Lok Sabha(ଭୁବନେଶ୍ୱର) : ସଂସଦର ଶୀତକାଳୀନ ଅଧିବେଶନରେ ରହିଛି ବିରୋଧୀଙ୍କ କବଜା। ଶାସକ ଦଳର ରାଜନୀତି ଗୃହକୁ ସ୍ୱଭାବିକ କରିବାରେ ସମର୍ଥ ହୋଇପାରୁ ନାହିଁ। ଫଳରେ ବାରମ୍ବାର ମୁଲତବୀ ହିଁ ସାର ହୋଇଛି ଲୋକସଭାରେ। ଏପରିକି ବାଚସ୍ପତି ଗୃହରେ ରେଳ ବିଧେୟକ ୨୦୨୪ ସମ୍ବନ୍ଧରେ ରେଳମନ୍ତ୍ରୀଙ୍କ ଉତ୍ତର ଉପସ୍ଥାପନ କରିବାରେ ମଧ୍ୟ ସଫଳ ହୋଇପାରୁ ନାହାନ୍ତି। ଏପରି ସ୍ଥଳରେ ସରକାରଙ୍କ ପକ୍ଷରୁ ଲକ୍ଷ୍ୟ ଥିବା ବିଧେୟକ ସବୁ ଗୃହକୁ ଆସିପାରୁ ନାହିଁ। ମୋଟାମୋଟି ଭାବେ କହିବାକୁ ଗଲେ ଗୃହ ଅଚଳ ହୋଇଛି।
ନଭେମ୍ବର ୨୫ ତାରିଖରେ ଲୋକସଭାର ଅଧିବେଶନ ଡକାଇଥିଲେ ରାଷ୍ଟ୍ରପତି। ଏହି ଅଧିବେଶନ ସମୟରେ ଗୃହକୁ ସୁଚାରୁ ରୂପେ ପରିଚାଳନା କରିବା, ପ୍ରସଙ୍ଗ ଭିତ୍ତିକ ଆଲୋଚନା କରିବା ଏବଂ ସରକାରୀ ବିଧେୟକ ଗୁଡ଼ିକୁ କିପରି ପାରିତ କରାଯିବ ସେ ଉପରେ ଗୁରୁତ୍ୱ ଦିଆଯାଇଥିଲା। ସର୍ବଦଳୀୟ ବୈଠକରେ ଏନେଇ ନିଷ୍ପତ୍ତି ମଧ୍ୟ ହୋଇଥିଲା। ହେଲେ ବିଦେଶୀ କୋର୍ଟରେ ଭାରତର ଶିଳ୍ପ ସଂସ୍ଥା ଆଦାନୀ ବିରୁଦ୍ଧରେ ଦାଖଲ ହୋଇଥିବା ଅଭିଯୋଗ ଫର୍ଦ୍ଦ ଗୃହକୁ ସରଗରମ କରିଥିଲା। ଗୃହରେ ଏ ନେଇ ସ୍ଲୋଗାନ ଓ ବିରୋଧୀ ଦଳଙ୍କ ଗୃହରେ ମଧ୍ୟଭାଗକୁ ଆସିବା ଦ୍ୱାରା ବାରମ୍ବାର ଗୃହ ମୁଲତବୀ ହୋଇଥିଲା। ଗଲା ୧୩ ଦିନ ହେଲା ଅଧିବେଶନକୁ ସ୍ୱଭାବିକ କରିବାରେ ଶାସକ ଦଳ ଓ ବାଚସ୍ପତି ବିଫଳ ରହିଛନ୍ତି। ଏପରିକି ବିରୋଧୀ ଦଳକୁ ଗୃହ କାର୍ଯ୍ୟକୁ ଆକର୍ଷିତ କରିବାରେ ମଧ୍ୟ ବିଫଳ ହୋଇଛି ଶାସକ ଦଳର ରଣନୀତି।
ପ୍ରଥମ ସପ୍ତାହରେ ଗୃହ କାର୍ଯ୍ୟ ବାରମ୍ବାର ବାତିଲ ହେବାରୁ ବାଚସ୍ପତି ସର୍ବଦଳୀୟ ବୈଠକ ଡକାଇ ବିଭିନ୍ନ ପ୍ରସଙ୍ଗକୁ ଉପସ୍ଥାପନ କରିଥିଲେ। ଏପରିକି ୧୩ ଓ ୧୪ ତାରିଖରେ ବିରୋଧୀ ଦଳଙ୍କ ପକ୍ଷରୁ ‘ସମ୍ବିଧାନ ଯାତ୍ରା’ ପ୍ରସଙ୍ଗରେ ଆଲୋଚନା ଲାଗି ବାଟ କାଢ଼ିଥିଲେ। ଏହାପରେ ଦୁଇଦିନ ଗୃହ କାର୍ଯ୍ୟ ସ୍ୱଭାବିକ ଚାଲିଥିଲା। କିନ୍ତୁ ପରେ ପୁଣିଥରେ ଅଚଳାବସ୍ଥା ସୃଷ୍ଟି ହୋଇଥିଲା। ଏ ଭିତରେ ଗୃହର ୧୩ଟି କାର୍ଯ୍ୟ ଦିବସରୁ ୧୦ ଦିନ ବିଫଳ ହୋଇଛି।
