କାଲି ବସିବ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ, ସାମ୍ନାକୁ ଆସିବ ଅନେକ ଗୁମର
Advertisement
Article Detail0/zeeodisha/odisha1289934

କାଲି ବସିବ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ, ସାମ୍ନାକୁ ଆସିବ ଅନେକ ଗୁମର

ରଥଯାତ୍ରା ପରେ ଆସନ୍ତାକାଲି ପ୍ରଥମ ଥର ପାଇଁ ବସିବ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ। ପୂର୍ବାହ୍ନ ସାଢେ ଦଶଟାରେ ନିଳାଦ୍ରୀ ଭକ୍ତନିବାସରେ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଅଧ୍ଯକ୍ଷତାରେ ବସିବ ବୈଠକ। ବୈଠକରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ, ଦେବସ୍ନାନ ପୂର୍ଣ୍ଣିମା ଠାରୁ ନିଳାଦ୍ରୀବିଜେ ସହ ନୂତନ ଭକ୍ତ ନିବାସ ନିର୍ମାଣ ପ୍ରସଙ୍ଗରେ ହେବ ଆଲୋଚନା।

କାଲି ବସିବ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ, ସାମ୍ନାକୁ ଆସିବ ଅନେକ ଗୁମର

ପୁରୀ: ରଥଯାତ୍ରା ପରେ ଆସନ୍ତାକାଲି ପ୍ରଥମ ଥର ପାଇଁ ବସିବ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ। ପୂର୍ବାହ୍ନ ସାଢେ ଦଶଟାରେ ନିଳାଦ୍ରୀ ଭକ୍ତନିବାସରେ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଅଧ୍ଯକ୍ଷତାରେ ବସିବ ବୈଠକ। ବୈଠକରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ, ଦେବସ୍ନାନ ପୂର୍ଣ୍ଣିମା ଠାରୁ ନିଳାଦ୍ରୀବିଜେ ସହ ନୂତନ ଭକ୍ତ ନିବାସ ନିର୍ମାଣ ପ୍ରସଙ୍ଗରେ ହେବ ଆଲୋଚନା। ସେପଟେ ପ୍ରସ୍ତାବ ବାହାରେ ମଧ୍ୟ ରହିଛି ଦୁଇଟି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ। ରତ୍ନଭଣ୍ଡାର ଖୋଲିବା, ମରାମତି ଓ ମଣତି ସହ ରଘୁନାଥ ବେଶ ନେଇ ଆଲୋଚନା କରାଯିବ ବୋଲି କହିଛନ୍ତି ପରିଚାଳନା କମିଟି ସଦସ୍ଯ ତଥା ଶ୍ରୀମନ୍ଦିର ରତ୍ନଭଣ୍ଡାର କମିଟି ସଦସ୍ଯ ଜଗନ୍ନାଥ କର।

ବିପଦ ସଂକୁଳ ଅବସ୍ଥାରେ ଅଛି ମହାପ୍ରଭୁଙ୍କ ଭିତର ରତ୍ନଭଣ୍ଡାର। ଖସୁଛି ଚୁନ ଅତଡା। ବାରମ୍ବାର ଏନେଇ ଶ୍ରୀମନ୍ଦିର ପ୍ରଶାସନକୁ ଅବଗତ କରାଇଛନ୍ତି ଭଣ୍ଡାର ସେବାୟତ। ମହାପ୍ରଭୁଙ୍କର ସମସ୍ତ ଅଳଙ୍କାର ସୁରକ୍ଷିତ ରହିଛି। ଆଉ ବାହାର ରତ୍ନଭଣ୍ଡାରର ଅଳଙ୍କାରରେ ମହାପ୍ରଭୁଙ୍କ ଦୈନନ୍ଦିନ ବେଶ ଓ ବିଶେଷ ପର୍ବପର୍ବାଣିରେ ମଧ୍ୟ ବିଭିନ୍ନ ଅଳଙ୍କାରରେ ଆଭୁଷିତ ହେଉଛନ୍ତି ମହାପ୍ରଭୁ। ତେବେ ଶହେବର୍ଷ ହେଲାଣି ଭିତର ରତ୍ନଭଣ୍ଡାରରୁ ଅଳଙ୍କାର କାଢିବାରେ ପ୍ରଶାସନ ବିଫଳ ହେଉଥିବାରୁ ବ୍ଯୟବହୁଳ ରଘୁନାଥ ବେଶ କରିବା ନେଇ ପଛାଉଛନ୍ତି ସରକାର।

ସୁନାବେଶକୁ ଛାଡିଦେଲେ ବାହାର ରତ୍ନଭଣ୍ଡାରକୁ ଛାଡିଦେଲେ ଆଉ କୌଣସି ସେଭଳି ଅଳଙ୍କାର ନାହିଁ। ଆଉ ମହାପ୍ରଭୁଙ୍କର ଦୁର୍ଲ୍ଲଭ ବେଶ ଗୁଡିକ ଯଥା ରଘୁନାଥ ବେଶରେ ବ୍ଯବହୃତ ହେଉଥିବା ଅଳଙ୍କାର ଓ ରତ୍ନପଥର ଏବେବି ଭିତର ରତ୍ନଭଣ୍ଡାରରେ ରହସ୍ୟ ହୋଇ ରହିଛି। ଭିତର ରତ୍ନଭଣ୍ଡାରରେ ତିନୋଟି ତାଲା ରହିଥିବାରୁ ତାର ଚାବି ନାହିଁ ଓ ଭିତର ରତ୍ନଭଣ୍ଡାର ଦୀର୍ଘ ଦିନ ହେବ ଖୋଲିନଥିବାରୁ ତାଭିତରେ ବିଶାକ୍ତ ଶରିସୃପ ରହିଛନ୍ତି। ଆଉ ଭିତର ରତ୍ନଭଣ୍ଡାରରେ ଅନେକ କୋଠରୀ ଓ ତାଭିତରେ ସିନ୍ଦୁକରେ ତାଲା ପଡି ତା ଭିତରେ ଗୋଟାକରେ ଅଳଙ୍କାର ଓ ଅନ୍ଯଟିରେ କେବଳ ରତ୍ନ ଏଇଭଳି ଅନେକ ସିନ୍ଦୁକ ରହିଛି। 

ତେବେ ୧୯୮୧ରେ ରତ୍ନଭଣ୍ଡାରରୁ କିଛି ରୂପା ଅଣାଯାଇ କଳାହାଟ ଦ୍ୱାରର କିଛି ମାତ୍ରା ରୂପାଛାଉଣି କରାଯାଇଥିଲା। ସେସମୟରେ ଭଣ୍ଡାରମେକାପ ନିଳକଣ୍ଠ ମେକାପ ପ୍ରଶାସନକୁ ରୂପା ଦେବା ପରେ ଚାବି ପକାଇ ପ୍ରଶାସନକୁ ହସ୍ତାନ୍ତର କରିଥିଲେ। ଆଉ ଏବେ ରତ୍ନଭଣ୍ଡାର ଖୋଲିଲେ ଓ ରଘୁନାଥ ବେଶ କରାଗଲେ ସେଥିରେ ଲାଗିବାକୁ ଥିବା ମହଣମହଣ ସ୍ୱର୍ଣାଳାଙ୍କର ଓ ରତ୍ନ ପଥର ଗୁଡିକ ଲାଗିବାକୁ ଥିବାରୁ ଏହାର ସୁରକ୍ଷା ଦାୟିତ୍ବ କିଏ ନେବ ବୋଲି ପ୍ରଶ୍ନ କରିଛନ୍ତି ଭଣ୍ଡାର ମେକାପ।

ଏଏସଆଇର ଅବହେଳାରୁ ରତ୍ନବେଦୀ ପଛପଟ କାନ୍ଥରୁ ଚୁନପ୍ଲାଷ୍ଟର ଖସିବା, ରତ୍ନଭଣ୍ଡାର ସୁରକ୍ଷା ପ୍ରସଙ୍ଗ, ରଘୁନାଥ ବେଶ ନେଇ ପ୍ରସ୍ତୁତି ବିଶେଷକରି ଭିତର ରତ୍ନଭଣ୍ଡାର ଖୋଲି ମଣତି କରିବା ଆଦି ପ୍ରସଙ୍ଗକୁ ଆସନ୍ତାକାଲି ପରିଚାଳନା କମିଟି ବୈଠକରେ ଉପସ୍ଥାପନ କରାଯିବ ବୋଲି କହିଛନ୍ତି ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ଯ ତଥା ରତ୍ନଭଣ୍ଡାର କମିଟି ସଦସ୍ଯ ଜଗନ୍ନାଥ କର। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ, ଦେବସ୍ନାନ ପୂର୍ଣ୍ଣିମା ଠାରୁ ନିଳାଦ୍ରୀବିଜେ ସହ ନୂତନ ଭକ୍ତ ନିବାସ ନିର୍ମାଣ ପ୍ରସଙ୍ଗରେ ହେବ ଆଲୋଚନା। 

ବିଶେଷକରି ଶ୍ରୀମନ୍ଦିର ରକ୍ଷଣାବେକ୍ଷଣ ବାବଦରେ ବର୍ଷ ତମାମ ଏଏସଆଇ କିକି କାର୍ଯ୍ୟ କରିଛି ତା ଉପରେ ମଧ୍ୟ ରିପୋର୍ଟ ତଲବ ସହିତ ତର୍ଜମା କରାଯିବ। ତେବେ ଆସନ୍ତାକାଲି ପରିଚାଳନା କମିଟି ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ଆଲୋଚନା ହେବାକୁ ଥିବା ବେଳେ ରତ୍ନଭଣ୍ଡାର ଖୋଲିବା ଓ ରଘୁନାଥ ବେଶ ପାଇଁ ରାଜ୍ୟ ସରକାରଙ୍କୁ କି ପ୍ରସ୍ତାବ ଦେବ ପରିଚାଳନା କମିଟି ତାହା ଉପରେ ରହିଛି ସମସ୍ତଙ୍କ ନଜର।