Rourkela Politics: ରାଉରକେଲା ରାଜନୀତି: ପୁଣି ଦିଲ୍ଲୀପ-ଶାରଦା ଲଢେଇ ଚର୍ଚ୍ଚା
Advertisement

Rourkela Politics: ରାଉରକେଲା ରାଜନୀତି: ପୁଣି ଦିଲ୍ଲୀପ-ଶାରଦା ଲଢେଇ ଚର୍ଚ୍ଚା

ରାଉରକେଲା ରେ ପୁଣି ଦିଲ୍ଲୀପ-ଶାରଦା ଲଢେଇ ଦେଖିବାକୁ ମିଳିବ ବୋଲି ହେଉଛି ଆଲୋଚନା। ଯେଉଁଥିରେ ଖୋରାକ ଯୋଗାଇଛି ବିଜେପି ପ୍ରାର୍ଥୀ ତାଲିକାରେ ରାଉରକେଲା ପ୍ରାର୍ଥୀ ନାମ ଘୋଷଣା କରାନଯିବା।

Rourkela Politics: ରାଉରକେଲା ରାଜନୀତି: ପୁଣି ଦିଲ୍ଲୀପ-ଶାରଦା ଲଢେଇ ଚର୍ଚ୍ଚା

Rourkela Politics: ରାଉରକେଲା (ସୁଶାନ୍ତ କୁମାର ଦାଶ): ଦିନକୁ ଦିନ ରୋଚକ ହେବାରେ ଲାଗିଛି ଆଗାମୀ ୨୦୨୪ ସାଧାରଣ ନିର୍ବାଚନ ନେଇ ରାଜ୍ୟ ରାଜନୀତି। ଦୀର୍ଘ ଦିନ ଧରି ବିଜେଡ଼ି-ବିଜେପି ମେଣ୍ଟ ନେଇ ରାଜ୍ୟ ରାଜନୀତି ସରଗରମ ରହିଥିବା ବେଳେ, ବର୍ତ୍ତମାନ ଦଳ ଡ଼ିଆଁ ଏବଂ ପ୍ରାର୍ଥୀ ଘୋଷଣା ନେଇ ଗଳି କନ୍ଦିରେ ଚାଲିଛି ଆଲୋଚନା। ଅନେକ ବିଜେଡ଼ି ନେତା ବିଜେପି ରେ ସାମିଲ୍ ହୋଇ ଟିକେଟ ହାତେଇବାରେ ସମର୍ଥ ହୋଇଥିବା ବେଳେ, କିଛି କଂଗ୍ରେସ ନେତା ବିଜେଡ଼ି ରେ ସାମିଲ୍ ହୋଇ ଟିକେଟ ପାଇଛନ୍ତି। ତେବେ ଇତି ମଧ୍ୟରେ ବିଜେପି ରାଜ୍ୟର ସମସ୍ତ ୨୧ ଟି ଲୋକସଭା ସମେତ ମୋଟ୍ ୧୪୭ରୁ, ୧୧୨ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିସାରିଛି। ଅନୁରୂପ ଭାବରେ ବିଜେଡ଼ି ୧୪ ଲୋକସଭା ଏବଂ ୯୯ ବିଧାନସଭା ପାଇଁ ଓ କଂଗ୍ରେସ ୮ ଲୋକସଭା ସମେତ ୪୭ ଜଣ ବିଧାୟକ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। 

ବଳକା ଆସନ ପାଇଁ ଯଥାଶୀଘ୍ର ପ୍ରାର୍ଥୀ ଘୋଷଣା କରାଯିବ ବୋଲି ଦଳ ମାନଙ୍କ ପକ୍ଷରୁ କୁହାଯାଉଥିବା ବେଳେ ସମୟ ସହିତ ଜୋର୍ ଧରିଛି ଆଶାୟୀ ପ୍ରାର୍ଥୀ ଓ ଅସନ୍ତୁଷ୍ଠ ନେତା ଙ୍କ ଲବି। ଭୁବନେଶ୍ୱର ରୁ ଦିଲ୍ଲୀ ପର୍ଯ୍ୟନ୍ତ ବରିଷ୍ଠ ନେତା ମାନଙ୍କ ପାଖରେ ଲାଗୁଛି ଭିଡ। ସମୟ ସହିତ ସବୁକିଛି ସ୍ପଷ୍ଟ ହେବ ବୋଲି ରାଜନୈତିକ ପଣ୍ଡିତ ମାନେ ମତ ଦେଉଥିବା ବେଳେ ଅନେକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ମାନଙ୍କରେ ବିଜେଡ଼ି-ବିଜେପି ର ପ୍ରାର୍ଥୀ ତାଲିକା ନେଇ ସସ୍ପେନ୍ସ ବର୍ତ୍ତମାନ ସାଜିଛି ଚର୍ଚ୍ଚାର ଖୋରାକ୍। ଯାହା ମଧ୍ୟରେ ଏକ ପ୍ରମୁଖ ବିଧାନସଭା କ୍ଷେତ୍ର ହେଉଛି ସୁନ୍ଦରଗଡ଼ ଲୋକସଭା କ୍ଷେତ୍ର ଅନ୍ତର୍ଗତ ରାଉରକେଲା।

