କେମିତି ହେଉଥିଲା ନିର୍ବାଚନ: ୧୯୫୨ ନିର୍ବାଚନର ସ୍ଥିତି, ନୀତି ଓ ରାଜନୀତି
Advertisement
Article Detail0/zeeodisha/odisha2140910

କେମିତି ହେଉଥିଲା ନିର୍ବାଚନ: ୧୯୫୨ ନିର୍ବାଚନର ସ୍ଥିତି, ନୀତି ଓ ରାଜନୀତି

Odisha Elections: ପ୍ରଥମେ ନିର୍ବାଚନ ଅବଧି କଥା। ସମ୍ବିଧାନ ଅନୁସାରେ ଦେଶର ଶାସନ ବ୍ୟବସ୍ଥାକୁ ନିୟନ୍ତ୍ରଣ କରିବା ଲାଗି ଭାରତରେ ପ୍ରଥମ ନିର୍ବାଚନ ୧୯୫୧ ମସିହା ଶେଷ ଆଡ଼କୁ ଆରମ୍ଭ ହୋଇଥିଲା। ପ୍ରତି ରାଜ୍ୟର ବିଧାନସଭା ଏବଂ କେନ୍ଦ୍ର ସରକାର ଲାଗି ଲୋକସଭାକୁ ଲୋକପ୍ରତିନିଧି ଜନସାଧାରଣ ବାଛିଥିଲେ। ଏଥିରେ ଅବଶ୍ୟ ଜମ୍ମୁ କଶ୍ମୀର ରାଜ୍ୟ ନିର୍ବାଚନରେ ସାମିଲ୍‍ ହୋଇନଥିଲେ। 

Elections in Odisha 1st Assembly Poll 1950

Elections in Odisha 1st Assembly Poll 1950: ଭାରତୀୟ ନିର୍ବାଚନ ଇତିହାସରେ ଓଡ଼ିଶା ଏକ ସ୍ୱତନ୍ତ୍ର ସ୍ଥାନ ଗ୍ରହଣ କରେ। ସର୍ବାଧିକ ଥର ଏକ ସଙ୍ଗେ ଲୋକସଭା ଓ ବିଧାନସଭା ଇତିହାସ ସୃଷ୍ଟି କରିଥିବା ରାଜ୍ୟ ଭିତରେ ଓଡ଼ିଶା ଗଣାଯାଏ। ପୁଣି ନିର୍ବାଚନ ସମୟରେ ଶୃଙ୍ଖଳା ରକ୍ଷା ଅଧିକରୁ ଅଧିକ ଭୋଟରଙ୍କ ଅଂଶଗ୍ରହଣ ଆମରାଜ୍ୟକୁ ସ୍ୱତନ୍ତ୍ର ରାଜ୍ୟ ଭାବେ ପରିଚୟ ବି ଦିଏ। ଏବେ ଏହି ନିର୍ବାଚନ ପରମ୍ପରାରେ ଦେଶ ଅଷ୍ଟାଦଶ ଲୋକସଭା ଗଠନ କରିବାକୁ ପ୍ରସ୍ତୁତ ହେଉଥିବା ବେଳେ ଓଡ଼ିଶାର ଭୋଟର ଉଭୟ ଅଷ୍ଟାଦଶ ଲୋକସଭା ଏବଂ ସପ୍ତଦଶ ବିଧାନସଭା ଗଠନ ପାଇଁ ନିଜର ବୁଦ୍ଧି, ବିଚାର, ବିବେକ ଅନୁସାରେ ଅଧିକାର ସାବ୍ୟସ୍ତ କରିବାକୁ ଯାଉଛନ୍ତି।  ଏଥିଲାଗି ବାତାବରଣ ବି ବେଶ୍‍ ସରଗରମ ହେଲାଣି। ପ୍ରଧାନମନ୍ତ୍ରୀଙ୍କଠାରୁ ଆରମ୍ଭ କରି ରାଷ୍ଟ୍ରୀୟ ସ୍ତରରର ବଡ଼ ବଡ଼ ନେତା ଏଠାରେ ଭୋଟରଙ୍କୁ ପ୍ରଭାବିତ କରିବା ଲାଗି ଘନଘନ ଗସ୍ତ କରୁଥିବା ବେଳେ ରାଜ୍ୟ ସରକାର ଯୋଜନା ଉପରେ ଯୋଜନା ଆଣି ଲୋକଙ୍କୁ ‘ଆପଣମାନେ ଖୁସି ତ’ ବୋଲି ପୁଣିଥରେ ପଚାରୁଛନ୍ତି। ଏହି ସରଗରମ ପରିସ୍ଥିତିରେ ଆସନ୍ତୁ ଟିକେ ଇତିହାସ ପୃଷ୍ଠା ଓଲଟାଇବା। ଜାଣିବା ଦେଶ ଏବଂ ରାଜ୍ୟରେ ପ୍ରଥମ ନିର୍ବାଚନ କେମିତି ଥିଲା? କେଉଁ ରାଜନୀତିକ ଦଳ ସରକାର ଗଢ଼ିଥିଲେ, ଏମିତି ଅନେକ...। 

