Illegal mining case: ଖୋଳ କରିଦେଲେ କାଳିଆ ସମ୍ପତ୍ତି, ଶ୍ରୀମନ୍ଦିର ପ୍ରଶାସନ ଗଣିବ ୧୨ କୋଟି
Advertisement

Illegal mining case: ଖୋଳ କରିଦେଲେ କାଳିଆ ସମ୍ପତ୍ତି, ଶ୍ରୀମନ୍ଦିର ପ୍ରଶାସନ ଗଣିବ ୧୨ କୋଟି

Puri Illegal stone mining case: ଶ୍ରୀମନ୍ଦିର ପ୍ରଶାସନକୁ ନ୍ୟାସନାଲ ଗ୍ରୀନ୍ ଟ୍ରିବୁନାଲ୍ ୧୨ କୋଟି ଟଙ୍କାର ଜରିମାନା ଲଗାଇଛନ୍ତି।  ଶ୍ରୀଜଗନ୍ନାଥଙ୍କ ଜମିରେ ୫୯ଟି ବେଆଇନ ମାଙ୍କଡା ପଥର ଖଣି ଲୁଟ ଯୋଗୁଁ ପରିବେଶଜନିତ କ୍ଷତି ଘଟି ଥିବା ନେଇ ୨୦୧୮ରେ ଏନଜିଟି ନିକଟରେ ଅଭିଯୋଗ ହୋଇଥିଲା। 

 Illegal mining case: ଖୋଳ କରିଦେଲେ କାଳିଆ ସମ୍ପତ୍ତି, ଶ୍ରୀମନ୍ଦିର ପ୍ରଶାସନ ଗଣିବ ୧୨ କୋଟି

Illegal mining case, ପୁରୀ: ନିଜିଗଡ ତାପଙ୍ଗ ଅଞ୍ଚଳରୁ ବେଆଇନ ମାଙ୍କଡା ପଥର ଖନନ ମାମଲାରେ ଶ୍ରୀମନ୍ଦିର ପ୍ରଶାସନକୁ ଏକ ଶକ୍ତ ଝଟକା ଲାଗିଛି। ଶ୍ରୀମନ୍ଦିର ପ୍ରଶାସନକୁ ନ୍ୟାସନାଲ ଗ୍ରୀନ୍ ଟ୍ରିବୁନାଲ୍ ୧୨ କୋଟି ଟଙ୍କାର ଜରିମାନା ଲଗାଇଛନ୍ତି। ମହାପ୍ରଭୁ ଜଗନ୍ନାଥଙ୍କ ସମ୍ପତ୍ତି ପ୍ରତି ଅବହେଳା କରିବା ଶ୍ରୀମନ୍ଦିର ପ୍ରଶାସନକୁ ଏହି ତଣ୍ଡ ଗଣିବାକୁ ପଡିବ। ଏହି ଜରିମାନା ଟଙ୍କାରେ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ଆସନ୍ତା ଚାରି ମାସରେ ନିଜିଗଡ ତାପଙ୍ଗର ଖାଦାନ ଅଞ୍ଚଳର ପୁନରୁଦ୍ଧାର କାର୍ଯ୍ୟରେ ଲଗାଇବେ। କିନ୍ତୁ ଗ୍ରୀନ୍ ଟ୍ରିବୁନାଲର ନିର୍ଦ୍ଦେଶକୁ ମାନିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ମନା କରିଦେଇଛି। ଏହି ନିର୍ଦ୍ଦେଶକୁ ସେ ଚ୍ୟାଲେଞ୍ଜ କରିବ ବୋଲି କହିଛି।

