ସୃଷ୍ଟି ହେଉନି ଜଙ୍ଗଲ, ରଥ ପାଇଁ ସଂକଟ ହେବ କାଠ
trendingNow,recommendedStories0/zeeodisha/odisha1295939

ସୃଷ୍ଟି ହେଉନି ଜଙ୍ଗଲ, ରଥ ପାଇଁ ସଂକଟ ହେବ କାଠ

ତାଳଗଛର ଅବଦାନ ଅନେକ, କିନ୍ତୁ ତାଳଗଛଟିଏ ବଢ଼ାଇବା ଏତେ କଷ୍ଟ ସାଧ୍ୟ ନୁହେଁ। ତାଳ ମଞ୍ଜି ମାତ୍ର ୬ରୁ ୯ଇଞ୍ଚ ମାଟି ମଧ୍ୟରେ ରୋପଣ କଲେ ତାହା ବଢ଼ିଥାଏ। ତାଳଗଛ ମାଟି ତଳକୁ ପ୍ରାୟ ୩ ଫୁଟ ଯିବା ପରେ ହିଁ ଗଜା ବାହାରିଥାଏ। 

ସୃଷ୍ଟି ହେଉନି ଜଙ୍ଗଲ, ରଥ ପାଇଁ ସଂକଟ ହେବ କାଠ

ପୁରୀ: ମହାପ୍ରଭୁଙ୍କ ରଥଯାତ୍ରାରେ ଖାଲି ରଥକାଠର ଅଭାବ ନୁହେଁ ରଥଯାତ୍ରାରେ ବ୍ଯବହୃତ ତାଳକାଠର ମଧ୍ୟ ଆଗାମୀ ଦିନରେ ଅଭାବ ପରିଲକ୍ଷିତ ହେବ। ଏହାକୁ ଦୃଷ୍ଟିରେ ରଖି ପୁରୀ ବଣ୍ଯପ୍ରାଣୀ ବନଖଣ୍ଡ ପକ୍ଷରୁ ପାଇଲଟ ପ୍ରକଳ୍ପ ଭାବେ ଲଗାଯିବ ତାଳଚାରା। କୋଣାର୍କ ମେରାଇନ ରାସ୍ତାକଡରେ ରୋପଣ ହେବ ତିନିଥାକିଆ ତାଳଗଛ। ପୁଣି ପୁରୀର ତାଳବଣିଆ ଅଞ୍ଚଳ ତାଳବଣକୁ ନେଇ ପରିଚିତ ଥିବା ବେଳେ ଏବେ ସେଠାରେ ଜଙ୍ଗଲ ଅବକ୍ଷୟ ତାଳବଣର ପରିଚୟ ହରାଇସାରିଛି। ତେଣୁ ଏହାର ଗୁରୁତ୍ୱ ଓ ଆବଶ୍ୟକତାକୁ ଦୃଷ୍ଟିରେ ରଖି ତାଳବଣ ସୃଷ୍ଟି ପାଇଁ ଉଦ୍ଯମ ଆରମ୍ଭ ହୋଇଛି। ରଥଯାତ୍ରାର ଚାହିଦା ମେଣ୍ଟାଇବା ପାଇଁ ୩୦ହଜାର ତାଳମଞ୍ଜି ରୋପଣ ପାଇଁ ମୁଖ୍ୟ ବନ ସଂରକ୍ଷକ ପୁରୀ ବନଖଣ୍ଡ ଅଧିକାରୀଙ୍କୁ ଚିଠି ଲେଖି ନିର୍ଦ୍ଦେଶ ଦେଇଛନ୍ତି। ତେବେ ସରକାରଙ୍କ ଏଭଳି ପ୍ରୟାସକୁ ସ୍ୱାଗତ କରିଛନ୍ତି ଜଗନ୍ନାଥ ପ୍ରେମୀ ଆଉ ରଥନିର୍ମାଣରେ ନିୟୋଜିତ ଭୋଇ ସର୍ଦ୍ଦାର।

