ଭାରତରେ ଦ୍ୱିତୀୟ ମଙ୍କିପକ୍ସ ରୋଗୀ ଚିହ୍ନଟ: କେରଳର କୋଲ୍ଲମ ପରେ କନ୍ନୁରରେ ଆତଙ୍କ, ୫ ଜିଲ୍ଲାରେ ହାଇଆଲର୍ଟ
Advertisement

ଭାରତରେ ଦ୍ୱିତୀୟ ମଙ୍କିପକ୍ସ ରୋଗୀ ଚିହ୍ନଟ: କେରଳର କୋଲ୍ଲମ ପରେ କନ୍ନୁରରେ ଆତଙ୍କ, ୫ ଜିଲ୍ଲାରେ ହାଇଆଲର୍ଟ

WHO ଅନୁସାରେ ବର୍ତ୍ତମାନ ସୁଦ୍ଧା ଦୁଇଟି ମଙ୍କିପକ୍ସ ଷ୍ଟ୍ରେନ ବ୍ୟାପୁଛି । ଉଭୟ କଙ୍ଗୋ ଷ୍ଟ୍ରେନ ଓ ଆଫ୍ରିକା ଷ୍ଟ୍ରେନର ମୁକାବିଲା କରିବାରେ ଚେଚକ ଭ୍ୟାକସିନ ୮୫ପ୍ରତିଶତ ସମର୍ଥ ହେଉଥିବା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହିଛି ।

 

 ଭାରତରେ ଦ୍ୱିତୀୟ ମଙ୍କିପକ୍ସ ରୋଗୀ ଚିହ୍ନଟ: କେରଳର କୋଲ୍ଲମ ପରେ କନ୍ନୁରରେ ଆତଙ୍କ, ୫ ଜିଲ୍ଲାରେ ହାଇଆଲର୍ଟ

monkeypox virus: ୪ ଦିନ ପରେ ଭାରତରେ ଦ୍ୱିତୀୟ ମଙ୍କିପକ୍ସ ରୋଗୀ ଚିହ୍ନଟ। ଆଜି କେରଳର କନ୍ନୁର ସହରରେ ଜଣେ ରୋଗୀ ଚିହ୍ନଟ ହୋଇଛନ୍ତି । ଗତ ୪ ଦିନ ପୂର୍ବରୁ କେରଳର କୋଲ୍ଲମରେ ପ୍ରଥମ ରୋଗୀ ଚିହ୍ନଟ ହୋଇଥିଲେ। ମାମଲା ସାମ୍ନାକୁ ଆସିବା ପରେ ରାଜ୍ୟର ୫ ଜିଲ୍ଲାରେ ହାଇ ଆଲର୍ଟ ଜାରି ହୋଇଛି ।  

କେରଳ ସ୍ୱାସ୍ଥ୍ୟମନ୍ତ୍ରୀ ବୀଣା ଜର୍ଜଙ୍କ ସୂଚନା ଅନୁସାରେ କନ୍ନୁରରେ ୩୧ ବର୍ଷିୟ ଯୁବକ ମଙ୍କିପକ୍ସ ପଜିଟିଭ ଚିହ୍ନଟ ହୋଇଛନ୍ତି । ବ୍ୟକ୍ତି ଜଣକ ୧୩ ଜୁଲାଇରେ ଦୁବାଇରୁ ମାଙ୍ଗାଳୁରୁ ବିମାନ ବନ୍ଦରରେ ପହଞ୍ଚିଥିଲେ । ଏହାପୂର୍ବରୁ ଚିହ୍ନଟ ହୋଇଥିବା ୩୫ ବର୍ଷିୟ ବ୍ୟକ୍ତି ମଧ୍ୟ UAE ରୁ ଆସିଥିଲେ । ଆକ୍ରାନ୍ତ ସଂଖ୍ୟା ବୃଦ୍ଧିକୁ ନେଇ ୫ ଜିଲ୍ଲା ତିରୁଅନନ୍ତପୁରମ, କୋଲ୍ଲମ, ପଠାନମଥିଟ୍ଟା, ଅଲ୍ଲାପ୍ପୁଝା, ଓ କୋଟ୍ଟାୟମରେ ହାଇ ଆଲର୍ଟ ଜାରି ହୋଇଛି । ସେପଟେ ଦୁବାଇରୁ ଫେରିଥିବା ଦ୍ୱିତୀୟ ମଙ୍କିପକ୍ସ ସଂକ୍ରମିତଙ୍କୁ ପରିୟାରମ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଛି । ବର୍ତ୍ତମାନ ରୋଗୀଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଥିବା ଜଣା ପଡ଼ିଛି । ସଂକ୍ରମିତଙ୍କ ସମ୍ପର୍କରେ ଆସିଥିବା ଲୋକେ ଯାଞ୍ଚ କରାଇନେବା ପାଇଁ ପ୍ରଶାସନ ପକ୍ଷରୁ ନିବେଦନ କରାଯାଇଛି ।

