ଏହି ଦୁଇଟି ଭିଟାମିନର ଅଭାବ ହେତୁ ଦୁର୍ବଳ ହୁଏ ଆପଣଙ୍କ ଦୃଷ୍ଟିଶକ୍ତି
Advertisement

ଏହି ଦୁଇଟି ଭିଟାମିନର ଅଭାବ ହେତୁ ଦୁର୍ବଳ ହୁଏ ଆପଣଙ୍କ ଦୃଷ୍ଟିଶକ୍ତି

ଆମ ଶରୀର ପାଇଁ ୧୩ଟି ଜରୁରୀ ଭିଟାମିନ୍ ଆବଶ୍ୟକ, ଯାହା ବିଭିନ୍ନ ଖାଦ୍ୟ ଉତ୍ସରୁ ମିଳିଥାଏ । ପ୍ରତ୍ୟେକ ଭିଟାମିନ୍ ର ଭିନ୍ନଭିନ୍ନ ଭୂମିକା ରହିଛି ।

ଏହି ଦୁଇଟି ଭିଟାମିନର ଅଭାବ ହେତୁ ଦୁର୍ବଳ ହୁଏ ଆପଣଙ୍କ ଦୃଷ୍ଟିଶକ୍ତି

ଭିଟାମିନ୍ ଏବଂ ମିନେରାଲ୍ସ (vitamin and minerals)  ଶରୀର ପାଇଁ ଅତ୍ୟାବଶ୍ୟକ ପୋଷକ ତତ୍ତ୍ୱ । ଯାହା ଶରୀରକୁ କାର୍ଯ୍ୟକ୍ଷମ ପାଇଁ ସକ୍ରିୟ ରଖେ ଏବଂ କୌଣସି ସଂକ୍ରମଣରୁ ଶରୀରକୁ ରକ୍ଷା କରିଥାଏ । ଏହା ଆମର ଅସ୍ଥିକୁ ଦୃଢ଼ କରିବା ସହିତ ମସ୍ତିଷ୍କକୁ ସକ୍ରିୟ ରଖିଥାଏ । ବ୍ରିଟେନର ଜାତୀୟ ସ୍ୱାସ୍ଥ୍ୟ ସେବା (NHS) ଅନୁଯାୟୀ, ଭିଟାମିନ୍ ଏବଂ ମିନେରାଲ୍ସ ହେଉଛି ପୁଷ୍ଟିକର ଖାଦ୍ୟ ଯାହାକି ଆପଣଙ୍କ ଶରୀରକୁ ସଠିକ୍ ଭାବରେ କାର୍ଯ୍ୟ କରିବା ଏବଂ ସୁସ୍ଥ ରହିବା ପାଇଁ ଅଳ୍ପ ପରିମାଣରେ ଆବଶ୍ୟକ ହୋଇଥାଏ । କିନ୍ତୁ କମ୍ ପରିମାଣ ସତ୍ତ୍ୱେ ଲୋକମାନେ ଅଧିକ ପ୍ରୋଟିନକୁ ଗୁରୁତ୍ୱ ଦେଉଥିବାବେଳେ ଭିଟାମିନ୍ ଏବଂ ମିନେରାଲ୍ସ ପ୍ରତି ଧ୍ୟାନ ଦିଅନ୍ତି ନାହିଁ ।

ଶରୀର ପାଇଁ କେତେ ଭିଟାମିନ୍ ଆବଶ୍ୟକ
ଆମ ଶରୀର ପାଇଁ ୧୩ଟି ଜରୁରୀ ଭିଟାମିନ୍ ଆବଶ୍ୟକ, ଯାହା ବିଭିନ୍ନ ଖାଦ୍ୟ ଉତ୍ସରୁ ମିଳିଥାଏ । ପ୍ରତ୍ୟେକ ଭିଟାମିନ୍ ର ଭିନ୍ନଭିନ୍ନ ଭୂମିକା ରହିଛି । ଭିଟାମିନ୍ ଅଭାବ ହେତୁ ଅନେକ ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି ହୋଇଥାଏ । ସାଧାରଣତଃ ଭିଟାମିନ୍ ଅଭାବର ଅର୍ଥ ଶରୀରରେ ନିମ୍ନ ସ୍ତର ବା ଭିଟାମିନ ପରିମାଣରେ ଅଭାବ ।  ଏହା ଥକାପଣ, ଦୁର୍ବଳତା, ମୁଣ୍ଡ ବୁଲାଇବା, ହାଡର ଘନତା ହ୍ରାସ, ଚର୍ମ ରଙ୍ଗରେ ପରିବର୍ତ୍ତନ ପାଇଁ ଦାୟୀ ହୋଇଥାଏ । ଏଥିସହ କେତେକ ଭିଟାମିନର ଅଭାବ ଯୋଗୁ ଚାପ ସହିତ ମାନସିକ ସମସ୍ୟା ଦେଖାଦେଇଥାଏ ।

