Odisha BJP: ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ଦାବିପତ୍ର ଦେଲା ବିଜେପି ପ୍ରତିନିଧିମଣ୍ଡଳୀ
Advertisement

Odisha BJP: ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ଦାବିପତ୍ର ଦେଲା ବିଜେପି ପ୍ରତିନିଧିମଣ୍ଡଳୀ

Odisha BJP Unit: ଗୁରୁବାର ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛି ବିଜେପି ପ୍ରତିନିଧିମଣ୍ଡଳୀ।

 

ଫଟୋ ସୌଜନ୍ୟ: ବିଜେପି ମିଡିଆ ସେଲ୍‌

Odisha BJP Delegation Meets State Election Commission: ରାଜ୍ୟରେ ଦୀର୍ଘ ୨୪ ବର୍ଷ ଧରି ବିଜୁ ଜନତା ଦଳ ସରକାରରେ ରହିବା ହେତୁ ଅହଂକାର ବଢ଼ିବା ସହ କ୍ଷମତା ଅପବ୍ୟବହାର କରିବାରେ ସୀମା ଟପିଛି। ବିଜେଡି ସରକାରୀ କଳକୁ ଅପବ୍ୟବହାର କରିବା, କ୍ଷମତାର ଦବ୍‌ଦବା ଦେଖାଇ ବିରୋଧୀଙ୍କୁ ଚାପଗ୍ରସ୍ତ କରିବା, ବିଜେଡିର ନେତା ତଥା ମନ୍ତ୍ରୀଙ୍କ ପ୍ରାର୍ଦୁଭାବରୁ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡିଛି। ସ୍ଥାନୀୟ ପୋଲିସ ତଥା ପ୍ରଶାସନର ପକ୍ଷପାତିତା କାରଣରୁ ଶାସକ ଦଳର ନେତା ଏବଂ ମନ୍ତ୍ରୀ ବେଫିକର ହୋଇ ବିରୋଧିଙ୍କୁ ଦମନ କରିବାର ଅପପ୍ରୟାସ କରୁଛନ୍ତି। ବିଜେପି କର୍ମୀଙ୍କୁ ମରଣାନ୍ତକ ଆକ୍ରମଣ କରି ନିର୍ବାଚନ ବୈତରଣୀ ପାରି ହେବାକୁ ଅନବରତ ପ୍ରଚେଷ୍ଟା ଜାରି ରଖିଥିବା ଶାସକ ବିଜେଡି ପୋଲିସ ଏବଂ ପ୍ରଶାସନକୁ ମଧ୍ୟ ବ୍ୟବହାର କରି ହିଂସାକାଣ୍ଡ ଭିଆଇବାକୁ ପଛାଉନାହିଁ। 

ଶାସକ ଦଳର ଗୁଣ୍ଡାରାଜ ଏବଂ ଆଦର୍ଶ ଆଚରଣ ବିଧି ଉଲ୍ଲଂଘନକୁ ନେଇ ବିଜେପି ପକ୍ଷରୁ ବାରମ୍ବାର ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ତଥ୍ୟ ଏବଂ ପ୍ରମାଣ ସହ ଅଭିଯୋଗ କରାଯାଉଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯିବା ଅତ୍ୟନ୍ତ ଚିନ୍ତାଜନକ। ସାଧାରଣ ନିର୍ବାଚନକୁ ଅବାଧ, ମୁକ୍ତ, ଭୟମୁକ୍ତ, ନିରପେକ୍ଷ କରିବା ପାଇଁ ରାଜ୍ୟ ନିର୍ବାଚନ ଅଧିକାରୀ ତୁରନ୍ତ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକଲେ ଏଭଳି ଅଗଣତାନ୍ତ୍ରିକ ଏବଂ ଅସାମ୍ବିଧାନିକ କାର୍ଯ୍ୟ ବାରମ୍ବାର ହେବ। ଏହି ପ୍ରସଙ୍ଗରେ ଦୃଷ୍ଟି ଆକର୍ଷଣ କରିବା ପାଇଁ ଗୁରୁବାର ରାଜ୍ୟ ଉପସଭାନେତ୍ରୀ ଡ.ଲେଖାଶ୍ରୀ ସାମନ୍ତସିଂହାରଙ୍କ ନେତୃତ୍ୱରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛି ବିଜେପି ପ୍ରତିନିଧିମଣ୍ଡଳୀ।

