Election 2024 in India: ଏହି ୨ ରାଜ୍ୟରେ ବଦଳିଗଲା ବିଧାନସଭା ନିର୍ବାଚନ ଫଳାଫଳ ଘୋଷଣା ତାରିଖ; ଜାଣନ୍ତୁ କାରଣ
Advertisement
Article Detail0/zeeodisha/odisha2162921

Election 2024 in India: ଏହି ୨ ରାଜ୍ୟରେ ବଦଳିଗଲା ବିଧାନସଭା ନିର୍ବାଚନ ଫଳାଫଳ ଘୋଷଣା ତାରିଖ; ଜାଣନ୍ତୁ କାରଣ

Election 2024 in India Vote Counting Date: ଚଳିତ ବର୍ଷ ଅନୁଷ୍ଠିତ ହେଉଥିବା ବିଧାନସଭା ନିର୍ବାଚନର ଫଳାଫଳ ଘୋଷଣା ତାରିଖ ବଦଳା ଯାଇଛି।

Election 2024 in India: ଏହି ୨ ରାଜ୍ୟରେ ବଦଳିଗଲା ବିଧାନସଭା ନିର୍ବାଚନ ଫଳାଫଳ ଘୋଷଣା ତାରିଖ; ଜାଣନ୍ତୁ କାରଣ

Election 2024 in India Result: ଚଳିତ ବର୍ଷ ଦେଶରେ ଅପ୍ରେଲ-ମେ ମାସରେ ଅନୁଷ୍ଠିତ ହେଉଥିବା ଉଭୟ ଲୋକସଭା-ବିଧାନସଭା ନିର୍ବାଚନ ପାଇଁ କାର୍ଯ୍ୟସୂଚୀ ଘୋଷଣା କରି ସାରିଛନ୍ତି ନିର୍ବାଚନ ଆୟୋଗ। ହେଲେ ଏହି ନିର୍ବାଚନକୁ ନେଇ ଆସିଛି ଏକ ବଡ଼ ଖବର। ଉଭୟ ଅରୁଣାଚଳ ପ୍ରଦେଶ ଏବଂ ସିକ୍କିମ୍ ଆଦି ରାଜ୍ୟ ଦ୍ୱୟରେ ଅନୁଷ୍ଠିତ ହେଉଥିବା ବିଧାନସଭା ନିର୍ବାଚନ ପାଇଁ ଭୋଟ୍ ଗଣତି ବର୍ତ୍ତମାନ ଜୁନ୍ ୪ ତାରିଖ ବଦଳରେ ୨ ତାରିଖରେ ହେବ। ପୂର୍ବରୁ ଉଭୟ ରାଜ୍ୟର ବିଧାନସଭା ନିର୍ବାଚନ ଫଳାଫଳ ଜୁନ ୪ ତାରିଖରେ ପ୍ରକାଶିତ ହୋଇଥାନ୍ତା। ଯେଉଁ ଦିନ ଲୋକସଭା ନିର୍ବାଚନ ଭୋଟ ଗଣତି କରାଯାଇଥାନ୍ତି। 

ଅରୁଣାଚଳ ପ୍ରଦେଶ ଏବଂ ସିକ୍କିମ୍ ବିଧାନସଭା ନିର୍ବାଚନ ଲାଗି ଭୋଟ ଗଣତି ଜୁନ ୨ ତାରିଖରେ ହେବ। ଏନେଇ ମତ ରଖି ନିର୍ବାଚନ ଆୟୋଗ କହିଛନ୍ତି ଯେ ଉଭୟ ରାଜ୍ୟର ବିଧାନସଭା କାର୍ଯ୍ୟକାଳ ଚଳିତ ବର୍ଷ ଜୁନ୍ ୨ ତାରିଖରେ ଶେଷ ହେଉଛି। ଏହାକୁ  ନଜରରେ ରଖି ଭୋଟ ଗଣତି ତାରିଖ ପରିବର୍ତ୍ତନ କରାଯାଇଛି। ଆୟୋଗ କହିଛନ୍ତି ଯେ ଅରୁଣାଚଳ ପ୍ରଦେଶ ଏବଂ ସିକ୍କିମ ଆଦି ରାଜ୍ୟର ଲୋକସଭା ଆସନ ପାଇଁ କାର୍ଯ୍ୟସୂଚୀରେ କୌଣସି ପରିବର୍ତ୍ତନ ହେବ ନାହିଁ। ଚଳିତ ବର୍ଷ ଲୋକସଭା ନିର୍ବାଚନ ସହିତ ଅରୁଣାଚଳ ପ୍ରଦେଶ ଏବଂ ସିକ୍କିମ୍ ବ୍ୟତୀତ ଆନ୍ଧ୍ରପ୍ରଦେଶ ଏବଂ ଓଡିଶା ଆଦି ରାଜ୍ୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ।

