Assembly Election 2022: ହିମାଚଳ ଫାଇନାଲ, ଗୁଜରାଟ ଝୁଲିଲା
Advertisement

Assembly Election 2022: ହିମାଚଳ ଫାଇନାଲ, ଗୁଜରାଟ ଝୁଲିଲା

Assembly Election 2022: ନଭେମ୍ବରରେ ହିମାଚଳରେ ବିଧାନସଭା ନିର୍ବାଚନ। ଖୁବଶୀଘ୍ର ଗୁଜରାଟ ପାଇଁ ତାରିଖ ଘୋଷଣା। ଦୁଇ ରାଜ୍ୟର ବିଧାନସଭାର କାର୍ଯ୍ୟକାଳ ମଧ୍ୟରେ ୪୦ ଦିନର ବ୍ୟବଧାନ ଅଛି ବୋଲି କହିଲେ ମୁଖ୍ୟ ନିର୍ବାଚନ ଆୟୋଗ।

 Assembly Election 2022: ହିମାଚଳ ଫାଇନାଲ, ଗୁଜରାଟ ଝୁଲିଲା

Assembly Election 2022, ନୂଆଦିଲ୍ଲୀ: ବହୁପ୍ରତୀକ୍ଷିତ ହିମାଚଳ ଓ ଗୁଜରାଟ ବିଧାନସଭା ନିର୍ବାଚନ ଉପରେ କେନ୍ଦ୍ରୀୟ ନିର୍ବାଚନ ଆୟୋଗ ଏକ ବଡ ନିଷ୍ପତ୍ତି ନେଇଛନ୍ତି। ଶୁକ୍ରବାର ମୁଖ୍ୟ ନିର୍ବାଚନ କମିଶନର ରାଜିବ କୁମାର ପ୍ରେସମିଟ କରି ହିମାଚଳ ପ୍ରଦେଶର ନିର୍ବାଚନ ତାରିଖ ଘୋଷଣା କରିଛନ୍ତି। କିନ୍ତୁ ସମାନ ସମୟରେ ହେବାକୁ ଥିବା ଗୁଜରାଟ ନିର୍ବାଚନକୁ ଝୁଲାଇ ରଖିଛନ୍ତି। ଆସନ୍ତା ନଭେମ୍ବର ୧୨ରେ ହିମାଚଳ ପ୍ରଦେଶ ଭୋଟ୍ ଗ୍ରହଣ ହେବ। ଡିସେମ୍ବର ୮ରେ ହେବ ଭୋଟ ଗଣନା ସହ ଫଳାଫଳ ବାହାରିବ। ତେବେ ଗୁଜରାଟରେ କେବେ ନିର୍ବାଚନ ହେବ ତାହା ସ୍ପଷ୍ଟ ହୋଇନାହିଁ।

ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ନିମନ୍ତେ ଶୁକ୍ରବାର ଭାରତୀୟ ନିର୍ବାଚନ ଆୟୋଗ ତାରିଖ ଘୋଷଣା କରିଛନ୍ତି। ଅପରାହ୍ନ ୩ଟା ରେ ସାମ୍ବାଦିକ ସମ୍ମିଳନୀ କରିଥିଲେ। ଆଶା କରାଯାଉଥିଲା ଏକା ସମୟରେ ହିମାଚଳ ଓ ଗୁଜରାଟ ବିଧାନସଭା ନିର୍ବାଚନ ତାରିଖ ଘୋଷଣା କରିବେ। କିନ୍ତୁ ନିର୍ବାଚନ ଆୟୋଗ କେବଳ ହିମାଚଳ ନିର୍ବାଚନ ପାଇ ତାରିଖ ଘୋଷଣା କରିଛନ୍ତି। ନିର୍ବାଚନ ଆୟୋଗର ସୂଚନାନୁସାରେ, ହିମାଚଳର ୬୮ଟି ବିଧାନସଭା ସିଟରେ ଗୋଟିଏ ପର୍ଯ୍ୟାୟରେ ଭୋଟ ହେବ। ଏଥିପାଇଁ ଅକ୍ଟୋବର ୧୭ ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇବ। ୨୫ ଅକ୍ଟୋବର ସୁଦ୍ଧା ନାମାଙ୍କନ ହେବ। ୨୭ରେ ସ୍କୃଟିନି ଆଉ ୨୯ ସୁଦ୍ଧା ପ୍ରାର୍ଥିପତ୍ର ପ୍ରତ୍ୟାହାର କରାଯିବ।

Also Read: Dhamnagar Bypoll 2022: ଆଜି ନାମାଙ୍କନର ଶେଷ ଦିନ, BJDର ଚିନ୍ତା ବଢ଼ାଇଲେ ଅସନ୍ତୁଷ୍ଟ ରାଜୁ ଦାସ

