ବିଶ୍ୱ ମଧୁମେହ ଦିବସ; ସତର୍କ ନରହିଲେ ସ୍ଥିତି ହେବ ଭୟଙ୍କର!
Advertisement

ବିଶ୍ୱ ମଧୁମେହ ଦିବସ; ସତର୍କ ନରହିଲେ ସ୍ଥିତି ହେବ ଭୟଙ୍କର!


ବିଶ୍ୱରେ ମଧୁମେହ ରୋଗ ଏକ ମହାମାରୀର ରୂପ ନେବାକୁ ବସିଲାଣି। ଏହାକୁ ସ୍ଲୋ ପୋଇଜନ୍ ବୋଲି ମଧ୍ୟ କୁହାଯାଏ। 

ପ୍ରତିକାତ୍ମକ ଫଟୋ

ଶଙ୍କର୍ଷଣ ବାଘ, ନୂଆଦିଲ୍ଲୀ: ଆଜି ବିଶ୍ୱ ମଧୁମେହ ଦିବସ। ପ୍ରତିବର୍ଷ ନଭେମ୍ବର ୧୪ ତାରିଖରେ ଏହି ଦିବସକୁ ପାଳନ କରାଯାଏ। ବିଶ୍ୱରେ ମଧୁମେହ ରୋଗ ଏକ ମହାମାରୀର ରୂପ ନେବାକୁ ବସିଲାଣି। ଏହାକୁ ସ୍ଲୋ ପୋଇଜନ୍ ବୋଲି ମଧ୍ୟ କୁହାଯାଏ। ମଧୁମେହକୁ ପ୍ରତିହତ କରିବା ପାଇଁ ଚଳିତ ବର୍ଷର ଆହ୍ୱାନ ରହିଛି, "ସେବା ପ୍ରଦାନକାରୀ ହିଁ ପରିବର୍ତ୍ତନର ଆଧାର।"

ରକ୍ତରେ ଶର୍କରାର ପରିମାଣ ବୃଦ୍ଧି ହେଲେ ତାହାକୁ ମଧୁମେହ ବା ଡାଇବେଟିସ୍ କୁହାଯାଏ। ୨୦୧୯ ସୁଦ୍ଧା ବିଶ୍ୱରେ ମଧୁମେହ ରୋଗୀଙ୍କ ସଂଖ୍ୟା ୭୭ ମିଲିୟନ ଥିଲା। ୨୦୪୫ ବେଳକୁ ଏହା ୧୩୪ ମିଲିୟନକୁ ବୃଦ୍ଧି ପାଇବ ବୋଲି ପୂର୍ବାନୁମାନ କରାଯାଇଛି। ଭାରତକୁ ଡାଇବେଟିସର କ୍ୟାପିଟାଲ କୁହାଯାଏ। ବିଶ୍ୱର ମୋଟ ମଧୁମେହ ରୋଗୀଙ୍କ ମଧ୍ୟରେ ଭାରତରେ ଅଧାରକୁ ଅଧିକ ଅଛନ୍ତି।

ଆମ ରାଜ୍ୟ ଓଡିଶାରେ ବି ଦିନକୁ ଦିନ ମଧୁମେହ ରୋଗିଙ୍କ ସଂଖ୍ୟା ବୃଦ୍ଧି ହେବାରେ ଲାଗିଛି। ଜାତି, ବର୍ଣ୍ଣ, ଧର୍ମ, ଲିଙ୍ଗ, ବୟସ ନିର୍ବିଶେଷରେ ଏହି ରୋଗ ସମସ୍ତଙ୍କୁ ଆକ୍ରମଣ କରିଥାଏ। ଏଥିପାଇଁ ବିଶେଷ କାରଣ ହେଲା, ଖାଦ୍ୟପେୟ, ଜୀବନଶୈଳୀ, ଭୌଗଳିକ ଅବସ୍ଥିତି ଓ ପରମ୍ପରାଗତ। ଏସବୁକୁ ଦୃଷ୍ଟିରେ ରଖିଲେ ଭାରତ ମଧୁମେହ ପାଇଁ ପ୍ରତିକୂଳ ମନେ ହୁଏ।

