ଲାଞ୍ଚ ଦେଇ ନ ପାରି ବନ୍ଧକ ରଖୁଛନ୍ତି ମମତା କାର୍ଡ, ଏପରି ଚାଲିଛି ସରକାରୀ ଯୋଜନା
Advertisement
Article Detail0/zeeodisha/odisha1337055

ଲାଞ୍ଚ ଦେଇ ନ ପାରି ବନ୍ଧକ ରଖୁଛନ୍ତି ମମତା କାର୍ଡ, ଏପରି ଚାଲିଛି ସରକାରୀ ଯୋଜନା

ସରକାରଙ୍କ ମମତା ଯୋଜନା ମାଧ୍ୟମରେ ଗର୍ଭବତୀ ମହିଳା ମାନଙ୍କୁ ମମତା କାର୍ଡ ପଞ୍ଜିକରଣ କରିବା ସହ ନିୟମିତ ସ୍ବାସ୍ଥ୍ୟ ଯାଞ୍ଚ ,ଟିକାକରଣ ଓ ସହାୟତା ରାଶି ଯୋଗାଇ ଦିଆଯାଉଛି ।

ଲାଞ୍ଚ ଦେଇ ନ ପାରି ବନ୍ଧକ ରଖୁଛନ୍ତି ମମତା କାର୍ଡ, ଏପରି ଚାଲିଛି ସରକାରୀ ଯୋଜନା

ମୋହନା(ପ୍ରେମାନନ୍ଦ ପୁଜାରୀ): ଶିଶୁ ଓ ମାତୃ ମୃତ୍ୟୁହାର ରୋକିବା ପାଇଁ ସରକାର ବିଭିନ୍ନ ଯୋଜନା କରିଛନ୍ତି । ଏଥିପାଇଁ କୋଟି କୋଟି ଟଙ୍କା ମଧ୍ୟ ଖର୍ଚ୍ଚ କରାଯାଉଛି । ସରକାରଙ୍କ ମମତା ଯୋଜନା ମାଧ୍ୟମରେ ଗର୍ଭବତୀ ମହିଳା ମାନଙ୍କୁ ମମତା କାର୍ଡ ପଞ୍ଜିକରଣ କରିବା ସହ ନିୟମିତ ସ୍ବାସ୍ଥ୍ୟ ଯାଞ୍ଚ ,ଟିକାକରଣ ଓ ସହାୟତା ରାଶି ଯୋଗାଇ ଦିଆଯାଉଛି । ତେବେ ଗ୍ରାମାଞ୍ଚଳରେ କାର୍ଯ୍ୟରତ କିଛି ଅସାଧୁ ସାସ୍ଥ୍ୟକର୍ମୀଙ୍କ ଯୋଗୁଁ ସରକାରଙ୍କ ଏହି ମହତ ଯୋଜନା ଫେଲ ମାରୁଛି । ୩ଟଙ୍କା ଲାଞ୍ଚ ନଦେଲେ ଦାୟିତ୍ବରେ ଥିବା ସ୍ବାସ୍ଥ୍ୟ କର୍ମୀ ଗର୍ଭବତୀ ମହିଳାଙ୍କୁ ମମତା କାର୍ଡ ଦେଉନଥିବା ସଙ୍ଗୀନ ଅଭିଯୋଗ ଆସିଛି ଗଜପତି ଜିଲ୍ଲା ଆର ଉଦୟଗିରିରୁ। 
 
ପାହାଡ ପର୍ବତ ଘେରା ଗଜପତି ଜିଲ୍ଲା ଆର ଉଦୟଗିରି ବ୍ଲକ ମଙ୍ଗରାଜପୁର ପଞ୍ଚାୟତର ଦୁର୍ଗମ ଇଲାକାରେ ରହିଛି ଜାମଢୋଲ ଗାଁ । ଗାଁ ମଧ୍ୟରେ ଚକାଚକ୍ ହୋଇ ଦିଶୁଛି ସ୍ବାସ୍ଥ୍ୟ ଉପକେନ୍ଦ୍ର। ଏହି ସ୍ବାସ୍ଥ୍ୟ ଉପ କେନ୍ଦ୍ର ରେ ମଙ୍ଗରାଜପୁର ପଞ୍ଚାୟତ ସମେତ ଅନଘା ଓ ସୁବଲୋଡା ପଞ୍ଚାୟତର ଲୋକଙ୍କୁ ସ୍ବାସ୍ଥ୍ୟ ସେବା ଯୋଗାଇବା ପାଇଁ ନିଯୁକ୍ତି ପାଇଛନ୍ତି ଜଣେ ସ୍ବାସ୍ଥ୍ୟକର୍ମୀ ସୁନିତା ମଲ୍ଲିକ । ହେଲେ ସେ ଗତ ୧୫ ବର୍ଷ ହେଲା ଏଠାରେ ନିଯୁକ୍ତି ପାଇଥିଲେ ମଧ୍ୟ ନିୟମିତ ଆସୁନଥିବା ଯୋଗୁଁ ସ୍ବାସ୍ଥ୍ୟ କେନ୍ଦ୍ରରେ ଏମିତି ଝୁଲୁଛି ତାଲା । ଗର୍ଭବତୀ ଓ ଶିଶୁଙ୍କ ସ୍ବାସ୍ଥ୍ୟ ଯାଞ୍ଚ ହେବା ତ ଦୁରର କଥା ମମତା କାର୍ଡ ଟି ପଞ୍ଜିକରଣ କରିବା ପାଇଁ ୩୦୦ ଟଙ୍କା ଲାଞ୍ଚ ମାଗୁଥିବା ହିତାଧିକାରୀମାନେ ଅଭିଯୋଗ କରିଛନ୍ତି । ଏପରିକି ଅନେକ ହିତାଧିକାରୀ ଟଙ୍କା ନଦେବାରୁ ମମତା କାର୍ଡ ବନ୍ଧକ ରଖିଥିବା ମାଁ ମାନେ କହିଛନ୍ତି ।