ଶ୍ରୀଜଗନ୍ନାଥଙ୍କ ଜମିରେ ୫୯ଟି ବେଆଇନ ମାଙ୍କଡା ପଥର ଖଣି ଲୁଟ ଯୋଗୁଁ ପରିବେଶଜନିତ କ୍ଷତି ଘଟି ଥିବା ନେଇ ୨୦୧୮ରେ ଏନଜିଟି ନିକଟରେ ଅଭିଯୋଗ ହୋଇଥିଲା। ଏନ୍‌ଜିଟି ପୂର୍ବାଞ୍ଚଳ ଶାଖାର ବିଚାରପତି ବି. ଅମିତ ସ୍ଥାଲେକର ଓ ବିଶେଷଜ୍ଞ ଶୈବାଳ ଦାସଗୁପ୍ତାଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିଛନ୍ତି। ମଙ୍ଗଳବାର ନିଜିଗଡ ତାପଙ୍ଗ ଅଞ୍ଚଳରୁ ବେଆଇନ ମାଙ୍କଡା ପଥର ଖନନ ମାମଲାରେ ରାୟ ପ୍ରକାଶ ପାଇଛି। ମାମଲାରେ ଏନଜିଟି, ଶ୍ରୀମନ୍ଦିର ପ୍ରଶାସନକୁ ଦାୟୀ କରିବା ସହ ଏଥିପାଇଁ ୧୨ କୋଟି ଟଙ୍କା ଜୋରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଜରିମାନା ଟଙ୍କା ଖୋର୍ଦ୍ଧା ଜିଲ୍ଲା ପ୍ରଶାସନକୁ ପ୍ରଦାନ କରାଯିବ। ସେହି ଅର୍ଥ ରାଶିରେ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ଯେଉଁ ସବୁ ଅମୃତ ମଣୋହି ସମ୍ପତ୍ତିରୁ ଖଣିଜ ସମ୍ପଦ ଲୁଟ୍ ହୋଇଛି ସେସବୁକୁ ସମତୁଲ କରିବା ସହ ସେଠାରେ ଚାରାରୋପଣ କରିବ। 

Also Read: Bombing in Puri: ରାଷ୍ଟ୍ରପତିଙ୍କ ଗସ୍ତ ପୂର୍ବରୁ ଶ୍ରୀମନ୍ଦିର ନିକଟରେ ଫୁଟିଲା ବୋମା, ଜଟିଆ ମହାନ୍ତି ଗିରଫ

ଅଭିଯୋଗର ତଦନ୍ତ ପାଇଁ ଗତ ଜୁଲାଇ ୭ରେ ଏକ ଯୁଗ୍ମ କମିଟି ଗଠନ କରାଯାଇଥିଲା। ଏହି କମିଟି ମାମଲାର ଟିକିନିକି ଯାଞ୍ଚ କରିଥିଲା। ଏହି ଯାଞ୍ଚ ବେଳେ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସାମନାକୁ ଆସିଛି। ଯାଞ୍ଚରେ କମିଟି ଜାଣିବାକୁ ପାଇଥିଲା ଯେ, ଖୋର୍ଦ୍ଧା ଜିଲ୍ଲା ନିଜିଗଡ଼ ତାପଙ୍ଗ, ଅଣ୍ଡା ଓ ଝିଙ୍କିଝାରୀ ଭଳି ମୌଜାରେ ପ୍ରାୟ ୯୮ଟି କଳାପଥର ଓ ମାଙ୍କଡ଼ା ପଥର ଖଣି ରହିଛି। ସେହି ଶତାଧିକ ଖଣି ମଧ୍ୟରୁ କେବଳ ୪ଟିକୁ ଜିଲ୍ଲା ପ୍ରଶାସନ ଅନୁମତିଦେଇଛି। କିନ୍ତୁ ସେହି ୪ଟି ମଧ୍ୟରୁ ୩ଟିର ପରିବେଶ ଅନୁମତି ନାହିଁ। ଏପରି କି ୨୪ଟି ଖଣି ପରିଷଦ ପକ୍ଷରୁ କାର୍ଯ୍ୟାନ୍ବୟନ ପାଇଁ ଅନୁମତି ନିଆଯାଇନାହିଁ। ଅନ୍ୟ ୩୭ଟି ଖଣି ଏପର୍ଯ୍ୟନ୍ତ ପ୍ରାଥମିକ କାର୍ଯ୍ୟାଦେଶ ମଧ୍ୟ ନେଇ ନାହାନ୍ତି। ଏପରି କି ବର୍ତ୍ତମାନ ସୁଦ୍ଧା କୌଣସି ଖଣିମାଫିଆଙ୍କୁ ଚିହ୍ନଟ କରାଯାଇନଥିବା ସୂଚନା ମଳିଛି। ଏହି ଅବହେଳା ପାଇଁ ପ୍ରଶାସନ ଓ ଶ୍ରୀମନ୍ଦିରର କୋଟି କୋଟି ଟଙ୍କା ରାଜସ୍ୱ ହାନୀ ହୋଇଛି। 

