ଚାଷୀଙ୍କୁ ଲୁଟୁଛନ୍ତି ବୀମା କମ୍ପାନୀ, ବାଟମାରଣା ହେଉଛି ଫସଲ ବୀମା
Advertisement

ଚାଷୀଙ୍କୁ ଲୁଟୁଛନ୍ତି ବୀମା କମ୍ପାନୀ, ବାଟମାରଣା ହେଉଛି ଫସଲ ବୀମା

ଚାଷୀଙ୍କ ଫସଲ ନଷ୍ଟ ହେଲେ କ୍ଷତିପୂରଣ ପାଇଁ ବୀମା ବ୍ୟବସ୍ଥା ରହିଛି।ବୀମା କମ୍ପାନୀ ଏହି ଅର୍ଥ ରାଶି ଭରଣା କରିବା କଥା। କିନ୍ତୁ ବିଂଝାରପୁର ବ୍ଲକରେ କ୍ଷତିଗ୍ରସ୍ତ ଚାଷୀଙ୍କୁ ମିଳୁନି ବୀମା ରାଶି। 

ସାଂକେତିକ ଫଟୋ

Jajpur farmer: ଯାଜପୁର: ଚାଷ ଓ ଚାଷୀଙ୍କ ପାଇଁ ରାଜ୍ୟ ଓ କେନ୍ଦ୍ର ସରକାର ବିଭିନ୍ନ ନୂଆ ନୂଆ ଯୋଜନା କରୁଥିବା ବେଳେ ଚାଷୀ କିନ୍ତୁ କୌଣସି ଯୋଜନାର ସୁଫଳ ପାଉନାହିଁ । ଲଗାଣ ବର୍ଷା ହେଉ କି ବନ୍ୟା ହେଉ ପ୍ରତିବର୍ଷ ହଜାର ହଜାର ହେକ୍ଟର ଚାଷ ଧୋଇଯାଉଛି। ଫଳରେ ବ୍ୟାଙ୍କ ଓ ସାହୁକାର ଠାରୁ କରଜ କରି ଚାଷରେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରିଥିବା ଚାଷୀ ଶେଷରେ ହତାଶ ହେଉଛି। ବୀମା କମ୍ପାନୀ ଚାଷୀଙ୍କ ଅର୍ଥକୁ ହରିଲୁଟ କରୁଛି କିନ୍ତୁ ଚାଷୀଙ୍କୁ ମିଳୁନି ଫସଲ ବୀମା l ଯାଜପୁର ଜିଲ୍ଲା ବିଂଝାରପୁର ଅଞ୍ଚଳ ରୁ ଆସିଛି ଏମିତି କିଛି ଅଭିଯୋଗ। ସେପଟେ ଅତିରିକ୍ତ ରାଜସ୍ୱ ଜିଲ୍ଲାପାଳ କହିଛନ୍ତି ଖୁବ ଶୀଘ୍ର ତଦନ୍ତ କରି ଏହାର ସମାଧାନ କରାଯିବ l

ଚାଷୀଙ୍କ ଫସଲ ନଷ୍ଟ ହେଲେ କ୍ଷତିପୂରଣ ପାଇଁ ବୀମା ବ୍ୟବସ୍ଥା ରହିଛି।ବୀମା କମ୍ପାନୀ ଏହି ଅର୍ଥ ରାଶି ଭରଣା କରିବା କଥା। କିନ୍ତୁ ବିଂଝାରପୁର ବ୍ଲକରେ କ୍ଷତିଗ୍ରସ୍ତ ଚାଷୀଙ୍କୁ ମିଳୁନି ବୀମା ରାଶି। ବୀମା କମ୍ପାନୀ ଚାଷୀଙ୍କୁ କ୍ଷତିପୂରଣ ଟଙ୍କା ନ ଦେଇ ଲକ୍ଷ ଲକ୍ଷ ଟଙ୍କା ହଡପ କରିଛି। ଯାହାକୁ ନେଇ ଚାଷୀ ମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଅନ୍ୟପଟେ ଜଳ ନିଷ୍କାସନର ସୁବ୍ୟବସ୍ଥା ନଥିବାରୁ ସାମାନ୍ୟ ବର୍ଷାରେ ଜମିରେ ପାଣି ଜମିରହି ଫସଲ ନଷ୍ଟ ହେଉଛି। ଆଗାମୀ ଦିନରେ ରାଜରାସ୍ତା କୁ ଓଲ୍ହାଇବାକୁ ଚେତାବନୀ ଦେଇଛନ୍ତି ଚାଷୀ l