ସ୍ବାସ୍ଥ୍ୟ କର୍ମୀଙ୍କ ରହିବା ସୁବିଧା ପାଇଁ ସରକାରଙ୍କ ତରଫରୁ ଜାମଢୋଲ ଗ୍ରାମରେ ଉତ୍ତମ କୋଠରୀ, ପାନୀୟ ଜଳ ର ବ୍ୟବସ୍ଥା ସାଙ୍ଗକୁ ବିଦ୍ୟୁତିକରଣ ବ୍ୟବସ୍ଥା କରାଯାଇଥିଲେ ମଧ୍ୟ ଜାଣିଶୁଣି ନେଟୱର୍କ ନଥିବା ଦର୍ଶାଇ ଗାଁ ଠାରୁ ୬୦ କିମି ଦୁର ପାରଳାଖେମୁଣ୍ଡିରେ ରହୁଛନ୍ତି । ଫଳରେ ନାନା ଅସୁବିଧାରେ ସମ୍ମୁଖୀନ ହେବା ସହ ଯେକୌଣସି କାମ ପଡିଲେ ହିତାଧିକାରୀମାନଙ୍କୁ ୬୦ କିମି ଦୁର ପାରଳାଖେମୁଣ୍ଡିକୁ ଆସିବାକୁ ସମୃକ୍ତ ସ୍ବାସ୍ଥ୍ୟକର୍ମୀ କହୁଥିବା ଅଭିଯୋଗ କରିଛନ୍ତି ୱର୍ଡମେମ୍ବର ଓ ଗ୍ରାମବାସୀ । ଉକ୍ତ ସମସ୍ୟା ନେଇ ସ୍ଥାନୀୟ ସରପଞ୍ଚ ବହୁବାର ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଜଣାଇ ଆସୁଥିଲେ ମଧ୍ୟ କୌଣସି ସୁଫଳ ମିଳୁନଥିବା ଅଭିଯୋଗ କରିଛନ୍ତ । ତେବେ ଉକ୍ତ ସ୍ବାସ୍ଥ୍ୟକର୍ମୀଙ୍କୁ ଅନ୍ୟତ୍ର ବଦଳି କରିବା ସହ ଜଣେ ନୁତନ ସ୍ବାସ୍ଥ୍ୟ କର୍ମୀଟିଏ ଯୋଗାଇ ଦେବାକୁ ଦାବି ହୋଇଛି । ଘଟଣା ସଂପର୍କରେ ଆମେ ସିଡିଏମଙ୍କୁ ପଚାରିବାରୁ ସମୃକ୍ତ ମହିଳା ସ୍ବାସ୍ଥ୍ୟକର୍ମୀଙ୍କ ନାମରେ ପୁର୍ବରୁ ଅଭିଯୋଗ ଥିଲା ଅଭିଯୋଗ ଅନୁଯାୟୀ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଫୋନରେ ପ୍ରତିକ୍ରିୟା ରଖିଛନ୍ତି ।

ସରକାର ଙ୍କ ମମତା ଯୋଜନା ଭଳି ମହତ ଯୋଜନାରେ ଏଭଳି ଦୁର୍ଣ୍ଣିତି ଖୋଲାଖୋଲି ଭାବେ ଚାଲିଥିବା ଅଭିଯୋଗ ଆସିବା ପରେ ପ୍ରଶାସନ ଏ ଦିଗରେ କିଭଳି ନେଉଛନ୍ତି ତାକୁ ହିଁ ସମସ୍ତଙ୍କ ଅପେକ୍ଷା।