ଭୁବନେଶ୍ୱରରେ ପହଞ୍ଚିଲା କୁଏତରେ ପ୍ରାଣ ହରାଇଥିବା ଦୁଇ ଓଡ଼ିଆଙ୍କ ପାର୍ଥିବ ଶରୀର
Advertisement
Article Detail0/zeeodisha/odisha2293723

ଭୁବନେଶ୍ୱରରେ ପହଞ୍ଚିଲା କୁଏତରେ ପ୍ରାଣ ହରାଇଥିବା ଦୁଇ ଓଡ଼ିଆଙ୍କ ପାର୍ଥିବ ଶରୀର

କୁଏତରେ ଭୟାବହ ଅଗ୍ନିକାଣ୍ଡରେ ପ୍ରାଣ ହରାଇଥିବା ଦୁଇ ଓଡ଼ିଆ ମହମ୍ମଦ ଜହୁର ଓ ସନ୍ତୋଷ ଗୌଡ଼ଙ୍କ ମରଶରୀର ଆଜି ସକାଳେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିଛି। ଦୁଇ ମୃତକଙ୍କ ନିକଟ ସମ୍ପର୍କୀୟଙ୍କ ପାଇଁ ୪ ଲକ୍ଷ ଲେଖାଏଁ ଅନୁକମ୍ପା ରାଶି ଘୋଷଣା କରିଛନ୍ତି ରାଜ୍ୟ ସରକାର। 

ଭୁବନେଶ୍ୱରରେ ପହଞ୍ଚିଲା କୁଏତରେ ପ୍ରାଣ ହରାଇଥିବା ଦୁଇ ଓଡ଼ିଆଙ୍କ ପାର୍ଥିବ ଶରୀର

ଭୁବନେଶ୍ଵର: ଭୁବନେଶ୍ୱରରେ ପହଞ୍ଚିଲା କୁଏତରେ ଭୟାବହ ଅଗ୍ନିକାଣ୍ଡରେ ପ୍ରାଣ ହରାଇଥିବା ଦୁଇ ଓଡ଼ିଆଙ୍କ ପାର୍ଥିବ ଶରୀର। ମୃତ ମହମ୍ମଦ ଜହୁର ଓ ସନ୍ତୋଷ ଗୌଡ଼ଙ୍କ ମରଶରୀର ଆଜି ସକାଳେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିଛି। ମୃତଦେହ ବିମାନବନ୍ଦରରେ ପହଞ୍ଚିବା ପରେ ସେଠାରୁ ସ୍ବତନ୍ତ୍ର ଗାଡି ଯୋଗେ ମୃତଦେହକୁ ସେମାନଙ୍କ ଜନ୍ମମାଟିକୁ ପଠାଯାଇଛି। ଏଥିସହିତ ବିମାନବନ୍ଦରରେ ଦୁଇ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ, ପ୍ରଭାତୀ ପରିଡାଙ୍କ ସମେତ ଅସ୍ଥାୟୀ ବାଚସ୍ପତି ରଣେନ୍ଦ୍ର ପ୍ରତାପ ସ୍ବାଇଁ, ଆସିକା ଏମ୍‌ପି ଅନୀତା ଶୁଭଦର୍ଶିନୀ, ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କ ସମେତ ପ୍ରଶାସନିକ ଅଧିକାରୀ ପହଞ୍ଚି ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। 

ଅନ୍ୟପଟେ ଦୁଇ ମୃତକଙ୍କ ନିକଟ ସମ୍ପର୍କୀୟଙ୍କ ପାଇଁ ୪ ଲକ୍ଷ ଲେଖାଏଁ ଅନୁକମ୍ପା ରାଶି ଘୋଷଣା କରିଛନ୍ତି ରାଜ୍ୟ ସରକାର। ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଏଥିପାଇଁ ଅର୍ଥ ମଞ୍ଜୁର ହୋଇଥିବା ନେଇ ଦୁଇ ଉପମୁଖ୍ୟମନ୍ତ୍ରୀ କେଭି ସିଂଦେଓ ଓ ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍ତି। 

ଗତ ବୁଧବାର କୁଏତର ଦକ୍ଷିଣପ୍ରାନ୍ତସ୍ଥିତ ଅହମଦୀର ମଙ୍ଗାଫରେ ଥିବା ଏକ ୬ ମହଲା ବିଲ୍ଡିଂରେ ଏହି ଭୟଙ୍କର ଅଗ୍ନିକାଣ୍ଡ ଘଟିଥିଲା। ଏଥିରେ ପ୍ରାୟ ୪୯ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୪୫ ଜଣ ଭାରତୀୟ ଥିଲେ। ୪୫ ଭାରତୀୟଙ୍କ ମୃତଦେହ ଧରି ଭାରତୀୟ ବାୟୁସେନାର ସ୍ୱତନ୍ତ୍ର ବିମାନ ଗତକାଲି କୋଚିରେ ପହଞ୍ଚିଥିଲା। ସେଠାରୁ ବିମାନଟି ନୂଆ ଦିଲ୍ଲୀ ଚାଲି ଯାଇଥିଲା। ତେବେ ମୃତକଙ୍କ ମଧ୍ୟରେ ୪୫ ଜଣ ଭାରତୀୟ ଥିବାବେଳେ ସର୍ବାଧିକ କେରଳର ଲୋକ ଅଛନ୍ତି। 

ସମସ୍ତ ମୃତକମାନଙ୍କ ବୟସ ୨୦ରୁ ୫୦ ବର୍ଷ ହେବ ବୋଲି କୁହାଯାଉଛି। ସମସ୍ତେ ଶୋଇଥିବା ସମୟରେ ରୋଷେଇ ଘରୁ ନିଆଁ ଲାଗି ଅନ୍ୟ ମହଲାକୁ ବ୍ୟାପି ଯାଇଥିଲା। ମୃତକମାନେ ସେଠାରେ ଶ୍ରମିକ ଭାବେ କାମ କରୁଥିଲେ। ଛଅ ମହଲା କୋଠାଟି ମଧ୍ୟ ଶ୍ରମିକମାନଙ୍କ ରହିବା ପାଇଁ ତିଆରି ହେଉଥିଲା। କୁଏତର ସବୁଠୁ ବଡ଼ ନିର୍ମାଣ ସଂସ୍ଥା ଏନ୍‌ବିଟିସି ଗ୍ରୁପ୍‌ ଏହି କୋଠା ନିର୍ମାଣ କରୁଥିଲା।