IPL 2022: ଧୋନିଙ୍କ ନୂଆ ରେକର୍ଡ, ଜାଣନ୍ତୁ କ'ଣ?
Advertisement
Article Detail0/zeeodisha/odisha1142286

IPL 2022: ଧୋନିଙ୍କ ନୂଆ ରେକର୍ଡ, ଜାଣନ୍ତୁ କ'ଣ?

IPL 2022: ଚେନ୍ନାଇ ସୁପରକିଙ୍ଗସର ପୂର୍ବତନ ଅଧିନାୟକ ତଥା ବର୍ତ୍ତମାନର ୱିକେଟ କିପର ବ୍ୟାଟ୍ସମ୍ୟାନ ମହେନ୍ଦ୍ର ସିଂ ଧୋନିଙ୍କ ନାମରେ ଏକ ନୂଆ ରେକର୍ଡ ଯୋଡ଼ି ହୋଇଛି ।

 

(ଫାଇଲ ଫଟୋ)

ନୂଆଦିଲ୍ଲୀ: ଚେନ୍ନାଇ ସୁପରକିଙ୍ଗସର ପୂର୍ବତନ ଅଧିନାୟକ ତଥା ବର୍ତ୍ତମାନର ୱିକେଟ କିପର ବ୍ୟାଟ୍ସମ୍ୟାନ ମହେନ୍ଦ୍ର ସିଂ ଧୋନିଙ୍କ ନାମରେ ଏକ ନୂଆ ରେକର୍ଡ ଯୋଡ଼ି ହୋଇଛି । ରବିବାର ଦିନ ଖେଳାଯାଇଥିବା ଚେନ୍ନାଇ ସୁପରକିଙ୍ଗସ ଓ ପଞ୍ଜାବ କିଙ୍ଗସ ବିପକ୍ଷ ମୁକାବିଲାରେ ଧୋନି ନିଜ ଟି-୨୦ କ୍ୟାରିୟରର ୩୫୦ତମ ମ୍ୟାଚ ଖେଳିଛନ୍ତି । ଧୋନି ମୁମ୍ୱାଇ ଇଣ୍ଡିଆନ୍ସର ଅଧିନାୟକ ରୋହିତ ଶର୍ମାଙ୍କ ପରେ ଦ୍ୱିତୀୟ ଭାରତୀୟ ଖେଳାଳି ଭାବେ ଏହି ସଫଳତା ହାସଲ କରିଛନ୍ତି ।

ଚେନ୍ନାଇ ସୁପର କିଙ୍ଗ୍ସର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନି ରବିବାର ଦିନ ମୁମ୍ବାଇର ବ୍ରାବୋର୍ନ ଷ୍ଟାଡିୟମରେ ପଞ୍ଜାବ କିଙ୍ଗସ ବିପକ୍ଷରେ ମୈଦାନକୁ ଓହ୍ଲାଇଥିଲେ । ଏହି ମୈଦାନକୁ ଓହ୍ଲାଇବା ବିଶେଷ ଖାସ ଥିଲା । କାରଣ ଏହି ମ୍ୟାଚ ଖେଳି ଧୋନି ୩୫୦ତମ ଟି-୨୦ ମ୍ୟାଚ ଖେଳିବାର ଗୌରବ ହାସଲ କରିଥିଲେ । ଏହି ସଫଳତା ହାସଲ କରିବାରେ ସେ ଦ୍ୱିତୀୟ ଭାରତୀୟ ହୋଇଛନ୍ତି । ପୂର୍ବରୁ ମୁମ୍ୱାଇ ଇଣ୍ଡିଆନ୍ସ ଅଧିନାୟକ ରୋହିତ ଶର୍ମା ପ୍ରଥମ ଭାରତୀୟ ଭାବରେ ୩୫୦ରୁ ଅଧିକ ଟି-୨୦ ମ୍ୟାଚ ଖେଳିଛନ୍ତି । ରୋହିତ ଶର୍ମା ମୋଟ ୩୭୨ଟି ଟି-୨୦ ମ୍ୟାଚ ଖେଳିଛନ୍ତି । ଧୋନିଙ୍କ ପରେ ପୂର୍ବତନ ସିଏସକେ ବ୍ୟାଟ୍ସମ୍ୟାନ୍ ସୁରେଶ ରାଇନା, ଦିନେଶ କାର୍ତ୍ତିକ ଏବଂ ବିରାଟ କୋହଲି ଯଥାକ୍ରମେ ୩୩୬, ୩୨୯, ୩୨୮ଟି ମ୍ୟାଚ  ଖେଳିଛନ୍ତି ।

