ସବୁଠାରୁ ୧୦ଟି ଘାତକ ସାମୁଦ୍ରିକ ବାତ୍ୟା
Advertisement
Article Detail0/zeeodisha/odisha683953

ସବୁଠାରୁ ୧୦ଟି ଘାତକ ସାମୁଦ୍ରିକ ବାତ୍ୟା

ଅମ୍ପନର ଗୁରୁ ଗର୍ଜନ ଉଡ଼ାଇ ନେଇଛି ଇତିହାସର ପୃଷ୍ଠା। ମନେ ପକାଇଦେଇଛି କିଛି ଭୟଙ୍କର ବାତ୍ୟାର ଇତିବୃତ୍ତି। ଯଦି ଓଡ଼ିଶା କଥା କହିବା ମନେ ପଡିଯିବ ମହାବାତ୍ୟା ଯେଉଁଥିରେ ୧୫ ହଜାର ଲୋକ ଜୀବନ ହାରିଥିଲେ କିନ୍ତୁ ଏମିତି ଏକ ବାତ୍ୟା ଯିଏ ନିଜ ଆଁ ଭିତରେ ଗିଳି ପକାଇଥିଲେ ୫ ଲକ୍ଷ ଜୀବନ।

ସବୁଠାରୁ ୧୦ଟି ଘାତକ ସାମୁଦ୍ରିକ ବାତ୍ୟା

ଜିନୁ ଜେନା(ଭୁବନେଶ୍ୱର): ଏବେ ଓଡ଼ିଶା, ପଶ୍ଚିମବଙ୍ଗ ଏବଂ ବାଲାଂଦେଶରେ ହୃତ୍ କମ୍ପନ ସୃଷ୍ଟି କରିଥିବା ବାତ୍ୟା ଖୋଲିଛି ଅତୀତର ପେଡ଼ି । ମନେ ପଡୁଛି କିଛି ଏମିତିକା ସାମୁଦ୍ରିକ ତାଣ୍ଡବର ଅଲିଭା ତଥ୍ୟ । ଯାହା ଶୁଣିଲେ ହୁଏତ ପାଠକଙ୍କର ଛାତି ଭୟରେ ଥରି ଉଠିବ ନିଶ୍ଚୟ....

ଗ୍ରେଟ୍ ଭୋଲା (ବାଲାଂଦେଶ, ୧୯୭୦)
୧୯୭୦ ନଭେମ୍ବର ୧୨ ତାରିଖ, ଏବେ ବି ମନରୁ ଭୁଲିନାହାନ୍ତି ବାଂଲାଦେଶବାସୀ । ସେଦିନ ସେତେ ଯେମିତି ପୂରା ବାଂଲାଦେଶକୁ ନିଶ୍ଚିହ୍ନ କରିଦେବା ପାଇଁ ସଂକଳ୍ପ ନେଇ ମାଡ଼ି ଆସିଥିଲା ସାମୁଦ୍ରିକ ବାତ୍ୟା ଭୋଲା । ଯାହାର ଆଁ ଭିତରେ ହଜି ଯାଇଥିଲା ୫ ଲକ୍ଷ ଲୋକଙ୍କ ଜୀବନ । ଏହି ଘାତକ ସାମୁଦ୍ରିକ ବାତ୍ୟାର ରେକର୍ଡ ଆଜିଯାଏ ଅନ୍ୟ କୌଣସି ବାତ୍ୟା ଭାଙ୍ଗି ପାରିନାହାନ୍ତି। ଏହି ବାତ୍ୟାରେ ସର୍ବାଧିକ ପବନ ୨୪୦ କିମି ବେଗରେ ବହିଥିଲା । ବାଂଲାଦେଶର ୮୫ ପ୍ରତିଶତ ଘର ଭାଙ୍ଗିଯାଇଥିଲା ସେଥିରୁ କିଛି ନିଶ୍ଚିହ୍ନ ହୋଇଯାଇଥିଲା । ପ୍ରାୟ ୫ ଶହ ମିଲିୟନ ଡଲାର ସମ୍ପତ୍ତି ନଷ୍ଟ କରିଥିଲା ।

ହୁଗୁଲି ବାତ୍ୟା (ଭାରତ ଏବଂ ବାଂଲାଦେଶ, ୧୭୩୭)

