Gobara Kandhei: ଶେଷ ନିଃଶ୍ବାସ ନେଉଛି ଗୋବର କଣ୍ଢେଇ, ଅସ୍ଥିତ୍ୱ ଉପରେ ପ୍ରଶ୍ନବାଚୀ!
Advertisement
Article Detail0/zeeodisha/odisha2619685

Gobara Kandhei: ଶେଷ ନିଃଶ୍ବାସ ନେଉଛି ଗୋବର କଣ୍ଢେଇ, ଅସ୍ଥିତ୍ୱ ଉପରେ ପ୍ରଶ୍ନବାଚୀ!

Gobara Kandhei: ସମ୍ଭବତଃ ସେମାନଙ୍କ ପରେ ଏହି ଗୋବର କଣ୍ଢେଇମାନେ ବି ଏ କଳା ଗ୍ରାମରୁ ହଜିଯିବା ନେଇ ଆଶଙ୍କା ଦେଖା ଦେଇଛି। ଅନେକ କଳାକାର ବାର୍ଦ୍ଧକ୍ୟ ରୋଗରେ ପିଡିତ। ନିଜ ଦୁଇହାତରେ ଗୋବର ଦ୍ବାରା ବିଭିନ୍ନ କଣ୍ଡେଇକୁ ଗଢୁଥିବା ବେଳେ ତାଙ୍କର ଗଢିବା ଶୈଳୀକୁ ଦେଖିଲେ ଯେକେହି ତାରିଫ୍ ନକରି ରହିପାରିବେ ନାହିଁ। ଲାଗିବ ଯେମିତି ସେମାନେ କେଉଁ ଏକ ବିଶ୍ୱବିଦ୍ୟାଳୟରୁ ପ୍ରଶିକ୍ଷିତ ହୋଇଛନ୍ତି। କିନ୍ତୁ ବାସ୍ତବ କଥା ହେଉଛି ଗୋବର କଣ୍ଡେଇକୁ ସେ ଏବେ ଗଢୁ ନାହାନ୍ତି ବରଂ ଦୀର୍ଘବର୍ଷ ହେବ ସେ ଏହାକୁ ଗଢି ନିଜ ପାରମ୍ପରିକ କଳାକୁ ଉଦଜୀବିତ କରିବା ସହ କୌଳିକବୃତ୍ତିକୁ ବଞ୍ଚାଇ ରଖିଛନ୍ତି। 

Gobara Kandhei: ଶେଷ ନିଃଶ୍ବାସ ନେଉଛି ଗୋବର କଣ୍ଢେଇ, ଅସ୍ଥିତ୍ୱ ଉପରେ ପ୍ରଶ୍ନବାଚୀ!
Gobara Kandhei: ଶେଷ ନିଃଶ୍ବାସ ନେଉଛି ଗୋବର କଣ୍ଢେଇ। ପାରମ୍ପରିକ ଢାଞ୍ଚାକୁ ଅପଗ୍ରେଡ କରାଯାଉନାହିଁ, ମିଳୁନି ପ୍ରୋତ୍ସାହନ ମିଳୁନି ପ୍ରଶିକ୍ଷଣ। ପାରମ୍ପରିକ କଳା ରଘୁରାଜପୁର ପାଇଁ ପ୍ରସିଦ୍ଧି ଆଣିଦେଇଛି। ବିବିଧ କଳାରେ ପରିପୁଷ୍ଟ ହୋଇଛି ଐତିହ୍ୟ ଗ୍ରାମ ରଘୁରାଜପୁର। ମାତ୍ର କିଛି ପାରମ୍ପରିକ କଳାର ଭବିଷ୍ୟତ ଓ ଅସ୍ତିତ୍ବକୁ ନେଇ ଏବେ ଦେଖାଦେଇଛି ସଙ୍କଟ। ଦିନେ ପିଲାଠୁ ବୃଦ୍ଧ ଯାଏ ଆକର୍ଷଣ ପାଲଟିଥିବା ଗୋବର