ଟିମ ଟ୍ୱେଣ୍ଟିୱାନ କୁ ଗୁରୁମନ୍ତ୍ର ଦେଲେ ମୁଖ୍ୟମନ୍ତ୍ରୀ ନବୀନ
Advertisement
Article Detail0/zeeodisha/odisha1209305

ଟିମ ଟ୍ୱେଣ୍ଟିୱାନ କୁ ଗୁରୁମନ୍ତ୍ର ଦେଲେ ମୁଖ୍ୟମନ୍ତ୍ରୀ ନବୀନ

5T  ବଦଳରେ 6T ଉପରେ ଧ୍ୟାନ ଦେବାକୁ ନୂଆ ମନ୍ତ୍ରୀଙ୍କୁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। 

ଟିମ ଟ୍ୱେଣ୍ଟିୱାନ କୁ ଗୁରୁମନ୍ତ୍ର ଦେଲେ ମୁଖ୍ୟମନ୍ତ୍ରୀ ନବୀନ

ଭୁବନେଶ୍ୱର: ପଞ୍ଚମ ପାଳି କାର୍ଯ୍ୟକାଳରେ ଦ୍ୱିତୀୟ ଥର ଲାଗି ମନ୍ତ୍ରୀମଣ୍ଡଳ ପୁନର୍ଗଠନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଜୁନ ୪ ତାରିଖ ରବିବାର ଶପଥ ଗ୍ରହଣ କରିବା ପରେ ସନ୍ଧ୍ୟାରେ ନବୀନ ନିବାସ ଠାରେ ଦଳୀୟ ସୁପ୍ରିମୋଙ୍କୁ ଭେଟିଛନ୍ତି ନୂଆ ଟିମ ଟ୍ୱେଣ୍ଟିୱାନ। ନୂତନ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇଥିବା ସମସ୍ତ ମନ୍ତ୍ରୀଙ୍କୁ ବିକାଶର ଗୁରୁମନ୍ତ୍ର ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ।  

5T (Team Work, Technology, Transparency, Transformation & Time Limit) ବଦଳରେ 6T ଉପରେ ଧ୍ୟାନ ଦେବାକୁ ନୂଆ ମନ୍ତ୍ରୀଙ୍କୁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। 5T ସହ ଏବେ ଆଉ ଗୋଟିଏ T ଉପରେ ଗୁରତ୍ୱ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ତାହା ହେଉଛି ପର୍ଯ୍ୟଟନ (Tourism)। ନିଜ ଅଞ୍ଚଳ ସହ ରାଜ୍ୟର ବିଭିନ୍ନ ଜିଲ୍ଲା ଗସ୍ତ କରି ଲୋକଙ୍କ ସମସ୍ୟା ସମାଧାନ କରିବାକୁ ନୂତନ ମନ୍ତ୍ରୀଙ୍କୁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। 

ମୁଖ୍ୟମନ୍ତ୍ରୀ ନବୀନଙ୍କ ନୂଆ ଟିମରେ ୫ ଜଣ ମହିଳା ସମେତ ୧୩ କ୍ୟାବିନେଟ ଏବଂ ୮ ଜଣ ରାଷ୍ଟ୍ରମନ୍ତ୍ରୀ ସ୍ୱାଧିନ ଦାୟିତ୍ୱ ଅନ୍ୟ ଜଣେ ରାଷ୍ଟ୍ରମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ପୂର୍ବତନ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖଙ୍କୁ ବାଚସ୍ପତି ଦାୟିତ୍ୱ ପ୍ରଦାନ କରାଯାଇଛି। ସେହିପରି ସରକାରୀ ଦଳ ମୁଖ୍ୟ ସଚେତକ ଭାବେ ଜଗତସିଂହପୁର ବିଧାୟକ ପ୍ରଶାନ୍ତ ମୁଦୁଲି ଏବଂ ପାଟଣାଗଡ଼ ବିଧାୟକ ସରୋଜ ମେହେରଙ୍କୁ ଉପ ସଚେତକ ଦାୟିତ୍ୱ ପ୍ରଦାନ କରାଯାଇଛି। 

ଗତ ଶନିବାର ମୁଖ୍ୟମନ୍ତ୍ରୀଙ୍କୁ ଛାଡି ଓଡିଶାର ସମସ୍ତ ମନ୍ତ୍ରୀ ନିଜ ପଦରୁ ଏକକାଳୀନ ସ୍ୱେଚ୍ଛାକୃତ ଭାବେ ଇସ୍ତଫା ଦେଇଛନ୍ତି। ଯାହା ଓଡିଶାର ରାଜନୈତିକ ଇତିହାସରେ ପ୍ରଥମ ଘଟଣା ବୋଲି କୁହାଯାଉଛି। ନବୀନ ପଟ୍ଟନାୟକଙ୍କ ନୂଆ କ୍ୟବିନେଟରେ ୧୨ ଜଣ ପୁରୁଣା ମନ୍ତ୍ରୀଙ୍କୁ ବାଦ ଦିଆଯାଇଛି। ମୁଖ୍ୟ ସଚେତକ ଓ ଉପମୁଖ୍ୟ ସଚେତକ ମଧ୍ୟ ବଦଳାଯାଇଛି। ଏବେ ରାଜ୍ୟ ମନ୍ତ୍ରୀମଣ୍ଡଳରେ ୧୩ କ୍ୟାବିନେଟ ଏବଂ ୮ ରାଷ୍ଟ୍ରମନ୍ତ୍ରୀ ଅଛନ୍ତି। ସେମାନଙ୍କ ମଧ୍ୟରେ ୫ ଜଣ ମହିଳାଙ୍କ ସମେତ ୬ ନୂଆ ମୁହଁକୁ ସାମିଲ କରାଯାଇଛି। 

ଅନ୍ୟପଟେ ୩୦ ଜିଲ୍ଲା ବିଶିଷ୍ଟ ରାଜ୍ୟରେ ୧୨ ଜିଲ୍ଲା ମନ୍ତ୍ରୀ ଶୂନ୍ୟ ହୋଇଛନ୍ତି। ଏଥିରେ ପଞ୍ଚିମ ଓଡିଶାର କଳାହାଣ୍ଡି ଏବଂ ସୁନ୍ଦରଗଡ ଜିଲ୍ଲା ମଧ୍ୟ ରହିଛି। ଭଦ୍ରକ, ଜଗତସିଂହପୁର, ନୟାଗଡ, କେନ୍ଦୁଝର, ଅନୁଗୁଳ, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, କନ୍ଧମାଳ ଜିଲ୍ଲାରୁ କେହି ମନ୍ତ୍ରୀ ହୋଇନାହାଁନ୍ତି। ଅନ୍ୟପଟେ ଗଜପତି ଏବଂ ଦେଓଗଡ ଜିଲ୍ଲା ମଧ୍ୟ ବାଦ ପଡିଛି। କାରଣ ଏହି ୨ ଜିଲ୍ଲାରେ କୌଣସି ବିଜେଡି ବିଧାୟକ ନିର୍ବାଚିତ ହୋଇନାହାଁନ୍ତି।