World Pakhala Day: ମାଟି ପିଣ୍ଡାରୁ ହୋଟେଲ ମେନୁ, କାହିଁକି ଲୋକପ୍ରିୟ ହେଲା 'ପଖାଳ'?
Advertisement
Article Detail0/zeeodisha/odisha1129074

World Pakhala Day: ମାଟି ପିଣ୍ଡାରୁ ହୋଟେଲ ମେନୁ, କାହିଁକି ଲୋକପ୍ରିୟ ହେଲା 'ପଖାଳ'?

ଓଡ଼ିଶାରେ ସାଧାରଣତଃ ଲୋକମାନେ ଭାତ ଖାଇଥାନ୍ତି । ଏହି ଭାତକୁ ଅଧିକ ଦିନ ରଖିବା ପାଇଁ ଏହାକୁ ପାଣିରେ ଭିଜାଇ ରଖାଯାଇଥାଏ । ଯାହାକୁ ପରେ ଖାଇହୁଏ । ଧନୀ ଗରିବ ସମସ୍ତଙ୍କ ପାଇଁ ସେହି ସମାନ ଫର୍ମୁଲା ।

ଡିଜାଇନ୍ ଫଟୋ

ଭୁବନେଶ୍ୱର: ଆଜି ହେଉଛି ବିଶ୍ୱ ପଖାଳ ଦିବସ । ଓଡ଼ିଶାର ପ୍ରତି ବ୍ୟକ୍ତି, ସେ ଧନୀ ହେଉ ଅବା ଗରିବ ସମସ୍ତଙ୍କ ପ୍ରିୟ ପଖାଳ । ଖରାଦିନରେ ସୁଆଦିଆ ପଖାଳ ସାଙ୍ଗକୁ ବିଭିନ୍ନ ବ୍ୟଞ୍ଜନ ସ୍ୱାଦକୁ ଆହୁରି ବଢ଼ାଇଦିଏ । ସେଇଥିପାଇଁ ତ ଏହା ପ୍ରତିଟି ଓଡ଼ିଆର ପ୍ରାଣର ଖାଦ୍ୟ । ଏହି ଦିବସର ମହତ୍ତ୍ୱ ହେଉଛି, ପଖାଳର ପ୍ରଚାରପ୍ରସାର ସହ ଉପାଦେୟକୁ ଲୋକଙ୍କ ପାଖରେ ପହଞ୍ଚାଇବା । ସାଧାରଣ ଭାବରେ
ଗତ କିଛି ବର୍ଷ ଧରି ସୋସିଆଲ ମିଡିଆରେ ଓଡ଼ିଆଙ୍କ ଦ୍ୱାରା ପଖାଳ ଦିବସ ଭାବେ ପାଳନ କରାଯାଉଛି।

କ'ଣ ପାଇଁ ପଖାଳର ଏତେ ଗ୍ରହଣୀୟତା?

ଓଡ଼ିଶାରେ ସାଧାରଣତଃ ଲୋକମାନେ ଭାତ ଖାଇଥାନ୍ତି । ଏହି ଭାତକୁ ଅଧିକ ଦିନ ରଖିବା ପାଇଁ ଏହାକୁ ପାଣିରେ ଭିଜାଇ ରଖାଯାଇଥାଏ । ଯାହାକୁ ପରେ ଖାଇହୁଏ । ଧନୀ ଗରିବ ସମସ୍ତଙ୍କ ପାଇଁ ସେହି ସମାନ ଫର୍ମୁଲା । ଏହାସହ ପଖାଳକୁ ଖାଇବାକୁ ଅତି କମରେ ଲୁଣ ଲଙ୍କା ହିଁ ଯଥେଷ୍ଟ ହୋଇଥାଏ । କ'ଣ ଟିକେ ଲଗେଇ ଖିଆ କରିଦେଲେ ତ କାମ ଚଳିଗଲା । ସେଥିପାଇଁ ସାଧାରଣ ଲୋକଙ୍କ ପାଖରେ ଏହା ଅଧିକ ଗ୍ରହଣୀୟ ।

ଜଗନ୍ନାଥ ସଂସ୍କୃତି ସହ ଜଡ଼ିତ

ଓଡ଼ିଶାର ବଡ଼ ଠାକୁର ଜଗନ୍ନାଥଙ୍କ ପାଖରେ ପଖାଳ ଲାଗି କରାଯାଏ । ଶ୍ରୀମନ୍ଦିରରେ ପ୍ରତିଦିନ ମହାପ୍ରଭୁଙ୍କୁ ଦହି ପଖାଳ ଲାଗି କରାଯାଏ। ମହାପ୍ରଭୁଙ୍କ ଅତି ପ୍ରିୟ ଓ ପ୍ରମୁଖ ଖାଦ୍ୟକୁ ଓଡ଼ିଆମାନେ ଅତି ଆନନ୍ଦର ସହ ଗ୍ରହଣ କରନ୍ତି । ସେଥିପାଇଁ ପଖାଳ ଭୋଜନର ଏକ ସ୍ୱତନ୍ତ୍ରତା ରହିଛି।

ପଖାଳ ନିଦୋପଯୋଗୀ 

ପଖାଳ ପେଟ ଥଣ୍ଡା କରେ । ପଖାଳ ଖାଇଦେଲେ ଲୋକେ କୁହନ୍ତି, ଓଃ କି ଶାନ୍ତି । ଆଉ କିଛି ସମୟ ପରେ ଆଖି ଆପେଆପେ ବୁଜି ହୋଇଆସେ । କାରଣ ପଖାଳରେ ନିଦ କରାଇବାର ଉପାଦାନ ରହିଥାଏ ।

ଏବେକାର ଆଡମ୍ୱରର ଖାଦ୍ୟ 

ପଖାଳକୁ ଏବେ ବଡ଼ ରେସ୍ତୋରାଁର ମେନୁରେ ଦେଖିବାକୁ ମିଳୁଛି । ବିଭିନ୍ନ ବ୍ୟଞ୍ଜନ ସାଙ୍ଗକୁ ପଖାଳକୁ ଆଧୁନିକ ଢଙ୍ଗରେ ପରିବେଷଣ କରାଯାଉଛି । ଓଡ଼ିଶା ଆସୁଥିବା ବିଶିଷ୍ଟ ଲୋକମାନଙ୍କୁ ମଧ୍ୟ ଏହି ପଖାଳ ଭୋଜନରେ ଆପ୍ୟାୟିତ କରାଯାଇଥାଏ । ପୂର୍ବରୁ ନବୀନ ନିବାସରେ ମଧ୍ୟ ଗୃହମନ୍ତ୍ରୀ ଅମିତ ଶାହ, ମମତା ବାନାର୍ଜୀଙ୍କୁ ମୁଖ୍ୟମନ୍ତ୍ରୀ ପଖାଳ ପରିବେଷଣ କରିଥିଲେ।

Also Read: World Pakhala Day: ଜାଣନ୍ତୁ, ଓଡ଼ିଆଙ୍କ 'ପ୍ରାଣ'ର ଇତିହାସ...

ଆଜି ପଖାଳ ଦିବସରେ ମଧ୍ୟ ବଡ଼ ବଡ଼ ହୋଟେଲରେ ବିଶେଷ ପ୍ରସ୍ତୁତି କରାଯାଇଛି । ଏହି ଦିବସ ପାଇଁ ପ୍ରସ୍ତୁତ ହେଉଛି ସ୍ୱତନ୍ତ୍ର ଭେଜ୍‌ ଓ ନନ୍‌-ଭେଜ୍‌ ପଖାଳ ଥାଳି। ପଖାଳ ଦିବସ ପାଳନ ପାଇଁ  ଗ୍ରାହକଙ୍କୁ ସୁଆଦିଆ ପଖାଳ ପରସିବା ପାଇଁ ନାନା ଆୟୋଜନ ଆରମ୍ଭ ହୋଇଛି ।

ପଖାଳ ସାଙ୍ଗକୁ ବଡ଼ି ଚୁରା, ଶାଗ ଭଜା...

ଏବେ ପଖାଳ ବିଭିନ୍ନ ପ୍ରକାରରେ ଉପଲବ୍ଧ ହେଉଛି । ସାଦା ପଖାଳ, ଲେମ୍ବୁ ପଖାଳ, ଦହି ପଖାଳ ଓ ତା’ ସାଙ୍ଗକୁ ଛୁଙ୍କ ପଖାଳ । ପଖାଳ ସାଙ୍ଗକୁ ଆଳୁ ଚଟଣି, ଶାଗ ଭଜା, ବଡି ଚୁରା, ମାଛ ଭଜା, ଚିଙ୍ଗୁଡ଼ି ଭଜା ଓ ଚିଙ୍ଗୁଡ଼ି ଛେଚା । ଖାଲି ସେତିକି ନୁହେଁ, ଲୋକଙ୍କ ପସନ୍ଦ ଅନୁଯାୟୀ ପାରମ୍ପରିକ ଖାଦ୍ୟ ଯଥା ଛତୁ ପୋଡ଼ା, କଖାରୁ ଫୁଲ ବରା, ପୋସ୍ତ ବରା, ରାଇ ଓ ପିତା ଶାଗ ଭଳି ବ୍ୟଞ୍ଜନ ଖାଇହୁଏ ।

