One Nation One Election: ଦେଶର କାର୍ଯ୍ୟକାରୀ ହେବ କି ଗୋଟିଏ ଦେଶ ଗୋଟିଏ ନିର୍ବାଚନ ପକ୍ରିୟା? ପଢନ୍ତୁ କମିଟି ରିପୋର୍ଟ
Advertisement
Article Detail0/zeeodisha/odisha2156360

One Nation One Election: ଦେଶର କାର୍ଯ୍ୟକାରୀ ହେବ କି ଗୋଟିଏ ଦେଶ ଗୋଟିଏ ନିର୍ବାଚନ ପକ୍ରିୟା? ପଢନ୍ତୁ କମିଟି ରିପୋର୍ଟ

Indian Politics: ଗୋଟିଏ ଦେଶ ଗୋଟିଏ ନିର୍ବାଚନ ଲାଗି ଗଠିତ ହୋଇଥିବା କମିଟି ରାଷ୍ଟ୍ରପତିଙ୍କୁ ୧୮,୬୨୬ ପୃଷ୍ଠା ବିଶିଷ୍ଟ ଏହାର ରିପୋର୍ଟ ଉପସ୍ଥାପନ କରିଛି।

 

ଫଟୋ ସୌଜନ୍ୟ: @rashtrapatibhvn

Ramnath Kovind Committee Report: ଗୋଟିଏ ଦେଶ ଗୋଟିଏ ନିର୍ବାଚନ ପ୍ରକ୍ରିୟା ସମ୍ଭାବନା ସମ୍ପର୍କରେ ଅନୁସନ୍ଧାନ କରିବା ପାଇଁ ଗଠିତ ହୋଇଥିବା ଉଚ୍ଚ ସ୍ତରୀୟ କମିଟି ରିପୋର୍ଟ ଆସିସାରିଛି। ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ନେତୃତ୍ୱରେ ଗଠିତ କମିଟି ମାର୍ଚ୍ଚ ୧୪ ତାରିଖ ଗୁରୁବାର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟି ଏହି ରିପୋର୍ଟ ଦାଖଲ କରିଛି। ଏହି କମିଟି ୧୮,୬୨୬ ପୃଷ୍ଠାରେ ଏହାର ସୁପାରିଶ ଉପସ୍ଥାପନ କରିଛି। ଯଦି ସରକାର ଏହି ସୁପାରିଶ ଗ୍ରହଣ କରନ୍ତି, ତାହେଲେ ଦେଶରେ ଆସନ୍ତା ୨୦୨୯ ବର୍ଷରେ ପ୍ରଥମ ଥର ପାଇଁ ଉଭୟ ଲୋକସଭା-ବିଧାନସଭା ନିର୍ବାଚନ ଏକ ସମୟରେ ଅନୁଷ୍ଠିତ ହୋଇପାରିବ। 

