ଚାଲିଗଲେ ଓଡ଼ିଆ ଗଳ୍ପର ପାଟଦେଈ
Advertisement
Article Detail0/zeeodisha/odisha1163634

ଚାଲିଗଲେ ଓଡ଼ିଆ ଗଳ୍ପର ପାଟଦେଈ

ନିଜର ବଳିଷ୍ଠ ଲେଖନୀ ମାଧ୍ୟମରେ ଓଡ଼ିଆ ଗଳ୍ପ ସାହିତ୍ୟରେ ସେ ସ୍ୱତନ୍ତ୍ର ପରିଚିତି ହାସଲ କରିଥିଲେ । 

ଚାଲିଗଲେ ଓଡ଼ିଆ ଗଳ୍ପର ପାଟଦେଈ

କଟକ:  ଓଡ଼ିଆ ଗଳ୍ପର ମହାପାଟରାଣୀ ଭାବରେ ପରିଚିତ ବିଶିଷ୍ଟ ଲେଖିକା ପଦ୍ମଶ୍ରୀ ବୀଣାପାଣି ମହାନ୍ତିଙ୍କ ପରଲୋକ ହୋଇଛି । ୮୫ ବର୍ଷ ବୟସରେ ଇହଲୀଳା ସମ୍ୱରଣ କରିଛନ୍ତି ପଦ୍ମଶ୍ରୀ ବୀଣାପାଣି ମହାନ୍ତି । ନିଜର ବଳିଷ୍ଠ ଲେଖନୀ ମାଧ୍ୟମରେ ଓଡ଼ିଆ ଗଳ୍ପ ସାହିତ୍ୟରେ ସେ ସ୍ୱତନ୍ତ୍ର ପରିଚିତି ହାସଲ କରିଥିଲେ । ତାଙ୍କର ପ୍ରସିଦ୍ଧ କୃତି ଗୁଡ଼ିକ ମଧ୍ୟରେ ପାଟଦେଈ, କସ୍ତୁରୀ ମୃଗ ଓ ସବୁଜ ଅରଣ୍ୟ ଅନ୍ୟତମ । ତାଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି ।

ପଦ୍ମଶ୍ରୀ ବୀଣାପାଣି ମହାନ୍ତିଙ୍କ ୧୯୩୬ ମସିହା ନଭେମ୍ବର ୧୧ରେ କେନ୍ଦ୍ରାପଡା ଜିଲ୍ଲା ଚାନ୍ଦୋଳ ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ । ସେ ୧୯୫୩ ମସିହାରେ ମାଟ୍ରିକ୍ ଶେଷ କରିଥିଲେ ଏବଂ ଏହାପରେ ଅର୍ଥନୀତି ଅଧ୍ୟୟନ କରିଥିଲେ । ୧୯୫୭ରେ ବୀଣାପାଣି ସ୍ନାତକ ଡିଗ୍ରୀ ଓ ୧୯୫୯ରେ କଟକ ରେଭେନ୍ସା କଲେଜରୁ ଅର୍ଥନୀତିରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିଲେ। ପରେ ସେ ଅଧ୍ୟାପକ ଭାବରେ କାର୍ଯ୍ୟ କରିଥିଲେ। ୧୯୯୨ ମସିହାରେ ସେ ଶୈଳବାଳା ମହିଳା ମହାବିଦ୍ୟାଳୟରୁ ଅବସର ଗ୍ରହଣ କରିଥିଲେ ।

ପ୍ରାରମ୍ଭିକ ଅବସ୍ଥାରେ କବିତା ଲେଖାଲେଖି କରୁଥିବା ବେଳେ ପରବର୍ତ୍ତୀ ସମୟରେ ଗଳ୍ପ ଓ ଉପନ୍ୟାସ ଲେଖି ପ୍ରସିଦ୍ଧି ହାସଲ କରିଥିଲେ । ୧୯୫୫ ମସିହାରେ ତାଙ୍କର ପ୍ରଥମ କବିତା 'ତନ୍ଦ୍ରାହତ' ପ୍ରଜାତନ୍ତ୍ର ନାରୀମହଲରେ ପ୍ରକାଶ ପାଇଥିଲା । ୧୯୫୭ ମସିହାରେ ତାଙ୍କର ପ୍ରଥମ ଗଳ୍ପ 'ଗୋଟିଏ ରାତ୍ରୀର କାହାଣୀ' ରବିବାର ପ୍ରଜାତନ୍ତ୍ରରେ ପ୍ରକାଶ ପାଇଥିଲା । ୧୯୬୧ମସିହାରେ ତାଙ୍କ ଗଳ୍ପ 'ନାଉଗଛ' ତାଙ୍କୁ ବହୁ ପାଠକୀୟ ସ୍ୱୀକୃତି ଆଣି ଦେଇଥିଲା । ନିଜର ନିତିଦିନିଆ ଜୀବନରୁ ଘଟଣାକୁ ନେଇ ତାହାକୁ ଗପ ରୂପ ଦେଇଥାନ୍ତି ବୀଣାପାଣି । ତାଙ୍କର ପାଟଦେଈ ଗଳ୍ପଟି ଭୁବନେଶ୍ୱରର ରସୁଲଗଡ଼ ଛକରେ ବସରେ ଜୋର କରି ଠେଲି ବସାଯାଇଥିବା ଏକ ଝିଅକୁ ଦେଖି ଲେଖାଯାଇଥିଲା । ଏହାଛଡ଼ା ସେ ହିନ୍ଦୀ, ଇଂଲିଶ, କନ୍ନଡ, ମାଲାୟାଲାମ୍‌, ମରାଠି, ବେଙ୍ଗଲୀ, ଉର୍ଦ୍ଦୁ, ତେଲୁଗୁ ଓ ରଷିଆନ୍‌ ଆଦି ଭାଷାରୁ ଅନୁବାଦ ମଧ୍ୟ କରିଛନ୍ତି। ତାଙ୍କ ଦ୍ୱାରା ଲିଖିତ ସ୍କ୍ରିପ୍ଟରେ 'ଅନ୍ଧକାରର ଛାଇ' ଫିଲ୍ମ ତିଆରି କରାଯାଇଥିଲା । ଯାହା ଲୋକଙ୍କ ଆଦୃତ ପାଇଥିଲା।