Gold Jewellery: SGV ଏବଂ ଗୋଲ୍ଡ ETF ମଧ୍ୟରୁ କିଏ ଲମ୍ବା ଅବଧିରେ ଦେବ ଭଲ ରିଟର୍ଣ୍ଣ ?
Advertisement

Gold Jewellery: SGV ଏବଂ ଗୋଲ୍ଡ ETF ମଧ୍ୟରୁ କିଏ ଲମ୍ବା ଅବଧିରେ ଦେବ ଭଲ ରିଟର୍ଣ୍ଣ ?

Business News:  ଫିଜିକାଲ ଗୋଲ୍ଡ ସହିତ ଏବେ ସୋଭରେନ୍ ଗୋଲ୍ଡ ବଣ୍ଡ୍ ଓ ଗୋଲ୍ଡ୍ ଇଟିଏଫ୍ ର ବିକଳ୍ପ ଉପଲବ୍ଧ ଅଛି । ତେବେ କେଉଁଟା ଆପଣଙ୍କ ନିବେଶର ସଠିକ ତରିକା ହେବ,ଆସନ୍ତୁ ଜାଣିବା ।

Gold Jewellery: SGV ଏବଂ ଗୋଲ୍ଡ ETF ମଧ୍ୟରୁ କିଏ ଲମ୍ବା ଅବଧିରେ ଦେବ ଭଲ ରିଟର୍ଣ୍ଣ ?

Business News:  ଆସୁଛି ପାର୍ବଣ ଋତୁ । ପାର୍ବଣ ଋତୁରେ ସୁନା (Gold) କିଣାବିକା ବଢିଯାଏ । ଏମିତିରେ ପାରମ୍ପାରିକ ଭାବେ ଭାରତୀୟଙ୍କ ଲାଗି ସୁନା ନିବେଶର ଏକ ସୁରକ୍ଷିତ ଉପାୟ । ଖରାପ ସମୟରେ ସୁନା କାମରେ ଆସିବ ବୋଲି ଅନେକ ସୁନା କିଣନ୍ତି । କାରଣ ଅନ୍ଯ ନିବେଶର ମୂଲ୍ଯ ସମୟ ସହିତ ହ୍ରାସ ପାଇପାରେ କିନ୍ତୁ ସୁନାର ମୂଲ୍ୟ ହ୍ରାସ ପାଏନା । ତେବେ ଏବେ ସୁନାରେ ନିବେଶର ତରିକା ବଦଳି ଗଲାଣି । ସୁନା ଗହଣା କିଣିବା ବଦଳରେ ଆପଣ ଅନ୍ୟ ଉପାୟରେ ମଧ୍ଯ ସୁନାରେ ନିବେଶ କରିପାରିବେ । ଫିଜିକାଲ ଗୋଲ୍ଡ ସହିତ ଏବେ ସୋଭରେନ୍ ଗୋଲ୍ଡ ବଣ୍ଡ୍ ଓ ଗୋଲ୍ଡ୍ ଇଟିଏଫ୍ ର ବିକଳ୍ପ ଉପଲବ୍ଧ ଅଛି । ତେବେ କେଉଁଟା ଆପଣଙ୍କ ନିବେଶର ସଠିକ ତରିକା ହେବ, ଆସନ୍ତୁ ଜାଣିବା ।

