Dussehra 2022 : ଆଜି ପବିତ୍ର ବିଜୟା ଦଶମୀ, ଜାଣନ୍ତୁ କେବେଠୁ ରହିଛି ଏ ପରମ୍ପରା ?
Advertisement

Dussehra 2022 : ଆଜି ପବିତ୍ର ବିଜୟା ଦଶମୀ, ଜାଣନ୍ତୁ କେବେଠୁ ରହିଛି ଏ ପରମ୍ପରା ?

Dussehra 2022: ଆଜି ପବିତ୍ର ଦଶହରା ବା ବିଜୟା ଦଶମୀ । ଅସତ୍ୟ ଉପରେ ସତ୍ୟର ଜୟ । ପୂଜା ମଣ୍ଡପରୁ ଆରମ୍ଭ କରି ଘରେ ଘରେ ରୀତିନୀତି ଅନୁସାରେ ଚାଲିଛି ମା' ମହିଷାମର୍ଦ୍ଦିନୀଙ୍କ ପୂଜା ।

ସୌଜନ୍ୟ : ସୋସିଆଲ ମିଡିଆ

Dussehra 2022: ଆଜି ପବିତ୍ର ଦଶହରା ବା ବିଜୟା ଦଶମୀ । ଅସତ୍ୟ ଉପରେ ସତ୍ୟର ଜୟ । ପୂଜା ମଣ୍ଡପରୁ ଆରମ୍ଭ କରି ଘରେ ଘରେ ରୀତିନୀତି ଅନୁସାରେ ଚାଲିଛି ମା' ମହିଷାମର୍ଦ୍ଦିନୀଙ୍କ ପୂଜା । ବିଶ୍ବାସ ରହିଛି, ଆଶ୍ବିନ ଶୁକ୍ଲଦଶମୀ ତିଥିରେ ଦେବୀ ଦୁର୍ଗାଙ୍କୁ ପୂଜନ କଲେ ମନୁଷ୍ୟ ଦଶ ଜନ୍ମକୃତ ପାପରୁ ଉଦ୍ଧାର ପାଏ ବୋଲି ଏହି ପୁଣ୍ୟତିଥିକୁ ଦଶହରା କୁହାଯାଏ । ଦଶହରା ଅବସରରେ ଖଣ୍ଡା, ଢାଲ ,ଲଙ୍ଗଳ ଲୁହା, କରଣୀ ଆଦି ବିଭିନ୍ନ ପାରମ୍ପାରିକ ଯନ୍ତ୍ର ଓ ଉପ କରଣ ଆଦି ଏହିଦିନ ପୂଜା କରାଯାଇଥାଏ । 

ପୁରାଣରେ ବର୍ଣ୍ଣିତ ଅଛି ଯେ, ସମସ୍ତ ଦେବତା ଯେବେ ମହିଷାସୁରର ଅତ୍ୟାଚାରରେ ସନ୍ତ୍ରପ୍ତ ହୋଇ ବ୍ରହ୍ମାଙ୍କ ଶରଣାପନ୍ନ ହେଲେ । ସେତେବେଳେ ବ୍ରହ୍ମା, ଶ୍ରୀବିଷ୍ଣୁ ଓ ଶିବଙ୍କ ପରାମର୍ଶରେ ସମସ୍ତ ଦେବତାଙ୍କ ତେଜ ସମ୍ମିଳିତକରି କାତ୍ୟାୟନ ଋଷିଙ୍କ ଆଶ୍ରମରେ ଯଜ୍ଞକୁଣ୍ଡରୁ ମାୟା ବୀଜ ଦ୍ଵାରା ଦୁର୍ଗାଙ୍କୁ ଆବାହନ କଲେ। ସେହି ଯଜ୍ଞକୁଣ୍ଡରୁ ଦେବୀ ଦୁର୍ଗା ପ୍ରକଟିତ ହେଲେ । ସମସ୍ତ ଦେବତା ନିଜ ନିଜ ଆୟୁଧ ଦୁର୍ଗାଙ୍କୁ ଦାନ କଲେ,ଶେଷରେ ଦେବୀ ସିଂହବାହିନୀ ହୋଇ ମହିଷାସୁର ସହ ଯୁଦ୍ଧ କରିଥିଲେ । ଅନେକ ସମୟ ଯୁଦ୍ଧ କଲାପରେ ଦେବୀ ଶୂଳ ଦ୍ଵାରା ମହିଷାର ହୃଦୟ ବିଦ୍ଧ କଲେ, ଖଡ୍ଗ ଦ୍ଵାରା ଶିରଚ୍ଛେଦ କଲେ । ସେହି ସମୟ ଥିଲା ଚୈତ୍ର ଶୁକ୍ଳ ପକ୍ଷ ଅଷ୍ଟମୀ ଓ ନବମୀର ସନ୍ଧିକ୍ଷଣ, ତେଣୁ ଏହିସମୟରେ ଦେବୀଙ୍କୁ ମହାଶକ୍ତି ରୂପେ ପୂଜା କରାଯାଏ । ତ୍ରେତୟା ଯୁଗରେ ରାବଣକୁ ପରାସ୍ତ କରିବା ନିମନ୍ତେ ରାମଚନ୍ଦ୍ର ଚୈତ୍ର ବଦଳରେ ଆଶ୍ଵିନରେ ଏହି ପୂଜା କରିଥିଲେ। ସେବେ ଠାରୁ ଏହା ଉଭୟ ଚୈତ୍ର ବାସନ୍ତୀ ନବରାତ୍ର ଓ ଆଶ୍ଵିନ ଶାରଦ ନବରାତ୍ର ଭାବେ ବିଦିତ । 