ସେହିପରି ନଭେମ୍ବର ୧୨ ତାରିଖରେ ସମସ୍ତ ୬୮ଟି ଆସନରେ ମତଦାନ ହେବ। ଭୋଟିଂର ପ୍ରାୟ ୨୬ ଦିନ ପରେ ଅର୍ଥାତ ଡିସେମ୍ବର ୮ ତାରିଖରେ କାଉଣ୍ଟିଂ କରାଯିବ। ଡିସେମ୍ବର ୧୦ ସୁଦ୍ଧା ନିର୍ବାଚନ ପ୍ରକ୍ରିୟା ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି। ନିର୍ବାଚନ ପାଇଁ ୭୮୮୧ଟି ମତଦାନ କେନ୍ଦ୍ର କରାଯାଇଛି। ଏଥିରୁ ୧୪୨ଟି ବୁଥ ମହିଳା ଓ ୩୭ଟି ବୁଥ ଦିବ୍ୟାଙ୍ଗ ଦ୍ୱାରା ପରିଚାଳିତ ହେବ। ହିମାଚଳରେ ୧୨ଟି ଜିଲ୍ଲାରେ ୪୮ଟି ଅଣସଂରକ୍ଷିତ ସିଟ ଥିବା ବେଳେ ୧୭ଟି ଅନୁସୁଚିତ ଜାତି ଓ ୩ଟି ଅନୁସୁଚିତ ଜନଜାତି ପାଇଁ ସଂରକ୍ଷିତ ରହିଛି। ରାଜ୍ୟରେ ୫୫ ଲକ୍ଷରୁ ଊର୍ଦ୍ଧ୍ୱ ଭୋଟର ଅଛନ୍ତି।

 

ସେପଟେ ଗୁଜରାଟ ନିର୍ବାଚନ ନେଇ ମଧ୍ୟ ଖୁବଶୀଘ୍ର ତାରିଖ ଘୋଷଣା କରାଯିବ ବୋଲି କୁହାଯାଉଛି। କଂଗ୍ରେସ ଏବଂ ଆମ୍ ଆଦମୀ ପାର୍ଟି (ଆପ୍) ଗୁଜୁରାଟ ଗଡ଼ରେ ନରେନ୍ଦ୍ର ମୋଦୀଙ୍କ ଭାରତୀୟ ଜନତା ପାର୍ଟି (ବିଜେପି)କୁ ମାତ୍ ଦେବାପାଇଁ ଜୋରଦାର ଲଢ଼େଇ ଜାରୀ ରଖିଥିବାବେଳେ ହିମାଚଳପ୍ରଦେଶରେ ମଧ୍ୟ ମୁକାବିଲା କରିବାପାଇଁ ଜୋରଦାର ପ୍ରୟାସ କରୁଛି। ଗୁଜରାଟ ବିଧାସନଭା କାର୍ଯ୍ୟକାଳ ୧୮ ଫେବୃଆରୀ ୨୦୨୩ରେ ସମାପ୍ତ ହେବ। ତେବେ ହିମାଚଳ ପ୍ରଦେଶ ବିଧାନସଭାର କାର୍ଯ୍ୟକାଳ ୮ ଜାନୁୟାରୀ ୨୦୨୩ରେ ସରୁଛି। ଏଣୁ ରାଜ୍ୟମାନଙ୍କରେ ନିର୍ବାଚନ ପ୍ରସ୍ତୁତି ସମୀକ୍ଷା ଲାଗି ନିକଟରେ ଇସି ଦୁଇ ରାଜ୍ୟଙ୍କୁ ଗସ୍ତ କରିଥିଲେ। ଉଭୟ ରାଜ୍ୟରେ ଗତ ବିଧାନସଭା ନିର୍ବାଚନ ୨୦୧୭ ମସିହାରେ ହୋଇଥିଲା। ଗୁଜରାଟ ବିଧାନସଭାର ୧୮୨ ଆସନ ଲାଗି ଓ ହିମାଚଳ ବିଧାନସଭାର ୬୮ଟି ଆସନ ନିମନ୍ତେ ନିର୍ବାଚନ ହେବ।

ଉଭୟ ହିମାଚଳ ଓ ଗୁଜରାଟରେ ଏବେ ବିଜେପିର ସରକାର ରହିଛି। ଏଣୁ ଦ୍ୱିତୀୟବାର ସରକାର କରିବାକୁ ବିଜେପି ସାମାନ୍ୟତମ ଅବହେଳା ମଧ୍ୟ କରିବ ନାହିଁ। ଏଣୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଇ ରାଜ୍ୟକୁ ତୋଫାନୀ ଗସ୍ତ କରୁଛନ୍ତି। ତେବେ ଆମ ଆଦମୀ ପାର୍ଟି ଗୁଜରାଟରେ ପ୍ରଥମ ଥର ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱୀତା କରିବାକୁ ଯାଉଛି। ଗୁଜରାଟ ଓ ହିମାଚଳରେ କଂଗ୍ରେସ ମୁଖ୍ୟ ବିରୋଧୀ ଦଳ ରହିଛି। ହେଲେ ପଞ୍ଜାବରେ ସରକାର କରିବା ପରେ ଆପର ଉତ୍ସାହ ଏବେ ଢେର ବଢି ଯାଇଛି। ଏଣୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରୀୱାଲ ମଧ୍ୟ ବାରମ୍ବାର ଗୁଜରାଟ ଗସ୍ତ କରୁଛନ୍ତି।

