IPL 2023: ଚେନ୍ନାଇକୁ ମାତ ଦେଇ ପଏଣ୍ଟ ଟେବୁଲ ଶୀର୍ଷରେ ରାଜସ୍ଥାନ
Advertisement
Article Detail0/zeeodisha/odisha1671255

IPL 2023: ଚେନ୍ନାଇକୁ ମାତ ଦେଇ ପଏଣ୍ଟ ଟେବୁଲ ଶୀର୍ଷରେ ରାଜସ୍ଥାନ

CSK vs RR Match Highlights: ଚଳିତ ଆଇପିଏଲ ସଂସ୍କରଣରେ ରାଜସ୍ଥାନ ରୟାଲ୍ସ ୫ ମ୍ୟାଚ ଖେଳି ପଞ୍ଚମ ବିଜୟ ପଞ୍ଜୀକରଣ କରିଛି। ଅନ୍ୟପଟେ ଚେନ୍ନାଇ ସୁପର କିଙ୍ଗ୍ସ ତୃତୀୟ ପରାଜୟ ସହିତ ୧୦ ପଏଣ୍ଟ ପାଇ ତୃତୀୟ ସ୍ଥାନକୁ ଖସି ଆସିଛି।

IPL 2023: ଚେନ୍ନାଇକୁ ମାତ ଦେଇ ପଏଣ୍ଟ ଟେବୁଲ ଶୀର୍ଷରେ ରାଜସ୍ଥାନ

CSK vs RR Match Results: ଗୁରୁବାର ଜୟପୁରର ସୱାଇ ମାନସିଂହ ଷ୍ଟାଡିୟମ ଠାରେ ଅନୁଷ୍ଠିତ ହୋଇଥିବା ମୁକାବିଲାରେ ରାଜସ୍ଥାନ ରୟାଲ୍ସ ପାଖରୁ ୩୨ ରନ ବ୍ୟବଧାନରେ ପରାସ୍ତ ହୋଇଛି ଚେନ୍ନାଇ ସୁପର କିଙ୍ଗ୍ସ। ଏହି ମୁକାବିଲାରେ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୫ ୱିକେଟ୍ ହରାଇ ୨୦୨ ରନ୍ ସଂଗ୍ରହ କରିଥିଲା ରାଜସ୍ଥାନ। ୨୦୩ ରନ ବିଦଜୟ ଲକ୍ଷ୍ୟକୁ ପିଛା କରି ଚେନ୍ନାଇ ଧାର୍ଯ୍ୟ ୨୦ ଓଭରରେ ୬ ୱିକେଟ୍ ହରାଇ ୧୭୦ ରନ୍ ସଂଗ୍ରହ କରିବାକୁ ସକ୍ଷମ ହୋଇଥିଲା । ରାଜସ୍ଥାନ ପାଇଁ ଯୁବ ଓପନର୍ ଯଶସ୍ୱୀ ଜୈସ୍ୱାଲ ବ୍ୟାଟ୍ ସହ ଚମତ୍କାର ପ୍ରଦର୍ଶନ କରିଥିଲେ। ସେ ୭୭ ରନ୍ ର ଏକ ଇନିଂସ ଖେଳିଥିଲେ।