ମାର୍ଚ୍ଚ ୧୬ ତାରିଖ ନିର୍ବାଚନ ଆୟୋଗ ୨୦୨୪ ନିର୍ବାଚନ କାର୍ଯ୍ୟସୂଚୀ ସମ୍ପର୍କରେ ଘୋଷଣା କରିଥିଲେ। ଚଳିତ ବର୍ଷ ଅନୁଷ୍ଠିତ ହେଉଥିବା ଅଷ୍ଟାଦଶ ଲୋକସଭା ନିର୍ବାଚନ ଅପ୍ରେଲ  ୧୯ ତାରିଖରୁ ଆରମ୍ଭ ହୋଇ ୭ ପର୍ଯ୍ୟାୟରେ ଅନୁଷ୍ଠିତ ହେବ। ଜୁନ୍ ୪ ତାରିଖରେ ନିର୍ବାଚନ ଫଳାଫଳ ଘୋଷଣା କରାଯିବ। ଏହା ବିଶ୍ୱର ସର୍ବବୃହତ ନିର୍ବାଚନ ପ୍ରକ୍ରିୟା ହେବ। ମୁଖ୍ୟ ନିର୍ବାଚନ ଆୟୁକ୍ତ ରାଜୀବ କୁମାର କହିଛନ୍ତି ଯେ ୪୪ ଦିନରେ ୧୦.୫ ଲକ୍ଷ ମତଦାନ କେନ୍ଦ୍ରରେ ୯୭ କୋଟିରୁ ଅଧିକ ମତଦାତା ଗଣତନ୍ତ୍ରର ଏହି ମହୋତ୍ସବରେ ଅଂଶଗ୍ରହଣ କରିବେ। ଏଥର ୪୯.୭ କୋଟି ପୁରୁଷ, ୪୭.୧ କୋଟି ମହିଳା ଏବଂ ୪୮ ହଜାର ତୃତୀୟ ଲିଙ୍ଗ ଭୋଟର ଭୋଟ ଦେବେ।

ନିର୍ବାଚନ କେବେ ଏବଂ କେତେ ଦିନ ହେବ?
ଅପ୍ରେଲ ୧୯ ତାରିଖରୁ ନିର୍ବାଚନ ଆରମ୍ଭ ହେବ। ଏହା ପରେ ୨୬ ଅପ୍ରେଲ, ମେ ୭, ମେ ୧୩, ମେ ୨୦, ମେ ୨୫ ଏବଂ ଜୁନ୍ ୧ ତାରିଖରେ ଭୋଟ୍ ଗ୍ରହଣ କରାଯିବ। ନିର୍ବାଚନ ତାରିଖ ଘୋଷଣା ଠାରୁ ଫଳାଫଳ ପ୍ରକାଶ ହେବା ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ନିର୍ବାଚନ ପ୍ରକ୍ରିୟା ୮୨ ଦିନ ମଧ୍ୟରେ ଶେଷ ହେବ। ଅପ୍ରେଲ ୧୯ ତାରିଖରେ ଅରୁଣାଚଳ ପ୍ରଦେଶ ଏବଂ ସିକ୍କିମ, ମେ ୧୩ ତାରିଖରେ ଆନ୍ଧ୍ର ପ୍ରଦେଶରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ସେହିପରି ମେ ୧୩, ମେ ୨୦, ମେ ୨୫ ଏବଂ ଜୁନ୍ ୧ ତାରିଖରେ ଚାରିଟି ପର୍ଯ୍ୟାୟରେ ଓଡିଶା ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ।

ଲୋକସଭା ନିର୍ବାଚନ ୨୦୨୪: କେଉଁ ପର୍ଯ୍ୟାୟରେ କେତେ ଆସନରେ ହେବ ମତଦାନ?

  • ଅପ୍ରେଲ ୧୯ ତାରିଖ ପ୍ରଥମ ପର୍ଯ୍ୟାୟରେ ୨୧ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ୧୦୨ ଆସନରେ ମତଦାନ ଅନୁଷ୍ଠିତ ହେବ।
  • ଅପ୍ରେଲ ୨୬ ତାରିଖ ଦ୍ୱିତୀୟ ପର୍ଯ୍ୟାୟରେ ୧୩ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ୮୯ ଆସନରେ ମତଦାନ ଅନୁଷ୍ଠିତ ହେବ।
  • ମେ ୭ ତାରିଖ ତୃତୀୟ ପର୍ଯ୍ୟାୟରେ ୧୨ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ୯୪ ନିର୍ବାଚନମଣ୍ଡଳୀରେ ମତଦାନ ଅନୁଷ୍ଠିତ ହେବ। ଏହା ସହିତ ଆଉ ୬ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳରେ ଭୋଟିଂ ଶେଷ ହେବ।
  • ମେ ୧୩ ତାରିଖ ଚତୁର୍ଥ ପର୍ଯ୍ୟାୟରେ ୧୦ ରାଜ୍ୟର ୯୬ ନିର୍ବାଚନମଣ୍ଡଳୀରେ ମତଦାନ ଅନୁଷ୍ଠିତ ହେବ। ଏହା ସହିତ ଆଉ ତିନୋଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ଭୋଟିଂ ଶେଷ ହେବ।
  • ମେ ୨୦ ତାରିଖ ପଞ୍ଚମ ପର୍ଯ୍ୟାୟରେ ୮ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ୪୯ ଆସନରେ ମତଦାନ ଅନୁଷ୍ଠିତ ହେବ। ଏହି ପର୍ଯ୍ୟାୟରେ ଅନ୍ୟ ତିନୋଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ ଭୋଟିଂ ଶେଷ ହେବ।
  • ମେ ୨୫ ତାରିଖ ଷଷ୍ଠ ପର୍ଯ୍ୟାୟରେ ୭ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ୫୭ ଆସନରେ ମତଦାନ ଅନୁଷ୍ଠିତ ହେବ। ଏହି ପର୍ଯ୍ୟାୟ ସହିତ ଆଉ ଦୁଇଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ ଭୋଟିଂ ଶେଷ ହେବ।
  • ଜୁନ ୧ ତାରିଖ ସପ୍ତମ ପର୍ଯ୍ୟାୟରେ ୮ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ୫୭ ଆସନରେ ମତଦାନ ଅନୁଷ୍ଠିତ ହେବ। 
  • ଜୁନ ୪ ତାରିଖରରେ ପ୍ରକାଶ ପାଇବ ୨୦୨୪ ଲୋକସଭା ନିର୍ବାଚନ ଫଳାଫଳ।