Chhattisgarh New CM: ବିଷ୍ଣୁଦେବ ସାୟ ହେଲେ ଛତିଶଗଡ଼ ନୂଆ ମୁଖ୍ୟମନ୍ତ୍ରୀ
Advertisement
Article Detail0/zeeodisha/odisha2003731

Chhattisgarh New CM: ବିଷ୍ଣୁଦେବ ସାୟ ହେଲେ ଛତିଶଗଡ଼ ନୂଆ ମୁଖ୍ୟମନ୍ତ୍ରୀ

Chhattisgarh CM Race: ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ପଦ ପାଇଁ ହୋଇଥିବା ଦୌଡ଼ରେ ବାଜି ମାରି ନେଇଛନ୍ତି ଛତିଶଗଡ଼ର ଜଣାଶୁଣା ଆଦିବାସୀ ବିଜେପି ନେତା  ବିଷ୍ଣୁଦେବ ସାୟ।

 Chhattisgarh New CM: ବିଷ୍ଣୁଦେବ ସାୟ ହେଲେ ଛତିଶଗଡ଼ ନୂଆ ମୁଖ୍ୟମନ୍ତ୍ରୀ

Vishnu Dev Sai Appointed as Chhattisgarh CM: ଦଳର ଜଣାଶୁଣା ଆଦିବାସୀ ଚେହେରା ବିଷ୍ଣୁ ଦେବ ସାୟଙ୍କୁ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭାବେ ନିଯୁକ୍ତ କରିଛନ୍ତି ବିଜେପି କେନ୍ଦ୍ରୀୟ ନେତତ୍ୱ। ୨୦୨୩ ଛତିଶଗଡ଼ ବିଧାନସଭା ନିର୍ବାଚନରେ ବିଜେପି ନେତା ବିଷ୍ଣୁ ଦେବ ସାୟ ରାଜ୍ୟର କୁନକୁରି ଆସନରୁ ନିର୍ବାଚିତ ହୋଇଛନ୍ତି। ସେ ପୂର୍ବରୁ ସାଂସଦ ଏବଂ କେନ୍ଦ୍ରମନ୍ତ୍ରୀ ଭାବେ କାର୍ଯ୍ୟ କରି ସାରିଛନ୍ତି।

ଛତିଶଗଡ଼ ମୁଖ୍ୟମନ୍ତ୍ରୀ ପଦକୁ ନେଇ ଚାଲିଥିବା ଚର୍ଚ୍ଚା ଉପରେ ପଡ଼ିଛି ପୂର୍ଣ୍ଣଚ୍ଛେଦ। ବିଜେପି ବିଧାୟକ ଦଳ ବୈଠକରେ (Chhattisgarh BJP Legislator Meeting) ଛତିଶଗଡ଼ କମାଣ ବିଷ୍ଣୁ ଦେବ ସାୟଙ୍କୁ (Chhattisgarh CM Vishnu Dev Sai) ମିଳିଛି। ଆଦିବାସୀ ସମ୍ପ୍ରଦାୟରୁ ଆସୁଥିବା ବିଷ୍ଣୁ ଦେବ ସାୟ (Chhattisgarh BJP Tribal Face Vishnu Dev Sai) ୧୯୮୦ ମସିହାରେ ବିଜେପି ହାତ ଧରିଥିଲେ। ଯିଏ ରାଜ୍ୟର କୁନକୁରୀ ଆସନରୁ (Kunkuri Assembly Constituency) ବିଧାୟକ ନିର୍ବାଚିତ ହୋଇଛନ୍ତି। ଛତିଶଗଡ଼ ଭଳି ରାଜ୍ୟରେ ଆଦିବାସୀ ସମ୍ପ୍ରଦାୟର ଜନସଂଖ୍ୟା ସର୍ବାଧିକ। ୨୦୨୩ ଛତିଶଗଡ଼ ବିଧାନସଭା ନିର୍ବାଚନରେ ବାଜିମାତ କରିବା ପରେ ବିଜେପି ଦଳର ଜଣେ ଆଦିବାସୀଙ୍କୁ ମୁଖ୍ୟମନ୍ତ୍ରୀ କରିବା ନେଇ ଚର୍ଚ୍ଚା ହେଉଥିଲା। ଯାହା ସତ୍ୟ ପ୍ରମାଣିତ ହୋଇଛି। ଗତ ୨୦୨୦ ମସିହାରେ ବିଷ୍ଣୁ ଦେବ ସାୟ ଛତିଶଗଡ଼ ବିଜେପି ରାଜ୍ୟ ଶାଖା ଅଧ୍ୟକ୍ଷ ପଦ ଭାର ଗ୍ରହଣ କରିଥିଲେ। କୁନକୁରୀ ଆସନରୁ ବିଧାୟକ ନିର୍ବାଚିତ ହେବା ପୂର୍ବରୁ ବିଷ୍ଣୁଦେବ ରାଜ୍ୟର ରାୟଗଡ଼ ଲୋକସଭା ଆସନରୁ (Raigarh Lok Sabha Constituency) ୧୯୯୯, ୨୦୦୪, ୨୦୦୯, ୨୦୧୪ ନିର୍ବାଚନରେ ବିଜୟୀ ହୋଇଥିଲେ। 

