧାୟକ ଥିଲେ। ବାପାମାନଙ୍କ ଅବସାନ ପରେ ଏମାନେ ତାଙ୍କଦ୍ୱାରା ତିଆରି କରାଯାଇଥିବା ଲୋକପ୍ରିୟତାର ଗଡ଼କୁ ସମ୍ଭାଳିବା ଲାଗି ବିଜେଡିରେ ଯୋଗ ଦେଇଥିଲେ। କିନ୍ତୁ ଏମାନଙ୍କର ଦଳୀୟ ସଭାପତି  ନବୀନ ପଟ୍ଟନାୟକଙ୍କ ସହ କୌଣସି ସିଧାସଳଖ ସମ୍ପର୍କ ନଥିଲା, ବରଂ ତତ୍‍କାଳୀନ ମୁଖ୍ୟମନ୍ତ୍ରୀଙ୍କ ସଚିବ ତଥା ବିଜେଡିରେ ଏବେ ନୀରବ ଥିବାପରି ଜଣାପଡ଼ୁଥିବା ଭିକେ ପାଣ୍ଡିଆନ ଦ୍ୱାରା ଏମାନେ ଦଳରେ ଯୋଗ ଦେଇ ଟିକଟ ପାଇଥିଲା।  ସେତେବେଳେ ଭିକେ ପାଣ୍ଡିଆନ ଦଳର ଏକ ପ୍ରକାର ମୁଖିଆ ଥିଲେ। ଯାହାକୁ କିଛି ମିଡିଆ ନବୀନଙ୍କ କା’ ବୋଲି ବି ଉଲ୍ଲେଖ କରିଛନ୍ତି ଆଉ କିଛି ମିଡିଆରେ ତାଙ୍କୁ କଟୁଆଳ ବୋଲି ବି ସୂଚିତ କରାଯାଇଛି। ଅର୍ଥାତ୍‍ ସେ ଯାହା ଚାହୁଁଥିଲେ ଦଳରେ ସେଇଆ ହେଉଥିଲା। ସେଥିଲାଗି କିଛି ନେତାଙ୍କ ଚେର ଛାଦନ ପାଇଁ ତାଙ୍କ ନିର୍ବାଚନ ମଣ୍ଡଳୀ କଟାଯାଇଥିଲା ଆଉ କିଛି ନେତାଙ୍କୁ ବିଧାନସଭା ବଦଳରେ ସାଂସଦ ପଦ ଦିଆଯାଇଥିଲା।

ହେଲେ ଆଜି ଆଉ ସେ ସମୟ ନାହିଁ। ଏମାନଙ୍କ ପରାଜୟ ଦ୍ୱାରା ବିଜେଡି ଆଉ ଶାସନରେ ନାହିଁ। ଦଳରେ କନ୍ଦଳ ଲାଗି ରହିଛି। ପ୍ରତି ଦିନ ପୁରୁଖା ଓ ଅସନ୍ତୁଷ୍ଟ ନେତାମାନେ ବିଷୋଦ୍‍ଗାର କରୁଛନ୍ତି। ଦଳର ସୁପ୍ରିମୋ ଏ ନେଇ ନୀରବତା ଅବଲମ୍ବନ କରୁଛନ୍ତି। ଶ୍ରୀ ପାଣ୍ଡିଆନ୍‍ ନୀରବ ଥିଲେ ବି ତାଙ୍କରି ଇସାରାରେ ବିଜେଡି ନୀତି ସ୍ଥିର ହେଉଛି ବୋଲି ଅଭିଯୋଗ ହେଉଛି। ଏପରି କ୍ଷେତ୍ରରେ ପାଣ୍ଡିଆନଙ୍କୁ ବିରୋଧ କରି ପୁରୁଖା ନେତାମାନେ ବିଜେଡି ଛାଡ଼ି ଆଉ ଏକ ଦଳ ଗଠନ କରିବେ ବୋଲି ଚର୍ଚ୍ଚା ବି ହେଉଛି। ଏଥିରେ ପାଣ୍ଡିଆନଙ୍କ ଗୋଷ୍ଠୀ ଆତଙ୍କିତ ହୋଇ ବିଜେଡି ପାଣ୍ଠିକୁ ଭାଗ କରିବା ଲାଗି ଆଗୁଆ ସଜବାଜ ହେଉଥିବା ଖବର ବି ସାମ୍ନାକୁ ଆସିଛି। ଏହି କ୍ଷେତ୍ରରେ ଏହି ଯୁବ ନେତାମାନଙ୍କ ବୈଠକ ତଥା ମେଳି ଆଗକୁ ଏକ ନୂଆ ରାଜନୀତିକ ସମୀକରଣ ଆଡ଼କୁ ମଧ୍ୟ ଇଙ୍ଗିତ କରୁଛି।