କେନ୍ଦ୍ର ସରକାର ଦେଶ ବାହାରୁ ଆସୁଥିବା ଯାତ୍ରୀଙ୍କ ଉପରେ କଡ଼ା ନଜର ରଖିଛନ୍ତି । ଦେଶରେ ପ୍ରଥମ ମାମଲା ସାମ୍ନାକୁ ଆସିବା ପରେ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଶୁକ୍ରବାର ନିର୍ଦ୍ଦେଶମାନା ଜାରି କରିଥିଲେ । ବିଦେଶରୁ ଆସୁଥିବା ଯାତ୍ରୀଙ୍କ ଟେଷ୍ଟିଂ ସହିତ ରୋଗୀଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କୁ ଟ୍ରେସିଂ କରାଯାଉଛି । ଭାରତ ସମେତ ବର୍ତ୍ତମାନ ସୁଦ୍ଧା ବିଶ୍ୱର ୭୬ ଦେଶରେ ବ୍ୟାପିଛି ମଙ୍କିପକ୍ସ ।

ଯାତ୍ରୀଙ୍କ ପାଇଁ ନୂଆ ଗାଇଡଲାଇନ

  • ଯାତ୍ରୀମାନେ ଅସୁସ୍ଥ ଲୋକଙ୍କଠାରୁ ଦୂରେଇ କୁହନ୍ତୁ।
  • ପଶୁ, ପକ୍ଷୀଙ୍କଠାରୁ ଯଥାସମ୍ଭବ ଦୂରେଇ ରୁହନ୍ତୁ ।
  • ଆଫ୍ରିକାରେ ପ୍ରସ୍ତୁତ କ୍ରିମ, ଲୋସନ ଓ ପାଉଡର ବ୍ୟବହାର କରନ୍ତୁ ନାହିଁ ।
  • ପଶୁ, ପକ୍ଷୀଙ୍କ ସଂସ୍ପର୍ଶରେ ଆସିଥିବା କପଡ଼ା ବ୍ୟବହାର କରନ୍ତୁ ନାହିଁ ।

କାହାକୁ କୁହାଯାଉଛି ସନ୍ଦିଗ୍ଧ ମଙ୍କିପକ୍ସ ରୋଗୀ?

ଯେଉଁ ବ୍ୟକ୍ତି ଗତ ୨୧ ଦିନ ମଧ୍ୟରେ ମଙ୍କିପକ୍ସ ସଂକ୍ରମିତ ଦେଶରୁ ଫେରିଥିବେ, କିମ୍ବା ଯେଉଁ ବ୍ୟକ୍ତିଙ୍କ ମଧ୍ୟରେ ରୋଗର ଲକ୍ଷଣ ପ୍ରକାଶ ପାଉଥିବ, ସେମାନଙ୍କୁ ସନ୍ଦିଗ୍ଧ ବର୍ଗରେ ରଖାଯାଉଛି । ମଙ୍କିପକ୍ସର ଲକ୍ଷଣ ଗୁଡ଼ିକ ମଧ୍ୟରେ ମୁଣ୍ଡବିନ୍ଧା, ଜ୍ୱର, ମାଂସପେଶୀରେ ଯନ୍ତ୍ରଣା, ଦୁର୍ବଳତା ରହିଛି ।

୭୬ ଦେଶରେ ୧୨ ହଜାରରୁ ଅଧିକ ରୋଗୀ ଚିହ୍ନଟ

ବର୍ତ୍ତମାନ ସୁଦ୍ଧା ୭୬ ଦେଶରେ ୧୨, ୭୦୧ ଜଣ ପଙ୍କିପକ୍ସ ପଜିଟିଭ ରୋଗୀ ଚିହ୍ନଟ ହୋଇଛନ୍ତି ।  ଏହାମଧ୍ୟରେ ଯୁରୋପରେ ସର୍ବାଧିକ ୯,୭୦୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାସହିତ ବ୍ରିଟେନ, ସ୍ପେନ, ଆମେରିକା, ଜର୍ମାନୀ, ଫ୍ରାନ୍ସ, ପର୍ତ୍ତୁଗାଲ, କାନାଡ଼ା, ନେଦରଲାଣ୍ଡ, ଇଟାଲୀ, ଓ ବେଲଜିୟମରେ ମଧ୍ୟ ଆକ୍ରାନ୍ତ ସଂଖ୍ୟା ବୃଦ୍ଧି ପାଉଛି । ଯଦିଓ ବର୍ତ୍ତମାନ ସୁଦ୍ଧା ମଙ୍କିପକ୍ସରେ ମୋଟ ୩ ଜଣଙ୍କ ମୃତ୍ୟୁ ହୋଇଛି ।

WHO ଅନୁସାରେ ବର୍ତ୍ତମାନ ସୁଦ୍ଧା ଦୁଇଟି ମଙ୍କିପକ୍ସ ଷ୍ଟ୍ରେନ ବ୍ୟାପୁଛି । ଉଭୟ କଙ୍ଗୋ ଷ୍ଟ୍ରେନ ଓ ଆଫ୍ରିକା ଷ୍ଟ୍ରେନର ମୁକାବିଲା କରିବାରେ ଚେଚକ ଭ୍ୟାକସିନ ୮୫ପ୍ରତିଶତ ସମର୍ଥ ହେଉଥିବା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହିଛି ।