Top 10 News Headlines: ସଂକ୍ଷେପରେ ପଢନ୍ତୁ ଅପରାହ୍ନର ୧୦ଟି ପ୍ରମୁଖ ଖବର
Advertisement
Article Detail0/zeeodisha/odisha1869651

Top 10 News Headlines: ସଂକ୍ଷେପରେ ପଢନ୍ତୁ ଅପରାହ୍ନର ୧୦ଟି ପ୍ରମୁଖ ଖବର

Top 10 News Headlines: ସଂକ୍ଷେପରେ ପଢନ୍ତୁ ଅପରାହ୍ନର ୧୦ଟି ପ୍ରମୁଖ ଖବର

 

ସୌ: ସୋସିଆଲ ମିଡିଆ

Afternoon News Headlines: 1. ୨୦୨୫ରେ ବାଲିକୁ ଯାତ୍ରା: ୨୦୨୫ ବାଲିଯାତ୍ରାରେ ସମୟରେ କଟକରୁ ଇଣ୍ଡୋନେସିଆ ବାଲି ଯାଏଁ ଆରମ୍ଭ ହେବ ନୌବାଣିଜ୍ୟ ଯାତ୍ରା। ମହାନଦୀ ପଠା ସହ ପାରମ୍ପରିକ ସାମୁଦ୍ରିକ ରାସ୍ତାରେ ଏହି ନୌବାଣିଜ୍ୟ ଯାତ୍ରା କରାଯିବ । ଏଥିଲାଗି ଭାରତୀୟ ବଣିକମାନେ ବ୍ୟବହାର କରୁଥିବା ପାରମ୍ପରିକ ଡଙ୍ଗାକୁ ବ୍ୟବହାର କରାଯିବ। ଭାରତୀୟ ନୌବାହିନୀ ଏହାକୁ ବିକଶିତ କରୁଛନ୍ତି। ଏହାର ପ୍ରଥମ ଅଧ୍ୟାୟ ସ୍ୱରୂପ ଆଜିଠାରୁ ‘କୀଲ’ ପ୍ରତିଷ୍ଠା ହେବ। ଏନେଇ ପ୍ରଧାନମନ୍ତ୍ରୀଙ୍କ ଅର୍ଥନୀତିକ ପରାମର୍ଶଦାତା ପରିଷଦର ସଦସ୍ୟ ସଞ୍ଜୀବ ସାନ୍ୟାଲ୍‍ ନିଜ ଟ୍ୱିଟର ଆକାଉଣ୍ଟରେ ସୂଚନା ଦେଇଛନ୍ତି।

2. ରାଜ୍ୟରେ ସ୍କ୍ରବ ଟାଇଫସ୍‍ ଜ୍ୱର: ଚାଷବାସ ହେଉ ବା ଅନ୍ୟ କାର୍ଯ୍ୟ ପାଇଁ ବିଲକୁ ଯାଉଥିବା ଲୋକଙ୍କୁ ସ୍କ୍ରବ୍‍ ଟାଇଫସ୍‍ ଜ୍ୱର ହେବାର ଆଶଙ୍କା ରହିଛି। ବରଗଡ଼, ନବରଙ୍ଗପୁର, ସୁନ୍ଦରଗଡ଼ ପରେ ଏବେ କେନ୍ଦୁଝର ଜିଲ୍ଲାର ବିଭିନ୍ନ ସ୍ଥାନରେ ଏପରି ଜ୍ୱର ଚିହ୍ନଟ କରାଯାଇଛି। ଏକ ପ୍ରକାର କୀଟ କାମୁଡ଼ିବା ଦ୍ୱାରା ଏହି ଜ୍ବର ହୋଇଥାଏ। ପୁଣି ଶରୀରର ଯେଉଁ ସ୍ଥାନକୁ ଏହି କୀଟ କାମୁଡେ଼, ସେଠାରେ ଚର୍ମ ଅକାମୀ ( ସ୍କିନ୍‍ ଡେଡ୍‍) ହୋଇଯାଏ।  ଏପରି ହେଲେ ତୁରନ୍ତ ତାହାର ପରୀକ୍ଷା କରାଇ ସାଧାରଣ ଆଣ୍ଟିବାୟୋଟିକ୍‍ ଦ୍ୱାରା ଚିକିତ୍ସା କରାଯାଇପାରିବ ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ସୂଚନା ଦେଇଛନ୍ତି। 

