ରତ୍ନ ଭଣ୍ଡାର ଯାଞ୍ଚ: ପୁରୁଣା କମିଟି ଭାଙ୍ଗିଲା, ଜଷ୍ଟିସ ବିଶ୍ବନାଥ ରଥଙ୍କ ଅଧ୍ୟକ୍ଷତାରେ ନୂଆ ୧୬ ଜଣିଆ କମିଟି ଗଠନ
Advertisement
Article Detail0/zeeodisha/odisha2322689

ରତ୍ନ ଭଣ୍ଡାର ଯାଞ୍ଚ: ପୁରୁଣା କମିଟି ଭାଙ୍ଗିଲା, ଜଷ୍ଟିସ ବିଶ୍ବନାଥ ରଥଙ୍କ ଅଧ୍ୟକ୍ଷତାରେ ନୂଆ ୧୬ ଜଣିଆ କମିଟି ଗଠନ

ରତ୍ନଭଣ୍ଡାର ଖୋଲିବାକୁ ନେଇ ଚର୍ଚ୍ଚା ଲାଗି ରହିଥିବା ବେଳେ ରାଜ୍ୟ ସରକାର ଗତକାଲି ପୁରୁଣା କମିଟିକୁ ଭାଙ୍ଗି ଦେଇଛନ୍ତି। 

ରତ୍ନ ଭଣ୍ଡାର ଯାଞ୍ଚ: ପୁରୁଣା କମିଟି ଭାଙ୍ଗିଲା, ଜଷ୍ଟିସ ବିଶ୍ବନାଥ ରଥଙ୍କ ଅଧ୍ୟକ୍ଷତାରେ ନୂଆ ୧୬ ଜଣିଆ କମିଟି ଗଠନ

ଭୁବନେଶ୍ଵର: ବିଜେପି ସରକାର ଆସିବା ପରେ ରତ୍ନଭଣ୍ଡାର ଖୋଲିବା ନେଇ ଲୋକଙ୍କ ମଧ୍ୟରେ ଉତ୍ସୁକତା ବଢିଯାଇଛି। କେବେ ଖୋଲିବ ରତ୍ନଭଣ୍ଡାର ଏ ନେଇ ଚର୍ଚ୍ଚା ଲାଗି ରହିଛି। ହାଇକୋର୍ଟଙ୍କ ପୂର୍ବତନ ବିଚାରପତି ଜଷ୍ଟିସ ବିଶ୍ଵନାଥ ରଥଙ୍କ ଅଧ୍ୟକ୍ଷତାରେ ଏହି କମିଟି ଗଠନ ହୋଇଛି। ରତ୍ନଭଣ୍ଡାର ଖୋଲିବାକୁ ନେଇ ଚର୍ଚ୍ଚା ଲାଗି ରହିଥିବା ବେଳେ ରାଜ୍ୟ ସରକାର ଗତକାଲି ପୁରୁଣା କମିଟିକୁ ଭାଙ୍ଗି ଦେଇଛନ୍ତି। ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ରତ୍ନଭଣ୍ଡାର ଯାଞ୍ଚ ସହ ଅଳଙ୍କାର ଗଣନା ପାଇଁ ନବୀନ ପଟ୍ଟନାୟକ ସରକାର ଗଢ଼ିଥିବା କମିଟିକୁ ଭଙ୍ଗ କରି ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ବିଶ୍ୱନାଥ ରଥଙ୍କ ଅଧ୍ୟକ୍ଷତାରେ ୧୬ଜଣିଆ କମିଟି ଗଠନ କରିଛନ୍ତି ରାଜ୍ୟ ସରକାର। 

ଗତକାଲି ରାତିରେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଏହି ସୂଚନା ଦେଇ କହିଛନ୍ତି ଯେ, ଶ୍ରୀମନ୍ଦିର ରତ୍ନଭଣ୍ଡାର କେବେ ଖୋଲିବ, କେଉଁ ପ୍ରକିୟାରେ ରତ୍ନ ଗଣତି ହେବ, କ’ଣ ମୋଡାଲିଟିଜ୍ ରହିବ, କିଏ ‌କିଏ ରତ୍ନଭଣ୍ଡାର ଭିତରକୁ ଯିବେ ସେନେଇ ନିଷ୍ପତ୍ତି ନେବାକୁ ରାଜ୍ୟ ସରକାର ଏହି କମିଟି ଗଠନ କରିଛନ୍ତି। ଆସନ୍ତା ୬ତାରିଖରେ କମିଟିର ପ୍ରଥମ ବୈଠକ ବସିବା ପରେ ସେମାନେ ଯାହା ନିର୍ଦ୍ଦେଶ ଦେବେ ସେହି ଅନୁସାରେ ପ୍ରକ୍ରିୟା ଆରମ୍ଭ ହେବ। ଶ୍ରୀ ହରିଚନ୍ଦନ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ କ୍ରମେ ନିଷ୍ପତ୍ତି ହୋଇଛି ଯେ ଖୁବ୍‌ଶୀଘ୍ର ରତ୍ନଭଣ୍ଡାର ଖୋଲିବ। ହାଇକୋର୍ଟଙ୍କ ନି‌ର୍ଦ୍ଦେଶ ଥିଲା ଯେ ଜଣେ ଅବସରପ୍ରାପ୍ତ ବିଚାରପତିଙ୍କ ପ୍ରତ୍ୟେକ୍ଷ ତତ୍ତ୍ବାବଧାନରେ ରତ୍ନଭଣ୍ଡାର ଖୋଲାଯିବ ଏବଂ ଗଣତି ମଣତି କରାଯିବ। ଦୀର୍ଘ ୪୫ବର୍ଷ ପରେ ରତ୍ନଭଣ୍ଡାର ଖୋଲାଯିବାକୁ ଥିବାରୁ ଏକ ଦକ୍ଷତାସଂପନ୍ନ କମିଟିର ନିରୀକ୍ଷଣରେ ଏହାକୁ କାର୍ଯ୍ୟକାରୀ କରାଯିବ। ଏହି ଆଧାରରେ ଓଡ଼ିଶା ହାଇକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ରଥଙ୍କ ଅଧ୍ୟକ୍ଷତାରେ ୧୬ଜଣିଆ କମିଟି ଗଠନ କରାଯାଇଛି। ରତ୍ନଭଣ୍ଡାର କେବେ ଖୋଲିବ ସେହି ବୈଠକରେ ସ୍ଥିର କରାଯିବ। ସବୁବର୍ଗର ଲୋକଙ୍କ ଅପେକ୍ଷା ରହିଛି। ୪୫ବର୍ଷ ପରେ ରତ୍ନଭଣ୍ଡାର ଖୋଲିବ। ଶେଷଥର ଲାଗି ୧୯୭୮ମସିହାରେ ରତ୍ନ ଗଣତି ହୋଇଥିଲା। ରଥଯାତ୍ରା ପରେ ମନ୍ଦିର ଖାଲି ରହୁଥିବାରୁ ସେହି ସମୟ ପ୍ରକୃଷ୍ଟ। ଏହି ନୂଆ କମିଟି ଗଠନ ପୂର୍ବରୁ ଜଷ୍ଟିସ ପଶାୟତ କମିଟିକୁ ଭଙ୍ଗ କରାଯାଇଛି ବୋଲି କହିଛନ୍ତି। 

