CM Naveen Patnaik: 'ଧାମନଗର ନିର୍ବାଚନମଣ୍ଡଳୀର ବିକାଶ ଦାୟିତ୍ବ ମୋର'
Advertisement

CM Naveen Patnaik: 'ଧାମନଗର ନିର୍ବାଚନମଣ୍ଡଳୀର ବିକାଶ ଦାୟିତ୍ବ ମୋର'

BJD Supremo: ଧାମନଗର ଉପନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ବିଜେଡି ପ୍ରାର୍ଥୀ ଅବନ୍ତି ଦାସଙ୍କ ପାଇଁ ସୋମବାର ପ୍ରଚାର ମଇଦାନକୁ ଓହ୍ଲାଇଥିଲେ ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳ ସୁପ୍ରିମୋ ନବୀନ ପଟ୍ଟନାୟକ। 

CM Naveen Patnaik: 'ଧାମନଗର ନିର୍ବାଚନମଣ୍ଡଳୀର ବିକାଶ ଦାୟିତ୍ବ ମୋର'

Dhamnagar Bypoll 2022: ଧାମନଗର ହେଉଛି ଶାନ୍ତି, ସଦ୍‌ଭାବ ଓ ଭାଇଚାରାର ଭୂମି। ଏହା ଧାମନଗରର ସବୁଠାରୁ ବଡ଼ ପରିଚୟ। ଏହି ପରିଚୟର ସୁରକ୍ଷା ପାଇଁ ଆମେ ସମସ୍ତେ କାମ କରୁଛୁ। ବିଜୁ ଜନତା ଦଳ ସୁଖ ଦୁଃଖ ସବୁବେଳେ ଆପଣଙ୍କ ପାଖରେ ଛିଡ଼ା ହୋଇଛି । ସବୁବର୍ଗର ଲୋକଙ୍କ କଲ୍ୟାଣ ପାଇଁ କାମ କରୁଛି। ଆପଣଙ୍କ ସହଯୋଗରେ ଓଡ଼ିଶା ଆଜି ବିକାଶ କ୍ଷେତ୍ରରେ ସାରା ଦେଶରେ ସୁନାମ କରିଛି। ଧାମନଗରର ବିକାଶ ମଧ୍ୟ କେମିତି ଆଗକୁ ବଢ଼ିବ, ତାହା ମୁଁ ନିଜେ ଦେଖିବି। ଧାମନଗର ନିର୍ବାଚନମଣ୍ଡଳୀର ବିକାଶ ଦାୟିତ୍ବ ମୋର। ସାଧାରଣ ନିର୍ବାଚନକୁ ଆଉ ମାତ୍ର ୧୮ ମାସ ସମୟ ବାକି ରହିଲା। ଏହି ସମୟ ଭିତରେ ଆମେ ୫ ବର୍ଷର କାମ କରିପାରିବା। ସୋମବାର ଧାମନଗର ନିର୍ବାଚନମଣ୍ଡଳୀର ବିଭିନ୍ନ ଜନସଭାକୁ ସମ୍ବୋଧିତ କରି ‌ଧାମନଗରବାସୀଙ୍କୁ ଏଭଳି ନିର୍ଭର ପ୍ରତିଶୃତି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। 