ଏହି ସବୁ ଯୁବନେତାଙ୍କ ମଧ୍‍ୟରୁ କେବଳ ଅଂଶୁମାନଙ୍କୁ ଛାଡ଼ି ଦେଲେ ସମସ୍ତଙ୍କ ବାପାମାନେ ଏକଦା ରାଜ୍ୟର ମନ୍ତ୍ରୀ ପଦ ସମ୍ଭାଳିଛନ୍ତି। ଏପରିକି ସେମାନେ ବିଜେଡିର ପୁରୁଖା ସଦସ୍ୟଭାବେ ଗଣାଯାଆନ୍ତି। ତାଙ୍କରି ଇସାରାରେ ଏକଦା ନବୀନ ବି ପରିଚାଳିତ ହେଉଥିଲେ, ତାଙ୍କୁ ଦିନେ ଟିକଟ ବାଣ୍ଟିବା ଦାୟିତ୍ବ ମିଳିଥିଲା। ହେଲେ ସେହି ବାପାଙ୍କ ପୁଅମାନେ ଆଜି ଟିକଟ ଖଣ୍ଡେ ପାଇଁ ଏ ଦୁଆର ସେ ଦୁଆର ହେବାକୁ ଅତୀତରେ ବାଧ୍ୟ ହୋଇଛନ୍ତି। 

 ସେହି ବାପା ମାନଙ୍କୁ ରାଜନୀତିକ ଭାବେ ଅସ୍ତ୍ରଶୂନ୍ୟ କରିବା ଲାଗି ଶ୍ରୀ ପାଣ୍ଡିଆନ୍‍ ତାଙ୍କୁ ଟିକଟ କାଟି ପୁଅମାନଙ୍କୁ ଟିକଟ ଦେଇଥିବା ମଧ୍ୟ ଅଭିଯୋଗ ହୋଇଛି।  ଆଜି ଏହି ଟାଣୁଆ ବାପାମାନେ ଆଉ ନାହାନ୍ତି। ସେମାନେ ସ୍ୱର୍ଗବାସୀ। ସେମାନଙ୍କ ଆବର୍ତ୍ତମାନରେ ଏବେ ଏହି ଯୁବନେତାମାନେ କରିବେ କ’ଣ? ନା ଦଳର ସଭାପତିଙ୍କ ସହ ସିଧାସଳଖ ସମ୍ପର୍କ ରହିଛି ନା, ଯେଉଁ ମାଧ୍ୟମ ଦେଇ ସେମାନେ ଦଳରେ ପ୍ରବେଶ କରିଥିଲେ ସେ ଆଉ ତାଙ୍କୁ ପଚାରୁଛନ୍ତି। ଅନ୍ୟ ପଟେ କ୍ଷମତା ବି ନାହିଁ। ରାଜ୍ୟର ରାଜନୀତିକ ଭିତ୍ତିଭୂମି ବି ବଦଳିଛି। ଏବେ କାହାକୁ ଆଶ୍ରା କରିବେ ଏବଂ କେମିତି ୨୦୨୯ ପାଇଁ ପ୍ରସ୍ତୁତ ହେବେ ତାକୁ ନେଇ ଚିନ୍ତାରେ ଥିବା ଚର୍ଚ୍ଚା ହେଉଛି। 

ତେବେ ମେଳିରେ ଥିବା ଏହି ବିଧାୟକମାନେ ଏ ବିଷୟରେ କିଛି ସ୍ପଷ୍ଟ କରିନାହାନ୍ତି। ଏକ ଖବରକାଗଜରେ ସମ୍ବିତ କେବଳ ଏହାକୁ ଏକ ସୌଜନ୍ୟମୂଳକ ସାକ୍ଷାତ ବୋଲି କହିଥିବା ପ୍ରକାଶ ପାଇଛି। ବିଜୁ ଲିଗାସୀକୁ ଆଗକୁ ନେବା ପାଇଁ ସେମାନେ ଆଲୋଚନା କରିଥିବା ବିଷୟ ବି କହିଛନ୍ତି। ଏହା ସ୍ପଷ୍ଟ କରୁଛି ଯେଏହି ବୈଠକ ନିହାତି ଭାବେ ରାଜନୀତିକ ଥିଲା। ଯାହା ଦ୍ୱାରା ନେତାମାନେ ଏକାଠି ହୋଇ ନିଜର ମୂଲ୍ୟକୁ ବଢ଼ାଇବାକୁ ଚେଷ୍ଟା କରୁଥିବା ଚର୍ଚ୍ଚା ହେଉଛି।