ପଖାଳ ଦିବସରେ ସୁଦର୍ଶନ ପଟ୍ଟନାୟକଙ୍କ ବାଲୁକା କଳା

ବିଶ୍ଵ ପଖାଳ ଦିବସ ଅବସରରେ ପ୍ରତ୍ୟେକ ଓଡ଼ିଆଙ୍କୁ ବାଲୁକା ଚିତ୍ର କଳା ମାଧ୍ୟମରେ ଶୁଭେଚ୍ଛା ଜଣାଇଛନ୍ତି ଚିତ୍ରଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ପୁରୀ ନିଳାଦ୍ରୀ ବେଳାଭୂମିରେ ଏ ନେଇ ଏକ ଆକର୍ଷଣୀୟ ବାଲୁକା ଚିତ୍ରକଳା ପ୍ରଦର୍ଶିତ କରିଛନ୍ତି । ବାଲିରେ ସେ ପଖାଳ , ବଡୀ ଚୁରା , ମାଛ ଭଜା , ଓ ବିଭିନ୍ନ ପ୍ରକାର ତିଅଣର ଅବିକଳ ପ୍ରତିକୃତି ଗଢିଛନ୍ତି। ଯାହାକି ପର୍ଯ୍ଯଟକଙ୍କୁ ବେଶ୍ ଆକୃଷ୍ଟ କରିପାରିଛି।

ପଖାଳ ଦିବସ ପାଳନର ଇତିହାସ...

୨୦୧୧ ମସିହା ଠାରୁ ଆଗ୍ରହୀ ଓଡ଼ିଆ ଓ ଅଣଓଡ଼ିଆ ପଖାଳପ୍ରେମୀଙ୍କ ଉଦ୍ୟମରେ ପ୍ରଥମ ଥର ପାଇଁ ପଖାଳ ଦିବସ ପାଳନ କରାଯାଇଥିଲା । ଯାହା ପରବର୍ତ୍ତୀ ସମୟରେ ୨୦୧୫ ମସିହାରେ ସୋସିଆଲ ମିଡିଆରେ ପ୍ରଥମେ ଟ୍ୱିଟର ଟ୍ରେଣ୍ଡ ଆରମ୍ଭ ହୋଇଥିଲା । ଏବେ ବିଶ୍ୱର କୋଣ ଅନୁକୋଣରେ ଏହି ଦିବସକୁ ପାଳନ କରିବାକୁ ଅନେକ ଓଡ଼ିଆ ଆଗେଇ ଆସିଲେଣି । ରାଜ୍ୟ ଓ ରାଜ୍ୟ ବାହାରେ ତାରକା ହୋଟେଲମାନଙ୍କରେ ମଧ୍ୟ ଏହି ଓଡ଼ିଆ ଖାଦ୍ୟ ମେନୁରେ ସାମିଲ ହେଲାଣି । 

ଦିନ ଥିଲା ଗରିବ ଓ ଖଟିଖିଆଙ୍କ ଖାଦ୍ୟ ଥିଲା ପଖାଳ । ହେଲେ ଆଜି ପଖାଳ କେବଳ ଗରିବଙ୍କର ନୁହେଁ, ସାରା ବିଶ୍ୱରେ ନିଜର ସ୍ୱତନ୍ତ୍ର ପରିଚିତି ହାସଲ କରିଛି । କି ଧନୀ କି ଗରିବ, ସଭିଙ୍କ ପସନ୍ଦ ପାଲଟିଛି ପଖାଳ । ପ୍ରତି ବର୍ଷ ମାର୍ଚ୍ଚ ୨୦ ତାରିଖକୁ ବିଶ୍ୱ ପଖାଳ ଦିବସ ଭାବେ ପାଳନ କରି ଏହି ଖାଦ୍ୟକୁ ସ୍ୱତନ୍ତ୍ର ତାଲିକାରେ ସ୍ଥାନୀତ କରାଯାଇଛି । ଯାହା ଓଡ଼ିଶାର ମୌଳିକତାକୁ ପ୍ରଦର୍ଶିତ କରାଯାଇଛି ।