ଆଗାମୀ ୩ ତାରିଖରେ ଧାମନଗର ନିର୍ବାଚନ ମଣ୍ଡଳୀରେ ହେବାକୁ ଥିବା ଉପନିର୍ବାଚନରେ ବିଜେଡି ପ୍ରାର୍ଥୀ ଅବନ୍ତି ଦାସଙ୍କ ପାଇଁ ସୋମବାର ପ୍ରଚାର ମଇଦାନକୁ ଓହ୍ଲାଇଥିଲେ ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳ ସୁପ୍ରିମୋ ନବୀନ ପଟ୍ଟନାୟକ। ଧାମନଗର ନିର୍ବାଚନମଣ୍ଡଳୀର ୧୩ଟି ସ୍ଥାନରେ ଆୟୋଜିତ ହୋଇଥିବା ନିର୍ବାଚନୀ ସଭାରେ ବିପୁଳ ଜନସମାଗମ ହୋଇଥିଲା। ପ୍ରତ୍ୟେକ ସଭାରେ ଧାମନଗରର ଅଞ୍ଚଳର ହଜାର ହଜାର ମହିଳା ଏବଂ ଆବାଳ ବୃଦ୍ଧ ବନିତା ନିଜ ହୃଦୟରେ ସ୍ଥାନ ଦେଇଥିବା ସେମାନଙ୍କ ପ୍ରିୟ ମୁଖ୍ୟମନ୍ତ୍ରୀ ମୁହଁରୁ ପଦେ ଭାଷଣ ଶୁଣିବା ପାଇଁ ଉତ୍କଣ୍ଠାର ସହ ‌ଅପେକ୍ଷା କରିଥିଲେ। ନାଚ, ଗୀତ, ବାଜା ଓ ସ୍ଳୋଗାନରେ ସମଗ୍ର ଅଞ୍ଚଳ କମ୍ପି ଉଠିଥିଲା। ଶେଷରେ ସବୁ ପ୍ରତୀକ୍ଷାର ଅବସାନ ଘଟାଇ ସନ୍ଧ୍ୟା ଠିକ୍ ସାଢ଼େ ୫ଟା ବେଳେ ଭର୍ଚ୍ୟୁଆଲ ରାଲି ମାଧ୍ୟମରେ ଧାମନଗରବାସୀଙ୍କୁ ସମ୍ବୋଧିତ କରିଥିଲେ  ମୁଖ୍ୟମନ୍ତ୍ରୀ। 

ଏହି ଅବସରରେ ଖୁସି ବ୍ୟକ୍ତ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ କାଳିଆ ଯୋଜନା ହେଉ ଅଥବା ମିଶନ ଶକ୍ତି କିମ୍ବା ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା–ସବୁ ଯୋଜନାର ସୁବିଧା ଆପଣଙ୍କ ପାଖରେ ପହଞ୍ଚିଛି। ମାଆ ମାନେ ସଶକ୍ତ ହେଉଛନ୍ତି। ମିଶନ ଶକ୍ତି ସେମାନଙ୍କୁ ନୂଆ ପରିଚୟ ହୋଇଛି। ମାଆ ମାନଙ୍କ ଭଲ କାମ ହିଁ ମୋତେ ବହୁତ ଖୁସି ଦେଇଛି। ସେମାନେ ସବୁ ଦାୟିତ୍ବକୁ ସୁନ୍ଦର ଭାବରେ ନିର୍ବାହ କରିପାରୁଛନ୍ତି। ତେଣୁ ଜଣେ ମାଆଙ୍କୁ ମୁଁ ଆପଣଙ୍କ ବିଧାୟିକା ଭାବେ ଦେଖିବାକୁ ଚାହେଁ, ଯାହା ଆପଣ ମାନେ ମଧ୍ୟ ଚାହାନ୍ତି।

ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ ୨୦୧୯ ବିଧାନସଭା ନିର୍ବାଚନରେ ଆପଣମାନେ ଯେଉଁ ମତ ରଖିଥିଲେ, ୨୦୨୨ ପଞ୍ଚାୟତ ଓ ପୌର ନିର୍ବାଚନରେ ସେଥିରେ ପରିବର୍ତ୍ତନ କରିଛନ୍ତି। ଶଙ୍ଖ ଚିହ୍ନରେ ବିଶ୍ବାସ ରଖିଛନ୍ତି। ଗତ ପଞ୍ଚାୟତ ଓ ପୌର ନିର୍ବାଚନରେ ଆପଣ ବିଜୁ ଜନତା ଦଳ, ଶଙ୍ଖ ଚିହ୍ନକୁ ଯେଭଳି ବିପୁଳ ସମର୍ଥନ ଦେଇଛନ୍ତି ଏବଂ ସେବାର ସୁଯୋଗ ଦେଇଛନ୍ତି, ସେଥିପାଇଁ ମୁଁ ଋଣୀ। ଧାମନଗରର ସମସ୍ତ ୬ ଜିଲ୍ଲା ପରିଷଦ ଆସନରେ ଆପଣ ବିଜୁ ଜନତା ଦଳକୁ ସେବାର ସୁଯୋଗ ଦେଇଛନ୍ତି। ସେହିପରି ଧାମନଗର ଏନ.ଏ.ସି ର ୧୧ ୱାର୍ଡରୁ ୯ ୱାର୍ଡ ସହିତ ଅଧ୍ୟକ୍ଷ ଓ ଉପାଧ୍ୟକ୍ଷ ଦାୟିତ୍ବ ମଧ୍ୟ ଆପଣ ବିଜେଡିକୁ ଦେଇଛନ୍ତି। ତେଣୁ ମୋର ପୂରା ବିଶ୍ବାସ, ଏହି ଉପନିର୍ବାଚନରେ ମଧ୍ୟ ସେହି ଧାରା ଜାରି ରହିବ ଏବଂ ଧାମନଗରର ବିକାଶ ଆହୁରି ଆଗକୁ ବଢ଼ିବ। 

ଶେ‌ଷରେ ଧାମନଗରର ବିକାଶ କାର୍ଯ୍ୟ ସେ ନିଜେ ଦେଖିବେ ଏବଂ ଆଗାମୀ ୧୮ ମାସ ଭିତରେ ଧାମନଗରରେ ୫ ବର୍ଷର କାର୍ଯ୍ୟ ହେବ ବୋଲି ମୁଖ୍ୟମନ୍ତ୍ରୀ ଅତ୍ୟନ୍ତ ଦୃଢ଼ତା ଓ ପ୍ରତିବଦ୍ଧତାର ସହ କହିଛନ୍ତି। ବିଜୁ ଜନତା ଦଳର ପ୍ରାର୍ଥୀ ଅବନ୍ତୀ ଦାସଙ୍କୁ ଶଙ୍ଖ ଚିହ୍ନରେ ଭୋଟ ଦେଇ ଆଶୀର୍ବାଦ କରିବାକୁ ନିବେଦନ କରିଛନ୍ତି ମୁଖ୍ୟମନ୍ତ୍ରୀ।

ମୁଖ୍ୟମନ୍ତ୍ରୀ ଉଦ୍‌ବୋଧନ ଦେବା ପୂର୍ବରୁ ଏହିସବୁ ଜନସଭାରେ ବିଜେଡି଼ ସଙ୍ଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ବିଜେଡି ଉପସଭାପତି ଦେବୀ ମିଶ୍ର, ମନ୍ତ୍ରୀ ଅଶୋକ ପଣ୍ଡା, ପ୍ରମିଳା ମଲ୍ଲିକ, ପ୍ରତାପ କେଶରୀ ଦେବ, ରଣେନ୍ଦ୍ର ପ୍ରତାପ ସ୍ବ‌ାଇଁ, ପ୍ରୀତିରଞ୍ଜନ ଘଡ଼େଇ, ସାଂସଦ ମୁନ୍ନା ଖ‌ାଁ, ସୁଲତା ଦେଓ, ଭଦ୍ରକ ଜିଲ୍ଲା ପର୍ଯ୍ୟବେକ୍ଷକ ବିଧାୟକ ପ୍ରଣବ ବଳବନ୍ତରାୟ, ବ୍ୟୋମକେଶ ରାୟ ପ୍ରମୁଖ ବରିଷ୍ଠ ନେତୃବନ୍ଦ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ଭୋଟ ଭିକ୍ଷା କରିଥିଲେ।