୨୦୧୯ର ଡାଟା ଅନୁସାରେ ୯୫ ପ୍ରତିଶତ ଡାଇବେଟିସ୍ ରୋଗୀ ଷ୍ଟେଜ ୨ରେ ଅଛନ୍ତି। ଯେତିକି ଲୋକ ମଧୂମେହରେ ପୀଡିତ, ସେମାନଙ୍କ ମଧ୍ୟରୁ ପ୍ରାୟ ୫୦ ପ୍ରିତିଶତଙ୍କ ଠାରେ କୌଣସି ଲକ୍ଷଣ ଦେଖାଯାଏ ନାହିଁ। ବିଶେଷ କରି ଯୁବଗୋଷ୍ଠୀ ଓ ମହିଳାମାନେ ଏହି ମଧୁମେହରେ ଅଧିକ ମାତ୍ରାରେ ଆକ୍ରାନ୍ତ ହୁଅନ୍ତି। ଯେପରି ସମସ୍ତ ବ୍ୟକ୍ତି ଏହାକୁ ପତିରୋଧ କରିବା ପାଇଁ ଆବଶ୍ୟକୀୟ ସେବା ଓ ସୁବିଧା ପାଇବେ ସେଥି ପ୍ରତି ସରକାର ଗୁରୁତ୍ୱ ଦେଉଛନ୍ତି।

ମହାମାରୀ କୋରୋନାରେ ମୃତକଙ୍କ ମଧ୍ୟରେ ମଧୂମେହରେ ଆକ୍ରାନ୍ତଙ୍କ ସଂଖ୍ୟା ଅଧିକ। ଏମାନଙ୍କୁ କୌଣସି ରୋଗ ହେଲେ କିମ୍ୱା ଶରୀରରେ କ୍ଷତ ହେଲେ ଶୀଘ୍ର ଭଲ ହୁଏ ନାହିଁ। ଯାହା ଭବିଷ୍ୟତରେ ଜୀବନ ପ୍ରତି ବିପଦ ସୃଷ୍ଟି କରେ। ସେଥିପାଇଁ ଏଭଳି ରୋଗୀଙ୍କ ପ୍ରିତି ବିଶେଷ ଧ୍ୟାନ ଦେବା ଜରୁରୀ।

ତେବେ ଆସନ୍ତୁ ଜାଣିବା କିଛି ଗୁରୁତ୍ୱପୂର୍ଣ୍ଣ ବିଷୟ-

  • ମଧୁମେହ ଠାରୁ ଦୂରେଇ ରହିବାକୁ ହେଲେ ନିୟମିତ ବ୍ୟାୟମ କରିବା ଜରୁରୀ।
  • ସନ୍ତୁଳିତ ଖାଦ୍ୟ ଖାଇବା ସହ ଅଧିକ ଶର୍କରା ଜାତୀୟ ଖାଦ୍ୟଠାରୁ ଦୂରେଇ ରୁହନ୍ତୁ।
  • ଧୂମପାନ, ତମାଖୁ ଏବଂ ମାଦକଦ୍ରବ୍ୟ ସେବନଠୁ ବିରତ ରହିବା ଉଚିତ୍।
  • ମଧୁମେହରେ ଆକ୍ରାନ୍ତ ବ୍ୟକ୍ତି ଆଘାତ ନ ଲାଗିବା ନେଇ ଯତ୍ନବାନ ହୁଅନ୍ତୁ।
  • ମଧୁମେହ ରୋଗୀଙ୍କୁ ଚକ୍ଷୁ, କୀଡନୀ ଓ ଲିଭର ଜନିତ ରୋଗ, ହୃଦଘାତ. ଉଚ୍ଚରକ୍ତଚାପ ଭଳି ମାରାତ୍ମକ ରୋଗ ହେବାର ସମ୍ଭାବନା ଅଛି। ତେଣୁ ନିୟମିତ ସ୍ୱାସ୍ଥ୍ୟ ଯାଞ୍ଚ କରିବା ଜରୁରୀ।