Also Read: Gujarat And Himachal Pradesh News : ଗୁଜୁରାଟ ଓ ହିମାଚଳ ନିର୍ବାଚନ ତାରିଖ ଆଜି ହୋଇପାରେ ଘୋଷଣ

ଗୁଜୁରାଟ ବିଧାନସଭା ନିର୍ବାଚନ 2022:

୧୮୨ଟି ଆସନ ପାଇଁ ଗୁଜରାଟ ବିଧାନସଭା ନିର୍ବାଚନ ଡିସେମ୍ବର ୨୦୨୨ରେ ହେବ ବୋଲି ଅନୁମାନ କରାଯାଉଛି। ପୂର୍ବ ବିଧାନସଭା ନିର୍ବାଚନ ୨୦୧୭ ରେ ହୋଇଥିଲା ଯେଉଁଥିରେ ଭାରତୀୟ ଜନତା ପାର୍ଟି ୯୯ ଟି ଆସନ ଜିତିଥିଲା, କଂଗ୍ରେସ ୭୭ ଟି ଆସନ ଜିତିଥିବାବେଳେ AAP କୌଣସି ଖାତା ଖୋଲିପାରିନଥିଲା। ଆପ୍ (AAP)ପାଇଁ, ନିର୍ବାଚନ ଏକ ପାନ୍-ଇଣ୍ଡିଆ ଦଳ (pan-nation party)ଭାବରେ ଉଭା ହେବାର ଏକ ସୁଯୋଗ ହେବ। କେବଳ ଶଙ୍କର ସିଂ ବାଘେଲାଙ୍କ ୧୭ ମାସକୁ ଛାଡ଼ିଦେଲେ,ବିଜେପି ୨୭ ବର୍ଷ ଧରି ଗୁଜରାଟରେ କ୍ଷମତାରେ ରହିଆସିଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପାଇଁ ଗୁଜୁରାଟ ସ୍ୱାଭିମାନର ପ୍ରଶ୍ନ,ସେଥିପାଇଁ ୨୦୨୪ ନିର୍ବାଚନୀ ଯୁଦ୍ଧକୁ ତୃତୀୟ ଥର ପାଇଁ ସ୍ୱତନ୍ତ୍ର ଭାବରେ ଯୁଦ୍ଧ କରିବାକୁ ପଡିବ। ବିଧାନସଭା ନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ଗୁଜୁରାଟରେ ପ୍ରଚାର ଚାଲିଛି, ନରେନ୍ଦ୍ର ମୋଦି, ଅରବିନ୍ଦ କେଜ୍ରିଓ୍ୱାଲଙ୍କ ପରି ପ୍ରମୁଖ ରାଜନୈତିକ ନେତାମାନେ ମୈଦାନରେ ଅଛନ୍ତି। କେଜ୍ରିୱାଲ ଏବଂ ରାହୁଲ ଗାନ୍ଧୀ ରାଜ୍ୟ ଗସ୍ତ କରୁଛନ୍ତି। ଗୁଜୁରାଟର ସହର ଏବଂ ଗ୍ରାମଗୁଡିକର ରାସ୍ତା ରାଜନୈତିକ ଦଳର ବିଜ୍ଞାପନ ବ୍ୟାନରରେ ପରିପୂର୍ଣ୍ଣ ହୋଇଛି। ପିଏମ ମୋଦୀ ଏହି ସପ୍ତାହରେ ଦୁଇ ଦିନ ଗୁଜୁରାଟ ଗସ୍ତରେ ଯାଇ ବିଭିନ୍ନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ରାଜ୍ୟର ସୁରଟ, ଭାବନଗର, ଅହମ୍ମଦାବାଦ ଏବଂ ଅମ୍ବାଜୀ ଭଳି ବିଭିନ୍ନ ସ୍ଥାନରେ ପ୍ରାୟ ୨୭,୦୦୦ କୋଟିରୁ ଅଧିକ ଟଙ୍କାର ପ୍ରକଳ୍ପର ଶୁଭ ଉଦ୍ଘାଟନ କରିଥିଲେ । ସେ ଅହମ୍ମଦାବାଦ ପାଇଁ ମେଟ୍ରୋ ଟ୍ରେନ୍ ସେବା ଉଦ୍ଘାଟନ କରିବା ସହ ଗାନ୍ଧିନଗରରୁ ମୁମ୍ବାଇ ପର୍ଯ୍ୟନ୍ତ ଭାରତର ତୃତୀୟ ବନ୍ଦେ ଭାରତ ଏକ୍ସପ୍ରେସକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ ।