Road Accident: ଭୟଙ୍କର ସଡ଼କ ଦୁର୍ଘଟଣାରେ ଚାଲିଗଲା ୭ ଜୀବନ, ଏକାଧିକ ଆହତ
Advertisement

Road Accident: ଭୟଙ୍କର ସଡ଼କ ଦୁର୍ଘଟଣାରେ ଚାଲିଗଲା ୭ ଜୀବନ, ଏକାଧିକ ଆହତ

Road Accident: ଆସାମ ଇଞ୍ଜିନିୟରିଂ କଲେଜରେ ପଢୁଥିବା ୧୦ ଜଣ ଛାତ୍ର ଏକ ମହିନ୍ଦ୍ରା ଏସୟୁଭି ଭଡ଼ା କରି ଗୌହାଟି ବିମାନ ବନ୍ଦର ଆଡୁ଼ ଆସୁଥିଲେ । ଏହି ସମୟରେ ଜାଲୁକବାରି ଅନ୍ତର୍ଗତ ଡିସିପି ୱେଷ୍ଟ ଅଫିସ ନିକଟରେ ରାତି ପ୍ରାୟ ୧ଟା ବେଳେ ଦ୍ରୁତ ଗତିରେ ଆସୁଥିବା ଏକ ପିକଅପ୍ ଭ୍ୟାନଟି କାରକୁ ଧକ୍କା ଦେଇଥିଲା । 

ସୌ(ସୋସିଆଲ ମିଡିଆ)

Assam Road Accident: ଆସାମ ଗୌହାଟିରେ ଘଟିଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା (Assam Road Accident) । ହାଦସା ସହରର ଜଳକୁବାଡ଼ି ଫ୍ଲାଇଏଭର ବ୍ରିଜରେ ରବିବାର ରାତିରେ ଘଟିଥିବା ଏହି ଭୟଙ୍କର ସଡ଼କ ଦୁର୍ଘଟଣାରେ ୭ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୬ ଜଣ ଆହତ ହୋଇଛନ୍ତି। ସମସ୍ତ ଆହତ ମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସୂଚନା ଅନୁଯାୟୀ, ଆସାମ ଇଞ୍ଜିନିୟରିଂ କଲେଜରେ ପଢୁଥିବା ୧୦ ଜଣ ଛାତ୍ର ଏକ ମହିନ୍ଦ୍ରା ଏସୟୁଭି ଭଡ଼ା କରି ଗୌହାଟି ବିମାନ ବନ୍ଦର ଆଡୁ଼ ଆସୁଥିଲେ । ଏହି ସମୟରେ ଜାଲୁକବାରି ଅନ୍ତର୍ଗତ ଡିସିପି ୱେଷ୍ଟ ଅଫିସ ନିକଟରେ ରାତି ପ୍ରାୟ ୧ଟା ବେଳେ ଦ୍ରୁତ ଗତିରେ ଆସୁଥିବା ଏକ ପିକଅପ୍ ଭ୍ୟାନଟି କାରକୁ ଧକ୍କା ଦେଇଥିଲା । ପୋଲିସ ଅଧିକାରୀଙ୍କ କହିବା ଅନୁଯାୟୀ, ପିକଅପ୍ ଭ୍ୟାନ ଧକ୍କାରେ କାରଟି ଭାରସାମ୍ୟ ହରାଇ ରାସ୍ତା କଡ଼ ଡିଭାଇଡ଼ରରେ ମାଡ଼ ହୋଇ ବିପରୀତ ଦିଗରୁ ଆସୁଥିବା ଏକ ଟ୍ରକ ସହ ଧକ୍କା ହୋଇଥିଲା ।

ଫଳରେ ଘଟଣାସ୍ଥଳରେ ହିଁ ୭ ଜଣ ଛାତ୍ରଙ୍କର ମୃତ୍ୟୁ ହୋଇଥିଲା ୩ ଜଣ ଆହତ ହୋଇଥିଲେ । ଏହା ସହ ଟ୍ରକରେ ଥିବା ୩ ଜଣ ମଧ୍ଯ ଆହତ ହୋଇଥିଲେ । ତେବେ ସ୍ଥାନୀୟ ଲୋକେ ଏନେଇ ପୋଲିସକୁ ସୂଚନା ଦେଇଥିଲେ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଁଞ୍ଚି ସମସ୍ତ ଆହତଙ୍କୁ ଉଦ୍ଧାର ଗୌହାଟି ମେଡିକାଲରେ ଭର୍ତ୍ତି କରାଇଥିଲା । ବର୍ତ୍ତମାନ ସେମାନଙ୍କ ଚିକିତ୍ସା ଜାରି ରହିଥିବା ସୂଚନା ରହିଛି । ଏହି ଦୁର୍ଘଟଣା ବିଷୟରେ ଜାଣିବା ପରେ ଦୁଃଖ ପ୍ରକାଶ କରିଥିଲେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା (Himanta Biswa Sarma) । ଏନେଇ ସେ ଟ୍ୱିଟ୍ କରି ମୃତକକଙ୍କ ପରିବାରକୁ ସମବେଦନା ଜଣାଇବା ସହ ଆହତମାନଙ୍କୁ ସମସ୍ତ ସମ୍ଭାବ୍ୟ ଚିକିତ୍ସା ସହାୟତା ଯୋଗାଇ ଦିଆଯାଉଛି ବୋଲି କହିଛନ୍ତି ।