ପ୍ରଥମେ ନିର୍ବାଚନ ଅବଧି କଥା। ସମ୍ବିଧାନ ଅନୁସାରେ ଦେଶର ଶାସନ ବ୍ୟବସ୍ଥାକୁ ନିୟନ୍ତ୍ରଣ କରିବା ଲାଗି ଭାରତରେ ପ୍ରଥମ ନିର୍ବାଚନ ୧୯୫୧ ମସିହା ଶେଷ ଆଡ଼କୁ ଆରମ୍ଭ ହୋଇଥିଲା। ପ୍ରତି ରାଜ୍ୟର ବିଧାନସଭା ଏବଂ କେନ୍ଦ୍ର ସରକାର ଲାଗି ଲୋକସଭାକୁ ଲୋକପ୍ରତିନିଧି ଜନସାଧାରଣ ବାଛିଥିଲେ। ଏଥିରେ ଅବଶ୍ୟ ଜମ୍ମୁ କଶ୍ମୀର ରାଜ୍ୟ ନିର୍ବାଚନରେ ସାମିଲ୍‍ ହୋଇନଥିଲେ। କାରଣ ୧୯୬୭ ଯାଏ ଜମ୍ମୁ କଶ୍ମୀରରେ ସାଧାରଣ ନିର୍ବାଚନ ହୋଇ ପାରି ନଥିଲା।  ପ୍ରଥମ ନିର୍ବାଚନ ପ୍ରାୟ ୫ ମାସ ଧରି ଚାଲିଥିଲା, ଯାହା ଆରମ୍ଭ ହୋଇଥିଲା ଅକ୍ଟୋବର ୨୫ ତାରିଖରେ ଏବଂ ଶେଷ ହୋଇଥିଲା ଫେବୃୟାରୀ ୨୧ ତାରିଖରେ। ହିମାଚଳ ପ୍ରଦେଶରେ ଶୀତ ଓ ହିମ ଝଡ଼ ଆଶଙ୍କା ଥିବାରୁ ୧୯୫୧ ଅକ୍ଟୋବରରୁ ହିମାଚଳରେ ନିର୍ବାଚନ ଆରମ୍ଭ ହୋଇଥିଲା। ଏହାପରେ ଫେବୃୟାରୀ ଓ ମାର୍ଚ୍ଚ ମାସରେ ଦେଶର ଅନ୍ୟ ପ୍ରନ୍ତରେ ନିର୍ବାଚନ ହୋଇଥିଲା। 

ସେତେବେଳେ ୨୫ଟି ରାଜ୍ୟରେ ଭୋଟ୍‍ ହୋଇଥିଲା। ସମୁଦାୟ ୪୦୧ ଆସନ ପାଇଁ ନିର୍ବାଚନ ହୋଇଥିଲା। ୩୧୪ଟି ଆସନରୁ ଜଣେ ଲେଖାଏ ଜନପ୍ରତିନିଧି ନିର୍ବାଚିତ ହୋଇଥିବାବେଳେ ୮୬ଟି ଆସନରୁ ୨ଜଣ ଲେଖାଏଁ ଏବଂ ଗୋଟିଏ ଆସନରୁ ୩ଜଣ ପ୍ରତିନିଧି ନିର୍ବାଚିତ ହୋଇଥିଲେ। ଯେଉଁ ଆସନରେ ସଂରକ୍ଷିତ ଗୋଷ୍ଠୀ ଜେମିତି ଅନୁସୂଚିତ ଜାତି, ଜନଜାତି ବର୍ଗଙ୍କ ସଂଖ୍ୟା ଅଧିକ ଥିଲା ସାଠାରେ ଏକାଧିକ ପ୍ରାର୍ଥୀଙ୍କୁ ନିର୍ବାଚିତ କରିବାର ପରମ୍ପରା ଥିଲା। ଏହି ପରମ୍ପରା ୧୯୬୦ ଯାଏ ଚାଲିଥିଲା। ଏହାପରେ ଏହିପରି ବହୁ ପ୍ରତିନିଧିଙ୍କୁ ନିର୍ବାଚନ କରିବା ପରମ୍ପରା ଉଠାଇ ଦିଆଯାଇଥିଲା। 