ରାଜ୍ୟ ରାଜନୀତିରେ ସୁନ୍ଦରଗଡ଼ ଜିଲ୍ଲା ଏବଂ ଖାସ୍ କରି ଏହା ଅନ୍ତର୍ଗତ ରାଉରକେଲା ର ବେଶ୍ ଗୁରୁତ୍ଵ ରହିଛି। ଯଦି ଇତିହାସ ପୃଷ୍ଠାକୁ ଲେଉଟାଯାଏ ତେବେ ଏହି କ୍ଷେତ୍ର ଓଡ଼ିଶାକୁ ଜଣେ ମୁଖ୍ୟମନ୍ତ୍ରୀ ଦେଇଥିବା ବେଳେ,ବିଜୁ ଜନତା ଦଳ ଗଠନ ରେ ରାଉରକେଲା ନେତା ଦିଲ୍ଲୀପ ରାୟଙ୍କ ଭୂମିକା, ମେ ୨୯ ମିଡ୍ ନାଇଟ ଅପରେସନରେ ରାଉରକେଲାର ଭୂମିକା ସମେତ ଏକଦା ସମଗ୍ର ଓଡ଼ିଶାରେ ବିଜେଡ଼ି ର ଲହର ଚାଲୁଥିବା ବେଳେ ,ଏକମାତ୍ର ବିଜେପି ଲୋକସଭା ପ୍ରାର୍ଥୀ ଭାବେ ସୁନ୍ଦରଗଡ଼ରୁ ଜୁଏଲ ଓରାମଙ୍କ ବିଜୟ ସମେତ ୭ଟି ବିଧାନସଭା କ୍ଷେତ୍ରରେ ୪ଟି ଦଳରୁ ବିଧାୟକ ନିର୍ବାଚିତ ହେବା ରାଜ୍ୟ ରାଜନୀତି ରେ ଜିଲ୍ଲାର ସ୍ଵତନ୍ତ୍ରତାର ଉଦାହରଣ।

ଏପରି କ୍ଷେତ୍ରରେ ସୁନ୍ଦରଗଡ଼ ଲୋକସଭା ପାଇଁ ସମସ୍ତ ତିନୋଟି ପ୍ରମୁଖ ଦଳ ନିଜର ପ୍ରାର୍ଥୀ ତାଲିକା ଘୋଷଣା କରି ସାରିଛନ୍ତି। ବିଜେଡ଼ି ରୁ ୨୦୧୪ ର ପ୍ରାର୍ଥୀ ପଦ୍ମଶ୍ରୀ ଦିଲ୍ଲୀପ ତିର୍କି ଙ୍କୁ ପ୍ରାର୍ଥୀ କରାଯାଇଥିବା ବେଳେ ବିଜେପି ଲଗାତାର ଭାବେ ଜୁଏଲ ଙ୍କୁ ପ୍ରାର୍ଥୀ କରିଛି। କଂଗ୍ରେସ ପ୍ରଥମ ଥର ପାଇଁ ଜନାର୍ଦ୍ଦନ ଦେହୁରୀ ଙ୍କୁ ଲୋକସଭା ପ୍ରାର୍ଥୀ କରିଛି। ଅନ୍ୟପଟେ ଜିଲ୍ଲାର ୭ଟି ବିଧାନସଭା କ୍ଷେତ୍ର ମଧ୍ୟରୁ ରାଉରକେଲା ବ୍ୟତୀତ ଅନ୍ୟ ୬ଟି ଆସନ ପାଇଁ ବିଜେପି ଏବଂ ୫ଟି ପାଇଁ କଂଗ୍ରେସ ପ୍ରାର୍ଥୀ ଘୋଷଣା କରିସାରିଥିବା ବେଳେ ଅନ୍ୟ ଦୁଇଟି ରେ CPIM ଓ JMM ପ୍ରାର୍ଥୀ ଘୋଷଣା କରିବେ। ଏଭଳି ସ୍ଥଳେ ଜିଲ୍ଲାରେ ବିଜେଡ଼ି ବିଧାନସଭା ପ୍ରାର୍ଥୀ ଘୋଷଣା ନ କରିବା ଏବଂ ଜିଲ୍ଲାରେ ଦଳୀୟ ମୂରବୀ ଭାବେ ରାଉରକେଲା ବିଧାୟକ ତଥା ମନ୍ତ୍ରୀ ଶାରଦା ନାୟକ ଙ୍କ ରଣନୀତି କଣ ରହିବ ତାହା ଅସ୍ପଷ୍ଟ।