ପୂର୍ବତନ ରାଷ୍ଟ୍ରପତିଙ୍କ ଦ୍ୱାରା ଗଠିତ କମିଟି କହିଛି ଯେ ପ୍ରଥମ ପର୍ଯ୍ୟାୟରେ ଲୋକସଭା-ବିଧାନସଭା ନିର୍ବାଚନ ଏକ ସମୟରେ ଅନୁଷ୍ଠିତ ହୋଇପାରିବ। ଏହାର ୧୦୦ ଦିନ ମଧ୍ୟରେ ଦ୍ୱିତୀୟ ପର୍ଯ୍ୟାୟରେ ସ୍ଥାନୀୟ ସଂସ୍ଥା ପାଇଁ ନିର୍ବାଚନ ଆୟୋଜନ କରାଯାଇ ପାରିବ। ଝୁଲା କିମ୍ବା ତ୍ରିଶଙ୍କୁ ସ୍ଥିତି କିମ୍ବା ଅବିଶ୍ୱାସ ପ୍ରସ୍ତାବ ଆଗତ ହେବା କ୍ଷେତ୍ରରେ ବାକି ଅବଧି ପାଇଁ ନୂତନ ନିର୍ବାଚନ କରାଯାଇ ପାରିବ। କମିଟି ସମ୍ବିଧାନର ଧାରା ୩୨୫ ସଂଶୋଧନ କରିବାକୁ ମଧ୍ୟ ସୁପାରିଶ କରିଛି। ଯାହାଫଳରେ ଭାରତୀୟ ନିର୍ବାଚନ ଆୟୋଗ ଗୋଟିଏ ଭୋଟର ତାଲିକା (Single Voters List) ଏବଂ ଗୋଟିଏ ଭୋଟର ଫଟୋ ପରିଚୟ ପତ୍ର (Single Electors Photo Identity Card) ପ୍ରସ୍ତୁତ କରିପାରିବେ। ଏନେଇ ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ଠାରୁ ପରାମର୍ଶ ନିଆଯିବ। ଗୋଟିଏ ଦେଶ ଏକ ନିର୍ବାଚନ ଉପରେ ରାମନାଥ କୋବିନ୍ଦ କମିଟି ରିପୋର୍ଟ ସହ ୫ ଗୁରୁତ୍ୱପୂର୍ଣ୍ଣ ବିଷୟରେ ଜାଣନ୍ତୁ।