କଣ୍ଢେଇର ଚାହିଦା ଏବେ ସଙ୍କଟାପନ୍ନ। ଗୋବର କଣ୍ଡେଇର ଚାହିଦା ଆଜି ବି ଅଛି। କିନ୍ତୁ ଏହାକୁ ତିଆରି କରିବା ପାଇଁ ଯୁବପିଢ଼ିଙ୍କ ମଧ୍ୟରେ ଆଗ୍ରହ ନାହିଁ କି ପ୍ରୋତ୍ସାହନ ନାହିଁ। ଯାହାକୁ ନେଇ ଗୋବର କଣ୍ଢେଇର ଅସ୍ଥିତ୍ୱ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିବା ବେଳେ ସରକାରୀ କିମ୍ବା ପ୍ରଶାସନିକ ସ୍ତରରେ ପ୍ରୋତ୍ସାହନ ଆବଶ୍ୟକ ବୋଲି କହିଛନ୍ତି ଶିଳ୍ପୀ। ସେପଟେ ପର୍ଯ୍ୟଟକ ମାନେ ଐତିହ୍ୟ ଗ୍ରାମକୁ ଆସି ପାରମ୍ପରିକ କଳାର ପ୍ରଶଂସା କରିଥିବା ବେଳେ ସରକାର ଏହା ଉପରେ ସ୍ୱତନ୍ତ୍ର ନଜର ଦିଅନ୍ତୁ ବୋଲି ଅନୁରୋଧ କରିଛନ୍ତି। ଅନ୍ୟପଟେ ଗୋବର କଣ୍ଢେଇ କାରିଗର ମାନଙ୍କୁ ପ୍ରୋତ୍ସାହନ ଓ ମାର୍କେଟିଂ କରିବାର ସୁଯୋଗ ଦିଆଯିବ,ସମ୍ପୃକ୍ତ ବିଭାଗ ସହ ଆଲୋଚନା କରାଯାଇ ସେମାନଙ୍କୁ ସ୍ୱାବଲମ୍ବୀ କରାଯିବ ବୋଲି କହିଛନ୍ତି ଜିଲ୍ଲାପାଳ।
 
ଧିରେ ଧିରେ ହଜିବାକୁ ବସିଛି ଗୋବର କଣ୍ଢେଇ। ପିଲାବେଳେ ବିଭିନ୍ନ ପର୍ବପର୍ବାଣୀରୁ ଗୋବରରେ ପ୍ରସ୍ତୁତ ଅନେକ ପ୍ରକାରର କଣ୍ଢେଇ ଆମେ କିଣିଥାଉ। ମାତ୍ର ପ୍ରୋତ୍ସାହନ ଅଭାବରୁ ଗୋବର କଣ୍ଢେଇ କରିବାକୁ କେହି ଆଗ୍ରହ ପ୍ରକାଶ କରୁନାହାନ୍ତି। ପାରମ୍ପରିକ ଢାଞ୍ଚାକୁ ଅପଗ୍ରେଡ କରାଯାଉନାହିଁ କି ମିଳୁନି ପ୍ରୋତ୍ସାହନ ଆଉ ପ୍ରଶିକ୍ଷଣ। ପୁରୀ ଜିଲ୍ଲାର ଐତିହ୍ୟ ଓ ଶିଳ୍ପୀ ଗ୍ରାମ ଭାବେ ପରିଚିତ ରଘୁରାଜପୁରରେ ଗୋବର କଣ୍ଢେଇର ଚାହିଦା ରହିଥିଲେ ମଧ୍ୟ ବେପାର ମାନ୍ଦା। ମାତ୍ର ହାତଗଣତି କିଛି କଳାକାର ଏହି କଳାକୁ ଏଯାବତ ବଞ୍ଚାଇ ରଖିଥିଲେ ହେଁ ସେମାନେ ଏବେ ବୟସର ଅପରାହ୍ନରେ। ସେମାନଙ୍କ ସହ ଯେମିତି ଏହି ଗୋବର