ଚଳିତ ଆଇପିଏଲ ସଂସ୍କରଣରେ ରାଜସ୍ଥାନ ରୟାଲ୍ସ ୫ ମ୍ୟାଚ ଖେଳି ପଞ୍ଚମ ବିଜୟ ପଞ୍ଜୀକରଣ କରିଛି। ସଞ୍ଜୁ ସାମସାନଙ୍କ ଅଧିନାୟକତ୍ୱରେ ଦଳ ବର୍ତ୍ତମାନ ପର୍ଯ୍ୟନ୍ତ ୧୦ ପଏଣ୍ଟ ହାସଲ କରିବା ସହ ପୁନର୍ବାର ପଏଣ୍ଟ ଟେବୁଲ ଶୀର୍ଷରେ ପହଞ୍ଚିଛି। ଅନ୍ୟପଟେ ଚେନ୍ନାଇ ସୁପର କିଙ୍ଗ୍ସ ତୃତୀୟ ପରାଜୟ ବରଣ କରିଛି। ଭେଟେରାନ ମହେନ୍ଦ୍ର ସିଂହ ଧୋନୀଙ୍କ ନେତୃତ୍ୱରେ ଖେଳୁଥିବା ଦଳ ଏପର୍ଯ୍ୟନ୍ତ ୧୦ ପଏଣ୍ଟ ପାଇସାରିଛି। ବର୍ତ୍ତମାନ ଚେନ୍ନାଇ ତୃତୀୟ ସ୍ଥାନକୁ ଖସି ଆସିଛି। ଅନ୍ୟପଟେ ଗୁଜୁରାଟ ୧୦ ପଏଣ୍ଟ ସହିତ ଦ୍ୱିତୀୟ ସ୍ଥାନରେ ରହିଛି।

ଚେନ୍ନାଇ ପାଇଁ ଶିବମ୍ ଦୁବେ ସର୍ବାଧିକ ୫୨ ରନ୍ ସଂଗ୍ରହ କରିଥିଲେ। ସେ ୩୩ ବଲ ଖେଳି ୨ ଚୌକା ଏବଂ ୪ ଛକା ସହାୟତାରେ ୫୨ ରନ୍ ସ୍କୋର କରିଥିଲେ। ଦଳକୁ ପ୍ରାରମ୍ଭିକ ଝଟକା ଇନିଂସର ଷଷ୍ଠ ଓଭରର ଶେଷ ବଲରେ ଆସିଥିଲା ​​ଯେତେବେଳେ ଡିଭୋନ୍ କନୱେ (୮) ଆଡାମ ଜାମ୍ପା ପାଭିଲିୟନକୁ ପଠାଇ ଦେଇଥିଲେ। ଏହା ପରେ ରିତୁରାଜ ଗାଇକୱାଡ (୪୭) ଅର୍ଦ୍ଧ ଶତାବ୍ଦୀରୁ ବଞ୍ଚିତ ହୋଇଥିଲେ। ତାଙ୍କୁ ଜାମ୍ପା ପାଡ୍ଡିକଲଙ୍କ ହାତରେ କ୍ୟାଚ ଧରାଇ ଦେଇଥିଲେ। ଗାଇକୱାଡ ୫ ଚୌକା ଏବଂଲ ୧ ଛକା ସହାୟତାରେ ୨୯ ବଲ ଖେଳି ୪୭ ରନ୍ ସଂଗ୍ରହ କରିଥିଲେ। ଏହା ପରେ ଅଶ୍ୱିନ ଇନିଂସର ଏକାଦଶ ଓଭରରେ ଦୁଇଟି ଝଟକା ଦେଇଥିଲେ। ଅଶ୍ୱିନ,  ଅଜିଙ୍କ୍ୟ ରାହାଣେ (୧୫) ଏବଂ ଅମ୍ବାତି ରାୟୁଡୁଙ୍କୁ (୦)  ଶିକାର କରିଥିଲେ। ସଞ୍ଜୁ ସାମସନଙ୍କ ଦ୍ୱାରା ମୋଇନ ଅଲୀଙ୍କୁ ୱିକେଟ୍ ପଛରେ କ୍ୟାଚ ଆଉଟ କରାଇ ଦେଇଥିଲେ ଆଡାମ ଜାମ୍ପା। ଏହି କାରଣରୁ ଚେନ୍ନାଇ ସ୍କୋର ୫ ୱିକେଟ୍ ହରାଇ ୧୨୪ ହୋଇଯାଇଥିଲା। ଜାମ୍ପା ୨୨ ରନ୍ ବ୍ୟୟ କରି ତିନୋଟି ୱିକେଟ୍ ନେଇଥିଲେ। ଶେଷ ଓଭରରେ ବୋଲିଂ କରିବାକୁ ଆସିଥିବା କୁଲଦୀପ ଯାଦବ ମଧ୍ୟ ଗୋଟିଏ ୱିକେଟ୍ ନେଇଥିଲେ।