ସେପଟେ କଟକ ତାଳଦଣ୍ତା କେନାଲ (Cuttack Taladanda canal accident) ଭିତରକୁ କାର ପଶି ୨ ଜଣ ଗୁରୁତର ହୋଇଛନ୍ତି । ମାତୃ ଭବନ- ନୂଆ ବଜାର ରାସ୍ତାରେ ଯିବା ବେଳେ କାରଟି ଦୁର୍ଘଟଣାର ଶିକାର ହୋଇଥିଲା । କାରଟି ପାଣିରେ ବୁଡ଼ି ଯିବାରୁ ଏଥିରେ ଥିବା ଦୁଇ ଜଣ ଗୁରୁତର ହୋଇଥିଲେ । ସେମାନଙ୍କ ଅବସ୍ଥା ସଂକଟାପନ୍ନ ଥିବା ବେଳେ ଦୁହେଁଙ୍କୁ କଟକ ବଡ଼ ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ଖବର ଅନୁଯାୟୀ, ସୋମବାର ଅପରାହ୍ନରେ ଏକ କାରଟି ଭାରସାମ୍ୟ ହରାଇ କଟକ ଆନନ୍ଦପୁର ନିକଟ ତାଳଦଣ୍ତା କେନାଲ ଭିତରକୁ ଖସିପଡ଼ିଥିଲା । ଫଳରେ କାରରେ ଥିବା ଦୁଇ ଜଣ କେନାଲ ଭିତରେ ଫସି ରହିଥିଲେ । ସ୍ଥାନୀୟ ଲୋକଙ୍କ ସହାୟତାରେ ତାଙ୍କୁ ଉଦ୍ଧାର କରାଯାଇ ଗୁରୁତର ଅବସ୍ଥାରେ ମେଡ଼ିକାଲ ପଠାଯାଇଛି ।

ପ୍ରକାଶ ଥାଉ କି, ରବିବାର ଦିନ ବୌଦ୍ଧ ଜିଲ୍ଲା ରଇଠାଣି ଗାଁ ନିକଟରେ ଦୁର୍ଘଟଣା ଘଟି ଦୁଇ ଜଣ ଯାତ୍ରୀ ଗୁରୁତର ହୋଇଥିଲେ । ଛତିଶଗଡ଼ ରାୟପୁର ଅଞ୍ଚଳର ୬ ଜଣ ସାଙ୍ଗ ଜଗନ୍ନାଥଙ୍କୁ ଦର୍ଶନ କରିବା ଲାଗି ଏକ କାର ଯୋଗେ ପୁରୀ ଅଭିମୁଖେ ଯାଉଥିଲେ । ତେବେ ୫୭ ନମ୍ବର ଜାତୀୟ ରାଜପଥ ରଇଠାଣୀ ଗାଁ ନିକଟରେ କାରଟି ଭାରସାମ୍ୟ ହରାଇ ରାସ୍ତା ତଳକୁ ଖସିପଡ଼ିଥିଲା । ଫଳରେ ଦୁଇ ଜଣ ଗୁରୁତର ହୋଇଥିଲେ । ପରେ ଆମ୍ବୁଲାନ୍ସ ଯୋଗେ ସେମାନଙ୍କୁ ବୌଦ୍ଧ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଗୁରୁତର ଦୁଇ ବ୍ୟକ୍ତି କମେଲେଶ ଦେବାଙ୍ଗନ ଓ ସଞ୍ଜୟ ସାହୁ ବୋଲି ଜଣାପଡ଼ିଛି ।

Also Read-Video: ଭାରତରେ ଗୁପଚୁପ୍ ଖାଇଲେ ଜାପାନ ରାଷ୍ଟ୍ରଦୂତ, ଭିଡିଓ ସେୟାର କରି କହିଲେ...