ପୁଣି ଫେରିବ ତାଳବଣ। କୋଣାର୍କ ମେରାଇନ୍‌ ରାସ୍ତା କଡ଼ରେ ‌ରୋପଣ ହେବ ତିନି ଥାକିଆ ତାଳଗଛ। ପୁରୀ ବନ୍ୟପ୍ରାଣୀ ବନଖଣ୍ଡ ରେଞ୍ଜ ପକ୍ଷରୁ ଏହାକୁ ଏକ ପାଇଲଟ ପ୍ରକଳ୍ପ ଭାବେ ଆରମ୍ଭ କରାଯିବ। ଏନେଇ ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ ପୁରୀ ବନ୍ୟପ୍ରାଣୀ ବନଖଣ୍ଡକୁ ନିର୍ଦେଶ ଦେଇଛନ୍ତି। ସେପଟେ ମହାପ୍ରଭୁଙ୍କ ରଥଯାତ୍ରାରେ ରଥ ଉପରକୁ ଠାକୁରଙ୍କୁ ପହଣ୍ଡି ସମୟରେ ତାଳଗଣ୍ଡିରୁ ପ୍ରସ୍ତୁତ ଚାର ବିଜେ କରିବା ପାଇଁ ବ୍ଯବହୃତ ହୋଇଥାଏ। ତେବେ ବର୍ଷବର୍ଷ ଧରି ତାଳବଣିଆ ହିଁ ଏହାର ଚାହିଦା ମେଣ୍ଟାଉଥିଲା। ଶ୍ରୀମନ୍ଦିର ପ୍ରଶାସନର ନିର୍ଦେଶରେ ପୁରୀ ବନଖଣ୍ଡ ପକ୍ଷରୁ ତାଳଚାର ତଥା ତାଳଗଛର ଗଣ୍ଡି ଯୋଗାଇଦିଏ। ମାତ୍ର ଏବେ ତାଳବଣିଆ ତାଳଗଛ ଶୂନ୍ୟ ହୋଇଯାଇଥିବାରୁ ଅନ୍ୟ ଅଞ୍ଚଳରୁ ଏହାକୁ ଅଣାଯାଉଛି।

ରଥଯାତ୍ରା ସମୀକ୍ଷା ବୈଠକରେ ତାଳଗଛର ସୃଷ୍ଟି ନେଇ ମତ ପ୍ରକାଶ ପାଇଥିଲା। ରଥଯାତ୍ରା‌ରେ ଆବଶ୍ୟକତା ମେଣ୍ଟାଇବା ଦୃଷ୍ଟିରୁ ଏହା ଯେତିକି ଉପାଦେୟ, ବାତ୍ୟା ଭଳି ପ୍ରାକୃତିକ ଦୁର୍ବିପାକ ସମୟରେ ଜନବସତି ପାଇଁ ଏହା ସେତିକି ଗୁରୁତ୍ବପୂର୍ଣ୍ଣ। ସେପଟେ ପରିବେଶ ସନ୍ତୁଳନ କ୍ଷେତ୍ରରେ ଏହା ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ ସହ ବାଇ ଚଢ଼େଇମାନେ ମଧ୍ୟ ତାଳଗଛର ବରଡ଼ାରେ ବସା ବାନ୍ଧିଥାନ୍ତି। ସେପଟେ ତାଳ ଗଛ ସୃଷ୍ଟି ପାଇଁ ତାଳ ମଞ୍ଜି ମୁଖ୍ୟ ଆବଶ୍ୟକତା ହୋଇଥିବା ବେଳେ ସଂପ୍ରତି ପାଚିଲା ତାଳ ବହୁ ପରିମାଣରେ ଗଛ ନିକଟରେ ମହଜୁଦ ରହିଛି। 

ତେଣୁ ଏହାକୁ ସଂଗ୍ରହ କରିବା ସହ ତାଳ ଗଛ ବ୍ୟାପକ ପରିମାଣରେ ରୋପଣ କରିବା ପାଇଁ ନିର୍ଦେଶ ଦିଆଯାଇଛି। ଏଥିପାଇଁ ଆବଶ୍ୟକସ୍ଥଳେ ଇକୋ ଡେଭଲପମେଣ୍ଟ କମିଟି (ଇଡିସି)ର ସହାୟତା ନେବାକୁ କୁହାଯାଇଛି। ଆଉ ତାଳଚାରା ରୋପଣ ନେଇ ମୁଖ୍ୟ ବନସଂରକ୍ଷକ ଏନେଇ ପୁରୀ ବନଖଣ୍ଡ ଅଧିକାରୀଙ୍କୁ ଚିଠି କରିଛନ୍ତି। ପ୍ରାୟ ୩୦ହଜାର ତାଳଚାରା କୋଣାର୍କ ମେରାଇନ ରାସ୍ତା କଡରେ ପାଇଲଟ ପ୍ରକଳ୍ପ ଭାବେ ଲଗାଯିବ। ଚିହ୍ନଟ ହୋଇଥିବା ଜମୀରେ ତିନିଥାକିଆ ଚାଳଚାରା ରୋପଣ ସହ ତାଳବଣିଆରେ ମଧ୍ୟ ରୋପଣ କରାଯିବ ବୋଲି କହିଛନ୍ତି ଡିଏଫଓ।

