ପୁରୀରେ ପାଳିତ ହୁଏ ନିଆରା ନେତକନ୍ୟା ପରମ୍ପରା, ଜାଣନ୍ତୁ କଣ ଏହି ନେତକନ୍ୟା
Advertisement

ପୁରୀରେ ପାଳିତ ହୁଏ ନିଆରା ନେତକନ୍ୟା ପରମ୍ପରା, ଜାଣନ୍ତୁ କଣ ଏହି ନେତକନ୍ୟା

ପ୍ରାୟ ଶହ ଶହ ବର୍ଷର ସେବାୟତମାନଙ୍କ କୌଳିକ ପରମ୍ପରା ସହିତ ଶ୍ରୀଜଗନ୍ନାଥ ସଂସ୍କୃତି ଜଡିତ। ଏଥିରେ ସେବାୟତ କୁଳର ନେତକନ୍ଯା ମାନେ ଆଶ୍ୱିନ ପ୍ରତିପଦ ଠାରୁ ପାଳନ କରିଥାନ୍ତି ୨୧ ଦିନିଆ ନେତ ପର୍ବ ।

ପୁରୀରେ ପାଳିତ ହୁଏ ନିଆରା ନେତକନ୍ୟା ପରମ୍ପରା, ଜାଣନ୍ତୁ କଣ ଏହି ନେତକନ୍ୟା

ପୁରୀ (ସଞ୍ଜୟ ମହାପାତ୍ର): ଶ୍ରୀକ୍ଷେତ୍ରର ପରମ୍ପରା ନିଆରା।ଉତ୍କଳୀୟ ସଂସ୍କୃତି ସହିତ ଶ୍ରୀଜଗନ୍ନାଥଙ୍କ ପରମ୍ପରାର ରହିଛି ସ୍ୱତନ୍ତ୍ରତା । ଆଶ୍ୱିନ ପ୍ରତିପଦା ଠାରୁ ସେବାୟତ ପରିବାରର ୧୦ ବର୍ଷରୁ କମ୍ ବୟସର କୁମାରୀ କନ୍ୟାମାନେ ୨୧ ଦିନ ବ୍ୟାପି ପାଳନ କରିଥାନ୍ତି ନେତକନ୍ୟା ଉତ୍ସବ। ହରପାର୍ବତୀଙ୍କୁ ପୁଜା କରି ପରିବାରର ମଙ୍ଗଳ ସହିତ ଉତ୍ତମ ଘର ଉତ୍ତମ ବର ପାଇବା ପାଇଁ ସେବାୟତ ଘରର କୁମାରୀ କନ୍ୟାମାନଙ୍କର ଏହା ଏକ ପ୍ରମୁଖ ଉତ୍ସବ ଭାବେ ପାଳନ କରାଯାଏ। ନେତ କନ୍ଯାମାନେ ବହୁ ସ୍ୱର୍ଣ୍ଣାଳଙ୍କାର ପରିଧାନ କରି ମାର୍କଣ୍ଡ ପୁଷ୍କରିଣୀକୁ ଆସି ବୃନ୍ଦାବତିଙ୍କ ନିକଟରେ ହରପାର୍ବତୀ ପୂଜା କରିଥାନ୍ତି।

ପ୍ରାୟ ଶହ ଶହ ବର୍ଷର ସେବାୟତମାନଙ୍କ କୌଳିକ ପରମ୍ପରା ସହିତ ଶ୍ରୀଜଗନ୍ନାଥ ସଂସ୍କୃତି ଜଡିତ। ଏଥିରେ ସେବାୟତ କୁଳର ନେତକନ୍ଯା ମାନେ ଆଶ୍ୱିନ ପ୍ରତିପଦ ଠାରୁ ପାଳନ କରିଥାନ୍ତି ୨୧ ଦିନିଆ ନେତ ପର୍ବ । ୧୦ ବର୍ଷରୁ କମ ବୟସର କୁମାରୀ କନ୍ୟାମାନେ ଉପବାସ ରହି ଘରେ ୧୭ ଦିନ ଓ ଆଉ ୪ ଦିନ ସୁନ୍ଦର ବେଶଭୁଷା , ପାରମ୍ପରିକ ଗହଣା ପରିଧାନ କରି ଯାଇଥାନ୍ତି ମାର୍କଣ୍ଡପୁଷ୍କରୀଣୀ କୁଳରେ ମା ବୃନ୍ଦାବତୀଙ୍କ ନିକଟରେ ପୂଜା କରିବାକୁ । ଆଉ ସେଠାରେ ଭଲ ବର ଭଲ ଘର ପାଇବା ପାଇଁ ହରପାର୍ବତୀଙ୍କ ଉଦ୍ଦେଶ୍ୟରେ "ବଳିରେ ବଳି,ନକର କଳି" ଗିତ ଗାଇଥାନ୍ତି। ହରପାର୍ବତୀଙ୍କୁ ପାଇବା ପାଇଁ ଏହି ପୁଜା କରୁଥିବାର ପୌରୀଣିକ ପରମ୍ପରା ସେବାୟତ ଘରେ ପ୍ରଚଳିତ ହୋଇ ଆସୁଛି ।

