Dola purnima 2023: ମହାପ୍ରଭୁଙ୍କ ଚାଚେରୀ ବେଶ, ଦୋଳ ପାଇଁ ଚଳଚଞ୍ଚଳ ଶ୍ରୀକ୍ଷେତ୍ର
Advertisement
Article Detail0/zeeodisha/odisha1594419

Dola purnima 2023: ମହାପ୍ରଭୁଙ୍କ ଚାଚେରୀ ବେଶ, ଦୋଳ ପାଇଁ ଚଳଚଞ୍ଚଳ ଶ୍ରୀକ୍ଷେତ୍ର

Dola Purnima 2023: ଦୋଳପୂର୍ଣ୍ଣିମାର ଏକମାସ ପୂର୍ବରୁ ଫଗୁ ଖେଳିଥାନ୍ତି ମହାପ୍ରଭୁ। ଆଉ ଫଗୁ ଦଶମୀଠାରୁ ଚାରି ଦିନ ଦୋଳଗୋବିନ୍ଦ, ଶ୍ରୀଦେବୀ ଓ ଭୁଦେବୀ ଶ୍ରୀଜଗନ୍ନାଥ ବଲ୍ଲଭ ବିଜେ କରିଥାନ୍ତି। ଦୋଳପୂର୍ଣ୍ଣିମା ଦିନ ସ୍ୱର୍ଣ୍ଣାଳଙ୍କାରରେ ବିଭୂଷିତ ହୋଇ ଭକ୍ତଙ୍କୁ ଦର୍ଶନ ଦେବା ସହ ଫଗୁ ଖେଳିଥାନ୍ତି ମହାପ୍ରଭୁ । ଦୋଳ ଯାତ୍ରା ପାଇଁ ଶ୍ରୀମନ୍ଦିରରେ ଆରମ୍ଭ ହୋଇଛି ସ୍ୱତନ୍ତ୍ର ନୀତିକାନ୍ତି ।

ସୌ(ସୋସିଆଲ ମିଡିଆ)

Dola Purnima 2023: ମହାପ୍ରଭୁଙ୍କର ଦ୍ୱାଦଶ ଯାତ୍ରା ମଧ୍ୟରେ ଦୋଳଯାତ୍ରା ଏକ ଅନନ୍ୟ ଯାତ୍ରା। ଦୋଳପୂର୍ଣ୍ଣିମାର ଏକମାସ ପୂର୍ବରୁ ଫଗୁ ଖେଳିଥାନ୍ତି ମହାପ୍ରଭୁ। ଆଉ ଫଗୁଦଶମୀଠାରୁ ଚାରି ଦିନ ଦୋଳଗୋବିନ୍ଦ, ଶ୍ରୀଦେବୀ ଓ ଭୁଦେବୀ ଶ୍ରୀଜଗନ୍ନାଥ ବଲ୍ଲଭ ବିଜେ କରିଥାନ୍ତି। ଦୋଳପୂର୍ଣ୍ଣିମା ଦିନ ସ୍ୱର୍ଣ୍ଣାଳଙ୍କାରରେ ବିଭୂଷିତ ହୋଇ ଭକ୍ତଙ୍କୁ ଦର୍ଶନ ଦେବା ସହ ଫଗୁ ଖେଳିଥାନ୍ତି ମହାପ୍ରଭୁ । ଦୋଳବେଦୀରେ ଏକାକାର ହୋଇଯାଇଥାନ୍ତି ଭକ୍ତ ଆଉ ଭଗବାନ । ସେପଟେ ମହାପ୍ରଭୁ ଚାଚେରୀ ବେଶରେ ଦର୍ଶନ ଦେବା ସହ ଫଗୁ ଖେଳିଛନ୍ତି। ଉତ୍ସବ ମୁଖରିତ ହେଇଛି ପୂରା ଶ୍ରୀକ୍ଷେତ୍ର । ଶୁକ୍ଳ ଦଶମୀ ତିଥିରୁ ଆରମ୍ଭ ହୋଇଛି ଦୋଳ ଉତ୍ସବ, ଫଗୁ ଖେଳିଛନ୍ତି ଦୋଳଗୋବିନ୍ଦ । ଦୋଳ ଯାତ୍ରା ପାଇଁ ଶ୍ରୀମନ୍ଦିରରେ ଆରମ୍ଭ ହୋଇଛି ସ୍ୱତନ୍ତ୍ର ନୀତିକାନ୍ତି ।