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଥମ ପାଳି କାର୍ଯ୍ୟକାଳରେ ଖଣି, ଶିଳ୍ପ, ଶ୍ରମ, ନିୟୋଜନ ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ ଭାବେ କାର୍ଯ୍ୟ କରିଛନ୍ତି। ତାଙ୍କୁ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ଏବଂ ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ରମଣ ସିଂହଙ୍କ ନିକଟତର ବୋଲି କୁହାଯାଏ। ୧୯୬୪ ମସିହା ଫେବୃଆରୀ ୨୧ ତାରିଖରେ ଏକ କୃଷକ ପରିବାରରେ ଜନ୍ମଗ୍ରହଣ କରିଥିଲେ ବିଜେପି ନେତା ବିଷ୍ଣୁ ଦେବ ସାୟ (BJP Leader Vishnu Dev Sai)। ଅବିଭକ୍ତ ମଧ୍ୟ ପ୍ରଦେଶର ତପକାରା ଆସନରୁ (Tapkara Assembly Constituency) ୧୯୯୦ ଏବଂ ୧୯୯୩ ମସିହାରେ ହୋଇଥିବା ବିଧାନସଭା ନିର୍ବାଚନରେ ବାଜିମାତ କରିଥିଲେ। ଛତିଶଗଡ଼ର ଯଶପୁର ଜିଲ୍ଲାରେ ନିଜର ପୈତୃକ ଗ୍ରାମ ବାଗିଆରୁ ନିର୍ବିରୋଧ ସରପଞ୍ଚ ଭାବେ ନିର୍ବାଚିତ ହୋଇଥିବା ନିଜର ରାଜନୈତିକ ଯାତ୍ରା ଆରମ୍ଭ କରିଥିଲେ। ୧୯୯୦ ମସିହାରେ ଅନୁଷ୍ଠିତ ହୋଇଥିବା ବିଧାନସଭା ନିର୍ବାଚନରେ ନିଜର ସମ୍ପତ୍ତିର କିଛି ଅଂଶ ବିକ୍ରି କରି ବିଧାୟକ ପ୍ରାର୍ଥୀ ଭାବେ ନିର୍ବାଚନ ଲଢିଥିଲେ ବିଷ୍ଣୁ ଦେବ ସାୟ।

ଆଦିବାସୀ ସମ୍ପ୍ରଦାୟକୁ ଉପଯୁକ୍ତ ସମ୍ମାନ ଦିଆଯିବ ବୋଲି ବିଜେପି ପୂର୍ବରୁ କହିସାରିଥିଲା। ୨୦୨୩ ଛତିଶଗଡ଼ ବିଧାନସଭା ନିର୍ବାଚନରେ ବିଜେପି ବାଜିମାତ କରିବା ପରେ ମୁଖ୍ୟମନ୍ତ୍ରୀ ଦୌଡ଼ରେ ଦଳର ଅନେକ ନେତା ସାମିଲ ହୋଇଥିଲେ। ହେଲେ ମୁଖ୍ୟମନ୍ତ୍ରୀ ପଦକୁ ନେଇ ଚାଲିଥିବା ଛକାପଞ୍ଝା ଏବେ ଶେଷ ହୋଇଛି। କିଛି ଦିନ ପୂର୍ବରୁ ବିଷ୍ଣୁ ଦେବ ସାୟଙ୍କ ସୁରକ୍ଷା ମଧ୍ୟ ବଢାଯାଇଥିଲା। ଛତିଶଗଡ ଭଳି ରାଜ୍ୟରେ ଅଜିତ ଯୋଗୀଙ୍କ ପରେ ବିଷ୍ଣୁ ଦେବ ସାୟ ହେବେ ଦ୍ୱିତୀୟ ଆଦିବାସୀ ମୁଖ୍ୟମନ୍ତ୍ରୀ। ମୁଖ୍ୟମନ୍ତ୍ରୀ ଚୟନକୁ ନେଇ ଡିସେମ୍ବର ୧୦ ତାରିଖ ରବିବାର ଅନୁଷ୍ଠିତ ଛତିଶଗଡ଼ ବିଜେପି ବିଧାୟକ ଦଳ ବୈଠକ। ଯେଉଁ ବୈଠକରେ କେନ୍ଦ୍ରମନ୍ତ୍ରୀ ଅର୍ଜୁନ ମୁଣ୍ଡା ଏବଂ ସର୍ବାନନ୍ଦ ସୋନେୱାଲ, ଦୁଷ୍ୟନ୍ତ କୁମାର ଗୌତମ ଏବଂ ଛତିଶଗଡ଼ ବିଜେପି ପ୍ରଭାରୀ ଓମ ମାଥୁର ପ୍ରମୁଖ ଯୋଗ ଦେଇଥିଲେ।

ରବିବାର ସକାଳ ୯:୦୦ ସମୟରେ ବିଜେପି କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଛତିଶଗଡ଼ ବିଜେପି ବିଧାୟକ ଦଳ ବୈଠକରେ ଯୋଗ ଦେବା ପାଇଁ ରାଜଧାନୀ ରାୟପୁର ଠାରେ ପହଞ୍ଚିଥିଲେ। ବିଧାୟକ ଦଳ ବୈଠକରେ ମୁଖ୍ୟମନ୍ତ୍ରୀ ପଦକୁ ନେଇ ଦଳର ଜଣାଶୁଣା ଆଦିବାସୀ ଚେହେରେ ବିଷ୍ଣୁ ଦେବ ସାୟଙ୍କ ନାମରେ ମୋହର ମରାଯାଇଥିଲା। ପୂର୍ବରୁ ମଧ୍ୟ କୁହାଯାଉଥିଲା ଯେ ବିଜେପି ମଧ୍ୟ କୌଣସି ମହିଳାଙ୍କୁ ମୁଖ୍ୟମନ୍ତ୍ରୀ ଗାଦିରେ ବସାଇପାରେ। ଏହି କ୍ରମରେ  ଦଳର ରାଜ୍ୟସଭା ସାଂସଦ ସରୋଜ ପାଣ୍ଡେଙ୍କ ନାମ ମଧ୍ୟ ଚର୍ଚ୍ଚାରେ ରହିଥିଲା। ହେଲେ ବିଜେପି ଆଦିବାସୀ ଚେହେରା ବିଷ୍ଣୁ ଦେବ ସାୟଙ୍କୁ ମୁଖ୍ୟମନ୍ତ୍ରୀ ଗାଦିରେ ବସାଇବାକୁ ନିଷ୍ପତ୍ତି ନେଇଥିଲା।