Kendrapara News: ଦେଶରେ ପ୍ରଥମ ଥର ପାଇଁ ଭିତରକନିକାରେ କରାଗଲା ମ୍ୟାନଗ୍ରୁଭ ପିଟା ପକ୍ଷୀ ଗଣନା
Advertisement
Article Detail0/zeeodisha/odisha1659610

Kendrapara News: ଦେଶରେ ପ୍ରଥମ ଥର ପାଇଁ ଭିତରକନିକାରେ କରାଗଲା ମ୍ୟାନଗ୍ରୁଭ ପିଟା ପକ୍ଷୀ ଗଣନା

Kendrapara News: ଭିତରକନିକା ଜାତୀୟ ଉଦ୍ୟାନରେ ଶେଷ ହୋଇଛି ମ୍ୟାନଗ୍ରୁଭ ପିଟା ପକ୍ଷୀ ଗଣନା । ଚଳିତ ବର୍ଷ ୧୭୯ଟି ପକ୍ଷୀ ଗଣନା କରାଯାଇଥିବା ସୂଚନା ମିଳିଛି ।

ସୌ(ସୋସିଆଲ ମିଡିଆ)

Kendrapara News: ଭିତରକନିକା ଜାତୀୟ ଉଦ୍ୟାନରେ ଶେଷ ହୋଇଛି ମ୍ୟାନଗ୍ରୁଭ ପିଟା ପକ୍ଷୀ ଗଣନା । ଭିତରକନିକାରେ ପ୍ରଥମ ଥର ୫ଟି ରେଞ୍ଜରେ ଏହି ମ୍ୟାନଗ୍ରୁଭ ପିଟା ପକ୍ଷୀ ଗଣନା କରାଯାଇଛି । ଚଳିତ ବର୍ଷ ୧୭୯ଟି ପକ୍ଷୀ ଗଣନା କରାଯାଇଥିବା ସୂଚନା ମିଳିଛି । ସୂଚନାଯାଗ୍ୟ, ଭିତରକନିକା (Bhitarkanika) ଜାତୀୟ ଉଦ୍ୟାନରେ ଚଳିତ ବର୍ଷ ପ୍ରଥମ ଥର ପାଇଁ ବିରଳ ପ୍ରଜାତିର ପକ୍ଷୀ ମ୍ୟାନଗ୍ରୁଭ ପିଟା (Mangrove Pitta) ବା (ନବରଙ୍ଗୀ ଚଢେଇ)ଙ୍କ ଗଣନା କରାଯାଇଛି । ରାଜନଗର ବନ ବିଭାଗ ପକ୍ଷରୁ ରାଜନଗର ରେଞ୍ଜର ୧୧ ଟି ଟିମ୍, କନିକା ରେଞ୍ଜର ୧୦ଟି, ମହାକାଳପଡା ରେଞ୍ଜର ୬ଟି, କୁଜଙ୍ଗ ରେଞ୍ଜର ୪ଟି ଓ ଗହୀରମଥା ରେଞ୍ଜର ଗୋଟିଏ ଟିମ୍ ଏହି ଗଣନା କରିଥିଲା । ଏହି ୩୨ଟି ଟିମରେ ପ୍ରାୟ ୧୦୦ ଜଣ ବନ କର୍ମଚାରୀ ଗଣନା କାର୍ଯ୍ୟରେ ସାମିଲ ହୋଇଥିବା ନେଇ ସୂଚନା ମିଳିଛି । ଡିଏଫଓ ସୁଦର୍ଶନ ଗୋପିନାଥ ଯାଦବଙ୍କ ତତ୍ୱାବଧାନରେ ଏହି ଗଣନା କାର୍ଯ୍ୟ କରାଯାଇଥିଲା । ବର୍ତ୍ତମାନ ମ୍ୟାନଗ୍ରୁଭ ପିଟା ପକ୍ଷୀ ପ୍ରାୟ ବିଲୁପ୍ତ ହେବାକୁ ବସିଲେଣି। ଏହି ପ୍ରଜାତିର ପକ୍ଷୀ ସାଧାରଣତଃ ଘଞ୍ଚ ହେନ୍ତାଳ ଜଙ୍ଗଲ ମଧ୍ୟରେ ବସବାସ କରିଥାନ୍ତି ।