କଣ୍ଢେଇମାନେ ବି ଶେଷ ନିଃଶ୍ବାସ ନେଉଛନ୍ତି। ସମ୍ଭବତଃ ସେମାନଙ୍କ ପରେ ଏହି ଗୋବର କଣ୍ଢେଇମାନେ ବି ଏ କଳା ଗ୍ରାମରୁ ହଜିଯିବା ନେଇ ଆଶଙ୍କା ଦେଖା ଦେଇଛି। ଅନେକ କଳାକାର ବାର୍ଦ୍ଧକ୍ୟ ରୋଗରେ ପିଡିତ। ନିଜ ଦୁଇହାତରେ ଗୋବର ଦ୍ବାରା ବିଭିନ୍ନ କଣ୍ଡେଇକୁ ଗଢୁଥିବା ବେଳେ ତାଙ୍କର ଗଢିବା ଶୈଳୀକୁ ଦେଖିଲେ ଯେକେହି ତାରିଫ୍ ନକରି ରହିପାରିବେ ନାହିଁ। ଲାଗିବ ଯେମିତି ସେମାନେ କେଉଁ ଏକ ବିଶ୍ୱବିଦ୍ୟାଳୟରୁ ପ୍ରଶିକ୍ଷିତ ହୋଇଛନ୍ତି। କିନ୍ତୁ ବାସ୍ତବ କଥା ହେଉଛି ଗୋବର କଣ୍ଡେଇକୁ ସେ ଏବେ ଗଢୁ ନାହାନ୍ତି ବରଂ ଦୀର୍ଘବର୍ଷ ହେବ ସେ ଏହାକୁ ଗଢି ନିଜ ପାରମ୍ପରିକ କଳାକୁ ଉଦଜୀବିତ କରିବା ସହ କୌଳିକବୃତ୍ତିକୁ ବଞ୍ଚାଇ ରଖିଛନ୍ତି। 
 
ବେପାର ହେଉ କି ନହେଉ,ପର୍ଯ୍ୟଟକ କିଣନ୍ତୁ କି ନକିଣନ୍ତୁ ଗୋବର କଣ୍ଢେଇ ପ୍ରସ୍ତୁତିରେ ଏମାନେ ଅର୍ଦ୍ଧାଧିକ ସମୟ କଟାଇଥାନ୍ତି। ବୟସର ଅପରାହ୍ନରେ ମାଉସୀ ମାନେ କିଭଳି ଖୁସିରେ ଗୋବରରେ ଅନେକ ଜୀବଜନ୍ତୁ ଗଢୁଛନ୍ତି। ମୁହଁରେ ହସ ଆଉ ହାତକୁ ନାହିଁ ଫୁରସତ୍। ସତେ ଯେମିତି ଗୋବର କଣ୍ଢେଇ ପ୍ରସ୍ତୁତିରେ ଏମାନଙ୍କୁ ଅପୂର୍ବ ଆନନ୍ଦ ମିଳେ। ଏଭଳି କୁହନ୍ତି ଏହି ଶିଳ୍ପୀ ମାନେ। ଗୋବର ମାଙ୍ଗଳିକ କାମରେ ବ୍ୟବହାର ହେଉଥିବାରୁ ଏହା ପବିତ୍ରତାର ପ୍ରତୀକ। ତେଣୁ ଏଥିରେ କଣ୍ଢେଇ ପ୍ରସ୍ତୁତିର ପରମ୍ପରା ଢେର୍‌ ପୁରୁଣା। କାହିଁ କେଉଁ କାଳରୁ ଏହି କଳା ରୂପ ନେଇଛି। ମାଟି କଣ୍ଢେଇ ଅପେକ୍ଷା ଗୋବର କଣ୍ଢେଇ ହାଲ୍‌କା। ଏହା ଦୀର୍ଘଦିନ ପର୍ଯ୍ୟନ୍ତ ଘରେ ସାଇତା ହୋଇ ରହିପାରେ। ଏହା ଉପରେ ପ୍ରାକୃତିକ ରଙ୍ଗର ପ୍ରଲେପ ଦୀର୍ଘ ସ୍ଥାୟୀ। ଏଥିରେ ପୋକ ଲାଗେ ନାହିଁ କି କୌଣସି କୀଟ ଏହାକୁ କ୍ଷତି ପହଞ୍ଚାଇ ପାରେ ନାହିଁ। କିନ୍ତୁ ଏହାର ମହତ୍ତ୍ବ କଳାପ୍ରେମୀଙ୍କ ପାଖରେ ପହଞ୍ଚି ପାରୁନାହିଁ। ଯଦିଓ ବିକ୍ରିବଟାରେ ଏତେଟା ପ୍ରଭାବ ପଡିନାହିଁ କିନ୍ତୁ ଏଥିରେ ପରିଶ୍ରମ ମୁତାବକ ପାରିଶ୍ରମିକ ମିଳୁନଥିବାରୁ ବର୍ତମାନର ଯୁବପିଢ଼ି ଏହି କଳା ପ୍ରତି ଆକର୍ଷିତ ହେଉନଥିବା ମତ ପ୍ରକାଶ ପାଇଛି। ତେଣୁ ସରକାରୀ ପ୍ରୋତ୍ସାହନ ଆବଶ୍ୟକ ବୋଲି କହିଛନ୍ତି ଶିଳ୍ପୀ।
 
 ସେପଟେ ଏହି ଶିଳ୍ପୀ ଗ୍ରାମକୁ ଦୈନିକ ହଜାରହଜାର ସଂଖ୍ୟାରେ ପର୍ଯ୍ୟଟକ ଆସିଥାନ୍ତି। ବିଭିନ୍ନ କଳାରେ ପରିପୂର୍ଣ୍ଣ ଏହି ଗ୍ରାମର ପ୍ରବେଶପଥରୁ ଗାଁ ଶେଷ ପର୍ଯ୍ୟନ୍ତ ଘର ଦାଣ୍ଡଦୁଆରେ ମିଳେ ବିଭିନ୍ନ ପ୍ରକାରର କଳାକୃତି। ଗୋବର କଣ୍ଢେଇ ଠାରୁ ଆରମ୍ଭ କରି ପେପର ମାସ୍କ,ନଡିଆରେ ତିଆରି ବିଭିନ୍ନ କଳାକୃତି, ପଟ୍ଟଚିତ୍ର,ବିଭିନ୍ନ ସାଜସଜ୍ଜା ଏହି ଗ୍ରାମରେ ବିକ୍ରି ପାଇଁ ଉଦ୍ଧିଷ୍ଟ ହୋଇଥିବା ବେଳେ ଗାଁ ପାଲଟିଛି ଛୋଟିଆ ମେଳାପଡିଆ। ସେପଟେ ବିଲୁପ୍ତ ପ୍ରାୟ ଗୋବର କଣ୍ଢେଇ, ଯାହା ଗୋବରରେ ପ୍ରସ୍ତୁତ ହୁଏ ଏହାକୁ ଗଢିବାର ମାନସିକତା ଆପଣାଇବାକୁ ବି ଅନେକ ପ୍ରସ୍ତୁତ ନୁହଁନ୍ତି। ତେଣୁ ଏହି ପାରମ୍ପରିକ କଳାର ଭାଗ୍ୟକୁ ନେଇ ଅନେକ ପ୍ରଶ୍ନ ଉଠିଛି। ସେପଟେ ଗୋବରରେ ମିରିଗ, ଘୋଡ଼ା, ବାଘ, ଆଣ୍ଠୁଆ ଗୋପାଳ, ଶୈଶବ, କଇଁଛ, କଳସ, ଚଢ଼େଇର ରୂପ ଦିଆଯାଇଥାଏ। ଏହାକୁ ପ୍ରାକୃତିକ ରଙ୍ଗ ହରିତାଳ, ହିଙ୍ଗୁଳ, ଖଣ୍ଡନୀଳ, ସିନ୍ଦୁର, ସିପ, ଡିବି କଳାରେ ଚିତ୍ରିତ କରାଯାଇ ଆକର୍ଷଣୀୟ କରାଯାଏ। କଇଁଥ ଅଠା ରଙ୍ଗରେ ମିଶାଇ ପ୍ରଲେପ ଦିଆଯାଉଥିବାରୁ ଚମକ ବାହାରିଥାଏ। 
 
