ଦେବ ଦମ୍ପତ୍ତିଙ୍କ ବିବାହ ପାଇଁ କନ୍ୟା ମାତା ପିତା ପ୍ରସ୍ତୁତ; ୪ ଜୁନରେ ହେବ ବାହାଘର
Advertisement

ଦେବ ଦମ୍ପତ୍ତିଙ୍କ ବିବାହ ପାଇଁ କନ୍ୟା ମାତା ପିତା ପ୍ରସ୍ତୁତ; ୪ ଜୁନରେ ହେବ ବାହାଘର

 ଦେବ ଦମ୍ପତିଙ୍କ ବିବାହ ପାଇଁ ଏବେ ସମ୍ବଲପୁର ଉତ୍ସବ ମୁଖର। ଏବେ ଦେବ ଦମ୍ପତ୍ତିଙ୍କ ବିବାହର ମହାର୍ଘ ମୁହୂର୍ତ୍ତକୁ ସମସ୍ତଙ୍କ ଅପେକ୍ଷା। 

ଦେବ ଦମ୍ପତ୍ତିଙ୍କ ବିବାହ ପାଇଁ କନ୍ୟା ମାତା ପିତା ପ୍ରସ୍ତୁତ; ୪ ଜୁନରେ ହେବ ବାହାଘର

 ସମ୍ବଲପୁର: କନ୍ୟା ମାତା ପିତା ପ୍ରସ୍ତୁତ। ଆସନ୍ତା ଜୁନ ୪ ତାରିଖରେ ହେବ ଶିବ ପାର୍ବତୀଙ୍କ ବିବାହ। କନ୍ୟା ପିତା ମାତାଙ୍କ ଘରେ ଉତ୍ସବର ମାହୋଲ। ଦେବ ଦମ୍ପତ୍ତିଙ୍କ ବାହାଘର ପାଇଁ ସମସ୍ତ ସୁନା ରୂପା ଗହଣା ଆସବାବପତ୍ର କିଣାକିଣି ସରିଯାଇଛି। ସମ୍ପୂର୍ଣ୍ଣ ରୀତିନୀତିରେ ବିବାହ। ଶୀତଳଷଷ୍ଠୀ ପରମ୍ପରା ମୁତାବକ ଏହି ବିବାହ ସମ୍ପୂର୍ଣ୍ଣ ମାନବୀୟ ଲୋକଚାରରେ ହେବାର ପରମ୍ପରା ରହିଛି। 

ଶୀତଳଷଷ୍ଠୀ ଯାତ୍ରାର ପରମ୍ପରା ମୁତାବକ ଥାଳ ଉଠା ପରେ ପରେ କନ୍ୟା ପିତା ମାତା ଭାବେ ଚୟନ ହୋଇଥିବା ଦମ୍ପତି ବିବାହ ପାଇଁ ବିବାହ ପ୍ରସ୍ତୁତିରେ ଲାଗି ପଡିଥାନ୍ତି। ଭାଗ୍ୟରେ ଥିଲେ ମାତା ପାର୍ବତୀଙ୍କ ପିତା ମାତା ହେବାର ସୌଭାଗ୍ୟ ମିଳିଥାଏ। ସମ୍ବଲପୁରର ପ୍ରତ୍ୟେକ ଶୀତଳଷଷ୍ଠୀ ଯାତ୍ରା କମିଟି ପକ୍ଷରୁ କନ୍ୟା ପିତା ମାତା ହୋଇଥିବା ଦମ୍ପତ୍ତି ବିବାହ ପାଇଁ ସବୁ କିଛି କିଣା କିଣି କରି ସାରିଲେଣି। ଏହି ବିବାହରେ ପଶ୍ଚିମ ଓଡିଶାର ବିବାହ ପରମ୍ପରାର ଝଲକ ପ୍ରତିଫଳିତ ହୋଇଥାଏ। ଠିକ ସେହିପରି ଝାଡୁଆପଡା ଆରଣ୍ୟକ ଶୀତଳଷଷ୍ଠୀ ଯାତ୍ରାର କନ୍ୟା ପିତାମାତା ହୋଇଥିବା ପୋଦାର କଲୋନୀର ସୁନୀଲ ବରେଳିଆ ଓ କବିତା ଅଗ୍ରୱାଲଙ୍କ ଘରେ ମଧ୍ୟ ବିବାହ ପାଇଁ ସବୁ କିଛି କିଣା କିଣି ସାରିଯାଇଛି। ଘରକୁ ଅତିଥି ଆସି ସାରିଲେଣି। ଆଉ ବର୍ତ୍ତମାନ ମାତା ପାର୍ବତୀଙ୍କ ବିବାହ କିପରି ମହା ଆଡମ୍ବରରେ ହେବ ସେଥିପାଇଁ ସମସ୍ତେ ତତ୍ପର।