କେଉଁ ଦୁଇଟି ଭିଟାମିନ୍ ଅଭାବରୁ ହୋଇଥାଏ ଦୃଷ୍ଟିଶକ୍ତି ଦୁର୍ବଳ
ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତାନୁସାରେ ଭିଟାମିନ୍ A ଓ  B-12ର ଅଭାବ ଦୃଷ୍ଟିଶକ୍ତିକୁ ପ୍ରଭାବିତ କରିଥାଏ । ସଠିକ ସମୟରେ ଯଦି ଏହାର ଚିକିତ୍ସା କରାନଯାଏ, ତେବେ ଦୃଷ୍ଟି ଶକ୍ତି ହ୍ରାସ ପାଇଥାଏ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ଅନୁଯାୟୀ, ଭିଟାମିନ୍ Aର ଅଭାବ କର୍ଣ୍ଣିଆକୁ ଅଧିକ ଶୁଷ୍କ କରିବା ସହ ଅନ୍ଧତ୍ୱର କାରଣ ହୋଇଥାଏ । ଯାହା ରେଟିନା ଏବଂ କର୍ଣ୍ଣିଆକୁ କ୍ଷତି ପହଞ୍ଚାଇଥାଏ। ଏକ ଅଧ୍ୟୟନ ଅନୁଯାୟୀ, ବିଶ୍ୱରେ ଭିଟାମିନ୍ A ଅଭାବରୁ ପ୍ରତିବର୍ଷ ପ୍ରାୟ ୨ ଲକ୍ଷ ୫୦ ହଜାର ପିଲା ଦୃଷ୍ଟି ଶକ୍ତି ହରାଇଥାନ୍ତି । ସେମାନଙ୍କ ମଧ୍ୟରୁ ଅଧା ଦୃଷ୍ଟି ଶକ୍ତି ହରାଇଥିବା ବ୍ୟକ୍ତି ୧୨ ମାସ ମଧ୍ୟରେ ଜୀବନ ହାରିଥାନ୍ତି । ସେହିଭଳି ଭିଟାମିନ୍ B-12 ଅଭାବ ମଧ୍ୟ ଦୃଷ୍ଟି ଶକ୍ତି ହରାଇବାର କାରଣ ହୋଇପାରେ ।  ଆସୋସିଏସନ୍ ଅଫ୍ ସ୍କୁଲ୍ ଆଣ୍ଡ କଲେଜ୍ ଅଫ୍ ଅପ୍ଟୋମେଟ୍ରି ଅନୁଯାୟୀ ମସ୍ତିଷ୍କ ଏବଂ ସ୍ନାୟୁ କୋଷଗୁଡ଼ିକର କାର୍ଯ୍ୟ ଏବଂ ବିକାଶ ପାଇଁ ଭିଟାମିନ୍ B-12 ଅତ୍ୟାବଶ୍ୟକ ପୁଷ୍ଟିକର ପୋଷକ ତତ୍ତ୍ୱ ।  ଏହାର ଅଭାବ ଯୋଗୁ ଅପ୍ଟିକ୍ ନ୍ୟୁରୋପାଥି ସମସ୍ୟା ହୋଇଥାଏ । ଏହା ବ୍ୟତୀତ ଭିଟାମିନ B-12 ଅଭାବରୁ ମୁଣ୍ଡବିନ୍ଧା, ଆଖି କୁଣ୍ଡେଇ ହେବା, ଶୁଷ୍କତା ଭଳି ସମସ୍ୟା ମଧ୍ୟ ଦେଖା ଦେଇପାରେ।

କିପରି ଦୂର କରାଯିବ ଭିଟାମିନ ଅଭାବ ସମସ୍ୟା

NHS ଅନୁଯାୟୀ, ପନିର, ଅଣ୍ଡା, କ୍ଷୀର, ଦହି ଭିଟାମିନ୍ A ର ସର୍ବୋତ୍ତମ ଖାଦ୍ୟ ଉତ୍ସ ଅଟେ । ବ୍ରିଟେନ ସ୍ୱାସ୍ଥ୍ୟ ଏଜେନ୍ସି ରିପୋର୍ଟ ଅନୁସାରେ ଆପଣ ନିଜ ଖାଦ୍ୟରେ ବିଟା-କାରୋଟିନ ସାମିଲ କଲେ ଭିଟାମିନ୍ A ଅଭାବ ଦୂର ହୋଇପାରିବ । ବିଭିନ୍ନ ପ୍ରକାର ସବୁଜ ଶାଗ, ପନିପରିବା  ଯେପରିକି ଆମ୍ବ, ଗାଜର, ଅମୃତଭଣ୍ଡା ଆଦି ଭିଟାମିନ Aର ସ୍ରୋତ ଅଟେ।

ସେହିପରି ଭିଟାମିନ୍ B12 ଅଭାବ ଦୂର ପାଇଁ ମଧ୍ୟ ଆପଣଙ୍କୁ ଉତ୍ତମ ଖାଦ୍ୟ ଚୟନ କରିବାକୁ ପଡ଼ିପାରେ । ସାମୁଦ୍ରିକ ଖାଦ୍ୟ ସବୁଜ ପନିପରିବାରେ ପ୍ରଚୁର ପରିମାଣରେ ଭିଟାମିନ B-12 ରହିଥାଏ । ପାଳଙ୍ଗ, ବିଟ, ଆଳୁ, ଛତୁରୁ ଆପଣଙ୍କୁ ପ୍ରଚୁର ପରିମାଣରେ  ଭିଟାମିନ B-12 ମିଳିପାରିବ।