ପଂଚମୀ ତିଥିରେ ନେତକନ୍ୟାମାନେ ଗୁଆଲୀ ବେଶରେ ଘରୁ ବାହାରି ଯାଇଥାନ୍ତି । ଉପବାସ କରି ସକାଳୁ ଉଠି ସୂର୍ଯ୍ୟଙ୍କୁ ପୁଜା କରି କୁମାରୀ କନ୍ୟାମାନେ ପାଟ ଶାଢୀ , ମୁଣ୍ଡରେ ଅଳତା , ବେକରେ ମାଳି , ବାହୁଟି , ଗୋଡରେ ପାହୁଡ, ବାଙ୍କି ଭଳି ପାରମ୍ପରିକ ବେଶଭୁଷାରେ ସଜ୍ଜିତ ହୋଇ ହରପାର୍ବତୀଙ୍କୁ ପୁଜା କରିବାର ପରମ୍ପରା ସହିତ ପୁଜାର୍ଚନା କରି ସନ୍ତୁଷ୍ଟ କରିଥାନ୍ତି । କୁମାର ପୁର୍ଣ୍ଣମୀ ଦିନ ମାନସିକ ଗୁଆକୁ ବିସର୍ଜନ କରି ଚାନ୍ଦ ଉତ୍ସବ କରି ନଡିଆରେ ଖିରି ପ୍ରସ୍ତୁତ କରି ଖାଇଥାନ୍ତି । 

ଅଢେଇ ବର୍ଷ ବୟସର କୁମାରୀ କନ୍ୟାମାନେ ଏହି ବ୍ରତ କରିଥାନ୍ତି । ଏଥିପାଇଁ ସେମାନେ ୩ ବର୍ଷ ଓ ୫ ବର୍ଷର ମାନସିକ ରଖିଥାନ୍ତି । ସେବାୟତ ପରିବାର ସଦସ୍ୟମାନେ ଜାକଜକମରେ ଏହି ନେତ ପରମ୍ପରାକୁ ବଂଚାଇ ରଖିପାରିଛନ୍ତି । ସେପଟେ ଆବଶ୍ୟକ ସୁନାଗହଣା ପିନ୍ଧାଇବାକୁ ସକ୍ଷମ ନଥିବା ବାପାମାଆ ସ୍ୱଚ୍ଛଳ ଥିବା ସେବାୟତଙ୍କ ଠାରୁ ମାଗିକରି ଓଷା କରିଥାନ୍ତି। ଗହଣାର ଅଭାବ ରହେନି ବୋଲି କହିଛନ୍ତି ନେତକନ୍ଯାଙ୍କ ପରିବାର।

ଭଲ ବର ପାଇବା ପାଇଁ ନେତ କନ୍ୟା ମାନେ ଏମିତି ଅତି ସୁନ୍ଦର ବେଶ ଧାରଣ କରି ୨୧ ଦିନ ଧରି ଏମିତି ପାଳନ କରିଥାନ୍ତି ନେତ ପୁଜା ବା କୁମାରୀ ଉତ୍ସବ । ସେବାୟତ ପରିବାରରେ ବର୍ଷ ବର୍ଷ ଧରି ଚାଲି ଆସୁଥିବା ଏହି ପରମ୍ପରା ଶ୍ରୀକ୍ଷେତ୍ରକୁ ଏକ ସ୍ୱତନ୍ତ୍ର ପରିଚୟ ଦେଇଥାଏ