ଆଦର୍ଶ ଆଚରଣ ବିଧି ଲାଗୁ ହେବା ପରେ ମଧ୍ୟ ରାଜ୍ୟ ସରକାର ମହିଳା ଏସ୍‌ଏଚଜି ଗ୍ରୁପ ନେତ୍ରୀଙ୍କୁ ବିଦେଶ ଯାତ୍ରାର ବ୍ୟବସ୍ଥା କରିଛନ୍ତି। ଯାହା ଖୋଲାଖୋଲି ଭାବେ ନିର୍ବାଚନ ଆଦର୍ଶ ଆଚରଣ ବିଧିର ଉଲଘଂନ। ଏସ୍‌ଏଚଜି ଗ୍ରୁପର ମହିଳାଙ୍କୁ ବିଜେଡି ସରକାର ଗତ ୨୩ ତାରିଖରେ ଏକ୍ସପେଣ୍ଡିଟୁର (ଓଟଡିସି) ନାମରେ ଦୁବାଇ ବୁଲାଇ ନେଇଥିଲା। ଆଗକୁ ସାଧାରଣ ନିର୍ବାଚନ ଥିବାରୁ ବିଜୁ ଜନତା ଦଳ ଏସ୍‌ଏଚଜି ମହିଳାଙ୍କୁ ପ୍ରଲୋଭନ ଦେଖାଇ କର୍ମୀ ଭଳି କାର୍ଯ୍ୟ କରାଇବା ପାଇଁ ଏଭଳି କାର୍ଯ୍ୟ କରିଛି। ବିଜେଡି ଏଭଳି ହୀନ କାର୍ଯ୍ୟ ବିରୋଧରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ବୋଲି ଡ. ଲେଖାଶ୍ରୀ ଦାବି କରିଛନ୍ତି। ପ୍ରତ୍ୟେକ ନିର୍ବାଚନ ଭଳି ବିଜୁ ଜନତା ଦଳ କଳ, ବଳର ଅପବ୍ୟବହାର କରିବା ଆରମ୍ଭ କଲାଣି। 

ଗତ ନିର୍ବାଚନରେ ରାଜ୍ୟରେ ୧୮ ରାଜନୈତିକ ହତ୍ୟା ହୋଇଥିଲା। ଗଣତନ୍ତ୍ରରେ ହିଂସାର କୌଣସି ସ୍ଥାନ ନାହିଁ। ମୁଖ୍ୟମନ୍ତ୍ରୀ ଅହିଂସାକୁ ସମ୍ବିଧାନର ମୁଖବନ୍ଧରେ ରଖିବା ପାଇଁ ବଡ ବଡ କଥା କହି ମହାପୁରୁଷ ହେବାକୁ ଚେଷ୍ଟା କରୁଛନ୍ତି। ହେଲେ ତାଙ୍କ ନିଜ ଦଳର ଲୋକ ବିଜେପି କର୍ମୀଙ୍କୁ ବିଭିନ୍ନ ଜାଗାରେ ମାରପିଟ୍ କରିବା ଆରମ୍ଭ କରିଛନ୍ତି। ଉଦାହରଣ ସ୍ୱରୂପ, କେନ୍ଦୁଝରର ବଡବିଲ ଶ୍ରୀରାମନଗରର ବିଜେପି କର୍ମୀ କିଷାନ ସିଂହଙ୍କ ଉପରେ ମରଣାନ୍ତ୍ରକ ଅସ୍ତ୍ରରେ ଆକ୍ରମଣ କରିଛନ୍ତି ବିଜେଡ଼ି କର୍ମୀ ଇଶ୍ୱର ନାଇଡୁ, ବିଜୟ ସାହୁ ଏବଂ ତାଙ୍କ ସହ ଆଉ ଦୁଇ ଜଣ। ଏହି ଦୁଇ ଜଣଙ୍କ ନାମରେ ମାମଲା ରୁଜୁ ହୋଇଛି। ମାମଲା ପରେ ସେମାନଙ୍କୁ ଥାନାରେ ଅଟକ ରଖାଯାଇଥିଲା। ହେଲେ ଦୁଃଖର ବିଷୟ ଯେ, ସେମାନେ ବିଜେଡ଼ି କର୍ମୀ ବୋଲି ଜାଣିଲା ପରେ ତାଙ୍କୁ ପୋଲିସ ଛାଡ଼ି ଦେଇଛି। ଏଥିରୁ ସ୍ପଷ୍ଟ ପୋଲିସ ଏବଂ ପ୍ରଶାସନର ବିଜେଡ଼ି କର୍ମୀ ଏବଂ ଗୁଣ୍ଡାଙ୍କ ସହ ମଧୁଚନ୍ଦ୍ରିକା ଚାଲିଛି। ଏଭଳି ପରିସ୍ଥିତିରେ ଅବାଧ ଏବଂ ଭୟମୁକ୍ତ ନିର୍ବାଚନ ହେଲାଭଳି ଲାଗୁ ନାହିଁ। ୨୦୨୪ ସାଧାରଣ ନିର୍ବାଚନକୁ ଅବାଧ, ମୁକ୍ତ, ନିରପେକ୍ଷ କରିବା ପାଇଁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଦାବି କରିଛନ୍ତି ଡ.ଲେଖାଶ୍ରୀ।