ଶ୍ରୀମନ୍ଦିରରେ ଫାଲଗୁନ ଶୁଳ୍କ ଦଶମୀ ତିଥିଠାରୁ ଆରମ୍ଭ ହୋଇଛି ଦୋଳ ଉତ୍ସବ । ଫଗୁ ଖେଳିବା ସହ ଚାଚେରୀ ବେଶରେ ଦର୍ଶନ ଦେଲେ କଳାଠାକୁର । ସପ୍ତାହ ଧରି ଚାଲିବାକୁ ଥିବା ଏହି ଉତ୍ସବରେ ମହାପ୍ରଭୁଙ୍କ ସ୍ୱତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହେବ । ମହାପ୍ରଭୁଙ୍କ ଦ୍ୱାଦଶ ଯାତ୍ରା ମଧ୍ୟରୁ ଦୋଳଯାତ୍ରା ଅନ୍ୟତମ ହୋଇଥିବା ବେଳେ ଫଗୁ ଦଶମୀରେ ଫଗୁ ଖେଳିଛନ୍ତି ଦୋଳଗୋବିନ୍ଦ। ପ୍ରତିବର୍ଷ ଫାଲଗୁନ ଶୁକ୍ଳ ଦଶମୀଠାରୁ ଚତୁର୍ଦ୍ଦଶୀ ପର୍ଯ୍ୟନ୍ତ ୫ ଦିନ ଧରି ରତ୍ନସିଂହାସନରେ ଶ୍ରୀଜୀଉମାନଙ୍କର ଚାଚେରୀ ବେଶ ଅନୁଷ୍ଠିତ ହୋଇଥାଏ। ଏହି ବେଶରେ ଝିମିରି ଫଗୁ ଲାଗି କରାଯିବା ସହ ବୋଇରାଣୀ ପାଟ ଲୁଗା ପିନ୍ଧିଥାଆନ୍ତି ମହାପ୍ରଭୁ । ଫାଲଗୁନ ଦଶମୀରେ ସ୍ୱତନ୍ତ୍ର ନୀତି ଅନୁଷ୍ଠିତ ହୋଇଥିବା ବେଳେ ଶ୍ରୀମନ୍ଦିରରେ ମଧ୍ୟାହ୍ନ ଧୂପ ଶେଷ ହେବାପରେ ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ଚଳନ୍ତି ପ୍ରତିମା ଦୋଳ ଗୋବିନ୍ଦ, ଭୂଦେବୀ, ଶ୍ରୀଦେବୀ ସ୍ୱତନ୍ତ୍ର ବିମାନରେ ବସି ଶ୍ରୀଜଗନ୍ନାଥ ବଲ୍ଲଭ ମଠକୁ ବିଜେ କରିଥାନ୍ତି। ସେଠାରେ ଅବିର ଓ ଫଗୁ ଲାଗି କରାଯାଏ । ବିଶ୍ୱାସ ରହିଛି, ଫାଲଗୁନ ଶୁକ୍ଳ ଦଶମୀରୁ ଚୈତ୍ର କୃଷ୍ଣ ପ୍ରତିପଦା ପର୍ଯ୍ୟନ୍ତ ମହାପ୍ରଭୁଙ୍କୁ ଦର୍ଶନ କଲେ କୋଟି ପୂଣ୍ୟ ମିଳିଥାଏ । ସେପଟେ ଦୋଳତ୍ସବରେ ଚାଚେରୀ ବେଶ, ମେଶ କୁଟୀର ଦହନ ଓ ଶେଷରେ ପୂର୍ଣ୍ଣିମା ଦିନ ମହାପ୍ରଭୁଙ୍କ ସୁବର୍ଣ୍ଣ ବେଶ ଭକ୍ତଙ୍କୁ ବେଶ୍ ଆକର୍ଷଣୀୟ କରିଥାଏ । ମହାପ୍ରଭୁଙ୍କ ଚାଚେରୀ ବେଶରେ ପ୍ରଥମେ ମେକାପ ସର୍ବାଙ୍ଗ କରି ଶ୍ରୀ ବିଗ୍ରହମାନଙ୍କୁ ବୋଇରାଣୀ ପାଟ ଲାଗି କରିଥାନ୍ତି। ତ୍ରିମୁଣ୍ଡିରେ ନାଲି ରଙ୍ଗର ଶ୍ରୀକପଡ଼ା ପଡିବାପରେ ମୁଖରେ ନାଲି ବସ୍ତ୍ରର ବଳା ଲାଗି ହୋଇଥାଏ। ବଡ଼ଠାକୁର ଓ ମହାପ୍ରଭୁଙ୍କ ଶ୍ରୀହସ୍ତରେ ଶୋଭା ପାଏ ସୁନାର ଦୁଇ ନଳି ଭୁଜ । ମସ୍ତକରେ ଶୋଭା ପାଉଥିବା ଟୋପର ଉପରେ ରହିଥାଏ ସୁବର୍ଣ୍ଣ ଚନ୍ଦ୍ରିକା । ଏ ସମସ୍ତ ପରିପାଟିକୁ ଚାଚେରୀ ବେଶ କୁହାଯାଏ। ମଧ୍ୟାହ୍ନ ଧୂପରୁ ସନ୍ଧ୍ୟାଧୂପ ପର୍ଯ୍ୟନ୍ତ ଏହି ବେଶରେ ରୁହନ୍ତି ମହାପ୍ରଭୁ। ଏହି ସମୟରେ ଦକ୍ଷିଣ ଘରେ ରହିଥିବା ଦୋଳଗୋବିନ୍ଦ ଓ ଶ୍ରୀଅଙ୍ଗ ଲାଗି ଭୂଦେବୀ, ଶ୍ରୀଦେବୀ ମଧ୍ୟ ରକ୍ତ ବସ୍ତ୍ର ପିନ୍ଧି ଚାଚେରୀ ବେଶ ଧାରଣ କରି ଫଗୁ ଖେଳିବାକୁ ବାହାରକୁ ବିଜେ କରିଥାନ୍ତି। ତେବେ ବଡ଼ ଦେଉଳରେ ଠାକୁରମାନଙ୍କୁ ଚାଚେରି ବେଶରେ ଥିବାବେଳେ ଯେଉଁ ଫଗୁ ଲାଗି ହୁଏ ତାହାକୁ ଝିମିରୀ ଫଗୁ ବୋଲି କୁହାଯାଇଥାଏ । ଘୋରା ଚନ୍ଦନ ଶୁଖିବା ପରେ ଏହାକୁ ଗୁଣ୍ଡ କରି ଫଗୁରେ ମିଶାଇ ମହାପ୍ରଭୁଙ୍କ ଶ୍ରୀଅଙ୍ଗ ଲାଗି କରାଯାଏ। ଶ୍ରୀମନ୍ଦିର ପରିଭାଷାରେ ଏହି ସ୍ବତନ୍ତ୍ର ଫଗୁର ନାଁ ହେଉଛି ଝିମିରି ଫଗୁ।

ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି ଚାଲିଥିବା ବେଳେ ଉତ୍ସବ ମୁଖରିତ ହୋଇଥାଏ ପୁରପଲ୍ଲୀ। ରାଧାକୃଷ୍ଣଙ୍କ ଅପୂର୍ଵ ଲୀଳା ଉତ୍ସବକୁ ଆନନ୍ଦର ସହ ପାଳନ କରାଯାଏ। ଆଉ ପ୍ରତ୍ୟେକଙ୍କ ଦ୍ୱାରରେ ଠାକୁରଙ୍କୁ ପ୍ରସାଦ ଅର୍ପଣ କରାଯାଉଥିବାରୁ ଏହାକୁ ‘ଦ୍ୱାରୀ ଭୋଗ’ ବୋଲି  ନାମକରଣ କରାଯାଇଛି ବୋଲି କହିଛନ୍ତି ଗବେଷକ।