ସମୁଦାୟ ୧୭ କୋଟି ୩୨ ଲକ୍ଷ ଭୋଟର ୧୯୪୯ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିଥିଲେ। ଏବେ ଯେମିତି ୧୮ ବର୍ଷ ବୟସର କିଶୋରଙ୍କୁ ଭୋଟ ଦେବାର କ୍ଷମତା ଦିଆଯାଇଛି ସେତେବେଳେ ତାହା ନଥିଲା। ୨୧ ବର୍ଷ ବୟସରୁ ଅଧିକ ବୟସର ବ୍ୟକ୍ତି ଭୋଟ ଦେବାର କ୍ଷମତା ଅର୍ଜନ କରିଥିଲେ। ସମୁଦାୟ ୬୮ଟି ପର୍ଯ୍ୟାୟରେ ନିର୍ବାଚନ ହୋଇଥିଲା। ୫୩ଟି ରାଜନୀତିକ ଦଳ ଏଥିରେ ଅଂଶ ଗ୍ରହଣ କରିଥିଲେ। କଂଗ୍ରେସ ୪୫ ପ୍ରତିଶତ ଭୋଟ ଅର୍ଜନ କରିଥିଲା ୩୬୪ ଆସନ ଦଖଲ କରି କଂଗ୍ରେସ ସରକାର ଗଠନ କରିଥିଲେ। ଜବାହରଲାଲ ନେହରୁ ହୋଇଥିଲେ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ।

ଏବେ ରାଜ୍ୟ ରାଜନୀତି କଥା। ଓଡ଼ିଶାରେ ବିଧାନସଭା ଗଠନ ଲାଗି ୧୯୫୧ ମସିହା ଡିସେମ୍ବର ୨୦ ତାରିଖରୁ ଆରମ୍ଭ ହୋଇଥିଲା। ୩୬ ଦିନ ଧରି ଏହି ନିର୍ବାଚନ ପ୍ରକ୍ରିୟା ଚାଲିଥିଲା। ୧୯୫୨ ଜାନୁୟାରୀ ୨୪ ତାରିଖରେ ତାହା ଶେଷ ହୋଇଥିଲା। ସେତେବଳେ ଓଡ଼ିଶା ବିଧାନସଭାର ଆସନ ସଂଖ୍ୟା ବଢ଼ି ୧୪୦ ହୋଇଥିଲା। ଏହା ପୂର୍ବରୁ ଗଡ଼ଜାତ ରାଜ୍ୟଗୁଡ଼ିକର ମିଶ୍ରଣ ହୋଇଥିବାରୁ ଆସନ ସଂଖ୍ୟା ୯୧କୁ ବୃଦ୍ଧି ହୋଇଥିଲା। ଏହା ପୂର୍ବରୁ ଭାରତ ସରକାର ଆଇନ ୧୯୩୫ ଅନୁସାରେ ଓଡ଼ିଶାରେ ଯେଉଁ ନିର୍ବାଚନ ହୋଇଥିଲା। ସେଥିଳେ ଆସନ ସଂଖ୍ୟା ୬୦ ଥିଲା। ସେଥିରୁ ୫୬ ଜଣ ନିର୍ବାଚିତ ହେଉଥିବାବେଳେ ୪ଜଣ ତତ୍‍କାଳୀନ ଗଭର୍ଣ୍ଣରଙ୍କ ଦ୍ୱାରା ମନୋନୀତ ହେଉଥିଲେ। ୧୯୭୪ ମସିହାରେ ଆସନ ସଂଖ୍ୟାରେ ଆଉଥରେ ସଂଶୋଧନ କରାଯାଇଥିଲା ଏବଂ ଏହି ସଂଖ୍ୟା ୧୪୦ରୁ ବଢ଼ି ୧୪୭ରେ ପହଞ୍ଚିଥିଲା। ଯାହା ଆଜି ବି ସେହି ସଂଖ୍ୟାରେ ସୀମିତ ରହିଛି। ଅର୍ଥାତ୍‍ ଆମେ ଆଜି ସେହି ୧୪୭ ଆସନ ଲାଗି ନିର୍ବାଚନ ଲଢ଼ିବାକୁ ଯାଉଛୁ। 