ସେପଟେ NGT ଛାଟ ପରେ ଶ୍ରୀମନ୍ଦିର ପ୍ରଶାସନ ଛାନିଆ ହୋଇପଡିଛି। NGTର ନିର୍ଦ୍ଦେଶକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିବ ବୋଲି ମଧ୍ୟ କହିଛି। NGTର ନିର୍ଦ୍ଦେଶ ଉପରେ ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ ଜେନା ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, "ଏହି ନିର୍ଦ୍ଦେଶ ବିରୁଦ୍ଧରେ ଜାତୀୟ ଗ୍ରୀନ୍ ଟ୍ରିବୁନାଲର HIGHER FORUMକୁ ଯିବୁ। ଆବଶ୍ୟକ ପଡିଲେ ସୁପ୍ରିମକୋର୍ଟରେ STAY ପାଇଁ ମଧ୍ୟ ଚ୍ୟାଲେଞ୍ଜ କରାଯିବ।" ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ଏହି କ୍ଷତି ଭରିବାକୁ ପୂର୍ବରୁ ସରକାରଙ୍କୁ ଜଣାଇଥିଲେ। ସରକାର ଏହି କ୍ଷତିଭରଣ କରନ୍ତୁ। ଶ୍ରୀମନ୍ଦିର ପ୍ରଶାସନ କାହିଁକି ଟଙ୍କା ଦେବ ବୋଲି ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ କହିଛନ୍ତି। କିନ୍ତୁ NGT ତଦନ୍ତରୁ ସ୍ପଷ୍ଟ ହେଲା ଯେ, ମହାପ୍ରଭୁଙ୍କ ଜମିରେ ବେଆଇନ ଖଣି ଖନନ ହୋଇଛି। ଯାହାଫଳରେ ଉଭୟ ରାଜସ୍ୱ ଓ ପରିବେଶ ନଷ୍ଟ ହୋଇଛି। ଆଉ ପ୍ରଶାସନିକ ଅଧିକାରୀ ଓ ମାଫିଆ ମିଶି ଏହି ହରି ଲୁଟ କରିଛନ୍ତି।

Also Read: Morbi Bridge Tragedy: ନିଜ ଆଡ଼ୁ ମାମଲା ରୁଜୁ କଲେ ହାଇକୋର୍ଟ, ସରକାରଙ୍କୁ ଜବାବ ତଲବ

ଗ୍ରୀନ ଟ୍ରିବ୍ୟୁନାଲଙ୍କ ଅନୁସାରେ, ଜଗନ୍ନାଥଙ୍କ ଜମିର ଦୁଇ ଲକ୍ଷ ୬୭ ହଜାର ୨୫୩ ପଏଣ୍ଟ ୧୫ କ୍ୟୁବିକ ମିଟର ଖଣି ଖନନ କରାଯାଇଛି। ଏହାକୁ ଭର୍ତ୍ତି କରିବା ପାଇଁ ଦୁଇ ଲକ୍ଷ ୨୪ ହଜାର ୫୨ ଟନ ପାଉଁସର ଆବଶ୍ୟକତା ରହିଛି। ଶ୍ରୀମନ୍ଦିର ପ୍ରଶାସନର ତଥ୍ୟ ଅନୁଯାୟୀ, ବେଆଇନ ଖଣି ଖନନ ପାଇଁ ମାତ୍ର ୬୧ଟି ମାମଲା ରୁଜୁ ହୋଇଥିବା ବେଳେ ୭୫ ଲକ୍ଷ ୧୭ ହଜାର ଟଙ୍କାର ଜୋରିମାନା ଆଦାୟ କରାଯାଛି। ୧୦୧ ଗାଡି ଏବଂ ୨୦୦ ପଥରକଟା ଯନ୍ତ୍ର ମଧ୍ୟ ଜବତ ହୋଇଛି, ହେଲେ କେତେ ଜଣ ଖଣି ମାଫିଆଙ୍କୁ ଗିରଫ କରାଯାଇଛି ତାହାର ତଥ୍ୟ ନାହିଁ। ଅନ୍ୟପଟେ, ଗ୍ରୀନ ଟ୍ରିବ୍ୟୁନାଲର ୧୨ କୋଟି ତଣ୍ଡ ଶ୍ରୀମନ୍ଦିର ପ୍ରଶାସନକୁ ଅଡୁଆରେ ପକାଇଛି। ପଥ ବିକି ମାଫିଆ ଓ ଅସାଧୁ ପ୍ରଶାସନିକ ଅଧିକାରୀମାନେ ମାଲାମାଲ ହେଉଥିବା ବେଳେ ଶ୍ରୀମନ୍ଦିର ପ୍ରଶାସନ କାହିଁକି ଏହାର ଭରଣ କରିବ ବୋଲି ସାଧାରଣରେ ପ୍ରଶ୍ନ ଉଠିଛି।