ଧୋନି ଖେଳିଥିବା ମୋଟ ୩୫୦ଟି ଟି-୨୦ ମ୍ୟାଚ ମଧ୍ୟରୁ ୯୮ଟିରେ ଦେଶ ପାଇଁ ପ୍ରତିନିଧିତ୍ୱ କରିଥିବା ବେଳେ ଚେନ୍ନାଇର ସୁପର କିଙ୍ଗ୍ସ ଓ ରାଇଜିଂ ପୁନେ ସୁପର ଜିଆଣ୍ଟ୍ସ ପାଇଁ ଇଣ୍ଡିଆନ୍ ପ୍ରିମିୟର ଲିଗରେ ୨୨୨ଟି ମ୍ୟାଚ ଖେଳିଛନ୍ତି । ଏହାପୂର୍ବରୁ ଗୁରୁବାର ଦିନ ଲକ୍ଷ୍ନୌ ସୁପର ଜିଆଣ୍ଟ୍ସ ବିପକ୍ଷରେ ଧୋନି ତାଙ୍କ କ୍ୟାରିୟରର ଆଉ ଏକ ମାଇଲଖୁଣ୍ଟ ହାସଲ କରିଛନ୍ତି । ଗୁରୁବାର ଦିନ ଖେଳାଯାଇଥିବା ଏହି ମ୍ୟାଚରେ ଧୋନି ଟି-୨୦ କ୍ରିକେଟରେ ୭ହଜାର ରନ୍ କରିବାରେ ଷଷ୍ଠ ଭାରତୀୟ ହୋଇଛନ୍ତି ।

ରାଞ୍ଚିର ଏକ ଛୋଟ ସହରରୁ ଆସିଥିବା ଧୋନି ନିଜ କ୍ରିକେଟ କ୍ୟାରିୟରରେ ଅନେକ ସଫଳତା ହାସଲ କରିଛନ୍ତି । ଆଇସିସିର ସମସ୍ତ ୩ଟି ଯାକ ଟ୍ରଫି ହାସଲ କରିବାରେ ଧୋନି ପ୍ରଥମ ଭାରତୀୟ ଅଧିନାୟକ ସହ ବିଶ୍ୱର ପ୍ରଥମ କ୍ରିକେଟର ହୋଇଛନ୍ତି । ମାଷ୍ଟର ବ୍ଲାଷ୍ଟରଙ୍କଠାରୁ ବିରାଟ କୋହଲିଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ଧରି ଭାରତୀୟ କ୍ରିକେଟକୁ ଆଗକୁ ନେଇଛନ୍ତି କ୍ୟାପ୍ଟେନକୁଲ । ଏହାସହ ଭାରତୀୟ କ୍ରିକେଟକୁ ବିଶ୍ୱସ୍ତରରେ ଗୋଟିଏ ନୂଆ ପରିଚୟ ପ୍ରଦାନ କରିଛନ୍ତି ଧୋନି । ଭାରତୀୟ କ୍ରିକେଟର ସବୁଠାରୁ ସଫଳତମ ଅଧିନାୟକ ଭାବେ ଗଣାଯାଉଥିବା ମହେନ୍ଦ୍ର ସିଂ ଧୋନି ଅନ୍ତର୍ଜାତୀୟ କ୍ରିକେଟକୁ ଅଲବିଦା କହିଛନ୍ତି । କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ଗ୍ରହଣ କରିଛନ୍ତି ମାହି । ଚଳିତ ବର୍ଷ ମଧ୍ୟ ଆଇପିଏଲରେ ଚେନ୍ନାଇ ସୁପର କିଙ୍ଗ୍ସର ଅଧିନାୟକ ପଦ ଛାଡ଼ିଛନ୍ତି । ମହେନ୍ଦ୍ର ସିଂ ଧୋନି ଏକ ନାଁ ଯାହାକୁ କ୍ରିକେଟ ପ୍ରେମୀ ସର୍ବଦା ମନେ ରଖିବେ ।

ଏହା ବି ପଢ଼ନ୍ତୁ: ୟୁକ୍ରେନ ଉପରେ ଆକ୍ରମଣ ପାଇଁ ଗିରଫ ହେବେ ପୁଟିନ? ଆସିଲା ଏହି ବଡ଼ ଅପଡେଟ୍

ଏହା ବି ପଢ଼ନ୍ତୁ: ଶାହବାଜ ସରିଫ ହେବେ ପାକିସ୍ତାନର ନୂତନ ପ୍ରଧାନମନ୍ତ୍ରୀ! ସଂସଦରେ ନିଜେ ନିଷ୍ପତ୍ତି ନେଲେ ବିରୋଧୀ