ରୋପୱେ ଟ୍ରାଜେଡି: ଆକାଶରୁ ଖସି ୨ମୃତ, ଫସି ରହିଛନ୍ତି ୩୦ରୁ ଅଧିକ
Advertisement
Article Detail0/zeeodisha/odisha1149379

ରୋପୱେ ଟ୍ରାଜେଡି: ଆକାଶରୁ ଖସି ୨ମୃତ, ଫସି ରହିଛନ୍ତି ୩୦ରୁ ଅଧିକ


ଝାଡ଼ଖଣ୍ଡର ଦେଓଘର ନିକଟସ୍ଥ ତ୍ରିକୁଟ ପାହାଡ଼ ଶିଖରରେ ଥିବା ରୋପ ୱେ ଦୁର୍ଘଟଣା ହୋଇଛି। ଏଥିରେ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଏବେ ବି ୩୦ରୁ ଅଧିକ ଫସି ରହିଛନ୍ତି। ଭାରତୀୟ ବାୟୁ ସେନା ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜୋରସୋରରେ ଚାଲିଛି ।

 

ରୋପୱେ ଟ୍ରାଜେଡି:  ଆକାଶରୁ ଖସି ୨ମୃତ, ଫସି ରହିଛନ୍ତି ୩୦ରୁ ଅଧିକ

ରାଞ୍ଚି: ଝାଡ଼ଖଣ୍ଡର ଦେଓଘର ନିକଟ ତ୍ରିକୁଟ ପାହାଡ଼ ଶିଖରରେ ଥିବା ରୋପ ୱେ ଦୁର୍ଘଟଣାଗ୍ରସ୍ତ ହୋଇଛି। ରବିବାର ରୋପ ୱେରେ ଏହି ଦୁର୍ଘଟଣା ଘଟିଛି। ଏଥିରେ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଏବେ ବି ୩୦ରୁ ଅଧିକ ଫସି ରହିଛନ୍ତି। ଭାରତୀୟ ବାୟୁ ସେନା ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜୋରସୋରରେ ଚାଲିଛି।

ପର୍ଯ୍ୟଟକ ରବିବାର ରୋପୱେରେ ଦୁଃସାହସିକ ଅଭିଯାନରେ ବାହାରିଥିଲେ। ହେଲେ ପ୍ରାୟ ୨ ହଜାର ଫୁଟ ଉପରେ ହଠାତ୍ ଦୁର୍ଘଟଣା ହୋଇଥିଲା। ଏହି ଦୁର୍ଘଟଣାରେ  ୮ଟି ଟ୍ରଲିରେ ଥିବା ଲୋକମାନେ ଫସିରହିଛନ୍ତି। ଫଳରେ ପ୍ରାୟ ୧୮ ଘଣ୍ଟାରୁ ଅଧିକ ସମୟ ଧରି ଟ୍ରଲିରେ ଥିବା ୩୦ରୁ ଅଧିକ ଲୋକ ଜୀବନ ମରଣ ମଧ୍ୟରେ ଝୁଲି ରହିଛନ୍ତି। ଝୁଲି ରହିଥିବା ଏହି 32 ଯାତ୍ରୀଙ୍କୁ ଉଦ୍ଧାର ପାଇଁ ଆରମ୍ଭ ହୋଇଛି ଅପରେସନ। ବହୁ ଉଚ୍ଚତାରେ ପର୍ଯ୍ୟଟକ ଫସିରହିଥିବାରୁ ଉଦ୍ଧାର କାର୍ଯ୍ୟ ପାଇଁ ପ୍ରଥମେ ଏନଡିଆରଏଫ ନିୟୋଜିତ ହୋଇଥିବା ବେଳେ ପରେ ସେନାର ସହାୟତା ନିଆଯାଇଛି। ଉଦ୍ଧାର କାର୍ଯ୍ୟରେ ଦୁଇଟି ଏମଆଇ-୧୭ ହେଲିକପ୍ଟର ନିୟୋଜିତ ହୋଇଥିବା ଭାରତୀୟ ବାୟୁସେନା ପକ୍ଷରୁ ସୂଚନା ମିଳିଛି।

ସୂଚନା ଅନୁସାରେ ଟ୍ରଲିରେ ଯାନ୍ତ୍ରିକ ତ୍ରୁଟି ହେତୁ ରୋପୱେ ଦୁର୍ଘଟଣା ଘଟିଥିବା କୁହାଯାଉଥିବା ବେଳେ ମ୍ୟାନେଜର ବିନୀତ ସିହ୍ନାଙ୍କ ଅବହେଳା ଯୋଗୁଁ ଏହି ଦୁର୍ଘଟଣା ଘଟିଥିବା ଲୋକେ ଅଭିଯୋଗ କରିଛନ୍ତି। ପର୍ଯ୍ୟଟକମାନେ ୧୮ ଘଣ୍ଟାରୁ ଅଧିକ ସମୟ ଧରି ଫସି ରହିଥୁବା ବେଳେ ଖାଇବା ଓ ପିଇବାକୁ ନେଇ ସଂଘର୍ଷ ଆରମ୍ଭ ହୋଇଛି । ସେମାନଙ୍କ ପାଖକୁ ହେଲିକପ୍ଟର ଯୋଗେ ଖାଦ୍ୟ ଓ ପାନୀୟ ପହଞ୍ଚାଇବାକୁ ଉଦ୍ୟମ କରାଯାଉଛି।

ଦେବଘର ଜିଲ୍ଲାପାଳଙ୍କ ସୂଚନା ଅନୁଯାୟୀ, ଏହି ଦୁର୍ଘଟଣା ପରଠୁ ରୋପୱେକୁ ବନ୍ଦ କରି ଦିଅଯାଇଛି। ଫସି ରହିଥିବା ଲୋକଙ୍କୁ ଉଦ୍ଧାର ପାଇଁ ଏନଡିଆରଏଫ ଓ ସେନାକୁ ମୁତୟନ କରାଯାଇଛି। ଉଦ୍ଧାର ହେଉଥିବା ଲୋକଙ୍କୁ ତୁରନ୍ତ ହସ୍ପିଟାଲ ପଠାଯାଉଛି। ସମସ୍ତଙ୍କୁ କିପରି ସୁରକ୍ଷିତ ଉଦ୍ଧାର କରାଯିବ ସେନେଇ ଚ୍ୟାଲେଞ୍ଜ ଉଭା ହୋଇଛି।

ଦୁର୍ଘଟଣା ପରେ ସ୍ଥାନୀୟ ସାଂସଦ ନିଶିକାନ୍ତ ଦୁବେ ଏହି ଦୁର୍ଘଟଣାରେ ଆହତ ହୋଇଥିବା ଲୋକଙ୍କୁ ଗଭୀର ସମବେଦନା ଜଣାଇଛନ୍ତି। ସେ ମୁଖ୍ୟ ଶାସନ ସଚିବ ଝାଡଖଣ୍ଡ ସରକାର ଏବଂ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ତୁରନ୍ତ ଏନ୍‌ଡିଆରଏଫ୍ ଟିମ୍ ସହିତ ଆବଶ୍ୟକ ଉଦ୍ଧାରକାରୀ ଦଳ ପଠାଇବାକୁ ଅନୁରୋଧ କରିଥିଲେ। ପରେ ଦଳ ଘଟଣାସ୍ଥଳକୁ ଯାଇଛି। ତୁରନ୍ତ ପଦକ୍ଷେପ ନିଆଯାଇଥିବାରୁ ଦୁବେ ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ଦୁର୍ଘଟଣାଗ୍ରସ୍ତ ରୋପୱେର ଲମ୍ବ ୭୬୬ ମିଟର। ଏହା ଝାଡ଼ଖଣ୍ଡର ଏକମାତ୍ର ପର୍ଯ୍ୟଟନ ସ୍ଥଳୀ ଯେଉଁଠାରେ ରୋପ୍‌ୱେ ରହିଛି। ରୋପ୍‌ୱେରେ ଲୋକଙ୍କ ପାଇଁ ମୋଟ ୨୫ଟି କ୍ୟାବିନ୍‌ ରହିଛି, ପ୍ରତ୍ୟେକ କ୍ୟାବିନ୍‌ରେ ଚାରି ଜଣ ଲୋକ ବସିପାରିବେ। ତେବେ ରୋପୱେ ମାଧ୍ୟମରେ ପର୍ବତର ଶିଖରରେ ପହଞ୍ଚିବାକୁ ମାତ୍ର ୮ ମିନିଟ୍ ସମୟ ଲାଗିଥାଏ।

ଉଲ୍ଲେଖଯୋଗ୍ୟ, ତ୍ରିକୁଟ ପର୍ବତ ଦେଓଘର୍ ଠାରୁ ପ୍ରାୟ ୧୩ କିଲୋମିଟର ଦୂରରେ ଅବସ୍ଥିତ। ଏହି ପର୍ବତର ତିନୋଟି ଶିଖର ରହିଥିବାରୁ ପର୍ବତକୁ ତ୍ରିକୁଟ ବୋଲି କହାଯାଇଥାଏ । ତିନୋଟି ଶିଖର ମଧ୍ୟରୁ ସର୍ବୋଚ୍ଚ ଶିଖର ହେଉଛି ୨ହଜାର ୪୭୦ ଫୁଟ। ତ୍ରିକୁଟ ରୋପୱେ ହେଉଛି ଭାରତର ସର୍ବୋଚ୍ଚ ରୋପ୍‌ୱେ।