ଫିଜିକାଲ ଗୋଲ୍ଡ କହିଲେ ସୁନା ଗହଣା କିମ୍ବା ସୁନା ବିସ୍କେଟ୍ ବା ଗୋଲ୍ଡ ବାର ଓ କଏନକୁ ବୁଝାଇଥାଏ ।  ଅନେକ ଫିଜିକାଲ ଗୋଲ୍ଡ କିଣିବାକୁ ପସନ୍ଦ କରିଥାନ୍ତି । ତେବେ ସୁନା ଗହଣା କିଣିବା ବେଳେ ଗ୍ରାହକଙ୍କୁ ମେକିଂ ଚାର୍ଜ୍ ବାବଦରେ ଅଧିକ ଦେବାକୁ ପଡିଥାଏ । ଅର୍ଥାତ ଦେଖିବାକୁ ଗଲେ ଆମେ ସୁନା କିଣିବାକୁ ଯେତିକି ଟଙ୍କା ଦେଇଥାଉ ପ୍ରକୃତରେ ସେତିକି ସୁନା ପାଇନଥାଉ । ଦେଇଥିବା ଟଙ୍କାରେ ମେକିଂ ଚାର୍ଜ୍ ରହିଥାଏ । ଅନ୍ଯପକ୍ଷରେ ଗୋଲ୍ଡ ବାର କିମ୍ବା ସୁନା କଏନରେ ବେଶି ମେକିଂ ଚାର୍ଜ୍ ଲାଗିନଥାଏ । ତେଣୁ ଗହଣା କିଣିବା ଅପେକ୍ଷା ଗୋଲ୍ଡ ବାର କିମ୍ବା କଏନ କିଣିବା ଅଧିକ ବୁଦ୍ଧିମାନର କାମ ହେବ ବୋଲି ବଜାର ବିଶେଷଜ୍ଞ କୁହନ୍ତି । ସେହିଭଳି ଆପଣ ଯଦି ଇଏମଆଇ ସ୍କିମ୍ ଜରିଆରେ ସୁନା କିଣୁଛନ୍ତି ଯେଉଁଥିରେ ୧୧ ମାସର ଇଏମଆଇ ଦେଲେ ଅଧିକ ଗୋଟିଏ ମାସର ଇଏମଆଇ ଟଙ୍କା ଗହଣା ସୋ’ରୁମ୍ ଦେଇଥାଏ,ସେଭଳି କୌଣସି ସ୍କିମ ସବସ୍କ୍ରାଇବ୍ କରିବା ଆଗରୁ ସୋ’ରୁମର ବିଶ୍ୱସନୀୟତାକୁ ପରଖି ନେବା ନିହାତି ଆବଶ୍ଯକ । କାରଣ ଅନେକ ସମୟରେ ଗ୍ରାହକ ଠକେଇର ଶିକାର ହୋଇଥାନ୍ତି ।

ଅନ୍ୟପକ୍ଷରେ ଏବେ ଭାରତରେ ଡିଜିଟାଲ ଗୋଲ୍ଡର ଚାହିଦା ଧିରେଧିରେ ହେଉ ପଛେ ବୃଦ୍ଧି ପାଇବାରେ ଲାଗିଛି । ଗତ ୪ରୁ ୫ ବର୍ଷ ଭିତରେ ଡିଜିଟାଲ ଗୋଲ୍ଡର ଚାହିଦା ବଢିବାରେ ଲାଗିଛି । ଆର.ବି.ଆଇ ସୋଭରେନ୍ ବଣ୍ଡ୍ ହେଉଛି ଡିଜିଟାଲ ଗୋଲ୍ଡର ଏକ ରୂପ । ଡିଜିଟାଲ ଗୋଲ୍ଡ ନିବେଶର ଆଉ ଗୋଟିଏ ଦିଗ ହେଉଛି ଭାୟା ମ୍ୟୁଚୁଆଲ ଫଣ୍ଡ୍ । ମ୍ୟୁଚୁଆଲ ଫଣ୍ଡ କମ୍ପାନୀ ମଧ୍ଯ ସ୍ୱର୍ଣ୍ଣରେ ନିବେଶର ସୁଯୋଗ ଦେଉଛନ୍ତି । ମ୍ୟୁଚୁଆଲ ଫଣ୍ଡ୍ ହାଉସଙ୍କ ଦ୍ୱାରା ଆବଣ୍ଟିତ ଏକ୍ସଚେଂଜ୍ ଟ୍ରେଡେଡ୍ ଫଣ୍ଡ୍(ଇଟିଏଫ୍) ମାଧ୍ଯମରେ ସୁନାରେ ଡିଜିଟାଲ ନିବେଶ କରାଯାଇ ପାରିବ ।
କ’ଣ ନିବେଶର ଉତ୍ତମ ବିକଳ୍ପ ?