3. କେରଳରେ ପୁଣିଥରେ ‘ନିପା’ ଆତଙ୍କ:  କେରଳରେ ପୁଣିଥରେ ଦେଖିବାକୁ ମିଳିଛି ନିପା ଭୂତାଣୁ ଆତଙ୍କ । ପାଞ୍ଚ ବର୍ଷ ଭିତରେ ତୃତୀୟ ଥର ଅଟେ । ଚାରି ଜଣଙ୍କ ନମୂନାରେ ନିପା ଭୂତାଣୁ ନିଶ୍ଚିତ କରାଯିବା ପରେ ଏବେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ତତ୍ପର ହୋଇଛି। ୧୬ଟି କୋର୍‍ ଟିମ୍‍ ଗଠନ କରାଯାଇ ନିର୍ଦ୍ଧାରିତ ପ୍ରୋଟକଲ ଅନୁସାରେ ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ବୀଣା ଜର୍ଜ କହିଛନ୍ତି। ୨୦୧୮ ମସିହାରେ ପ୍ରଥମେ ଏହି ଭୂତାଣୁ କେରଳରେ ଚିହ୍ନଟ କରାଯାଇଥିଲା, ଯେଉଁଥିରେ ୧୭ ଜଣଙ୍କ ଜୀବନ ଯାଇଥିଲା। ସେହିପରି ୨୦୨୧ ମସିହାରେ ଏହି  ଭୂତାଣୁ ଯୋଗୁଁ ଜଣଙ୍କ ମୃତ୍ୟୁ ହୋଇଥିଲା ।

4. ବିଜେପି ସଭାପତିଙ୍କ ବିସ୍ଫୋରକ ବୟାନ: ବିଜେଡିର ବହୁ ବରିଷ୍ଠ ନେତା ଓ ବିଧାୟକ ଦଳରେ ଅଣନିଶ୍ୱାସୀ । ବିଜେଡିରେ ରହି କେହି ଖୁସି ନାହାନ୍ତି । ସମସ୍ତେ ଭୟ, ଆତଙ୍କରେ ଅଛନ୍ତି । ତେଣୁ ଅନେକ ବିଜେଡି ବିଧାୟକ ଆମ ସଂପର୍କରେ ଅଛନ୍ତି ବୋଲି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ମୋ ଦେଶ, ମୋ ମାଟି କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ କହିଛନ୍ତି। ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ, ବିଧାୟକ କେହି ଦିଶୁନାହାନ୍ତି। ଓଡ଼ିଶାରେ ବିଚିତ୍ର ସ୍ଥିତି ଉପୁଜିବା ସହ ରାଜନୈତିକ ବ୍ୟବସ୍ଥା ନଷ୍ଟଭ୍ରଷ୍ଟ ହୋଇଗଲାଣି। 'ଆଗାମୀ ନିର୍ବାଚନରେ ସରକାର ପରିବର୍ତ୍ତନ ପାଇଁ ଲୋକେ ସ୍ଥିର କରିଛନ୍ତି। ଦୁର୍ନୀତିକୁ ବିରୋଧ କରି ବିଜେପି ସରକାର କରିବାକୁ ଲୋକେ ନିଷ୍ପତ୍ତି ନେଇଛନ୍ତି ବୋଲି ମନମୋହନ ସାମଲ କହିଛନ୍ତି । ଗଞ୍ଜାମକୁ କେନ୍ଦ୍ରର ବହୁ ଅନୁଦାନ ଆସିଛି, କିନ୍ତୁ ବିକାଶ ହୋଇନି ।