ଅନ୍ୟପଟେ ଯଦି ଆଗାମୀ ୫ ତାରିଖ ରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବିଜେଡ଼ି ର ଅନ୍ୟତମ ପ୍ରତିଷ୍ଠାତା ବରିଷ୍ଠ ନେତା ଦିଲ୍ଲୀପ ରାୟ ଙ୍କ ଉପରେ କୋଲ ବ୍ଲକ୍ ସ୍କାମ୍ ନେଇ ନିର୍ବାଚନ ନ ଲଢିବାକୁ କୋର୍ଟ ଦେଇଥିବା ନିର୍ଦ୍ଦେଶ ଉପରେ ସ୍ଥଗିତାଦେଶ ହୁଏ ତେବେ ସେ ପୁଣି ସିଧାସଳଖ ପ୍ରତ୍ୟକ୍ଷ ରାଜନୀତିକୁ ଫେରିବେ ବୋଲି ଗୋଟେପ୍ରକାର ସ୍ପଷ୍ଟ। ତେବେ କଣ ସେ ଛାଡିଥିବା ଦଳକୁ ଯିବେ ନା ଗଢିଥିବା ଦଳକୁ ତାହାକୁ ନେଇ ଲାଗି ରହିଛି କଳ୍ପନା ଜଳ୍ପନା। ୨୦୧୪ ରେ ବିଜେପି ତରଫରୁ ରାଉରକେଲା ବିଧାନସଭା ଆସନରୁ ନିର୍ବାଚନ ଲଢି ୫୯୬୫୩ ଖଣ୍ଡ ଭୋଟ ପାଇଥିବା ବେଳେ ନିକଟତମ ପ୍ରତିଦ୍ବନ୍ଦୀ ବିଜେଡିର ଶାରଦା ପ୍ରସାଦ ନାୟକ(୪୮୭୨୪) ଙ୍କୁ ୧୦୯୨୯ ଖଣ୍ଡ ଭୋଟରେ ପରାସ୍ତ କରିଥିଲେ। ତେବେ ଗତ ନିର୍ବାଚନ ପୂର୍ବରୁ ପ୍ରଧାନମନ୍ତ୍ରୀ ଦେଇଥିବା ଦ୍ଵିତୀୟ ବ୍ରାହ୍ମଣୀ ସେତୁ ଓ ସୁପର୍ ସ୍ପେଶିଆଲିଟି ହସ୍ପିଟାଲ ପ୍ରତିଶ୍ରୁତି କାର୍ଯ୍ୟ ଠିକ୍ ରୂପେ ହୋଇନଥିବା ଦର୍ଶାଇ ଦଳ ଓ ବିଧାୟକ ପଦ ଛାଡିଥିଲେ ଦିଲ୍ଲୀପ। 

ସେବେଠାରୁ ପ୍ରତ୍ୟକ୍ଷ ରାଜନୀତିରୁ ଦୂରେଇ ରହିଛନ୍ତି ଦିଲ୍ଲୀପ ରାୟ। ମାତ୍ର ଚଳିତ ବର୍ଷ ସେ ପୁଣି ପ୍ରତ୍ୟକ୍ଷ ରାଜନୀତି କୁ ଫେରିବେ ବୋଲି ଚର୍ଚ୍ଚା ଚାଲୁଥିବା ବେଳେ ରାଉରକେଲା ରେ ପୁଣି ଦିଲ୍ଲୀପ-ଶାରଦା ଲଢେଇ ଦେଖିବାକୁ ମିଳିବ ବୋଲି ହେଉଛି ଆଲୋଚନା। ଯେଉଁଥିରେ ଖୋରାକ ଯୋଗାଇଛି ବିଜେପି ପ୍ରାର୍ଥୀ ତାଲିକାରେ ରାଉରକେଲା ପ୍ରାର୍ଥୀ ନାମ ଘୋଷଣା କରାନଯିବା।