ନିର୍ବାଚନ ପରିଚାଳନାକୁ ଅବାଧ ଏବଂ ନିରପେକ୍ଷ କରାଇବା ଦାୟିତ୍ୱ ହେଉଛି ନିର୍ବାଚନ ଆୟୋଗଙ୍କ, ଆଉ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶକୁ ପାଳନ କରିବା ଦାୟିତ୍ୱ ହେଉଛି ରାଜ୍ୟ ସରକାରଙ୍କର। ସେଥିପାଇଁ ୩ ବର୍ଷରୁ ଉର୍ଦ୍ଧ୍ୱ ସମୟ ଧରି ଅବସ୍ଥାପିତ ଥିବା ବିଭିନ୍ନ ବିଭାଗର ଅଧିକାରୀଙ୍କୁ ତୁରନ୍ତ ବଦଳି କରାଯାଉ। ଭଦ୍ରକ, କଟକ, ଗଞ୍ଜାମ ଜିଲ୍ଲାରେ ଦୀର୍ଘ ବର୍ଷ ଧରି ଅଥବା ୩ ବର୍ଷରୁ ଊର୍ଦ୍ଧ୍ୱ ସମୟ ଅବସ୍ଥାପିତ ଥିବା ବହୁ ଅଧିକାରୀ ଦୃଷ୍ଟିଗୋଚର ହେଉଛନ୍ତି। ସେମାନେ ହେଲେ କଟକ ଜିଲ୍ଲାର ତହସିଲଦାର ମଧୁସୂଦନ ନାୟକ, ତୁଷାର ରଞ୍ଜନ ସେଠୀ, ଓଏଏସ୍ ସ୍ନେହାରତନ ମହାନ୍ତି, ଉପଜିଲ୍ଲାପାଳ ପ୍ରଶାନ୍ତ ରାୟ, ଉପଜିଲ୍ଲାପାଳ କାର୍ଯ୍ୟାଳୟ ପରିଚାଳକ ପ୍ରକାଶ ରାଉଳଙ୍କ ସମେତ ଅନ୍ୟ ସରକାରୀ ଅଧିକାରୀଙ୍କୁ ତୁରନ୍ତ ବଦଳି କରାଯାଉ।