ଆଇନ ବିଭାଗ ପକ୍ଷରୁ ବିଜ୍ଞପ୍ତି ମାଧ୍ୟମରେ ରତ୍ନ ଭଣ୍ଡାର ଅଳଙ୍କାର ଗଣତି ତଦାରଖ ପାଇଁ ୨ ମାର୍ଚ୍ଚ ୨୦୨୪ରେ ଗଠନ ହୋଇଥିବା ଉଚ୍ଚସ୍ତରୀୟ କମିଟିକୁ ଭାଙ୍ଗି ଜଷ୍ଟିସ ବିଶ୍ବନାଥ ରଥଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ କମିଟିର ପୁନଃଗଠନ କରାଯାଇଛି। ଏଥିରେ ଡା. ସିବିକେ ମହାନ୍ତି, ଚାର୍ଟାର୍ଡ ଆକାଉଟାଣ୍ଟ ରାଜୀବ ସାହୁ, ଅବସରପ୍ରାପ୍ତ ଆଇଏଏସ୍ ଜଗଦୀଶ ମହାନ୍ତି, ଅବସରପ୍ରାପ୍ତ ଆଇପିଏସ୍‌ ପ୍ରକାଶ ମିଶ୍ର, ସ୍ବାମୀ ପ୍ରଜ୍ଞାନାନନ୍ଦ ଜୀ, ହରିହର ହୋତା, ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ, ଗଜପତି ମହାରାଜାଙ୍କ ପ୍ରତିନିଧି, ଏଏସ୍‌ଆଇର ପ୍ରତିନିଧି, ମଧୁସୂଦନ ସିଂହାରୀ, ଜନାର୍ଦ୍ଦନ ପାଟ୍ଟଯୋଶୀ ମହାପାତ୍ର, ଜଗନ୍ନାଥ ଦାସମହାପାତ୍ର, ସୌମେନ୍ଦ୍ର ମୁଦୁଲି ଓ ପୁରୀ ଜିଲ୍ଲାପାଳ ସଦସ୍ୟ ଅଛନ୍ତି। ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନର ମୁଖ୍ୟ ପ୍ରଶାସକ ଏହାର ସଦସ୍ୟ ସଂଯୋଜକ ଅଛନ୍ତି। 

ଅନ୍ୟପଟେ ରତ୍ନଭଣ୍ଡାର ଖୋଲିବା ନିମନ୍ତେ ଆସନ୍ତାକାଲି ଜଗନ୍ନାଥ ସମ୍ମିଳନୀ କକ୍ଷରେ ପ୍ରଥମ ବୈଠକ ବସିବ। ରତ୍ନଭଣ୍ଡାର ଖୋଲିବା ପରେ ଗଣତି ଓ ମଣତି ନେଇ ନିଷ୍ପତ୍ତି ହେବ। ଭିତର ଓ ବାହାର ରତ୍ନଭଣ୍ଡାରର ଗହଣାକୁ କାଢ଼ି ସୁରକ୍ଷାରେ ରଖିବା ବଡ଼ କାମ। ୪୬ ବର୍ଷ ପରେ ଆମେ ଏ କାର୍ଯ୍ୟ କରିବାକୁ ଯାଉଛୁ। ରତ୍ନ ଭଣ୍ଡାର ଖୋଲାଗଲା ପରେ ଏହାର ପ୍ରକୃତ କାମ ଆରମ୍ଭ ହେବ। ରତ୍ନ ଭଣ୍ଡାରରୁ ଅଳଙ୍କାର ଚିହ୍ନଟ ଓ ଗଣତିକୁ ଖୁବ୍ ଶୀଘ୍ର ସାରିବାକୁ ପ୍ରାଧାନ୍ୟ ଦିଆଯିବ ବୋଲି କହିଛନ୍ତି ଜଷ୍ଟିସ୍ ବିଶ୍ୱନାଥ ରଥ।