ପୂର୍ବରୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ୧୬ଟି ଗୁରୁତ୍ୱପୂର୍ଣ୍ଣ ବିଧେୟକ ସମ୍ବନ୍ଧରେ ଆଲୋଚନା ପାଇଁ ସରକାର ପ୍ରସ୍ତୁତ ଥିବା ସୂଚନା ଦିଆଯାଇଥିଲା। ହେଲେ ଲଗାତାର ଅସ୍ୱଭାବିକ ପରିସ୍ଥିତି ଭିତରେ ସରକାର ଦୁଇଟି ବିଧେୟକକୁ ଗୃହରେ ଉପସ୍ଥାପନ କରିପାରିଛନ୍ତି। ଗୋଟିଏ ବ୍ୟାଙ୍କିଙ୍ଗ ନିୟମ ସଂଶୋଧନ ବିଧେୟକରେ ମନ୍ତ୍ରୀ ଉତ୍ତର ରଖିଛନ୍ତି ଏବଂ ଏହାକୁ ଗୃହରେ ପାରିତ କରାଯାଇଛି। ଅନ୍ୟ ଏକ ବିଧେୟକ ଯାହା ରେଳ ବୋର୍ଡକୁ ବିଲୀନ କରିବା ତଥା ରେଳବାଇ ସଂଶୋଧନ ବିଧାୟକ ୨୦୨୪ ଭାବେ ପରିଚିତ ତାହାକୁ ଉପସ୍ଥାପନ କରାଯାଇ ସଦସ୍ୟଙ୍କ ଭିତରେ ଆଲୋଚନା ହୋଇଛି। କିନ୍ତୁ ଏବାବଦରେ ମନ୍ତ୍ରୀ ଉତ୍ତର ଉପସ୍ଥାପନ କରିପାରି ନାହାନ୍ତି।
ଅପରପକ୍ଷେ ଆଜି କେନ୍ଦ୍ର ସରକାରଙ୍କ ଜାହାଜ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ ସାମୁଦ୍ରିକ ପରିବହନ ବିଧେୟକ ୨୦୨୪କୁ ଉପସ୍ଥାପନ କରିବା ପାଇଁ ଲୋକସଭାର କାର୍ଯ୍ୟସୂଚୀରେ ସାମିଲ କରାଯାଇଛି। ସେହିପରି ଅଧିକ ବିଚାର ବିମର୍ଷ ପାଇଁ ସରକାର ଯୁଗ୍ମ ସଂସଦୀୟ କମିଟିକୁ ଏକ ଦେଶ ଏକ ନିର୍ବାଚନ ବିଧେୟକକୁ ପାଠାଇବାକୁ ଚିନ୍ତା କରିଛନ୍ତି। ପୁଣି ଓ୍ୱାକଫ୍ ବୋର୍ଡ ପୁନର୍ଗଠନ ବିଧେୟକକୁ ମଧ୍ୟ ଅଧିକ ତିନିମାସ ଆଲୋଚନା ଲାଗି ଯୁଗ୍ମ ସଂସଦୀୟ କମିଟିକୁ ସମୟ ପ୍ରଦାନ କରାଯାଇଛି।ଏହିପରି ବିଫଳତା ଭିତରେ ଲୋକସଭାର ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁସାରେ ଆଉ ୧୦ ଦିନ ରହିଛି। ଏହି ୧୦ ଦିନରେ ଯଦି ଶାସକ ଦଳ ଗୃହକୁ ସ୍ୱଭାବିକ ରଖିପାରନ୍ତି ତେବେ ଶୀତକାଳୀନ ଅଧିବେଶନର ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଆଲୋଚନା ହେବାକୁ ସୁଯୋଗ ମିଳିବ।