ସେହିପରି ଭଦ୍ରକ ଜିଲ୍ଲାର ପିଇଓ ରାଜେନ୍ଦ୍ର ପ୍ରଧାସ ଦାସ, ନିରଞ୍ଜନ ଶଙ୍ଖୁଆ, ରାଜକିଶୋର ଦାସ, ବବ୍ରୁ ବାହନ ମଲ୍ଲିକ, ପିୟୁସକାନ୍ତି ଦାସ, ସର୍ବେଶ୍ରୀ ପଟ୍ଟନାୟକ, କମଳାକାନ୍ତ କର, ଧୀରେନ୍ଦ୍ର ନାୟକ, ଜେଇ ପ୍ରଭାତ ବେହେରା, ବିଶ୍ୱଜିତ୍ ଦାସ, ଗୋବିନ୍ଦ ସାମଲ, ଜାଡୁ ଟୁଡୁ, ଅମିୟ କୁମାର ପଲେଇ, ବିଏଲଏଫ ସଭାପତି ମାନସୀ ପାଢ଼ୀ, ମିଶନଶକ୍ତିର ବ୍ଲକ ପ୍ରୋଗ୍ରାମ ସଭାପତି ଷ୍ଟାଲିନ ନାୟକଙ୍କ ସମେତ ଅନ୍ୟ ସରକାରୀ ଅଧିକାରୀମାନଙ୍କୁ ତୁରନ୍ତ ବଦଳି କରାଯାଉ।  ଗଞ୍ଜାମର ବ୍ଲକ ଏଇ ଲକ୍ଷ୍ମୀନାରାୟଣ ପଟ୍ଟନାୟକ, ବ୍ଲକ ଜେଇ ପ୍ରକାଶ ଚନ୍ଦ୍ର ଜେନା, ନିତ୍ୟାନନ୍ଦ ପାତ୍ର, ସୁନୀତା କୁମାରୀ ଦାସ, ଏସ୍ ଶଙ୍କର ନାରାୟଣ ସୁବୁଧି, ଶରତ କୁମାର ମଲ୍ଲ, ମିନତୀ ନାୟକଙ୍କ ସମେତ ଅନ୍ୟ ସରକାରୀ ଅଧିକାରୀମାନଙ୍କୁ ତୁରନ୍ତ ବଦଳି କରାଯାଉ।

ଏପରିକି ନିର୍ବାଚନ ପରିଚାଳନା ଦାୟିତ୍ୱରେ ରହିଥିବା ସରକାରୀ ଅଧିକାରୀ ନିଜ ଗୃହ ଜିଲ୍ଲାରେ ମଧ୍ୟ ଅବସ୍ଥାପିତ ହୋଇପାରିବେ ନାହିଁ। ଏପରି ଆହୁରି ଅନେକ ଅଧିକାରୀ ଗୋଟିଏ ସ୍ଥାନରେ ଏବଂ ଗୋଟିଏ ପଦରେ ଦୀର୍ଘ ବର୍ଷ ଧରି କାର୍ଯ୍ୟ କରିଆସୁଛନ୍ତି। ଦଳୀୟ କାର୍ଯ୍ୟରେ ସେମାନଙ୍କୁ ରାଜ୍ୟ ସରକାର ଜାଣିଶୁଣି ବ୍ୟବହାର କରୁଥିବାର ଅନେକ ନଜିର ରହିଛି। ଏହା ଦ୍ୱାରା ଅବାଧ ଏବଂ ନିରପେକ୍ଷ ନିର୍ବାଚନରେ ବାଧା ସୃଷ୍ଟି ହେବାରେ ଆଶଙ୍କା ରହିଛି। ସରକାରୀ ଅଧିକାରୀ ନିଜ କର୍ତ୍ତବ୍ୟ ଏବଂ ଦାୟିତ୍ୱ ଭୁଲି ଶାସକ ଦଳର ଏଜେଣ୍ଟ ଭାବେ କାର୍ଯ୍ୟ କରିବା ସମ୍ପର୍ଣ୍ଣ ଅଗଣତାନ୍ତ୍ରିକ ଏବଂ ଅଣସାମ୍ବିଧାନିକ। ଯଥାଶୀଘ୍ର ସେମାନଙ୍କୁ ବଦଳି କରାଯାଉ ବୋଲି ଡ.ଲେଖାଶ୍ରୀ ଦାବି ପତ୍ରରେ ଉଲ୍ଲେଖ କରିଛନ୍ତି। ଏହି ପ୍ରତିନିଧିମଣ୍ଡଳୀରେ ରାଜ୍ୟ ମୁଖପାତ୍ର ଦିଲୀପ ମଲ୍ଲିକ, ରାଜେନ୍ଦ୍ର ପଣ୍ଡା, ଓବିସି ମୋର୍ଚ୍ଚା ରାଜ୍ୟ ସଭାପତି ସୁରଥ ବିଶ୍ୱାଳ, ରାଜ୍ୟ ଗଣମାଧ୍ୟମ ସଂଯୋଜକ ସୁଜିତ୍ କୁମାର ଦାସ୍‌, ରାଜ୍ୟ ନିର୍ବାଚନ ସେଲ୍ ସଂଯୋଜକ ଜୟନ୍ତ ଜେନା ପ୍ରମୁଖ ଉପସ୍ଥିତ ରହିଥିଲେ।