ମହାପ୍ରଭୁଙ୍କ ରଥଯାତ୍ରା ସମୟରେ ଗର୍ଭଗୃହରେ ରତ୍ନବେଦୀରେ କଳାହାଟ ଦ୍ୱାର ଠାରୁ ସିଂହାସନ ପର୍ଯ୍ୟନ୍ତ ତାଳକାଠ ବା ମାଲର ବ୍ଯବହାର କରାଯାଏ। ଯେଉଁଥିରେ ମହାପ୍ରଭୁଙ୍କ ପହଣ୍ଡି ବିଜେ ସହ ଶ୍ରୀଅଙ୍ଗ ସୁରକ୍ଷା ପାଇଁ ଏହା ବ୍ଯବହାର କରାଯାଏ। ସେପଟେ ରଥରେ ମଧ୍ୟ ଚାରମାଳ ବନ୍ଧା ପାଇଁ ତାଳକାଠ ବ୍ଯବହାର କରାଯାଏ। ପୂର୍ବରୁ ଏହା ତାଳବଣିଆରୁ ଆସୁଥିବା ବେଳେ ତାଳକାଠର ଅଭାବ ଯୋଗୁଁ ପୁରୀ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଆଣିବାକୁ ପଡୁଛି ବୋଲି କହିଛନ୍ତି ଭୋଇ ସର୍ଦ୍ଦାର। ତେବେ ପ୍ରଶାସନର ଜଗନ୍ନାଥଙ୍କ ପାଇଁ ତାଳଗଛର ରୋପଣ ପ୍ରକ୍ରୀୟା ବେଶ ସ୍ୱାଗତ ଯୋଗ୍ଯ । ଆଉ ଆଗାମୀ ଦିନରେ ଏହି ତାଳଜଙ୍ଗଲ ରଥଯାତ୍ରାର ଆବଶ୍ୟକତା ପୁରଣ କରିପାରିବ।

ବାସ୍ତବରେ ଗୋଟିଏ ତାଳଗଛର ଅବଦାନ ଅନେକ, କିନ୍ତୁ ତାଳଗଛଟିଏ ବଢ଼ାଇବା ଏତେ କଷ୍ଟ ସାଧ୍ୟ ନୁହେଁ। ତାଳ ମଞ୍ଜି ମାତ୍ର ୬ରୁ ୯ଇଞ୍ଚ ମାଟି ମଧ୍ୟରେ ରୋପଣ କଲେ ତାହା ବଢ଼ିଥାଏ। ତାଳଗଛ ମାଟି ତଳକୁ ପ୍ରାୟ ୩ ଫୁଟ ଯିବା ପରେ ହିଁ ଗଜା ବାହାରିଥାଏ। ଏଥିରେ ନିୟମିତ ପାଣି ଦେବା ଆବଶ୍ୟକ ପଡ଼େ ନାହିଁ। ରକ୍ଷଣାବେକ୍ଷଣ ପାଇଁ ମଧ୍ୟ ତାରଜାଲି ଘେରାଇବା ଆବଶ୍ୟକ ହୁଏ ନାହିଁ। ତେଣୁ ମହାପ୍ରଭୁଙ୍କ ପାଇଁ ଖାଲି ବନବିଭାଗ ନୁହେଁ ପ୍ରତିଟି ଜଗନ୍ନାଥ ପ୍ରେମୀ ତାଳଗଛ ସହିତ ଅନ୍ଯାନ୍ଯ ଗଛ ରୋପଣ କରିବାକୁ ଅନୁରୋଧ କରିଛନ୍ତି ଶ୍ରୀଜଗନ୍ନାଥ ଗବେଷକ।

ସେପଟେ ବାତ୍ୟାପ୍ରବଣ ଅଞ୍ଚଳରେ ତାଳଗଛ ଅତ୍ୟନ୍ତ ଜରୁରି। ବାତ୍ୟାବେଳେ ଯେତେ ପବନ ହେଲେ ମଧ୍ୟ ତାଳଭଳି ଶକ୍ତ ବୃକ୍ଷରାଜି ଏହାକୁ ପ୍ରତିରୋଧ କରିଥାଏ। ପବନର ବେଗକୁ ୫୦ ପ୍ରତିଶତ ପ୍ରତିହତ କରିବାର କ୍ଷମତା ରଖେ। ତେଣୁ ଏହା ଜନବସତିରେ ମାଡ଼ ହେବା ବେଳକୁ ଏହା ଦୁର୍ବଳ ହୋଇଯାଏ। ଘଡ଼ଘଡ଼ି ସମୟରେ ତାଳଗଛ ବିଜୁଳି କରେଣ୍ଟକୁ ମାଟି ତଳକୁ ଆର୍ଥିଂ ଭାବେ ଟାଣି ନେବାରେ ସହାୟକ ମଧ୍ୟ ହୁଏ।