ଆରବିଆଇ ଦ୍ୱାରା ଜାରି ସୋଭରେନ୍ ଗୋଲ୍ଡ ବଣ୍ଡ୍ ବା ଏସଜିବି ସେମାନଙ୍କ ପାଇଁ ଉତ୍ତମ ଯେଉଁମାନେ ଲମ୍ବା ଅବଧି ପାଇଁ ନିବେଶ କରିବାକୁ ଚାହାନ୍ତି । ଏସଜିବି ଭାରତ ସରକାରଙ୍କ ସମର୍ଥିତ ବଣ୍ଡ୍ ହୋଇଥାଏ । ଫିଜିକାଲ ଗୋଲ୍ଡ ରଖିବାର ବିକଳ୍ପ ଭାବେ ଏହା ନିବେଶ ଉପରେ ବାର୍ଷିକ ୨.୫ ପ୍ରତିଶତ ସୁଧ ଦେଇଥାଏ ।  ଏସଜିବିର ମୂଲ୍ୟ ବଣ୍ଡ୍ କିଣିବା ଦିନ ସୁନାର ମୂଲ୍ୟ ଯାହା ଥାଏ ତା’ ସହିତ ଯୋଡି ହୋଇଥାଏ । ୮ ବର୍ଷ ପାଇଁ ଏହି ବଣ୍ଡକୁ ଜାରି କରାଯାଇଥାଏ । ଏସଜିବି ସେହିମାନଙ୍କ ପାଇଁ ଉପଯୁକ୍ତ ଯେଉଁମାନେ ନିବେଶ ଉପରେ ଗୋଟିଏ ଗ୍ୟାରେଣ୍ଟେଡ୍ ରିଟର୍ଣ୍ଣ ଚାହାନ୍ତି । କେନ୍ଦ୍ର ସରକାରଙ୍କ ଦ୍ୱାରା ସମର୍ଥିତ ହୋଇଥିବାରୁ ଏହା ସୁରକ୍ଷିତ ମଧ୍ଯ ହୋଇଥାଏ । ତେବେ ଏହି ବଣ୍ଡରୁ ମିଳୁଥିବା ସୁଧ ଉପରେ ଆୟକର ଲାଗିଥାଏ । ତେବେ ୮ ବର୍ଷ ପରେ ବଣ୍ଡକୁ ବିକ୍ରି କରିଲେ କୌଣସି କର ଦେବାକୁ ପଡେ ନାହିଁ । ଗତ ୭ ବର୍ଷ ମଧ୍ଯରେ ଏସଜିବି ୧୨୦ ପ୍ରତିଶତ ରିଟର୍ଣ୍ଣ ଦେଇଛି । କିନ୍ତୁ ବିଶେଷଜ୍ଞଙ୍କ ଅନୁସାରେ ଆଗାମୀ ୭ ବର୍ଷ ମଧ୍ଯରେ ସମାନ ରିଟର୍ଣ୍ଣ ଦେବ ବୋଲି କିଛି ଗ୍ୟାରେଣ୍ଟି ନାହିଁ । ଏହା ସୁରକ୍ଷିତ ନିବେଶ କିନ୍ତୁ ଏହାର ଲିକ୍ୟୁଡିଟି ସମସ୍ୟା ରହିଛି ଅର୍ଥାତ ଏହାକୁ ବିକ୍ରି କରିବା ସହଜ ନୁହେଁ । ଏଥିରେ ଥିବା ଲକ୍-ଇନ୍ ପିରିୟଡ ଏକ ବଡ ସମସ୍ଯା । ଆପଣଙ୍କୁ ଏଥିରେ ୮ ବର୍ଷ ପର୍ଯ୍ୟନ୍ତ ରହିବାକୁ ପଡ଼ିବ । ବିଶେଷଜ୍ଞ ଏହାକୁ ବାୟର୍ସ ମାର୍କେଟ ବୋଲି କୁହନ୍ତି କାରଣ ଏଥିରେ କିଣୁଥିବା ଲୋକର ମର୍ଜିରେ ବଜାର ଚାଲେ । ଯଦି ଜଣେ ୫ରୁ ୮ ବର୍ଷ ପର୍ଯ୍ୟନ୍ତ ନିବେଶ କରିବାକୁ ଚାହୁଁଛନ୍ତି ତେବେ ଏଥିରେ ନିବେଶ କରିବା ଉଚିତ । ଯଦି ଆପଣଙ୍କ ନିବେଶ ଅବଧି ଏକରୁ ଦୁଇ ବର୍ଷ ତେବେ ଆପଣ ମ୍ୟୁଚୁଆଲ ଫଣ୍ଡ ମାଧ୍ଯମରେ ଗୋଲ୍ଡ ଇଟିଏଫରେ ନିବେଶ କରିବା ଠିକ ହେବ । କାରଣ ଗୋଲ୍ଡ ଇଟିଏଫରେ କୌଣସି ଲକଇନ୍ ପିରିୟଡ ନଥାଏ । ଆପଣ ସେୟାର ମାର୍କେଟ ସମୟ ମଧ୍ଯରେ ଯେକୌଣସି ଦିନ ନିଜ ଇଟିଏଫକୁ ବିକ୍ରି କରିପାରିବେ ।

