‘ଆଇନ ଶୃଂଖଳା ଠିକ୍‍ ଅଛି, ବିରୋଧୀ ରାଜନୀତିକ ରଙ୍ଗ ଦେଉଛନ୍ତି’- ମୁଖ୍ୟମନ୍ତ୍ରୀ
Advertisement
Article Detail0/zeeodisha/odisha1891963

‘ଆଇନ ଶୃଂଖଳା ଠିକ୍‍ ଅଛି, ବିରୋଧୀ ରାଜନୀତିକ ରଙ୍ଗ ଦେଉଛନ୍ତି’- ମୁଖ୍ୟମନ୍ତ୍ରୀ

ନିଜ ବୟାନରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି, ଶ୍ରୀ ଜଗନ୍ନାଥଙ୍କ କୃପାରୁ ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ଶାନ୍ତିପୂର୍ଣ୍ଣ ଓ ନିୟନ୍ତ୍ରଣରେ ରହିଛି । ଏବର୍ଷ ପୁଲିସରେ ୫ ହଜାର ପ୍ରାର୍ଥୀଙ୍କୁ ନିଯୁକ୍ତି ଦିଆାଯାଇଥିବା ବେଳେ ଆହୁରି ୩୩୦୦ ପଦବୀ ପାଇଁ ନିଯୁକ୍ତି ଖୋଲାଯାଇଛି । 

ନବୀନ ପଟ୍ଟନାୟକ (ଫାଇଲ ଫଟୋ)

ଭୁବନେଶ୍ୱର: ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ଠିକ୍‍ ରହିଛି । କିନ୍ତୁ ମୋତେ ଦୁଃଖ ଲାଗୁଛି ଯେ, ବିରୋଧୀ ଦଳର ନେତାମାନେ ନିଜର ନ୍ୟସ୍ତ ସ୍ୱାର୍ଥ ହାସଲ କରିବା ଲାଗି କିଛି ଘଟଣାକୁ ରାଜନୀତିକ ରଙ୍ଗ ଦେଉଛନ୍ତି । ଏହା ଉଭୟ ପୀଡ଼ିତ ଏବଂ ଦିନ ରାତି ନିଷ୍ଠାର ସହ କାମ କରୁଥିବା ପୁଲିସ କର୍ମଚାରୀଙ୍କ ପାଇଁ ଅନ୍ୟାୟ ହେଉଛି । ଏପରିକି ଅତୀତରେ ଜଣେ ମହିଳା ପୁଲିସ କର୍ମଚାରୀଙ୍କୁ ମଧ୍ୟ ଅପମାନିତ କରାଯାଇଛି, ଯାହା ସଭ୍ୟ ସମାଜରେ କଦାପି ଗ୍ରହଣୀୟ ନୁହେଁ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ବିଧାନସଭାରେ ଗୃହରେ ସାଧାରଣ ପ୍ରଶାସନର ଖର୍ଚ୍ଚ ଦାବି ଉପରେ ନିଜର ବକ୍ତବ୍ୟ ରଖି ଶ୍ରୀ ପଟ୍ଟନାୟକ ଏହା କହିଛନ୍ତି । ଏହାଦ୍ୱାରା ବିରୋଧୀଙ୍କୁ  ରାଜନୀତିକ ଭାବେ ସମାଲୋଚନା କରିଛନ୍ତି ଶ୍ରୀ ପଟ୍ଟନାୟକ । ସେ କହିଛନ୍ତି ଲୋକଙ୍କ ପାଇଁ ଯେଉଁମାନେ କାମ କରିଛନ୍ତି ସେମାନେ ଏ ଗୃହକୁ ପୁଣିଥରେ ନିର୍ବାଚିତ ହୋଇ ଆସିଥାଆନ୍ତି । କିନ୍ତୁ ଯେଉଁମାନେ ବିକାଶକୁ ପଥରୋଧ କରନ୍ତି, ଅପରାଧକୁ ନେଇ ରାଜନୀତି କରନ୍ତି ସେମାନେ ଏହି ଗୃହକୁ ଫେରି ନାହାନ୍ତି । ଏହାକହି ନବୀନ ଆସନ୍ତା ନିର୍ବାଚନ ଲାଗି ନିଜର ଆତ୍ମବିଶ୍ୱାସକୁ ଗୃହରେ ଜାହିର କରିଛନ୍ତି। 

ନିଜ ବୟାନରେ ଶ୍ରୀ ପଟ୍ଟନାୟକ କହିଛନ୍ତି, ଶ୍ରୀ ଜଗନ୍ନାଥଙ୍କ କୃପାରୁ ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ଶାନ୍ତିପୂର୍ଣ୍ଣ ଓ ନିୟନ୍ତ୍ରଣରେ ରହିଛି । ଏବର୍ଷ ପୁଲିସରେ ୫ ହଜାର ପ୍ରାର୍ଥୀଙ୍କୁ ନିଯୁକ୍ତି ଦିଆାଯାଇଥିବା ବେଳେ ଆହୁରି ୩୩୦୦ ପଦବୀ ପାଇଁ ନିଯୁକ୍ତି ଖୋଲାଯାଇଛି । ଏହାଛଡ଼ା ଅନୁସୂଚିତ ଜାତି, ଜନଜାତିଙ୍କ ବିରୁଦ୍ଧରେ ହେଉଥିବା ଅତ୍ୟାଚାରକୁ ରୋକିବା ଲାଗି ସରକାର ସ୍ୱତନ୍ତ୍ର ପୋର୍ଟାଲ୍‍ ଆରମ୍ଭ କରିଛନ୍ତି । ମହିଳାଙ୍କ ପ୍ରତି ହେଉଥିବା ଅପରାଧ ପ୍ରତି ସରକାର ଶୂନ୍ୟ ସହନଶୀଳ ନୀତି ଆପଣାଉଥିବା କହିଛନ୍ତି ନବୀନ । ବିଭିନ୍ନ ନିଯୁକ୍ତି ପାଇଁ ମୋ ସରକାର ନୀତିକୁ ଆପଣାଯାଇଛି । ଯେଉଁଥିରେ ସ୍ୱଚ୍ଛତା ବଜାୟ ରହୁଛି । ଲୋକାୟୁକ୍ତଙ୍କ କାର୍ଯ୍ୟକୁ ପ୍ରଶଂସା କରି ନବୀନ କହିଛନ୍ତି ସରକାରୀ କର୍ମଚାରୀଙ୍କ ଦୁର୍ନୀତିକୁ ବିଚାର କରି କାର୍ଯ୍ୟାନୁଷ୍ଠାନ ନେବାରେ ଏହି ଏଜେନ୍ସୀ ସାରା ଦେଶରେ ପ୍ରଶଂସା ପାଉଛି ।