ଅନ୍ୟପଟେ ସମ୍ବଲପୁରର ଆଉ ଏକ ପ୍ରମୁଖ ଶୀତଳଷଷ୍ଠୀ ଯାତ୍ରା କମିଟି ମୁଦିପଡା ଜାଗେଶ୍ବର ବାବା ଶୀତଳଷଷ୍ଠୀ ଯାତ୍ରାର କନ୍ୟା ପିତା ମାତା ହୋଇଛନ୍ତି ସମ୍ବଲପୁର SRIT କଲୋନୀର ବିପିନ ବିହାରୀ ପଟେଲ ଓ ତାଙ୍କ ପତ୍ନୀ ବିନତା ନାଏକ। ମାତା ପାର୍ବତୀଙ୍କୁ କନ୍ୟା ରୂପେ ପାଇଥିବା ଏହି ଦମ୍ପତ୍ତି ବେଶ ଖୁସି। ଆଉ ବିବାହ ପାଇଁ ସବୁ ପ୍ରସ୍ତୁତି ଶେଷ କରି ଥିବା କହିଛନ୍ତି। ସେହିଭଳି ଭାବେ ସମ୍ବଲପୁରର ପୂରାତନ ତଥା ପ୍ରମୁଖ ନନ୍ଦପଡା ଶୀତଳଷଷ୍ଠୀ ଵଂ ବରାଡ଼ ବାଲୁଙ୍କେଶ୍ୱର ବାବା କମିଟିର କନ୍ୟା ପିତାମାତା ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି ଗୋଲ ବଜାରର ଗିରିଷ ପଟେଲ ଓ ହଂସା ବେନ ପଟେଲ। 

ବିବାହ ପାଇଁ କନ୍ୟାଘର ପକ୍ଷରୁ ସମସ୍ତ ପ୍ରସ୍ତୁତିରେ ଲାଗିପଡ଼ିଛନ୍ତି। ଦେବ ଦମ୍ପତ୍ତିଙ୍କ ବାହାଘର ସମ୍ପୂର୍ଣ୍ଣ ମାନବୀୟ ରୀତିନୀତିରେ ହେଉଥିବାରୁ ସପରିବାର ସବୁ ବିବାହ କାର୍ଯ୍ୟରେ ଲାଗିପଡ଼ିଛନ୍ତି। ପାଟ ଶାଢ଼ୀ, କଂସା ବାସନ, ସୁନା ଗହଣା ଠାରୁ ଆରମ୍ଭ କରି କନ୍ୟା ବିବାହ ପାଇଁ ଯାହା କିଛି ଦରକାର ସବୁ କିଣାକିଣି ହୋଇସାରିଛି। ଯୌତୁକ ପାଇଁ ମଧ୍ୟ ସବୁ କିଛି କିଣାକିଣି ସରିଲାଣି। କେବଳ ସେତିକି ନୁହେଁ, ଜ୍ଞାତି କଟୁମ୍ବ, ବନ୍ଧୁ ବାନ୍ଧବଙ୍କୁ ନିମନ୍ତ୍ରଣ ମଧ୍ୟ ଦିଆଯାଇ ସରିଛି। ଏବେ କେବଳ ଜୁନ ୪ ତାରିଖକୁ ଅପେକ୍ଷା। ଦେବ ଦମ୍ପତିଙ୍କ ବିବାହ ପାଇଁ ଏବେ ସମ୍ବଲପୁର ଉତ୍ସବ ମୁଖର। ଏବେ ଦେବ ଦମ୍ପତ୍ତିଙ୍କ ବିବାହର ମହାର୍ଘ ମୁହୂର୍ତ୍ତକୁ ସମସ୍ତଙ୍କ ଅପେକ୍ଷା।