ଏହି ନିର୍ବାଚନରେ କଂଗ୍ରେସ ୬୭ ଆସନରେ ବିଜୟଲାଭ କରି ସରକାର ଗଢ଼ିଥିଲା। ବିରୋଧୀ ଦଳ ଆସନରେ ବସିଥିଲେ ଗଣତନ୍ତ୍ର ପରିଷଦ। ଏମାନଙ୍କ ସଂଖ୍ୟା ଥିଲା ୩୧। ସେଶାଲିଷ୍ଟ ପାର୍ଟିର ବିଧାୟକଙ୍କ ସଂଖ୍ୟା ୧୦ ଥିବାବେଳେ କମ୍ୟୁନିଷ୍ଟ ପାର୍ଟିର ୭, ଫରଓ୍ୱାର୍ଡ ବ୍ଲକ୍‍ର ଜଣେ ନିର୍ବାଚିତ ହୋଇଥିଲେ। ଅନ୍ୟ ୨୪ ବିଧାୟକ ଥିଲେ ସ୍ୱାଧୀନ ସଦସ୍ୟ। ସରକାର ଗଠନ ହୋଇଥିଲା ନବକୃଷ୍ଣ ଚୌଧୁରୀଙ୍କ ନେତୃତ୍ୱରେ।   ରାଜ୍ୟର ପ୍ରଥମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ ନବକୃଷ୍ଣ ଚୌଧୁରୀ। ୧୨ ମେ ଫେବୃୟାରୀ ୧୯୫୦ ମସିହାରୁ ସେ ୧୯ ଅକ୍ଟୋବର ୧୯୫୬ ଯାଏ କ୍ଷମତାରେ ଥିଲେ।  

ନବ କୃଷ୍ଣ ଚୌଧୁରୀ ଜଣେ ସମାଜବାଦୀ ଚିନ୍ତାଧାରାର ରାଜନେତା ଥିଲେ। ହରେକୃଷ୍ଣଙ୍କ ଅନୁଗାମୀ ଭାବେ ପରିଚିତ ନବକୃଷ୍ଣ ଓଡ଼ିଶା ଜମିଦାରୀ ଉଚ୍ଛେଦ ଆଇନ ପ୍ରଣୟନ କରିଥିଲେ। ଏହାଦ୍ୱାରା ରାଜ୍ୟରେ ଜମିଦାରୀ ପ୍ରଥା ଲୋପ ପାଇଥିଲା। ଚାଷୀମାନେ ସିଧାସଳଖ ସରକାରଙ୍କ ଅଧୀନକୁ ଆସିଥିଲେ। ଭାଗଚାଷୀଙ୍କ ସୁରକ୍ଷା ଲାଗି ୧୯୫୫ ମସିହାରେ ଓଡ଼ିଶା ଭାଗଚାଷୀ ସାହାଯ୍ୟ ଆଇନ ପ୍ରଣୟନ ହୋଇଥିଲା। ଐହାଦ୍ୱାରା ଭାଗଚାଷୀଙ୍କୁ ଅତ୍ୟଧିକ ଖଜଣାରୁ ମୁକ୍ତି ମିଳିଥିଲା। ସମୁଦାୟ ୯ ଥର ପାଇଁ  ପ୍ରଥମ ବିଧାନସଭାର ବୈଠକ ଡକାଯାଇଥିଲା। ଶ୍ରଦ୍ଧାକର ସୁପକାର ବିରୋଧି ଦଳ ନେତା ଭାବେ  ଦାୟିତ୍ୱ ତୁଲାଇଥିଲେ। ନନ୍ଦକିଶୋର ଦାସ ହୋଇଥିଲେ ଓଡ଼ିଶା ବିଧାନସଭାର ପ୍ରଥମ ବାଚସ୍ପତି।