ବିଂଝାରପୁର ବ୍ଲକରେ ଏଚଡିଏଫସି ଆଗ୍ରୋ ଜିଆଇସି ଲିମିଟେଡ ପକ୍ଷରୁ ପ୍ରଧାନମନ୍ତ୍ରୀ ଫସଲ ବୀମା କରାଯାଇଥିଲା। ୨୦୨୧ ମସିହା ଜୁଲାଇ ୩୦ ତାରିଖ ସୁଦ୍ଧା ଏଚଡିଏଫସି ଆଗ୍ରୋ ଜିଆଇସି ଲିମିଟେଡ ପକ୍ଷରୁ ବୀମା ଆବେଦନ ଫର୍ମ ଗ୍ରହଣ କରାଯାଇଥିଲା। ଜମିର ପରିମାଣ ଅନୁଯାୟୀ ଚାଷୀମାନେ ବୀମା ଅର୍ଥ ଜମା କରିଥିଲେ। ସେହିପରି ସରକାର ମଧ୍ୟ ଅଂଶଧନ ଜମାକରି ଚାଷୀଙ୍କ ପଞ୍ଜିକୃତ ମୋବାଇଲକୁ ସୂଚନା ଦେଇଥିଲେ। ୨୦୨୦ ମସିହାରେ ଜରୀ ନାଉବାଙ୍କରେ ଘାଇ ହେବା ସହିତ ୨୦୨୧ ସେପ୍ଟେମ୍ଵର ମାସରେ ଘାଇ ମୁହଁ ମୁକୁଳା ଯୋଗୁଁ ପୁନର୍ବାର ଚାଷ ସଂପୂର୍ଣ୍ଣ ନଷ୍ଟ ହୋଇଥିଲା। 

ତହସିଲ କାର୍ଯ୍ୟାଳୟ ପକ୍ଷରୁ ତଦନ୍ତ କରାଯାଇ ଜିଲ୍ଲାପାଳଙ୍କୁ କ୍ଷୟକ୍ଷତି ରିପୋର୍ଟ ପ୍ରଦାନ କରାଯାଇଥିଲା। ମାତ୍ର ବୀମା କମ୍ପାନୀ ପକ୍ଷରୁ ୨୦୨୧ ମସିହା ଡିସେମ୍ଵର ମାସରେ ବୀମା କମ୍ପାନୀ ପକ୍ଷରୁ ଚାଷୀଙ୍କ ଫସଲରେ କୌଣସି କ୍ଷତି ହୋଇନାହିଁ ବରଂ ଚାଷୀ ଧାନ ଫସଲ ଉତ୍ପାଦନ କରିଛି ବୋଲି ରିପୋର୍ଟ ଦେଇଛି। ବୀମା କମ୍ପାନୀର ଏଭଳି ମିଥ୍ୟା ରିପୋର୍ଟ ଯୋଗୁଁ ଚାଷୀ ବୀମା ରାଶି ପାଇବାରୁ ବଞ୍ଚିତ ହୋଇଛନ୍ତି। ଏହାର ତଦନ୍ତ କରାଯାଇ ବୀମା କମ୍ପାନୀ ବିରୋଧ ରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଛି।

କ୍ଷତିଗ୍ରସ୍ତ ଚାଷୀମାନଙ୍କ ପାଇଁ କେବଳ ବୀମା ବ୍ୟବସ୍ଥା କରି ପ୍ରଶାସନ ଚୁପ ବସିଲେ ଚାଷୀ ବୀମା ରାଶି ପାଇବେ ନାହିଁ ବରଂ ବୀମା କମ୍ପାନୀ ଉପରେ କଡା ନଜର ରଖି ଚାଷୀଙ୍କୁ ସେମାନଙ୍କ ହକ ଦେବା ଆବଶ୍ୟକ ।