ହୁଗୁଳି ନଦୀ ବାତ୍ୟା କଲକାତା ବାତ୍ୟା ଭାବେ ବି ଜଣାଶୁଣା । ଏହି ବାତ୍ୟା ଭାରତର କଲିକତା ସହରକୁ ଧ୍ୱସ୍ତବିଧ୍ୱସ୍ତ କରି ପକାଇଥିଲା । ଗଙ୍ଗାନଦ ଅବବାହିକା ତଥା କଲିକତା ସହରର ଦକ୍ଷିଣରେ ସ୍ଥଳଭାଗ ଛୁଇଁଥିଲା । ଗଙ୍ଗା ନଦୀରେ ୩୦ରୁ ୪୦ଫୁଟ ଯାଏ ଜୁଆର ସୃଷ୍ଟି କରିଥିଲା । ୧୫ ଇଞ୍ଚର ବର୍ଷା ଲଗାତାର ୬ ଘଣ୍ଟା ଧରି ଜାରି ରହିଥିଲା । ଏଥିରେ ବ୍ୟାପକ ଘର ନଷ୍ଟ ହେବା ସହ ପ୍ରାୟ ୩,୦୦୦୦୦ ସାଢେ ୩,୫୦୦୦୦ଲକ୍ଷ ଲୋକଙ୍କର ମୃତ୍ୟୁ ହୋଇଥିଲା । ୨୦ହଜାର ମଟର ବୋଟ୍ ଚୁରମାର ହୋଇଯାଇଥିଲା ।

କୋରିଙ୍ଗା ବାତ୍ୟା (ଭାରତ, ୧୮୩୯)
ବନ୍ଦର ନଗରୀ କୋରିଙ୍ଗା ବିପର୍ଯ୍ୟୟ ୧୮୩୯, ନଭେମ୍ବର ୨୫ରେ ସଂଘଠିତ ହୋଇଥିଲା । ଏହି ବାତ୍ୟାରେ ୪୦ଫୁଟ ଉଚ୍ଚର ଜୁଆର ଆସି ସହରକୁ ଧୋଇ ନେଇଥିଲା । ୩,୦୦୦୦୦ ଲୋକଙ୍କ ଜୀବନ ନେବା ସହ ବନ୍ଦର ନଗରୀକୁ ଶ୍ମଶାନରେ ପରିଣତ କରି ଦେଇଥିଲା ।

ହାଇଫୋଙ୍ଗ (ଭିଏତନାମ, ୧୮୮୧)
ପରବର୍ତ୍ତୀ ବାତ୍ୟା ହେଉଛି ୧୮୮୧, ଅକ୍ଟୋବର ୮ ତାରିଖରେ ଭିଏତନାମରେ ଆସିଥିଲା । ଟୋଙ୍କିନ ଉପକୂଳରେ ଏହି ବାତ୍ୟା ମାଡ଼ ହୋଇଥିଲା । ଏହି ବାତ୍ୟାରେ ୩୦୦୦୦୦ ଲୋକଙ୍କ ଜୀବନ ଯାଇଥିଲା। ବିଶେଷକରି ବାତ୍ୟା ପରେ କ୍ଷୁଧା ଏବଂ ରୋଗରେ ଲୋକମାନେ ପୋକମାଛି ଆଖି ବୁଜି ଥିଲେ । ୨୦,୦୦୦ ସିପ୍ ବାତ୍ୟରେ ଭାଙ୍ଗି ରୁଜିଯାଇଥିଲା । କୋରିଙ୍ଗା ବାତ୍ୟା ପରେ ଆଉ ଅଣ୍ଟା ସଳଖି ଠିଆ ହୋଇପାରିନଥିଲା । ଏହା ଗୋଟିଏ ଛୋଟିଆ ଗାଁ ଭଳି ପରିଚୟ ନେଇ ରହିଯାଇଛି ।

ବକେରଗଂଜ(ବାଂଲାଦେଶ, ୧୫୮୪)
୧୫୮୪ରେ ବଙ୍ଗୋପସାଗରରେ ବାତ୍ୟା ସୃଷ୍ଟ ହୋଇ ବାଂଲାଦେଶରେ ମାଡ଼ ହୋଇଥିଲା । ତାଣ୍ଡବ ରଚିବା ସହ ୨୦୦୦୦୦ ଲୋକଙ୍କୁ ମୃତ୍ୟୁମୁଖକୁ ଠେଲି ଦେଇଥିଲା ବାକେରଗଂଜ ।

ଗ୍ରେଟ ବକେରଗଂଜ ବାତ୍ୟା (ବାଂଲାଦେଶ, ୧୮୭୬)
ଏହା ୧୮୭୬ ବାଙ୍ଗଲା ବାତ୍ୟା ନାଁରେ ବି ଜଣାଶୁଣା । ୧୮୭୬ ଅକ୍ଟୋବର ୩୧ରେ ମାଡ଼ି ଆସିଥିଲା ବାତ୍ୟା । ମୃତ୍ୟୁସଂଖ୍ୟା ଥିଲା ୨,୦୦୦୦୦ । ବଙ୍ଗୋପସାଗରରେ ସୃଷ୍ଟ ବାତ୍ୟା ମେଘନା ରିଭର ଅବବାହିକାରେ ମାଡ଼ ହୋଇଥିଲା । ବାତ୍ୟା ଯୋଗୁଁ ଉଚ୍ଚ ଜୁଆର ମାଡ଼ି ଆସିଥିଲା । ତଳିଆ ଅଞ୍ଚଳରେ ୪୦ଫୁଟ ଉଚ୍ଚର ଜୁଆର ମାଡ଼ିଯାଇଥିଲା ।