ଏହାପୂର୍ବରୁ ରାଜସ୍ଥାନ ରୟାଲ୍ସ ଅଧିନାୟକ ସଞ୍ଜୁ ସାମସନ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଦଳ ନିର୍ଦ୍ଧାରିତ ୨୦ ଓଭରରେ ୫ ୱିକେଟ୍ ହରାଇ ୨୦୨ ରନ୍ ସଂଗ୍ରହ କରିଥିଲା। ଓପନର ଯଶସ୍ୱୀ ଜୈସ୍ୱାଲ ଜୋସ ବଟଲରଙ୍କ ସହ ୮୬ ରନର ଏକ ଓପନିଂ ଭାଗିଦାରୀ କରିଥିଲେ। ଯେଉଁଥିରେ ବଟଲରଙ୍କ ଅବଦାନ ମାତ୍ର ୨୭ ରନ୍ ରହିଥିଲା। ରବୀନ୍ଦ୍ର ଜାଡେଜା ଇନିଂସର ନବମ ଓଭରରେ ଏହି ଭାଗିଦାରୀ ଭାଙ୍ଗିଥିଲେ ଏବଂ ବଟଲରଙ୍କୁ ଶିବମ୍ ଦୁବେଙ୍କ ହାତରେ କ୍ୟାଚ ଆଉଟ କରାଇଥିଲେ। ବଟଲର ୨୧ ବଲ ଖେଳି ୪ ଚୌକା ସହାୟତାରେ ୨୭ ରନ ସ୍କୋର କରିଥିଲେ। 

ଯୁବ ଓପନର୍ ଯଶସ୍ୱୀ ଜୈସ୍ୱାଲ ଚମତ୍କାର ପ୍ରଦର୍ଶନ କରିଥିଲେ। ଯଶସ୍ୱୀ ଜୈସ୍ୱାଲ ୪୩ ବଲ ଖେଳି ୮ ଚୌକା ଏବଂ ୪ ଛକା ସହାୟତାରେ ୭୭ ରନ୍ ସଂଗ୍ରହ କରିଥିଲେ। ତାଙ୍କ ବ୍ୟତୀତ ଧ୍ରୁଭ ଜୁରେଲ ୧୫ ବଲ ଖେଳି ୩ ଚୌକା ଏବଂ ୨ ଛକା ସହାୟତାରେ ୩୪ ରନ୍ ସଂଗ୍ରହ କରିଥିଲେ। ଦେବଦତ୍ତ ପାଡ୍ଡିକଲ ୧୩ ବଲ ଖେଳି ୫ ଚୌକା ସହାୟତାରେ ୨୭ ରନ୍ ସ୍କୋର କରିବା ପରେ ଅପରାଜିତ ଫେରିଥିଲେ। ତୁଷାର ଦେଶପାଣ୍ଡେ ୨ ୱିକେଟ୍ ନେଇଥିଲେ। ହେଲେ ତାଙ୍କର ବୋଲିଂ ମହଙ୍ଗା ବୋଲି ପ୍ରମାଣିତ ହୋଇଥିଲା ଏବଂ ସେ ୪୨ ରନ୍ ବ୍ୟୟ କରିଥିଲେ। ସେମାନଙ୍କ ବ୍ୟତୀତ ରବୀନ୍ଦ୍ର ଜାଡେଜା ଏବଂ ମହେଶ ଥିକ୍ଷାଣା ୧-୧ ୱିକେଟ୍ ନେଇଥିଲେ।