ଅନ୍ୟପକ୍ଷରେ ଗୋଲ୍ଡ ଇଟିଏଫରେ ଲିକ୍ୟୁଡିଟି ବା ତରଳତା ଅଧିକ ରହିଛି । ଅର୍ଥାତ ଏହାକୁ ଜଣେ ଯେକୌଣସି ମୂହୁର୍ତ୍ତରେ ବିକ୍ରି କରିପାରେ । ମ୍ୟୁଚୁଆଲ ଫଣ୍ଡ୍ ହାଉସଙ୍କ ମାଧ୍ଯମରେ ଗୋଲ୍ଡ ଇଟିଏଫରେ ନିବେଶ କରିବା ଫିଜିକାଲ ଗୋଲ୍ଡ କିଣିବା ଭଳି ହୋଇଥାଏ । ଫରକ ହେଉଛି ଏହା ଇଲେକଟ୍ରୋନିକ୍ ଭାବେ ରହିଥାଏ । ଗୋଲ୍ଡ ଇଟିଏଫ୍ ଏକ୍ସଚେଂଜ୍ ଟ୍ରେଡେଡ୍ ଫଣ୍ଡ ହୋଇଥାଏ ,ତେଣୁ ଏହା ଅନ୍ୟ କୌଣସି କମ୍ପାନୀ ସେୟାର ଭଳି ସେୟାର ମାର୍କେଟରେ ସହଜରେ କିଣାବିକା ହୋଇଥାଏ । ଯାହା ଏହାର ଲିକ୍ୟୁଡିଟିକୁ ବଢାଇଥାଏ । ଅର୍ଥାତ ଗୋଲ୍ଡ ଇଟିଏଫ ନିବେଶ କରିଥିବା ବ୍ଯକ୍ତି ବଜାର ସମୟ ମଧ୍ଯରେ ନିଜ ଇଟିଏଫକୁ ବିକ୍ରି କରିପାରିବେ । କିନ୍ତୁ ଗୋଲ୍ଡ ଇଟିଏଫକୁ ଯଦି କିଣିବାର ଅଢେଇ ବର୍ଷ ମଧ୍ଯରେ ବିକ୍ରି କରାଯାଏ ତେବେ ତାହା ଉପରେ ସ୍ୱଳ୍ପକାଳୀନ ପୁଂଜିଗତ ଲାଭ ବା STCG କର ଭାବେ ଦେବାକୁ ପଡେ । ଅଢେଇ ବର୍ଷରୁ ଅଧିକ ସମୟ ପରେ ବିକ୍ରି କରିବା ଉପରେ ୨୦ ପ୍ରତିଶତ ଏଲଟିସିଜି ବା ଦୀର୍ଘକାଳୀନ ପଂଜିଗତ ଲାଭ କର ଦେବାକୁ ପଡେ । ସେହିଭଳି ଗୋଲ୍ଡ ଇଟିଏଫରେ ନିବେଶ କରିବା ବେଳେ ମ୍ୟୁଚୁଆଲ ଫଣ୍ଡ୍ ହାଉସ୍ ଚାର୍ଜ କରୁଥିବା ଏକ୍ସପେନ୍ସ ରେସିଓକୁ ଦେଖନ୍ତୁ । ଏକ୍ସପେନ୍ସ ରେସିଓ ଯେମିତି ୦.୫ ପ୍ରତିଶତରୁ କମ ହୋଇଥିବ ତାହା ଦେଖନ୍ତୁ ।

ଯେଉଁମାନେ ଲିକ୍ୟୁଡିଟି ସହିତ ଏକ୍ସଚେଂଜରେ ବ୍ଯବସାୟର ନମନିୟତା ଚାହାନ୍ତି ସେମାନେ ଗୋଲ୍ଡ ଇଟିଏଫରେ ନିବେଶ କରିବା ଆବଶ୍ଯକ । ଅନ୍ୟପକ୍ଷରେ ଯିଏ ଅଳ୍ପଲାଭରେ ସୁରକ୍ଷିତ ନିବେଶ ଚାହାନ୍ତି ସେମାନେ ସୋଭରେନ୍ ଗୋଲ୍ଡ ବଣ୍ଡରେ ନିବେଶ କରିବା ଠିକ ହେବ ।

Also Read- Most Expensive Tree: କେଉଁ ଗଛ ଦୁନିଆର ସବୁଠୁ ଦାମୀ? ତାହାର ଦାମ କେତେ ? ଜାଣନ୍ତୁ...

Also Read- Success Story: ଘର ତିଆରି ନକରି ବ୍ୟବସାୟରେ ଲଗାଇଲେ ଟଙ୍କା, ସଫଳତା ଦେଖିଲା ସାରା ଦୁନିଆ