ତେବେ ପାରମ୍ପରିକ କଳାର ରୂପକଳ୍ପ ଯାହା ଥିଲା, ସେୟା ରହିଯାଇଛି। ସମୟ ଅନୁସାରେ ଏହାକୁ କିନ୍ତୁ ଅପଡେଟ୍‌ କରାଯାଇନାହିଁ। ଏଥିପାଇଁ ପ୍ରଶିକ୍ଷଣ ଦେବା ନେଇ ମଧ୍ୟ ଆଜିଯାଏ ପ୍ରୟାସ କରାଯାଇନାହିଁ। ସେଥିପାଇଁ ଏହି ପାରମ୍ପରିକ କଳା ହଜିଯିବାକୁ ବସିଛି। ଯଦି ପ୍ରଶାସନିକ ସ୍ତରରେ ଗୋବର କଣ୍ଢେଇ ପ୍ରସ୍ତୁତି ସମ୍ପର୍କିତ କର୍ମଶାଳା ଓ ପ୍ରଶିକ୍ଷଣ କରାଯାଇ ଯୁବପିଢ଼ିଙ୍କୁ ଯୋଡ଼ାଯାଆନ୍ତା ଏବଂ ମାର୍କେଟିଂ ପାଇଁ ପର୍ଯ୍ୟାପ୍ତ ସୁଯୋଗ ମିଳିବ ତେବେ ଏହା ପାରମ୍ପରିକ ଗୋବର କଣ୍ଢେଇ କଳାକୁ ବଞ୍ଚାଇ ରଖିବାରେ ସହାୟକ ହେବ ବୋଲି କାରିଗରମାନେ କହିଛନ୍ତି। ଅନ୍ୟପଟେ ପର୍ଯ୍ୟଟକ ମାନେ ଏହାକଙ ଦେଖି ବେଶ୍ ଖୁସି ପ୍ରକଟ କରିଥିବା ବେଳେ ଏହାର କିଭଳି ବହୁଳ ପ୍ରଚାରପ୍ରସାର ହୋଇପାରିବ ସେନେଇ ସରକାର ଉଦ୍ୟମ କରନ୍ତୁ ବୋଲି ମତ ପ୍ରକାଶ ପାଇଛି। ତେବେ ଏହା ଉପରେ ପ୍ରତିକ୍ରିୟା ରଖିଛନ୍ତି ପୁରୀ ଜିଲ୍ଲାପାଳ ସିଧାର୍ଥ ସ୍ୱାଇଁ। ଜିଲ୍ଲାପାଳ କହିଛନ୍ତି ଗୋବର କଣ୍ଢେଇ କାରିଗର ମାନଙ୍କୁ ପ୍ରୋତ୍ସାହନ ଓ ମାର୍କେଟିଂ କରିବାର ସୁଯୋଗ ଦିଆଯିବ। ସମ୍ପୃକ୍ତ ବିଭାଗ ସହ ଆଲୋଚନା କରାଯାଇ ସେମାନଙ୍କୁ ସ୍ୱାବଲମ୍ବୀ କରାଯିବ।
 
ଗୋବରରୁ ତିଆରି କଣ୍ଢେଇକୁ ବିକ୍ରି କରି ପରିବାର ପ୍ରତିପୋଷଣ କରୁଛନ୍ତି ଐତିହ୍ୟ ରଘୁରାଜପୁର ଗ୍ରାମର କିଛି ନିର୍ଦ୍ଧିଷ୍ଟ ପରିବାର। ସରକାରୀ ସ୍ତରରେ ଏହାର ବ୍ୟାପକ ପ୍ରଚାରପ୍ରସାର ସହ ପ୍ରୋତ୍ସାହନ,, ପ୍ରଶିକ୍ଷଣ ଓ ମାର୍କେଟିଂର ବ୍ୟବସ୍ଥା କରାଗଲେ ପୁରାତନ କଳାକୃତି ଉଦଜୀବିତ ରହିବା ସହ ପାରମ୍ପରିକ କଳା ବଞ୍ଚିରହିବ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।