5. ହେବନି ଛାତ୍ର ସଂସଦ ନିର୍ବାଚନ: ଏଥର ବି ହେବନି ଛାତ୍ର ସଂସଦ ନିର୍ବାଚନ। ବିଗତ ୬ ବର୍ଷ ଧରି ଏହି ନିର୍ବାଚନ ବନ୍ଦ ରହିଛି। ଚଳିତ ବର୍ଷ ନିର୍ବାଚନ ହେବା ନେଇ ଆଶା କରାଯାଉଥିଲା। କିନ୍ତୁ ଏହି ନିର୍ବାଚନ ନ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ଆଗକୁ ସାଧାରଣ ନିର୍ବାଚନ ରହିଥିବାରୁ ଶିକ୍ଷାନୁଷ୍ଠାନ କ୍ୟାମ୍ପସରେ ନିର୍ବାଚନ କରି ଛାତ୍ର ଓ ଯୁବ ସଂଗଠନରେ ଫାଟ ସୃଷ୍ଟି କରିବାକୁ ଶାସକ ଦଳ ଚାହୁଁନାହିଁ। ଯେଉଁଥିରେ ଅତି ଚତୁରତାର ସହ କ୍ୟାମ୍ପସରେ ନିର୍ବାଚନ ନ କରିବାକୁ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ଆଜି ପ୍ରକାଶିତ ବାର୍ଷିକ ଶିକ୍ଷା କ୍ୟାଲେଣ୍ଡର ପ୍ରକାଶ କରାଯାଇଛି। 

6. ବିଜେପି ନେତା ନିଲମ୍ବିତ: ଅନୁଶାସନ ଭଙ୍ଗ, ବିଶୃଙ୍ଖଳିତ ଓ ଦଳବିରୋଧୀ କାର୍ଯ୍ୟ କାରଣରୁ ରାଜ୍ୟସଭାପତି ଶ୍ରୀ ମନମୋହନ ସାମଲଙ୍କ ଅନୁମୋଦନକ୍ରମେ ଘୁମୁସୁର ସାଂଗଠନିକ ଜିଲ୍ଲାର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ରଞ୍ଜନ ପଲେଇ ଏବଂ କୋଦଳା ଏନଏସି ମଣ୍ଡଳ ସଭାପତି ମଧୁସୁଦନ ଜେନାଙ୍କୁ ଦଳର ପ୍ରାଥମିକ ସଦସ୍ୟ ପଦରୁ ନିଲମ୍ବନ କରାଗଲା ବୋଲି ଏକ ପ୍ରେସ ବିବୃତି ଜରିଆରେ ରାଜ୍ୟ ବିଜେପି ଗଣମାଧ୍ୟମ ବିଭାଗ ମୁଖ୍ୟ ଶ୍ରୀ ଦିଲୀପ ମଲ୍ଲିକ ସୂଚନା ଦେଇଛନ୍ତି । ସେପଟେ ପ୍ରଦୀପ ପାଣିଗ୍ରାହୀ ଙ୍କ ଉପରେ ବର୍ଷି,ବିଜେପି ଛାଡି ବିଜେଡିରେ ଯୋଗ ଦେଇଥିଲେ ରଞ୍ଜନ ପଲାଇ। 

7. ଖେଳାଳିଙ୍କୁ ୧୦ ଲକ୍ଷ ପୁରସ୍କାର: ଚୀନର ହାଂଙ୍ଗଝୁ ଠାରେ ହେବାକୁ ଥିବା ଏସିଆନ ଗେମ୍ସ ପାଇଁ ଯୋଗ୍ୟତା ଅର୍ଜନ କରିଥିବା ଓଡ଼ିଆ ଖେଳାଳିଙ୍କୁ ୧୦ ଲକ୍ଷ ଟଙ୍କାର ପୁରସ୍କାର। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପୁରସ୍କାର ରାଶି ଘୋଷଣା କରିଛନ୍ତି। ତେବେ ଏହି ଅର୍ଥ ରାଶି ଖେଳାଳିମାନଙ୍କ ଆର୍ଥିକ ସ୍ଥିତିକୁ ମଜବୁତ କରିବ ବୋଲି ଆଶା ବ୍ୟକ୍ତ କରିଛନ୍ତି। ଖେଳାଳିମାନେ ସେମାନଙ୍କର ତାଲିମ, ପ୍ରସ୍ତୁତି ଓ ଅଂଶ ଗ୍ରହଣ କରିବା ସମୟରେ ଏହି ପୁରସ୍କାର ରାଶିକୁ ଖର୍ଚ୍ଚ କରିବେ ବୋଲି କୁହାଯାଇଛି। 