ଗୋଟିଏ ଦେଶ ଗୋଟିଏ ନିର୍ବାଚନ: ରାମନାଥ କୋବିନ୍ଦ କମିଟି ରିପୋର୍ଟ ସହ ୫ ଗୁରୁତ୍ୱପୂର୍ଣ୍ଣ ତଥ୍ୟ

  • ୧. ଗୋଟିଏ ଦେଶ ଗୋଟିଏ ନିର୍ବାଚନ ପକ୍ରିୟାକୁ କାର୍ଯ୍ୟକାରୀ କରିବା ପାଇଁ ସରକାର ଏକକାଳୀନ ଅସ୍ଥାୟୀ ପଦକ୍ଷେପ ଗ୍ରହଣ କରିବାକୁ ରାମନାଥ କୋବିନ୍ଦ କମିଟି ସୁପାରିଶ କରିଛି। ଯାହା ଅଧିନରେ କେନ୍ଦ୍ର ସରକାରଙ୍କୁ ଲୋକସଭା ନିର୍ବାଚନ ପରେ ତୁରନ୍ତ ଏକ ତାରିଖ ଚୟନ କରିବାକୁ ହେବ। ସେହି ତାରିଖ ପରେ ଭୋଟିଂ ହେଉଥିବା ରାଜ୍ୟର ବିଧାନସଭାର କାର୍ଯ୍ୟକାଳ ସଂସଦ ସହିତ ସମାପ୍ତ ହୋଇଯିବ। ଯାହା ଦ୍ୱାରା କେନ୍ଦ୍ରର ଲୋକସଭା ନିର୍ବାଚନ ଏବଂ ରାଜ୍ୟର ବିଧାନସଭା ନିର୍ବାଚନ ଏକ ସମୟରେ ହୋଇପାରିବ। ଦ୍ୱିତୀୟ ପର୍ଯ୍ୟାୟରେ ଲୋକସଭା ତଥା ରାଜ୍ୟ ନିର୍ବାଚନ ଅନୁଷ୍ଠିତ ହେବାର ୧୦୦ ଦିନ ମଧ୍ୟରେ ସ୍ଥାନୀୟ ସ୍ତରରେ ଗ୍ରାମ ପଞ୍ଚାୟତ ଏବଂ ପୌରସଂସ୍ଥା ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇପାରିବ।
  • ୨.ଏକ ସମୟରେ ସ୍ଥାନୀୟ ସ୍ତରରେ ଗ୍ରାମ ପଞ୍ଚାୟତ ଏବଂ ପୌରସଂସ୍ଥା ନିର୍ବାଚନ କରିବା ପାଇଁ ରାମନାଥ କୋବିନ୍ଦ କମିଟି ଗୋଟିଏ ଧାରା ୩୨୪ଏ ଲାଗି ସୁପାରିଶ କରିଛି। ଯେଉଁଥିରେ କୁହାଯାଇଛି ଯେ ସାଧାରଣ ନିର୍ବାଚନ ସହିତ ଗ୍ରାମ ପଞ୍ଚାୟତ ଏବଂ ପୌରସଂସ୍ଥା ନିର୍ବାଚନ ଏକକାଳୀନ ଅନୁଷ୍ଠିତ ଆୟୋଜନ କରିବା ପାଇଁ ସଂସଦ ଏକ ଆଇନ ପ୍ରଣୟନ କରିପାରିବ।
  • ୩.ରାଜ୍ୟ ନିର୍ବାଚନ ଆୟୋଗ ପରାମର୍ଶ କ୍ରମେ ଗୋଟିଏ ଭୋଟର ତାଲିକା ଏବଂ ଗୋଟିଏ ଭୋଟର ଫଟୋ ପରିଚୟ ପତ୍ର ପ୍ରସ୍ତୁତ କରିବାକୁ ଭାରତର ନିର୍ବାଚନ ଆୟୋଗକୁ ସକ୍ଷମ କରିବାକୁ କମିଟି ସୁପାରିଶ କରିଛି। କମିଟି କହିଛି ଯେ ଏନେଇ ସମ୍ବିଧାନର ଧାରା ୩୨୫ ସଂଶୋଧିତ ହେବା ଆବଶ୍ୟକ।
  • ୪.ରାମନାଥ କୋବିନ୍ଦ କମିଟି ସୁପାରିଶ କରିଛି ଯେ ଯଦି କୌଣସି କାରଣରୁ ସଂସଦ କିମ୍ବା ରାଜ୍ୟ ବିଧାନସଭା କାର୍ଯ୍ୟକାଳ ଶେଷ ହେବା ପୂର୍ବରୁ ଭଙ୍ଗ କରାଯାଏ, ତାହେଲେ ସେହି କ୍ଷେତ୍ରରେ କମିଟି ପରାମର୍ଶ ଦେଇଛି ଯେ ଅବଶିଷ୍ଟ ଅବଧି ପାଇଁ ପୁନର୍ବାର ନିର୍ବାଚନ କରାଯାଇ ପାରିବ।
  • ୫. ଯଦି ଚଳିତ ବର୍ଷ ଅନୁଷ୍ଠିତ ହେଉଥିବା ଅଷ୍ଟାଦଶ ଲୋକସଭା ନିର୍ବାଚନ ପରେ ଗଠିତ ହେଉଥିବା ସରକାର ରାମନାଥ କୋବିନ୍ଦ କମିଟି ଦେଇଥିବା ସୁପାରିଶ ଗ୍ରହଣ କରି ଏହା ଉପରେ ତୁରନ୍ତ ପଦକ୍ଷେପ ନେବା ଆରମ୍ଭ  କରନ୍ତି, ତାହେଲେ ୨୦୨୯ ବର୍ଷରେ ଏକକାଳୀନ ନିର୍ବାଚନ ଅନୁଷ୍ଠିତ ହୋଇପାରିବ। ଏହି ସମୟ ମଧ୍ୟରେ ଯେଉଁ ରାଜ୍ୟରେ ନିର୍ବାଚନ ୨୦୨୪ ଜୁନ ମାସରୁ ୨୦୨୯ ମେ ମାସ ମଧ୍ୟରେ ଅନୁଷ୍ଠିତ ହେବ, ତାହାର ବିଧାନସଭାର କାର୍ଯ୍ୟକାଳ ଅଷ୍ଚାଦଶ ଲୋକସଭା ସହିତ ଶେଷ ହେବ। ଯାହାର ଅର୍ଥ ହେଉଛି ଯଦି ଗୋଟିଏ ଦେଶ ଗୋଟିଏ ନିର୍ବାଚନ ସମ୍ପର୍କରେ କୌଣସି ପଦକ୍ଷେପ ନିଆଯାଏ, ତାହାଲେ କେତେକ ରାଜ୍ୟର ବିଧାନସଭା ସଭାର କାର୍ଯ୍ୟକାଳ ୫ ବର୍ଷ ଠାରୁ କମ୍ ହୋଇଯିବ। ପଶ୍ଚିମବଙ୍ଗ, ତାମିଲନାଡୁ, ପଞ୍ଜାବ, ଉତ୍ତର ପ୍ରଦେଶ, ଉତ୍ତରାଖଣ୍ଡ, କର୍ଣ୍ଣାଟକ, ଛତିଶଗଡ଼ ଏବଂ ତେଲେଙ୍ଗାନା ଭଳି ରାଜ୍ୟର ବିଧାନସଭାର କାର୍ଯ୍ୟକାଳ ୨୦୨୪ ଜୁନ୍ ମାସରୁ ମେ ୨୦୨୯ ମଧ୍ୟରେ ଶେଷ ହୋଇଯିବ। ଯଦି କମିଟି ସୁପାରିଶ କାର୍ଯ୍ୟକାରୀ ହୁଏ, ତାହେଲେ ଏହି ସମସ୍ତ ରାଜ୍ୟର ନୂତନ ବିଧାନସଭାର କାର୍ଯ୍ୟକାଳ ୨୦୨୯ ବର୍ଷରେ ଅଷ୍ଟାଦଶ ଲୋକସଭା ସହିତ ଶେଷ ହୋଇଯିବ। ଯାହାର ଅର୍ଥ ହେଉଛି ନବ ନିର୍ବାଚିତ ସରକାର ଅଧିକ ଦିନ କ୍ଷମତାରେ ରହିପାରିବେ ନାହିଁ।