ତେବେ ମ୍ୟାନଗ୍ରୁଭ ଜଙ୍ଗଲରେ ବସବାସ କରୁଥିବାରୁ ଏମାନଙ୍କୁ ମ୍ୟାନଗ୍ରୁଭ ପିଟା ବୋଲି ମଧ୍ଯ କୁହାଯାଏ । ଏହି ଗଣନା ସମୟରେ ବନ କର୍ମଚାରୀମାନେ ଭିତରକନିକାରେ ୧୭୯ଟି ମ୍ୟାନଗ୍ରୁଭ୍ ପିଟାଙ୍କୁ ଚିହ୍ନଟ କରିଛନ୍ତି । ଯାହା ଭିତରକନିକା ପାଇଁ ଏକ ନୂଆ ସମ୍ଭାବନା ସୃଷ୍ଟି କରିଛି ।ଭାରତ ବର୍ଷରେ ଏହି ପକ୍ଷୀ ସାଧାରଣତଃ ୨ଟି ସ୍ଥାନରେ ଦେଖାଯାଇଥାନ୍ତି । ମ୍ୟାନଗ୍ରୁଭ ପିଟା (Mangrove Pitta) ଭିତରକନିକାର ସବୁଠୁ ସୁନ୍ଦର ପକ୍ଷୀ ଅଟନ୍ତି । ଏମାନଙ୍କୁ କେବଳ ହେନ୍ତାଳ ବଣରେ ଦେଖିବା ପାଇଁ ମିଳିଥାନ୍ତି । ଭାରତ ବର୍ଷରେ ୨ ପ୍ରକାର ପିଟା ଦେଖା ଯାଆନ୍ତି । ପ୍ରଥମଟି ଇଣ୍ଡିଆନ ପିଟା । ଏହା ଓଡିଶାର ପ୍ରାୟ ସମସ୍ତ ଜଙ୍ଗଲରେ ଦେଖିବାକୁ ମିଳିଥାନ୍ତି । ଦ୍ୱିତୀୟଟି ହେଉଛି ମ୍ୟାନଗ୍ରୁଭ ପିଟା। ଏହି ପ୍ରଜାତିର ପକ୍ଷୀ କେବଳ ଭିତରକନିକା ଓ ସୁନ୍ଦରବନରେ ଦେଖା ଯାଇଥାନ୍ତି । ଏମାନେ ନଦୀରେ ଜୁଆର ପରେ ପଠାରେ ଚାଲୁଥିବା ଛୋଟ କଙ୍କଡା ଓ ଶିଉଳି ଖାଇଥାଆନ୍ତି ।

ଏହି ପକ୍ଷୀଠାରେ ୯ଟି ରଙ୍ଗ ଥିବାରୁ ଏମାନଙ୍କୁ ନବରଙ୍ଗୀ ଚଢେଇ ବୋଲି ମଧ୍ୟ କୁହାଯାଏ । ଖାଲି ସେତିକି ନୁହେଁ ଏହି ପ୍ରଜାତିର ପକ୍ଷୀଙ୍କୁ ଭିତରକନିକାର ରାଣୀ ଓ ଗର୍ବ ବୋଲି ମଧ୍ୟ କୁହାଯାଏ । ଲୁଣା ଜଙ୍ଗଲ ମଧ୍ୟରେ ଏହି ପକ୍ଷୀ ମାନଙ୍କର ଗଣନା ହେବା ଏକ ଚମତ୍କାର ଉପଲବ୍ଧି । ଏହି ମ୍ୟାନଗ୍ରୁଭ ପିଟା (Mangrove Pitta) ପକ୍ଷୀଙ୍କ ଗଣନା ପ୍ରତିବର୍ଷ ହେବା ଜରୁରୀ ବୋଲି ମତ ପ୍ରକାଶ ପାଇଛି । ଭିତରକନିକା ବଉଳା କୁମ୍ଭୀର ମାନଙ୍କର ଏନ୍ତୁଡି ଶାଳ ଭାବେ ପରିଚୟ ପାଇଥିବା ବେଳେ ପ୍ରର୍ଯ୍ୟାୟକ୍ରମେ ଅନ୍ୟ ଜୀବଜନ୍ତୁ ଓ ପକ୍ଷୀ ମାନଙ୍କ ପାଇଁ ମଧ୍ୟ ଭୂ ସ୍ୱର୍ଗ ପାଲଟିଛି । ଯାହା ପରିବେଶବିତ୍ ମାନଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି |

ଏହା ବି ପଢନ୍ତୁ-Pushpa 2: ମାଲାକାନଗିରି ସ୍ବାଭିମାନ ଅଞ୍ଚଳରେ ଆରମ୍ଭ ହେଲା “ପୁଷ୍ପା -୨” ସୁଟିଂ

ଏହା ବି ପଢନ୍ତୁ-Odisha News: ମାଟ୍ରିକ ପରୀକ୍ଷା ପରେ ଉତ୍ତରଖାତା ଘରକୁ ନେଇଯାଇଥିଲେ ଛାତ୍ରୀ, ୨୧ ଦିନ ପରେ ମିଳିଲା ଖାତା

ଏହା ବି ପଢନ୍ତୁ-Bamboo Made Handicraft: ଲୋପ ହେବାକୁ ବସିଲାଣି ବାଉଁଶ ଶିଳ୍ପ, କୌଳକି ବୃତ୍ତି ଛାଡ଼ି ଅନ୍ୟ କାର୍ଯ୍ୟ କରୁଛନ୍ତି କାରିଗର