ଚିଟାଗଙ୍ଗ (ବାଂଲାଦେଶ, ୧୮୯୭)
୧୮୯୭ ମସିହାରେ ବାଂଲାଦେଶର ଚିଟାଗଙ୍ଗ ସହର ବାତ୍ୟାରେ ଧ୍ୱସ୍ତବିଧ୍ୱସ୍ତ ହୋଇଯାଇଥିଲା । ସହରର ଅଧା ବିଲଡିଂ ସବୁ ମାଟିରେ ମିଶିଯାଇଥିଲା । ଅନ୍ୟ ବାତ୍ୟା ଭଳି ଏଥିରେ ୧,୭୫୦୦୦ ଲୋକଙ୍କର ଜୀବନ ଯାଇଥିଲା ।

ବାତ୍ୟା ୦୨ବି (ବାଂଲାଦେଶ, ୧୯୯୧)
୧୯୯୧ ଏପ୍ରିଲ ୨୯ରେ ବାଂଲାଦେଶର ଚିଟାଗଙ୍ଗରେ ସ୍ଥଳଭାଗ ଛୁଇଁଥିଲା । ଏହାର ଅନ୍ୟନାମ ଥିଲା ବାତ୍ୟା ୦୨ବି । ୧,୩୫,୦୦୦ ଲୋକଙ୍କ ମୃତ୍ୟୁର କାରଣ ହୋଇଥିଲା । ୧୦ ନିୟୁତ ଲୋକ ବାସହରା ହୋଇପଡ଼ିଥିଲେ ୦୨ବି ଲାଗି । ୧୦,୦୦୦ ଗାଈମାନଙ୍କ ମୃତ୍ୟୁ ହୋଇଥିଲା । ଦେଶର ଶସ୍ୟ ନଷ୍ଟ ହୋଇଯାଇଥିବା ବେଳେ ଲୋକଙ୍କ ପରବର୍ତ୍ତୀ ସମୟରେ ଭୋକ ଉପବାସରେ ରହିବାକୁ ପଡ଼ିଥିଲା । ୧.୫ ବିଲିଅନ ଡଲାରର କ୍ଷୟକ୍ଷତି କରି ବିଦାୟ ନେଇଥିଲା ।

ନର୍ଗିସ୍ (ମିଆଁମାର, ୨୦୦୮)
୨୦୦୮ ମଇ ୨ ତାରିଖରେ ମିଆଁମାର ଭୂଖଣ୍ଡ ଛୁଇଁଥିଲା ବାତ୍ୟା ନର୍ଗିସ୍। ମିଆଁମାରର ଆଏୟାରୱାଡ଼ି ଅବବାହିକାରେ ସ୍ଥଳଭାଗ ଛୁଇଁଥିଲା ବାତ୍ୟା ନର୍ଗିସ୍ । ଜାତିସଂଘ ରିପୋର୍ଟ ଅନୁଯାୟୀ ୨.୪ ମିଲିଅନ ଲୋକ ପ୍ରଭାବିତ ହୋଇଥିଲେ । ୮୪,୫୦୦ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ୫୩,୮୦୦ ଲୋକ ନିଖୋଜ ହୋଇଯାଇଥିଲେ।

ବାଂଲାଦେଶ ବାତ୍ୟା ୧୯୪୨(ବାଂଲାଦେଶ, ୧୯୪୨)
ବାଂଲାଦେଶ ବାତ୍ୟା ୧୯୪୨ରେ ପ୍ରଳୟ ରଚିଥିଲା । ଅକ୍ଟୋବର ୧୬ରେ ବାଂଲାଦେଶର ପୂର୍ବ ଉପକୂଳରେ ମାଡ଼ ହୋଇଥିଲା । ଘଣ୍ଟାକୁ ୭୦ ମାଇଲ ବେଗରେ ପବନ ବହିଥିଲା । ବାତ୍ୟା ପ୍ରଭାବରେ ୨୦ ଫୁଟ ଉଚ୍ଚ ଜୁଆର ମାଡ଼ି ଆସିଥିଲା । ୩ ହଜାର ଘର ଭାଙ୍ଗିଦେବା ସହ ୬୧,୦୦୦ ଲୋକଙ୍କ ଜୀବନ ନେଇଥିଲା ବାତ୍ୟା ।