ଗୋଟିଏ ଦେଶ ଏକ ନିର୍ବାଚନ ସମ୍ପର୍କରେ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠିତ ହୋଇଥିଲା। ଗତ ବର୍ଷ ସେପ୍ଟେମ୍ବର ୨ ତାରିଖରେ ଏହି କମିଟି ଗଠନ କରାଯାଇଥିଲା। ଯେଉଁଥିରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ରାଜ୍ୟସଭାରେ ପୂର୍ବତନ ବିରୋଧି ଦଳ ନେତା ଗୁଲାମ ନବୀ ଆଜାଦ, ପୂର୍ବତନ ଅର୍ଥ ଆୟୋଗ ଅଧ୍ୟକ୍ଷ ଏନ.କେ ସିଂହ, ଲୋକସଭାର ପୂର୍ବତନ ମହାସଚିବ ସୁଭାଷ ସି.କଶ୍ୟପ, ବରିଷ୍ଠ ଆଇନଜୀବୀ ହରିଶ ସାଲଭେ ଏବଂ ପୂର୍ବତନ ମୁଖ୍ୟ ଭିଜିଲାନ୍ସ କମିଶନର ସଞ୍ଜୟ କୋଠାରୀ ପ୍ରମୁଖ ସଦସ୍ୟ ରହିଥିଲେ। ଏହି କମିଟି ବିଭିନ୍ନ ପକ୍ଷ ସହ ବ୍ୟାପକ ଆଲୋଚନା ଏବଂ ୧୯୧ ଦିନ ଗବେଷଣା ପରେ ରିପୋର୍ଟ ପ୍ରସ୍ତୁତ କରିଛି। ମାର୍ଚ୍ଚ ୧୪ ତାରିଖ ଗୁରୁବାର କମିଟି ଏହାର ସମସ୍ତ ସଦସ୍ୟଙ୍କ ଉପସ୍ଥିତିରେ ରାଷ୍ଟ୍ରପତିଙ୍କ ନିକଟରେ ରିପୋର୍ଟ ଉପସ୍ଥାପନ କରିଛି।