ଏହାବି ପଢନ୍ତୁ : Lord Jagannath Suna Besha : ଆଜି ମହାପ୍ରଭୁଙ୍କ ସୁନାବେଶ, ଜାଣନ୍ତୁ ବର୍ଷକୁ କେତେ ଥର ହୁଏ ମହାବାହୁଙ୍କ ଏହି ରାଜରାଜେଶ୍ୱର ବେଶ

ଉଭୟ ସମୟରେ ଦେବୀଙ୍କ ମହାପୂଜା ପ୍ରଚଳିତ। ନବମୀର ପରବର୍ତ୍ତୀ ଦିନ ବିଜୟଉତ୍ସବ ବା ବିଜୟାଦଶମୀ ପାଳିତ ହୁଏ । ଏହା ଦେବତାମାନଙ୍କ ଦ୍ଵାରା ମା’ ଦୁର୍ଗାଙ୍କ ଯୁଦ୍ଧ ପରବର୍ତ୍ତୀ ବିଜୟାଭିଷେକର ପରମ୍ପରାକୁ ସୂଚାଏ । ଭାରତରେ ପ୍ରତିବର୍ଷ ଦୁଇଥର ଦେବୀ ଦୁର୍ଗାଙ୍କର ପୂଜା ଅନୁଷ୍ଠିତ ହୁଏ । ଶରତ ଋତୁରେ ଆଶ୍ୱିନ ମାସ ଶୁକ୍ଳ ପକ୍ଷର ପୂଜାକୁ ‘ଦେବୀ ପୂଜା’ ଏବଂ ବସନ୍ତ ଋତୁରେ ଚୈତ୍ରମାସ ଶୁକ୍ଳ ପକ୍ଷର ପୂଜାକୁ ‘ବାସନ୍ତୀ ପୂଜା’ କୁହାଯାଏ । ଯେଉଁ ମା’ର ଶସ୍ୟ ଆହାର କରି ମାନବ ଜୀବିକା ନିର୍ବାହ କରେ, ସେହି ଧରିତ୍ରୀ ରାଣୀର ବୟଃ ପ୍ରାପ୍ତିରେ ଉତ୍ଫୁଲ୍ଲ ହୋଇ ଜନ-ମାନସ ବାସନ୍ତୀ ଦୁର୍ଗାଙ୍କ ପୂଜାର ଆୟୋଜନ କରେ, ମାତ୍ର ଏକ ସାର୍ବଜନୀନ ପୂଜା ରୂପେ ଶାରଦୀୟ ଦେବୀପୂଜା ହିଁ ଅଧିକ ଲୋକପ୍ରିୟତା ଅର୍ଜନ କରିଅଛି । ଏହି ମହାନ୍ ଶାରଦୀୟ ପର୍ବ ଭାରତର ପୁରପଲ୍ଲୀ ରେ ଦଶହରା ପର୍ବରୂପେ ପାଳନ କରାଯାଏ । ଏହି ପର୍ବର ମୂଳ ଲକ୍ଷ୍ୟ ହେଉଛି ଦେବୀ ଉପାସନା । ଦୁର୍ଗାପୂଜା ପରି ଦଶହରା ପର୍ବ ମଧ୍ୟ ବର୍ଷକରେ ଦୁଇଥର ପାଳନ କରାଯାଏ । ଜ୍ୟେଷ୍ଠମାସ ଶୁକ୍ଳ ଦଶମୀ ହେଉଛି ଗଙ୍ଗା ମା’ତା ଙ୍କର ଜନ୍ମଦିବସ । ଏହିଦିନ ଗଙ୍ଗାପୂଜା କରି ଗଙ୍ଗାନଦୀରେ ସ୍ନାନ କଲେ ତ୍ରିବିଧ ପାପ ଖଣ୍ଡନ ହୁଏ ବୋଲି ଏହି ତିଥିକୁ ‘ଦଶହରା’ ବା ‘ଦଶବିଧ’ ପାପହରଣ ଦିବସ କୁହାଯାଏ । ଏହି ତିଥିଟି ଲୋକମୁଖରେ ‘ଗଙ୍ଗା ଦଶହରା’ ନାମରେ ପରିଚିତ ।