8. ଏସିଆ କପ୍‍ ଫାଇନାଲରେ ଭାରତ: କଲମ୍ବୋରେ ଖେଳାଯାଇଥିବା ସୁପର-୪ର ଦ୍ୱିତୀୟ ମ୍ୟାଚରେ ଶ୍ରୀଲଙ୍କାକୁ ୪୧ ରନରେ ପରାସ୍ତ କରିଛି ଟିମ୍ ଇଣ୍ତିଆ । ଏହି ବିଜୟ ସହ ଆସନ୍ତା ସେପ୍ଟେମ୍ବର ୧୭ରେ ହେବାକୁ ଥିବା ଏସିଆ କପ୍‍-୨୦୨୩ ଫାଇନାଲ୍‍ ମ୍ୟାଚ୍‍ ଲାଗି ଭାରତ ଯୋଗ୍ୟତା ହାସଲ କରିଛି। ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ଭାରତୀୟ ଦଳ କ୍ରମାଗତ ଦୁଇ ଦିନରେ ପାକିସ୍ତାନ ଓ ପରେ ଶ୍ରୀଲଙ୍କାକୁ ପରାସ୍ତ କରିପାରିଛି।

9. ଆଜିଠୁ ଲଘୁଚାପ ବର୍ଷା: ଆଜି ସକାଳୁ ଭୁବନେଶ୍ୱର ସମେତ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଲଘୁଚାପ ଜନିତ ବର୍ଷା ଜାରି ରହିଛି। ପାଣିପାଗ ବିଭାଗ ପକ୍ଷରୁ ଜାରି ସୂଚନା ଅନୁସାରେ, ୮ଟି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ତେଣୁ ଆଜି ପାଇଁ ବଲାଙ୍ଗୀର, କନ୍ଧମାଳ, କଳାହାଣ୍ଡି, କୋରାପୁଟ, ନବରଙ୍ଗପୁର, ମାଲକାନଗିରି ଆଦି ୬ଟି ଜିଲ୍ଲାକୁ ସତର୍କ କରାଯାଇଛି। ଏସବୁ ଜିଲ୍ଲାରେ ୭ରୁ ୧୧ ସେଣ୍ଟିମିଟର ବର୍ଷା ହେବାର ସମ୍ଭାବନା ରହିଛି। ଆସନ୍ତାକାଲି କେନ୍ଦ୍ରୀୟ ଓଡ଼ିଶାର ଅନୁଗୁଳ, ନୟାଗଡ଼, କଟକ, ଢେଙ୍କାନାଳ, ଗଞ୍ଜାମ, କନ୍ଧମାଳ, ବୌଦ୍ଧ, ସୋନପୁର ପ୍ରଭୃତି ୮ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଆଶଙ୍କା ରହିଛି।

10. ୪୦ ପ୍ରତିଶତ ଏମ୍‍ପି ଦାଗୀ: ଦେଶର ମୋଟ୍‍ ୭୬୩ ଜଣ ସାଂସଦଙ୍କ ମଧ୍ୟରୁ ୪୦% ଅର୍ଥାତ୍‍ ୩୦୬ ଜଣଙ୍କ ନାମରେ ବିଭିନ୍ନ ଅପରାଧିକ ମାମଲା ରହିଛି । ପୁଣି ୨୫% ସାଂସଦ ଅର୍ଥାତ୍‍ ୧୯୪ ଜଣ ସାଂଘାତିକ ଅପରାଧିକ ମାମଲାରେ ଜଡ଼ିତ ଥିବାବେଳେ ୨୧ଜଣ ମହିଳା ବିରୋଧି ହିଂସା ମାମଲାରେ ସମ୍ପୃକ୍ତ ରହିଛନ୍ତି। ଲୋକସଭାର ୫୩୮ ଜଣ ସାଂସଦଙ୍କ ମଧ୍ୟରୁ ୨୩୨ ଜଣଙ୍କ ବିରୁଦ୍ଧରେ ଅପରାଧିକ ମାମଲା ଥିବାବେଳେ ରାଜ୍ୟସଭାର ୨୨୫ ଜଣ ସାଂସଦଙ୍କ ମଧ୍ୟରୁ ୭୪ ଜଣଙ୍କ ବିରୁଦ୍ଧରେ ଅପରାଧିକ ମାମଲା ରହିଥିବା ଆସୋସିଏସନ୍‍ ଫର ଡେମୋକ୍ରାଟିକ୍‍ ରିଫର୍ମ ପକ୍ଷରୁ ପ୍ରକାଶିତ ରିପୋର୍ଟରେ ଦର୍ଶାଯାଇଛି।